ରାଜ୍ୟ ବା ରାଷ୍ଟ୍ରର ମଙ୍ଗଳ, ବିକାଶ ଓ ଅଭିବୃଦ୍ଧି ପାଇଁ ଶିକ୍ଷା ବିକାଶ ଅତି ଆବଶ୍ୟକ । ଏହାର ଲକ୍ଷ୍ୟ ମହାନ ତଥା ସୁଦୂର ପ୍ରସାରୀ । ଆଲବର୍ଟ ଆଇନ୍ଷ୍ଟାଇନଙ୍କ ମତରେ ‘ଶିକ୍ଷିତ ସୃଷ୍ଟି କରିବାରେ ଶିକ୍ଷା କେବଳ ମାଧ୍ୟମ ନହୋଇ ଜୀବନ ଗଢିବାର ମାଧ୍ୟମ ହେଉ’ । ଏଥିପାଇଁ ମୂଲ୍ୟବୋଧ ଗୁଣାତ୍ମକ ଶିକ୍ଷା ଜରୁରୀ । ଆମ ଲୋକକଳା ଆମ ସଂସ୍କୃତି ସଦୃଶ ଆମ ବିଦ୍ୟାଳୟ ଆମ ସଭ୍ୟତା ଅଟେ । ମାତ୍ର ଏହି ସରକାରୀ ସ୍କୁଲ ସୁରକ୍ଷା ପରିବର୍ତ୍ତେ ପ୍ରତିକୂଳ ପଦକ୍ଷେପ ନିଆଯାଉଛି । ରାଜନୀତି ଫାଇଦାକୁ ଆଖି ଆଗରେ ରଖି ଲୋକଙ୍କୁ ଭୁଆଁ ବୁଲାଇବା ଶିକ୍ଷା ନୀତି ଅଣାଯାଉଛି । ଫଳରେ ସରକାରୀ ସ୍କୁଲ ଧ୍ୱସଂ ଆଡକୁ ଗତି କରୁଛି । ଶିକ୍ଷା ବିଭାଗରେ ଶୃଙ୍ଖଳା, ଆଦର୍ଶ ଓ ନୈତିକତାର କିଛି ଅଭାବ ରହୁଛି । ଅଧିକାରୀ ଓ ଅଧସ୍ତନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ଅଭାବ ଦେଖା ଦେଉଛି । ବିଭାଗର କର୍ତ୍ତୃପକ୍ଷ ସାଧାରଣ ଜନତାଙ୍କ ଭାବାବେଗ ଜାଣି ପାରୁନାହାନ୍ତି । ବିଭାଗରେ ଆଦର୍ଶବାଦୀ ବଡପଣ୍ଡାଙ୍କ ଅଭାବ ରହୁଥିବାରୁ ଶାସନ ବ୍ୟବସ୍ଥାରେ ଜଟିଳତା ଦେଖା ଦେଉଛି । ସାହାସ, ଶକ୍ତି, ସଞ୍ଜମ ଓ ଚରିତ୍ରବତାକୁ ଆପଣେଇ ଆଦର୍ଶବାଦୀ ସଚ୍ଚୋଟ, ସାଧୁ ତଥା ଭୋଗବାଦୀ ବିରୋଧୀ ନେତାଙ୍କର ଆବଶ୍ୟକତା ବର୍ତ୍ତମାନ ସମୟ ପାଇଁ ଏକାନ୍ତ ଦରକାର ହେଉଛି । ଯାହା ଜଣାଯାଏ ଆଗାମୀ ପିଢିଙ୍କୁ ସ୍ମାର୍ଟ ରଖିବା ପାଇଁ ଗଣଶିକ୍ଷା ବିଭାଗ ସଂସ୍କାରମୂଳକ କାର୍ଯ୍ୟକ୍ରମରେ ଗଣିତ, ବିଜ୍ଞାନ ଓ ଇଂରାଜୀ ଶିକ୍ଷାକୁ ଗୁରୁତ୍ୱ ଦେଇ ଏହି ବିଷୟକୁ ୪୫ ମିନିଟ ପରିବର୍ତ୍ତେ ୯୦ ମିନିଟ ବା ଦେଢ ଘଣ୍ଟାର କ୍ଲାସ କରିବାକୁ କହିଛନ୍ତି । ଚଳିତ ଶିକ୍ଷା ବର୍ଷରୁ ଏହି ନିୟମ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯିବ ଯୋଜନା ହେଉଛି । ତେବେ ଅନ୍ୟ ବିଷୟ ଗୁଡିକୁ ନିର୍ଦ୍ଧାରିତ ସମୟ ତଥା ୪୫ ମିନିଟ ପଢାଯିବା ପାଇଁ କୁହାଯାଇଛି । ପୁଣି ଇଂରାଜୀ ଶିକ୍ଷାକୁ ଗୁରୁତ୍ୱ ଦେଇ ପାଇଲଟ ପ୍ରୋଜେକ୍ଟ ଭାବେ ଜିଲାର ଗୋଟିଏ ସ୍କୁଲକୁ ବଛାଯାଇ ସ୍ୱତନ୍ତ୍ର ଇଂରାଜୀ ଶିକ୍ଷା ଦିଆଯିବ । ଏ ସମ୍ପର୍କରେ ଶିକ୍ଷାନୀତି ନିର୍ଦ୍ଧାରକମାନେ ପୁନଶ୍ଚ ବିଚାର ବିମର୍ଷ କରିବା ଆବଶ୍ୟକ ରହିଛି । କାରଣ ଗଣିତ, ବିଜ୍ଞାନ ଓ ଇଂରାଜୀ ପିରିୟଡକୁ ୪୫ ମିନିଟ ପରିବର୍ତ୍ତେ ଦେଢଘଣ୍ଟାକୁ ବୃଦ୍ଧି କଲେ ମାତୃଭାଷା, ଇଂରାଜୀ, ରାଜନୀତି ବିଜ୍ଞାନ, ଭୂଗୋଳ, ସଂସ୍କୃତ , ହିନ୍ଦୀ ସହ ବିଭିନ୍ନ ସହ ବୈାଦ୍ଧିକ ଶିକ୍ଷଣ ସମ୍ବନ୍ଧରେ ପାଠପଢା ନିଶ୍ଚିତ ଉଣା ହେବ । ବିଶେଷତଃ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡିଆ ଭାଷା ଶିକ୍ଷା ପାଇଁ ବଡ ଆହ୍ୱାନ ସୃଷ୍ଟି ହେବ । କାରଣ ଏହି ବିଷୟ ଗୁଡିକୁ ପଢାଇବା ପାଇଁ ଦୈନିକ ମାତ୍ର ଅଧଘଣ୍ଟାଏ ସମୟ ବଳୁଛି । ଯେହେତୁ ଦିନ ଦଶଟାରୁ ଚାରିଟା ମୋଟ ଛଅ ଘଣ୍ଟାରୁ ଗଣିତ, ବିଜ୍ଞାନ ଓ ଇଂରାଜୀ ପାଇଁ ଦେଢ ଘଣ୍ଟା ଲେଖାଏଁ ମୋଟ ସାଢେ ଚାରିଘଣ୍ଟା ଏବଂ ମଧ୍ୟାହ୍ନ ଭୋଜନ ପାଇଁ ଏକ ଘଣ୍ଟା ଗଲାପରେ ମାତ୍ର ଅଧ ଘଣ୍ଟାଏ ବଳୁଛି । ଏଣୁ ସମାଜ ପାଇଁ ବୈଜ୍ଞାନିକ, ଗଣିତଜ୍ଞ, ଇଂରାଜୀ ବିଷେଶଜ୍ଞ ମାନଙ୍କର ଯେତିକି ଆବଶ୍ୟକତା ରହିଛି ସେହିପରି ସାହିତ୍ୟିକ, ଐତିହାସିକ, ଭୂଗୋଳବିତ୍ ତଥା ଅନ୍ୟ ବ୍ୟକ୍ତିମାନଙ୍କର ମଧ୍ୟ ସେତିକି ଆବଶ୍ୟକତା ଅଛି । ମାତୃଭାଷା ହିଁ ଜାତିର ସ୍ପନ୍ଦନ । ଏହା ବିଶେଷଭାବେ ବିଘ୍ନିତ ହେବ । ପିଲାଙ୍କ ମୈାଳିକ ଚିନ୍ତନକୁ ନିରୁତ୍ସାହିତ କରିବ । ଭବିଷ୍ୟତରେ ଶାସ୍ତ୍ରୀୟ ଓଡିଆ ଭାଷାର ଆୟୁଷ ଉଣା ହୋଇଯିବ । ତାପରେ ସମସ୍ତେ ଜାଣନ୍ତି ଜାତୀୟ ପାଠ୍ୟକ୍ରମ ଆଧାର ଏବଂ ରାଜ୍ୟ ପାଠ୍ୟକ୍ରମ ଆଧାରରେ ଏନ୍ସିଆରଟି/ଏସ୍ସିଆରଟି ବିଭିନ୍ନ ବିଷୟକୁ ଗୁରୁତ୍ୱ ଦେଇ ସାପ୍ତାହିକ ଦୈନିକ କାର୍ଯ୍ୟ ନିର୍ଘଣ୍ଟ(ରୁଟିନ୍) ପାଇଁ ପିରିୟଡ ଆବଣ୍ଟନ କରିଛନ୍ତି । ଏହି ସବୁ ଦୃଷ୍ଟି କୋଣରୁ ଅନ୍ୟ ବିଷୟକୁ ଉପେକ୍ଷା କରି ଦେଢ ଘଣ୍ଟିଆ ପିରିୟଡ ପିଲାମାନଙ୍କ ମନୋବିଜ୍ଞାନ ଦୃଷ୍ଟି କୋଣରୁ ଆଦୈା ଉଚିତ ନୁହେଁ । ଏହା ପିଲାଙ୍କ ସମୟର ଅପଚୟ ସଙ୍ଗେ ସଙ୍ଗେ ସେମାନଙ୍କୁ ଭାରାକ୍ରାନ୍ତ କରିବ । ଏଣୁ ଏହି ତିନୋଟି ବିଷୟ ପାଇଁ ଅଧିକ ସମୟଥିବା ପିରିୟଡକୁ ବିନିଯୋଗ କରାଯାଇ ପାରେ । କିମ୍ବା ଅତିବେଶୀରେ ଏକ ଘଣ୍ଟା ଲେଖାଏଁ ରଖାଯାଇ ପାରେ(ଏହା ମଧ୍ୟ ସମ୍ଭବ ନୁହେଁ ) । ଅଥବା ଅତିରିକ୍ତ କ୍ଲାସ କରିବାକୁ ସୁଯୋଗ ସୃଷ୍ଟି କରାଯାଇ ପାରେ । ଅଧୁନା ପ୍ରଚଳିତ ସରକାରୀ ନିର୍ଦ୍ଧାରିତ ନିୟମ ଅନୁସାରେ ଉଦାହରଣତଃ ଅଷ୍ଟମ ଶ୍ରେଣୀର ବିଭିନ୍ନ ବିଷୟ ଅନୁସାରେ ପାଠଦାନ ଗୁରୁତ୍ୱ ଓ ପାଠଦାନ ସମୟ ନିମ୍ନମତେ ସାପ୍ତାହିକ ପିରିୟଡ ଆବଣ୍ଟିତ ହୋଇଛି, ଯଥା: ଓଡିଆ-୬ ପିରିୟଡ, ଇଂରାଜୀ-୬, ହିନ୍ଦୀ/ସଂସ୍କୃତ- ୨, ଗଣିତ-୮, ବିଜ୍ଞାନ – ୬, ଇତିହାସ – ୩, ଭୂଗୋଳ- ୩ ଏବଂ ଅନ୍ୟାନ୍ୟ ସହବୈାଦ୍ଧିକ ଶିକ୍ଷଣରେ ଯଥା: କର୍ମାନୁଭୂତି ଶିକ୍ଷା – ୨, କଳା ଶିକ୍ଷା – ୧, ସ୍ୱାସ୍ଥ୍ୟ ଓ ଶାରୀରିକ ଶିକ୍ଷା – ୨, କ୍ଲବ କାର୍ଯ୍ୟାବଳୀ – ୧, ପ୍ରତିଯୋଗିତା -୨ ଏହିପରି ମୋଟ ୮ଟି ପିରିୟଡ । ସାପ୍ତାହିକ ସର୍ବମୋଟ ୪୨ ପିରିୟଡ ଅଛି । ଏବେ ଏହି ୪୨ ପିରିୟଡରୁ ୬ଟି ପିରିୟଡ କାଟି ଦେଇ ଉଜ୍ଜ୍ୱଳ/ ଉତ୍ଥାନ/ ଉତ୍କର୍ଷ ପାଠପଢା ପାଇଁ ମଧ୍ୟ ଦିଆଯାଉଛି । ଏପରିପ୍ରେକ୍ଷୀରେ କେଉଁ ବିଷୟର ପିରିୟଡ ସଂଖ୍ୟା କମ କରାଯିବ, ତାହା ଚିନ୍ତାର ବିଷୟ ।ପୁନଶ୍ଚ ଯାହା ଜଣାଯାଏ ମଧ୍ୟାହ୍ନ ପୂର୍ବରୁ ପିରିୟଡ ଅବଧି ୪୫ ମିନିଟ୍ ରହୁଥିବାବେଳେ ଅପରାହ୍ନରେ ପିରିୟଡ ଅବଧି ୪୦ ମିନିଟ୍ ଲେଖାଏଁ ରହି ୪ଟାରେ ପିଲାଙ୍କୁ ଛୁଟି କରାଯାଉଥିଲା । ଏବେ ଦୈନିକ ସମସ୍ତ ୭ଟି ପିରିୟଡକୁ ୪୫ମିନିଟ ଲେଖାଏଁ ଅବଧି କରାଗଲେ ପିଲାମାନଙ୍କୁ ୪.୧୫ରେ ଛୁଟି କରିବା ସମସ୍ୟା ହେବ । ଭାବପ୍ରବଣ ହୋଇ ହଠାତ୍ କୈାଣସି ବେଠିକ ନିଷ୍ପତ୍ତି ନିଆଗଲେ ସରକାରୀ ଶିକ୍ଷାର ଅଧିକ କ୍ଷତି ନିଶ୍ଚିତ ହେବ । ଏଣୁ ବୁଝିବିଚାରି କାମ କରିବା ଦରକାର । କାରଣ ସାନକୁ ପଚାରି, ବଡକୁ ବିଚାରି କାମ କଲେ ମହାନତା ବଢିବ । ଯେହେତୁ ସମସ୍ତଙ୍କ ପାଖରେ ରାଶି ରାଶି ଅନୁଭବର ଉଦାହରଣ ଥାଏ । ଦୂରଦୃଷ୍ଟି ନରଖି ନିଷ୍ପତ୍ତି ନେଲେ ପ୍ରତିକୂଳ ପ୍ରତିକ୍ରିୟା ଭୋଗିବାକୁ ପଡିଥାଏ । ଅନ୍ୟଥା ତତ୍ତ୍ୱଦର୍ଶୀ ରାବଣ / ମହାମାନୀ ଦୁର୍ଯ୍ୟୋଧନ ଅଥବା ଅଦୂରଦର୍ଶୀ ହିଟ୍ଲର କିମ୍ବା ସଦାମ ହୁସେନଙ୍କ ପରି କ୍ଷତି ସହିବାକୁ ପଡେ । ତେଣୁ ରାଜନୈତିକ ଅସୁସ୍ଥ ବୟାନ ବାଜିରେ ଅନିଚ୍ଛା ସତ୍ତେ୍ୱ ଭୁଲ ମନ୍ତବ୍ୟ ବା ନିଷ୍ପତ୍ତି ନେଲେ ସମାଜ ପ୍ରଭାବିତ ହୋଇ ଅଘଟଣ ଘଟେ । ଏଣୁ ବୁଝିବିଚାରି କାମ କଲେ ବିପଦ ନପଡଇ ଭଲେ । ନିଜ ବୁଦ୍ଧି ବିବେକ ଖର୍ଚ୍ଚ କରି ଭୁଲ ଠିକ୍ର ବିଚାର ପୂର୍ବକ କାର୍ଯ୍ୟ କରିବା ଦରକାର । ପୁନଶ୍ଚ ସେହିପରି ଶିକ୍ଷକଙ୍କ ଦକ୍ଷତା ମାପିବେ ଏବଂ ନମ୍ବର ଦେବେ ଛାତ୍ରଛାତ୍ରୀ / ଶିକ୍ଷକଙ୍କ ସିସିଆର ଲେଖିବେ ଶିକ୍ଷାର୍ଥୀ, ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ରାଜ୍ୟରେ ଜାତୀୟ ସ୍ତରର ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ଗୁରୁତ୍ୱ ଦେଇ ଏହି ପଦକ୍ଷେପ ନିଆଯିବ । ଛାତ୍ରଛାତ୍ରୀଙ୍କ ମତାମତ ଅନୁଯାୟୀ ଶିକ୍ଷକଙ୍କ ଦକ୍ଷତାର ମୂଲ୍ୟାୟନ ହେବ । ଶିକ୍ଷା ବ୍ୟବସ୍ଥାକୁ କଡାକଡି ଯାଞ୍ଚ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ବିଶେଷତଃ ୯ମରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ କିପରି ଶିକ୍ଷାଦାନ ହେଉଚି ତାର ମାନ ଯାଞ୍ଚ ହେବ । ଏଥିପାଇଁ ଶିକ୍ଷକଙ୍କ ରିପୋର୍ଟ କାର୍ଡ ତଲବ ହେବ । ଏଥିରେ ଛାତ୍ରଛାତ୍ରୀ ମତାମତ ବା ଫିଡବ୍ୟାକ୍ ପ୍ରଦାନ କରିବେ । ପ୍ରତ୍ୟେକ ଶିକ୍ଷକ ଦକ୍ଷତା ନିମନ୍ତେ ସର୍ବାଧିକ ୧୦ ମାର୍କରୁ ସର୍ବନିମ୍ନ ୭.୫ ମାର୍କ ରଖିବାକୁ ହେବ । କମ ହେଲେ କୈଫୟିତ ତଲବ ହେବ ଏବଂ ନିର୍ଦ୍ଧାରିତ କମିଟି ଜରିଆରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୧୦ ରୁ ୧୦ ମାର୍କ ପାଇଁ ଏକ୍ସଲେଣ୍ଟ, ୯ ଲାଗି ‘ଏ +’ , ୮ ଲାଗି ‘ଏ’, ୭.୫ ଲାଗି ‘ବି+’ ଏହା ତଳକୁ ‘ସି’ ସ୍କୋର ରହିବ । ଶ୍ରେଣୀର ସମସ୍ତ ପିଲାଙ୍କ ମିଳିତ ମାର୍କକୁ ବିଚାରକୁ ନିଆଯିବ । ଯଦି ୩୦% ପିଲାଙ୍କ ରିପୋର୍ଟ ୭.୫ ମାର୍କ ତଳକୁ ରହେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମାତ୍ର ଏହା ଉଦ୍ଦେଶ୍ୟ ମୂଳକ ନହୋଇ ଦୃଷ୍ଟାନ୍ତ ମୂଳକ ହେବା ଦରକାର । ଗଣଶିକ୍ଷା ବିଭାଗ ସଂସ୍କାର ନାମରେ ନେଉଥିବା ଏହି ପଦକ୍ଷେପ ଶିକ୍ଷକଙ୍କ ଶିକ୍ଷାଦାନକୁ ଶିକ୍ଷାର୍ଥୀ ମୂଲ୍ୟାୟନ କରିବେ । ତାହେଲେ ପୂର୍ବରୁ ଶିକ୍ଷକଙ୍କ ପାଦଛୁଇଁ ପିଲା ଆଶୀର୍ବାଦ ନେଉଥିଲେ, ଏବେ ଛାତ୍ରଛାତ୍ରୀଙ୍କ ଗୋଡ ଧରି ଚାକିରି ବଞ୍ଚେଇବାକୁ ହେବ । କେବଳ ଯେ ପିଲାଙ୍କ ଗୋଡ ଧରିବାକୁ ହେବ ତାହା ନୁହେଁ, ଏଣିକି ଅଭିଭାବକମାନଙ୍କୁ ଖୋସାମତ କରିବାକୁ ହେବ । ପିଲା ସ୍କୁଲକୁ ନ ଆସିଲେ ମାଷ୍ଟର ଏବଂ ତାଙ୍କ ଉପର ଅଧିକାରୀ ଦାୟୀ ରହିବେ । ଆଉ ଛଅ ମାସ ଚାକିରି ଥିବା ଜଣେ ଶିକ୍ଷକ କହନ୍ତି ଅବସର ନେଲେ ନିସ୍ତାର ପାଇବେ ବୋଲି, ଏହା ନିତିଦିନର ରାମବାବୁଙ୍କ ଦୁନିଆରେ ଆଲୋଚନା ହୋଇଛି । ଏକଥା ନିଶ୍ଚିତ ଛାତ୍ର ଶିକ୍ଷକଙ୍କ ପବିତ୍ର ସମ୍ପର୍କ କଳୁଷିତ ହେବ । ଗୁରୁ ଶିଷ୍ୟ ପରମ୍ପରାରେ ନକରାତ୍ମକ ପରିବେଶ ସୃଷ୍ଟି ହେବ ଏବଂ ପାଚେରୀ ଛିଡା ହେବ । ସରକାରଙ୍କ ଏହା ଏକ ଭୁଲ ନିଷ୍ପତ୍ତି, ଯାହା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମାନସିକ ଯନ୍ତ୍ରଣା ଦେବ । ସଂସ୍କୃତି ଓ ପରମ୍ପରା ଦୃଷ୍ଟିରୁ ଏହା ବିଡମ୍ବନା ବୋଲି ସଚେତନ ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି । ଏଥିରେ ଗଣଶିକ୍ଷା ମନ୍ତ୍ରୀଙ୍କର ବାସ୍ତବତା ଅପେକ୍ଷା ଭାବପ୍ରବଣତା ଅଧିକ ରହୁଛି ବୋଲି କୁହାଯାଉଛି । ତେଣୁ ଭାବପ୍ରବଣତାର ସୁନିୟନ୍ତ୍ରଣ ଆବଶ୍ୟକ । ସ୍ୱଚିନ୍ତନ ଓ ମନର ଆବେଗକୁ ଶିକ୍ଷା ବ୍ୟବସ୍ଥାର ଯନ୍ତ୍ରଣାରେ ପରିଣତ କରା ନଯାଉ । ସମ୍ପର୍କରେ ନିବିଡତା ଓ ବିଶ୍ୱାସ ବଜାୟ ରଖିବାକୁ ହେବ । ତେବେ ଯାଇ ସଫଳତା ମିଳିବ । ସେଥିପାଇଁ ଗଭୀର ଆତ୍ମ ସଚେତନ ହୋଇ ସରକାରୀ ଶିକ୍ଷାର ଉନ୍ନତି ପାଇଁ ଧୈର୍ଯ୍ୟର ସହ ସମୀକ୍ଷା କରି ସଠିକ କାରଣ ଖୋଜିବା ନିହାତି ଜରୁରୀ । କାରଣ ଶିକ୍ଷକଙ୍କ ଦୋଷ ତୃଟିକୁ ଛାତ୍ରଛାତ୍ରୀମାନେ ଦର୍ଶାଇବାକୁ ଚାହାନ୍ତି ନାହିଁ । ଏଣୁ ଶିକ୍ଷକଙ୍କୁ ମୂଲ୍ୟାୟନ ଶିକ୍ଷାର୍ଥୀଙ୍କ ଦ୍ୱାରା କରିବା କେବେ ବି ଫଳପ୍ରସୂ ହେବ ନାହିଁ । ପୁଣି ଏହି ମୂଲ୍ୟାୟନ ସକାଶେ ଶିକ୍ଷକଙ୍କ ଉପରସ୍ତରରେ ବହୁ ଅଧିକାରୀ ଥିବାବେଳେ ଏଭଳି ପଦକ୍ଷେପ ସମୀଚୀନ ନୁହେଁ । ତାପରେ ଏଣିକି ଅଭିଭାବକମାନଙ୍କୁ ସିଧାସଳଖ ସ୍କୁଲ ସହ ଯୋଡା ହେବ । ଅଭିଭାବକମାନେ ଆଇଭିଆରଏସ(ଇଣ୍ଟରାକ୍ଟିଭ ଭଏସ ରେସପନ୍ସ ସର୍ଭିସ) ମାଧ୍ୟମରେ ସେମାନଙ୍କ ସ୍କୁଲ ଓ ଶିକ୍ଷକମାନଙ୍କ ସମ୍ପର୍କରେ ମତ ରଖି ପାରିବେ । ଏଥିପାଇଁ ଆପ୍ଲିକେଶନ ଆରମ୍ଭ ଲାଗି ‘ପେରେଣ୍ଟ ଫିଡବ୍ୟାକ୍ ଆପ୍’ ଦ୍ୱାରା ପିଲାଙ୍କ ପାଠପଢା ଜଣା ପଡିବ । ଏହା ହିଁ ମାନଦଣ୍ଡ ରୂପେ ଗ୍ରହଣ କରାଯିବ । ଏହି ସବୁ ଆଖି ଦୃଶିଆ ପଦକ୍ଷେପ କେବଳ ଭେଳିକି ସୃଷ୍ଟି ନକରୁ । ନୀତି ବିହୀନତା ଚିନ୍ତାରୁ ପ୍ରସ୍ତୁତ କୈାଣସି ଯୋଜନା ନହେଉ । ଲୁଚିଛି ନା ଗୋଡ ଦିଟା ଦିଶୁଛି । ସରକାରୀ ସ୍କୁଲର ଶୋଚନୀୟ ଅବସ୍ଥା ପ୍ରତିଦିନ ଗଣମାଧ୍ୟମରେ ପ୍ରକାଶ ପାଉଚି । ତାକୁ ଘଣ୍ଟ ଘୋଡାଇବାକୁ ନିତିଦିନ ନୂଆ ଘୋଷଣା କରାଯାଉଛି । ବାସ୍ତବତାକୁ ଗୁରୁତ୍ୱ ଦିଆଗଲେ ସରକାରୀ ସ୍କୁଲ ଆଦର୍ଶ ଓ ମୂଲ୍ୟବୋଧ ଉପରେ ଯେଉଁ ଆଶଙ୍କା ସୃଷ୍ଟି ହୋଇଛି । ତାକୁ ଦୂର କରିବା ପାଇଁ ପ୍ରୟାସ ହେଉ । ବ୍ୟବସ୍ଥାଗତ ସୁଧାର ହେଉ । ସେଥିରେ ସମ୍ବେଦନଶୀଳତା ରହୁ । ଶିକ୍ଷା ସଂସ୍କାର ନାଁରେ କେବଳ ହାୱା ସୃଷ୍ଟି କରି ଲୋକଙ୍କୁ ଭୁଆଁ ବୁଲାଇବା କାର୍ଯ୍ୟ ନହେଉ । ଗଣଶିକ୍ଷା ସଂସ୍କାର ନାମରେ ପ୍ରତିକୂଳ ପଦକ୍ଷେପ ନେଇ ଅଧିକ ସମସ୍ୟା ସୃଷ୍ଟି କରାନଯାଉ ।

LEAVE A REPLY

Please enter your comment!
Please enter your name here