nalco

ଭୁବନେଶ୍ୱର: ଚାଷୀଙ୍କ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କରିବା ଦାବିରେ ବିଜୁ ଜନତା ଦଳ ପକ୍ଷରୁ ଆସନ୍ତାକାଲି(୮ତାରିଖରେ) ନୂଆଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଯେଉଁ ବିପୁଳ ଆୟୋଜନ କରାଯାଇଛି ତାହାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ତୀବ୍ର ସମାଲୋଚନା କରିଛନ୍ତି । ନିର୍ବାଚନ ପୂର୍ବରୁ ଏହା ବିଜେଡ଼ିର ଆଉ ଏକ ପ୍ରହସନ ବୋଲି ସେ କହିଛନ୍ତି । ଶ୍ରୀ ପଟ୍ଟନାୟକ ବିବୃତିରେ କହିଛନ୍ତିଯେ ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡ଼ିର ନେତୃବୃନ୍ଦ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ ଦାବିରେ ଟ୍ରେନ ଯାତ୍ରା କରି ଦିଲ୍ଲୀରେ ଆନ୍ଦୋଳନ କରିଥିଲେ ହେଲେ ଫଳ କ’ଣ ମିଳିଲା । ସରକାର ରାଜ୍ୟରେ କୃଷିର ବିକାଶ ପାଇଁ ଆଳୁ ମିଶନ, ଡାଲି ମିଶନ, ପିଆଜ ମିଶନ କରିଛନ୍ତି । ସବୁ ମିଶନ ବାଟବଣା ହେଲା, ସବୁ ମିଶନକୁ (ପିସି) ଖାଇଗଲା । ଆଳୁ ବିହନ ଲଗାଇଲେ, ଆଳୁ ଫଳ ଧରୁନି । ସରକାରୀ ବିହନରେ ହୋଇଥିବା ଧାନ ଗଛରେ କେଣ୍ଡା ଧରୁନି । କୃଷିଜାତ ସାମଗ୍ରୀ ମହଜୁଦ ରଖିବାକୁ ଶୀତଳ ଭଣ୍ଡାର କିମ୍ବା ବଜାରୀକରଣ ବ୍ୟବସ୍ଥା ନାହିଁ । ରାଜ୍ୟର ଧାନର ଅଭାବୀ ବିକ୍ରି ହେଉଥିବାବେଳେ ସରକାର ମଣ୍ଡି ଖୋଲିବାରେ ବିଫଳ ହେଉଛନ୍ତି । ସାଧାରଣ ଚାଷୀ ବାହାର ଦଲାଲଙ୍କୁ ନିର୍ଦ୍ଧାରିତ ଦରଠାରୁ କମ୍ରେ ଧାନ ବିକ୍ରି କରି କ୍ଷତିଗ୍ରସ୍ତ ହେଉଛନ୍ତି । ଓଡ଼ିଶା ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଛତିଶଗଡ଼ ସରକାର ବୋନସ ପ୍ରଦାନ କରି ଧାନ କୁଇଂଟାଲ ପିଛା ୨୫୦୦ ଟଙ୍କା ଧାର୍ଯ୍ୟ କରିଥିବାବେଳେ ଓଡ଼ିଶା ସରକାର ଧାନ ଉପରେ ବୋନସ ବୃଦ୍ଧି ନକରି ଦିଲ୍ଲୀ ଯାଇ ଏମଏସପି ବୃଦ୍ଧି ପାଇଁ ଦାବି କରିବା କେତେଦୂର ଯଥାର୍ଥ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ବିଧାନସଭାରେ ପାରିତ ହୋଇଥିବା ଏମଏସପି ୨୯୩୦ ଟଙ୍କା ଧାନ
କୁଇଂଟାଲ ପିଛା କେନ୍ଦ୍ର ସରକାର ଶୁଣୁ ନାହାନ୍ତି । ଏମଏସପି କେବଳ ଗୋଟିଏ ରାଜ୍ୟ ପାଇଁ ବୃଦ୍ଧି କରାଯାଇନାହିଁ । ଏହା ସର୍ବଭାରତୀୟ ସ୍ତରରେ ଲାଗୁ କରାଯାଇଥାଏ । ରାଜ୍ୟ ଓ ଦେଶର ସବୁ ବିରୋଧୀଦଳକୁ ନେଇ ଆନ୍ଦୋଳନ କରିଥିଲେ ସୁଫଳ ମିଳିଥାଆନ୍ତା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ଭଳି ବିଜେଡ଼ି ରାଜ୍ୟର ସମର୍ଥନ ଲୋଡ଼ି ଦିଲ୍ଲୀରେ ବିକ୍ଷୋଭ କରିଥିଲେ, ତାହା ଫଳପ୍ରଦ ହୋଇଥାଆନ୍ତା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ବିଜେଡ଼ି କର୍ମୀଙ୍କ ଦିଲ୍ଲୀ ଯାତ୍ରା ପାଇଁ ଟ୍ରେନ ଭଡ଼ା ବାବଦରେ ୫୨ ଲକ୍ଷ ଖର୍ଚ୍ଚ କରାଗଲା । ଉକ୍ତ ଅର୍ଥ ଋଣଗ୍ରସ୍ତ ଚାଷୀ ପରିବାରକୁ ପ୍ରଦାନ କରାଯାଇଥିଲେ ବହୁ ଋଣଗ୍ରସ୍ତ ଚାଷୀଙ୍କ ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିଥାଆନ୍ତା । ଏହା କୃଷକଙ୍କପାଇଁ ଦାବି ଉପସ୍ଥାନ ଅପେକ୍ଷା ବିଜେଡ଼ିର ପିକ୍ନିକ୍ ସମାବେଶ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ତାତ୍ସଲ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here