ବାଲେଶ୍ୱର : ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ସହରର ରାଜରାସ୍ତାଠୁ  ଆରମ୍ଭ କରି ଗାଆଁର ଗଳିକନ୍ଦି ଯାଏଁ ବିଭିନ୍ନ ରାଜନୈତିକ ଦଳ ସହ ସ୍ୱାଧୀନ ପ୍ରାର୍ଥୀମାନେ ଭୋଟରମାନଙ୍କୁ  ପ୍ରଭାବିତ କରିବା ପାଇଁ ନିଜ ନିଜର ପ୍ରଚାର କରିବାରେ ବ୍ୟସ୍ତ । ଅନେକ ରାଜନୈତିକ ଦଳଙ୍କ ପ୍ରଚାର ସମୟରେ କୋଭିଡ ୧୯ର ନିୟମ ଉଲଘଂନ କରିବା ତଥା ଭୋଟରକୁ ପ୍ରଲୋଭିତ କରିବା ପାଇଁ ମିଥ୍ୟା ପ୍ରତିଶୃତି ତଥା ନାନା ଅନୈ÷ତିକ ପନ୍ଥାମାନ ଅବଲମ୍ବନ କରୁଛନ୍ତି ବୋଲି ବହୁ ଅଭିଯୋଗ ସବୁ ମିଳୁଛି ।

ଏସବୁକୁ  ତର୍ଜମା କରି ବାଲେଶ୍ୱରର କବି, କଳାକାର, ଚିତ୍ରଶିଳ୍ପୀ ତଥା ସମାଜସେବୀମାନେ ମିଶି ଏକ ଅଭିନବ ଶୈ÷ଳୀରେ ନିର୍ବାଚନୀ ଛୁଙ୍କ ଆସର ଆୟୋଜନ କରି ଜନ ସଚେତନତା କରିବା ପାଇଁ ଆଗେଇ ଆସିଛନ୍ତି । ବାଲେଶ୍ୱର ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ କୋଶମ୍ବ ସାହିତ୍ୟ ପରିଷଦ ଆଜି ସଂଧ୍ୟାରେ ସ୍ଥାନୀୟ ଆଇଟିଆଇ ଛକ ନିକଟ ବାଘାଯତୀନ ମାର୍କେଟ କମ୍ପ୍ଲେସ୍ ପରିସରରେ କବି, କଳାକାର, ଚିତ୍ରକର, ବ୍ୟଙ୍ଗକାର, ଗାୟକ ଓ ଆଲୋଚକ ମାନଙ୍କୁ ନେଇ ଏକ  ନିର୍ବାଚନ ସଚେତନତା ଧର୍ମୀ ନିର୍ବାଚନ ଛୁଙ୍କ ଆୟୋଜନ କରାଯାଇଥିଲା ।

ଏହି ଆସରରେ ଶିଳ୍ପୀ କେଶୁଦାସ ବାମ୍ବୁ ଧରି ନିଜେ ବାମ୍ବୁଧର ସାଜି  ପ୍ରାକ୍ ସୂଚନା ଦେଇଥିବା ବେଳେ  କୋଶମ୍ବ ସାହିତ୍ୟ ପରିଷଦର ସଂପାଦକ କବି ତଥା ସମାଜସେବୀ ଗଗନ ସେଠୀ ଓ ମଧୁସୂଦନ ମିଶ୍ର ଆକର୍ଷଣୀୟ ଓ ମନୋମୁଗ୍ଧକର ମଂଚ ସଞ୍ଚାଳନ କରିଥିଲେ ।  ହାସ୍ୟରସ ପୂର୍ଣ୍ଣ ସଚେତନତା ଧର୍ମୀ କଟାକ୍ଷ ତଥା ବ୍ୟଙ୍ଗ କବିତା ମାନ କବି ପ୍ରଭାକର ସାହୁ, ପ୍ରବୀର କମିଳା, କଲ୍ୟାଣୀ ନନ୍ଦ, ଇନାୟତ୍ ଅଲ୍ଲୀ, ଅଧ୍ୟାପକ  ପ୍ରଦୀପ୍ତ ମିଶ୍ର, ସୁବାସ ସ୍ୱାଇଁ ଓ ସୁବ୍ରତା ମହାନ୍ତି ସ୍ୱରଚିତ ନିର୍ବାଚନୀ କବିତା ଶୁଣାଇ ଥିଲେ । କଣ୍ଠଶିଳ୍ପୀ ସୁଜିତ ଭୋଇ ଅକ୍ଷୟ ମହାନ୍ତିଙ୍କ ବହୁ ପ୍ରସିଦ୍ଧ ନିର୍ବାଚନୀ ଗୀତ ଗାଇ ଦର୍ଶକଙ୍କୁ ଆକର୍ଷିତ କରିଥିଲେ । ବିଶିଷ୍ଟ ଯାତ୍ରା ଅଭିନେତା ବାପି ପଣ୍ଡା, ସରୋଜ ମହାପାତ୍ର ଓ ମହେଶ୍ୱର ଜେନା ପ୍ରମୁଖ ଯୋଗ ଦେଇ ଯାତ୍ରା ସଂଳାପ ଓ ଗୀତ ମାଧ୍ୟମରେ ସ୍ୱଚ୍ଛ ଓ ନିରପେକ୍ଷ ଭୋଟ୍ ପାଇଁ ସମସ୍ତଙ୍କୁ ଆବେଦନ କରିଥିଲେ ।

ନାଟକ ତଥା ଟିଭି ସିରିଏଲ ଅଭିନେତା ଗୁରୁ ଦାସ ସାଧାରଣ ଗରିବ ଛଣାବାଲା ସାଜି କଡ଼େଇରେ ଟଙ୍କାର ଛୁଙ୍କ ପକାଇବାର ଅଭିନୟ କରି ସାମ୍ପ୍ରତିକ ଭୋଟ ବେଳରେ ଟଙ୍କାର ଭୂମିକାକୁ କଟାକ୍ଷ କରି ପରିପ୍ରକାଶ କରିଥିଲେ । ସେହିପରି ରୂପକ ଦାସ ଓ ଦୀନକୃଷ୍ଣ ଧଳ ମଂଚରେ ନେତାମାନଙ୍କର ଟଙ୍କା ପ୍ରୀତି ଓ ଭୋଟରମାନଙ୍କୁ ଟଙ୍କା ଫିଙ୍ଗିବାର ଦୃଶ୍ୟକୁ ଚିତ୍ର କରି ଦର୍ଶାଇଥିଲେ । ସମାଜସେବୀ ଯୁବ ବିକାଶର ମୁଖ୍ୟ ଗୋବିନ୍ଦ ବଲ୍ଲଭ ଦଳାଇ ଓ ସ୍ୱସ୍ତିକ ଦେ ଆଲୋଚକ ଭାବେ ଯୋଗ ଦେଇ ସାମ୍ପ୍୍ରତ୍ତିକ ନିର୍ବାଚନରେ ଭୋଟର ମାନଙ୍କୁ ନିଜ ସପକ୍ଷରେ ଭୋଟ ଦେବା ପାଇଁ  ଛଳେ, ବଳେ, କୌଶଳେ ଆପଣେଇବା ପକ୍ରିୟାକୁ ଘୋର ସମାଲୋଚନା କରିଥିଲେ । ଶେଷରେ ଅନ୍ୟତମ ସହଯୋଗୀ ବଣଧୂଳିର ଫୁଲ ମୁଖ୍ୟ ବିଜୟ କୁମାର ଆଚାର୍ୟ୍ୟ  ନିର୍ବାଚନର ଆଭିମୁଖ୍ୟ ଉପରେ ଆଲୋକପାତ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଯୋଗଦାନ କରିଥିବା ସମସ୍ତ କବି , କଳାକାର, ଚିତ୍ରକର, ବ୍ୟଙ୍ଗକାର, ଗାୟକ ଓ ଆଲୋଚକ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା

LEAVE A REPLY

Please enter your comment!
Please enter your name here