କପିଳ ସଂହିତାରେ ବର୍ଣ୍ଣିତ ଅଛି – ବର୍ଷାଣାଂ ଭାରତ ଶ୍ରେଷ୍ଠୋ ଦେଶାଣାମ୍ ଉକ୍ରଳଶ୍ରୁତଃ, ଉକ୍ରଳସ୍ୟ ସମୋଦେଶଃ ଦେଶୋନାସ୍ତି ମହୀତଳେ । କଳା, ସଂସ୍କୃତି, ସ୍ଥାପତ୍ୟ, ବୀରତ୍ୱର ବୈଚିତ୍ର‌୍ୟ ଓ ବୈଶିଷ୍ଟ୍ୟ ଯୋଗୁ ମଧ୍ୟ ଓଡ଼ିଶା କେବଳ ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ରୂପେ ପରିଗଣିତ ହୋଇଥିଲା ତାହା ନୁହେଁ, ବରଂ ଦ୍ୱୀପ, ଦ୍ୱୀପାନ୍ତର, ଦେଶ ଦେଶାନ୍ତର ଉଦ୍ଧ୍ୱର୍କୁ ଯାଇ ସମଗ୍ର ବିଶ୍ୱ ଦରବାରରେ ବିଶ୍ୱବନ୍ଦିତ ହୋଇପାରିଥିଲା । ସେହିପରି ଓଡ଼ିଶାର ଇତିହାସ ମଧ୍ୟ ଅତି ସୁପ୍ରାଚୀନ ଓ ଗୌରବମୟ ଅଟେ ।ଏହି ପୂଣ୍ୟତୋୟା କଳିଙ୍ଗର ଅତୀତ ଇତିହାସକୁ ଅବଲୋକନ କଲେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭିତରୁ ଏକ ଅଲିଭା ସ୍ୱାକ୍ଷର ଭାବେ ଯାହା ଏବେବି ଦୀପ୍ତିମନ୍ତ ତାହା ହେଲା ତାର ନୌବାଣିଜ୍ୟ ପରମ୍ପରା । ସେତେବେଳେ ଓଡ଼ିଶାର ଭୌଗୋଳିକ ପରିସ୍ଥିତି ମଧ୍ୟ ଏହି ସୁଦୂରପ୍ରସାରି ନୌବାଣିଜ୍ୟ ପାଇଁ ପ୍ରେରଣାର ଉତ୍ସ ହୋଇଥିଲା । ଦକ୍ଷିଣରେ ଗୋଦାବରୀଠାରୁ ଉତ୍ତରରେ ଗଙ୍ଗାନଦୀର ମୁହାଣ ପର୍ଯ୍ୟନ୍ତ ପୂର୍ବରେ ବଙ୍ଗୋପସାଗରର ସୁଦୀର୍ଘ ବେଳାଭୂମି ଦିନେ ଓଡ଼ିଆ ସାଧବପୁଅମାନଙ୍କର ବୋଇତ ଦ୍ୱାରା ଅଧ୍ୟୁଷିତ ହେଉଥିଲା । ସେଇଥିପାଇଁ ଭାରତ ମହାସାଗରରୁ ଗଙ୍ଗାସାଗରକୁ ଛୁଇଁଥିବା ବିସ୍ତୃତ ସାମୁଦ୍ରିକ କ୍ଷେତ୍ରର ନାମ ଥିଲା କଳିଙ୍ଗ ସାଗର ।

ଏହି ସାଗରକୁ ସ୍ପର୍ଶ କରିଥିବା ଗୋଦାବରୀ, ଋଷିକୂଲ୍ୟା, ପ୍ରାଚୀ, ଚନ୍ଦ୍ରଭାଗା, ବ୍ରାହ୍ମଣୀ, ବୈତରଣୀ, ମହାନଦୀ, ସୁବର୍ଣ୍ଣରେଖା, ଦାମୋଦର, ଗଙ୍ଗା ଆଦି ନଦୀଗୁଡ଼ିକ ଥିଲା ସୁଗଭୀର ଓ ନୌକା ଯାତାୟାତର ସୁଗମ ପଥ । ଏହି ବୃହତ୍ ନଦୀ ସହ ସମ୍ପୃକ୍ତ ଉପନଦୀ ଓ ଶାଖାନଦୀ କଳିଙ୍ଗର ସବୁ ଅଞ୍ଚଳରେ ବ୍ୟାପିଥିବାରୁ ଜଳପଥ ଗମନାଗମନର ମୁଖ୍ୟ ମାର୍ଗ ହୋଇଥିଲା । କଳିଙ୍ଗର କୌଣସି ଭାଗ ବିଚ୍ଛିନ୍ନ ନଥିଲା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ତନ୍ତୀ, ତେଲି, କୁମ୍ଭାର, କମାର, ଚମାର, ବଣିଆ, ବଢ଼େଇ, କାଚରା, ପାଟରା ଆଦି ବିଭିନ୍ନ ଜାତି ନିଜ କର୍ମକୁଶଳତାରେ ବିଭିନ୍ନ ଦ୍ରବ୍ୟ ପ୍ରସ୍ତୁତ କରି ନିଜ ନିଜ ବୋଇତରେ ବେପାର ବଣିଜ କରିବାକୁ ଦେଶ ବିଦେଶକୁ ଯାତ୍ରା କରୁଥିଲେ । ସାଧବପୁଅ ଥିଲା କଳିଙ୍ଗର ଗର୍ବ । ବଣିଜ କରୁଥିବା ବ୍ୟକ୍ତିଙ୍କୁ ସାର୍ଥ ଓ ଏହାର ମୁଖ୍ୟକୁ ସାର୍ଥବାହ କୁହାଯାଉଥିଲା । ବୋଧହୁଏ ପରବର୍ତ୍ତୀ କାଳରେ ଏହା “ସାଧବ’ ଶବ୍ଦକୁ ରୂପାନ୍ତରିତ ହୋଇଛି । ମହାମେଘବାହନ ସମ୍ରାଟ ଐର ଖାରବେଳଙ୍କ ସମୟରୁ ଉଲ୍ଲେଖ ହୋଇଆସୁଛି “କଳିଙ୍ଗାଃ ସାହସିକାଃ” । କାଳିଦାସଙ୍କ ରଘୁବଂଶରେ କଳିଙ୍ଗର ରାଜାଙ୍କୁ ମହୋଦଧିପତି ବୋଲି ବର୍ଣ୍ଣନା କରାଯାଇଛି । କଳିଙ୍ଗ ସହ ସିଂହଳ ଦ୍ୱୀପର ନୌବାଣିଜ୍ୟ କଥା କବି ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ “ଲାବଣ୍ୟବତୀ’ରେ ବର୍ଣ୍ଣିତ ହୋଇଛି । ବହିତ୍ର ଲାଗିଲା ଯାଇ ସିଂହଳ ଦ୍ୱୀପରେ ସାଧବ ଯୁବତୀମାନେ ଅତି ପ୍ରମୋଦରେ ଗଲେ ବହିତ୍ର ବନ୍ଦାଇ ଆପଦସ୍ଥଳୀମାନଙ୍କରେ ହୁଳହୁଳି ଦେଇ ।ନୌବାଣିଜ୍ୟରେ ଧୂରୀଣ, ସୁଦକ୍ଷ ଓ ଶକ୍ତିଶାଳୀ ଥିଲେ କଳିଙ୍ଗର ସାଧବପୁଅ । ସେଥିପାଇଁ ନୀତିଶ୍ଳୋକରେ ବର୍ଣ୍ଣିତ ଅଛି – ବାଣିଜ୍ୟେ ବସତେ ଲକ୍ଷ୍ମୀ\nତଦର୍ଦ୍ଧଂ କୃଷି କର୍ମଣି\nତଦର୍ଦ୍ଧଂ ରାଜ ସେବାୟାଂ ଭିକ୍ଷା ନୈବ ଚ ନୈବ ଚ ।ଏହି ବୀର ପ୍ରସବିନୀ ଐତିହାସିକ ଭୂଖଣ୍ଡର ନିର୍ଭୀକ ଓଡ଼ିଆମାନେ ଅନ୍ତହୀନ ନୀଳ ପାରାବାର ବକ୍ଷ ଭେଦକରି ପଣ୍ୟ ଦ୍ରବ୍ୟଭରା ବୋଇତ ନେଇ ଦେଶ ବିଦେଶକୁ ଯାଉଥିଲେ ଏବଂ ବେପାର ବଣିଜ କରି ଧନରତ୍ନ ମଣିମୁକ୍ତା ଇତ୍ୟାଦି ବୋହିଆଣି ବିଭବଶାଳୀ କରିଥିଲେ ନିଜର ମାତୃଭୂମିକୁ ।

ଏହି ଦୁଃସାହସିକ ଓଡ଼ିଆମାନେ ମହୋଦଧିର ସମସ୍ତ ବିପଦକୁ ଭୃକ୍ଷେପ ନ କରି ଦିଗନ୍ତ ବିସ୍ତାରି ଜଳରାଶି ମଧ୍ୟରେ ବିନା ଯାନ୍ତ୍ରିକ ସହାୟତାରେ ପାଲଟଣା ବୋଇତରେ ଯାଇ ଉଚ୍ଚକୋଟିର ନୌଚାଳନାର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । ଖ୍ରୀଷ୍ଟିୟ ପ୍ରଥମ ଶତାବ୍ଦୀରେ ଗ୍ରୀକ୍ ପର୍ଯ୍ୟଟକ ଟୋଲେମିଙ୍କ ବର୍ଣ୍ଣିତ ମତରୁ ଜଣାପଡ଼େ ପୂର୍ବ ସାଗରରେ ସମୁଦ୍ରବାହୀ ପୋତ ସାହାଯ୍ୟରେ ସୁବର୍ଣ୍ଣଭୂମି (ବର୍ମା), ଶ୍ୟାମ (ଥାଇଲାଣ୍ଡ), କମ୍ବୋଜ (କାମ୍ବୋଡ଼ିଆ), ତାମ୍ରପର୍ଣ୍ଣି (ସିଂହଳ), ଜାଭା, ସୁମାତ୍ରା, ବୋର୍ଣ୍ଣିଓ ସହ ନୌବାଣିଜ୍ୟ ସ୍ଥାପନ କରିପାରିଥିଲେ ଏବଂ ତତ୍ସହିତ କେତେକ ଦେଶରେ ଉପନିବେଶ ମଧ୍ୟ ସ୍ଥାପନ କରିଥିଲେ । ଟୋଲେମିଙ୍କ ବିବରଣୀ ଅନୁଯାୟୀ ପାଲୁର ନିକଟସ୍ଥ ବନ୍ଦରରୁ ପୋତ ଗୁଡ଼ିକ ସମୁଦ୍ର ବକ୍ଷକୁ ଯାଉଥିଲା । \”ମହାକର୍ମ ବିଭଙ୍ଗ\’ ନାମକ ଗ୍ରନ୍ଥରେ କଳିଙ୍ଗ ଓ କୋଶଳର ସୌଦାଗରମାନେ ତାମ୍ରଲିପ୍ତ ବନ୍ଦରରୁ ପୋତ ଯୋଗେ ସୁବର୍ଣ୍ଣ ଭୂମିକୁ ଯାତ୍ରା କରୁଥିବାର ବର୍ଣ୍ଣନା କରାଯାଇଛି । ବୌଦ୍ଧ ଗ୍ରନ୍ଥ ଅନୁଯାୟୀ ସିଂହଳର ରାଣୀ ଅନୁଜାଙ୍କୁ ବୌଦ୍ଧ ଧର୍ମରେ ଦୀକ୍ଷିତ କରିବା ପାଇଁ ସମ୍ରାଟ ଅଶୋକଙ୍କର କନ୍ୟା ସଂଘମିତ୍ରା ଓ ପୁତ୍ର ମହେନ୍ଦ୍ର ତାମ୍ରଲିପ୍ତ ବନ୍ଦରରୁ ସିଂହଳ ଅଭିମୁଖରେ ଯାତ୍ରା କରିଥିଲେ । ଚୀନ୍ ପରିବ୍ରାଜକ ହୁଏନସାଂ ୬୩୯ ଖ୍ରୀ:ଅ:ରେ ଉଡ୍ର (ଉଚା), କଙ୍ଗୋଦ (କିଂୟୋତ), କଳିଙ୍ଗ (କି ଲିଙ୍ଗକିଆ) ପରିଦର୍ଶନ କରିଥିଲେ । ତାଙ୍କର ବିବରଣୀରୁ ଜଣାଯାଏ ଯେ, ଚରିତ୍ର (ଚେଲିତାଲୋ) ବନ୍ଦର ଏକ ସମୃଦ୍ଧ ପୋତାଶ୍ରୟ ଥିଲା । କଙ୍ଗୋଦରୁ କୃଷ୍ଣକାୟ ହସ୍ତୀ ଧରାଯାଇ ବିଦେଶକୁ ରପ୍ତାନି କରାଯାଉଥିଲା ।କଳିଙ୍ଗ ବଣିକ ଗୋଷ୍ଠୀ ସମ୍ବନ୍ଧରେ ମିଳିଥିବା ବିସ୍ତୃତ ବିବରଣୀ ଅନୁସାରେ ତକ୍ରାଳୀନ ସମୟରେ ଭାରତର ୯ଟି ସର୍ବବୃହତ୍ ବନ୍ଦର ମଧ୍ୟରୁ କେବଳ ଓଡ଼ିଶାରେ ୫ଟି ଥିଲା । ଏହି ୫ଟି ବନ୍ଦର ହେଲା – ତାମ୍ରଲିତି (ତାମଲୁକ), କୋଶମ୍ବ (ବାଲେଶ୍ୱର), କୋନ୍ନଗର (କୋଣାର୍କ), ପାଲୁର (ଚିଲିକା), ପିଥୁଣ୍ଡ (କଳିଙ୍ଗପଟନମ୍) । ଏହା ବ୍ୟତୀତ ଅନ୍ୟ ଲୋକପ୍ରିୟ ବନ୍ଦର ଗୁଡ଼ିକ ହେଲା – ଦୋସରନ୍ (ବୈତରଣୀ ମୁହାଣ), ଆଦାମସ୍ (ସୁବର୍ଣ୍ଣରେଖା ମୁହାଣ), ପକୁରା (ଗଞ୍ଜାମ), ନନ୍ନିଗେନ (ପୁରୀ), ଚେଲିତୋଳ (ତିର୍ତ୍ତୋଲ), କଣ୍ଟକ ସିଲାଇ (ଘଣ୍ଟଶୀଳା), ପିପିଲି (ବାଲେଶ୍ୱର), ଛାନୁଆ (ଚାନ୍ଦବାଲି), ମନନ୍ଦ (ମହାନଦୀ), ସମ୍ବଳକ (ସମ୍ବଲପୁର), ଦୋସରା (ବଲାଙ୍ଗୀର), ସୁକ୍ତିମତୀପୁର (ବଲାଙ୍ଗୀରର ସକମା), ଲଛନପୁର, ସାରଥ, ଧାମରା, ଚିଲିକା, ମାଣିକପାଟଣା ଇତ୍ୟାଦି ଆହୁରି ଅନେକ । ମେଘାସ୍ଥିନିସ୍ଙ୍କ ବିବରଣୀ ଅନୁସାରେ କଳିଙ୍ଗ ଉପକୂଳର ଦୈର୍ଘ୍ୟ ଥିଲା ୭୦୦ ମାଇଲ । ଚିଲିକାର ପାଲୁର ବନ୍ଦରରେ ଥିବା କଳିଙ୍ଗର ବୃହତ୍ ବୋଇତରେ ବସି ଟଲେମି ମାଳୟଦ୍ୱୀପ ଯାଇଥିବା କଥା ସେ ନିଜେ ଉଲ୍ଲେଖ କରିଛନ୍ତି । ଚୀନ୍ ପରିବ୍ରାଜକ ଫାହିୟାନ୍ (୪୧୫ ଖ୍ରୀ:ଅ:) ୨୦୦ ଯାତ୍ରୀ ସହ ଓ ହୁଏନସାଂ (୬୪୫ ଖ୍ରୀ:ଅ:) ସଂଗୃହୀତ ବିପୁଳ ସମ୍ଭାର ସହ କଳିଙ୍ଗର ବୃହତ୍ ବୋଇତରେ ଚୀନ୍ ପ୍ରତ୍ୟାବର୍ତ୍ତନ କରିଥିବା କଥା ମଧ୍ୟ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି । ଉକ୍ରଳୀୟ ବଣିକମାନେ ସାଧୁ ଓ ପରୋପକାରୀ ଥିଲେ । ଏ ସଂକ୍ରାନ୍ତରେ ଗଳ୍ପଟିଏ । ଗୋଟିଏ ସହରରେ ଥିଲେ ଜଣେ ଅତ୍ୟନ୍ତ ଧନୀ ବଣିକ ।

ସେ ଥିଲେ ଅତ୍ୟନ୍ତ ସୁଖୀ । ତାଙ୍କ ଘର ସଦାବେଳେ ବନ୍ଧୁବାନ୍ଧବ, କଥାବାର୍ତ୍ତା ଓ ହାସ୍ୟରୋଳରେ ଭରି ରହୁଥିଲା । ବ୍ୟସ୍ତତା ଭିତରେ ବି ସେ ସର୍ବଦା ପ୍ରସନ୍ନ ରହୁଥିଲେ । ଥରେ ତାଙ୍କ ଘରକୁ ବୁଲି ଆସିଲେ ତାଙ୍କ ଘନିଷ୍ଠ ବନ୍ଧୁ । ବନ୍ଧୁ ରହୁଥିଲେ ଦୂର ଏକ ସହରରେ । ସେ ମଧ୍ୟ ଥିଲେ ଜଣେ ଅତ୍ୟନ୍ତ ଧନୀ ଓ ସଫଳ ବ୍ୟବସାୟୀ । ତାଙ୍କର ମଧ୍ୟ ଥିଲା ଅଚଳାଚଳ ସମ୍ପତ୍ତି । କିନ୍ତୁ ସେ ସର୍ବଦା ଚାପଗ୍ରସ୍ତ ହୋଇ ରହୁଥିଲେ । ଦିନେ ବଣିକଙ୍କୁ ତାଙ୍କ ବନ୍ଧୁ କହିଲେ – “ଭାଇ ସମସ୍ତେ ଭାବୁଛନ୍ତି ଯେ ମୁଁ ମୋ ଜୀବନରେ ଅଜସ୍ର ସଫଳତା ପାଇଥିବାରୁ ଏବଂ ଅଚଳାଚଳ ସମ୍ପତ୍ତି ଉପାର୍ଜନ କରିଥିବାରୁ ବହୁତ ସୁଖୀ । କିନ୍ତୁ ପ୍ରକୃତରେ ତାହା ନୁହେଁ । ମୁଁ କେବେ ବି ସୁଖୀ ହୋଇପାରିନାହିଁ । ଅଧା ସମୟ ସମ୍ପତ୍ତି ଉପାର୍ଜନ କରିବା ଲାଗି ପରିଶ୍ରମରେ କଟିଲା । ଏବେ ମନରେ ଭୟ ରହୁଛି ଯେ ସତର୍କ ନ ହେଲେ କାଳେ ସେ ସବୁ ଚାଲିଯିବ । ସେଥିଲାଗି ମୋ କାରବାର ଚଳାଉଥିବା ଲୋକଙ୍କ ଉପରେ ମୋତେ କଡ଼ା ନଜର ରଖିବାକୁ ପଡ଼ୁଛି । ମନରେ ଆଶଙ୍କାର ଭାବ ରହୁଛି । କିନ୍ତୁ ତୁମକୁ ଦେଖୁଛି ଯେ ତୁମେ ମସ୍ତ ଖୁସିରେ ଅଛ । ହସଖୁସିରେ ଅଛ କେମିତି?”ବଣିକ କହିଲେ – “ପାଞ୍ଚଟି ଶବ୍ଦକୁ ଗଣ୍ଠିଧନ କରି ରଖିଛି । ସେଗୁଡ଼ିକ ହେଲା ଶ୍ରଦ୍ଧା, ବିଶ୍ୱାସ, ବୈରାଗ୍ୟ, ଅର୍ପଣ ଓ ଭକ୍ତି । ପ୍ରଥମ କଥା ହେଲା ମୁଁ ମୋ ଚାରି ପାଖର ସବୁ ଲୋକଙ୍କୁ ଗଭୀର ଶ୍ରଦ୍ଧା ଓ ବିଶ୍ୱାସ କରେ । ତେଣୁ ସେମାନେ ବି ମୋତେ ଭଲ ପାଆନ୍ତି । ଏଥିରେ କାହାକୁ ଜଗିବାର ଲୋଡ଼ା ପଡ଼େନାହିଁ । ଏ ଧନସମ୍ପତ୍ତିକୁ ମୁଁ ଈଶ୍ୱରଙ୍କ ଦାନ ବୋଲି ଭାବେ । ତେଣୁ ମୋର ଏସବୁ ପ୍ରତି ଏକ ବୈରାଗ୍ୟ ରହିଛି । ସେଇ ବୈରାଗ୍ୟ ହେତୁ ମୋ ସମ୍ପତ୍ତିକୁ ମୁଁ ସାଧାରଣ ଲୋକଙ୍କ ଖୁସି ପାଇଁ ଦାନ ଧର୍ମରେ ବ୍ୟୟ କରେ । କାହାକୁ ଖାଲି ହାତରେ ଫେରାଏ ନାହିଁ । ସେଇ ଅର୍ପଣରୁ ହିଁ ଶାନ୍ତି ମିଳେ । ଶେଷରେ ରହିଲା ଈଶ୍ୱରଙ୍କ ପ୍ରତି ମୋର ଗଭୀର ଆସ୍ଥା । ତାଙ୍କ ପ୍ରତି ଆସ୍ଥା ରଖିଲେ ଭୟଶୂନ୍ୟ ହୁଏ । ତେଣୁ ଆନନ୍ଦରେ ଦିନ କଟେ ।” ଏହି ଗଳ୍ପରେ ବର୍ଣ୍ଣିତ ବଣିକ ଭଳି ଥିଲେ ଆମର ତଥାକଥିତ ସାଧବ ଗୋଷ୍ଠୀ ।ଏହି ସାଧବଗଣଙ୍କ ଦ୍ୱାରା ପୃଥିବୀ ପ୍ରସିଦ୍ଧ ସୂକ୍ଷ୍ମ ବସ୍ତ୍ର, କୋଶଳର କୋଶା ବସ୍ତ୍ର ଓ କପାବସ୍ତ୍ର, ହୀରାକୁଦର ସୁନା, ରୂପା, ହୀରା, ପଦ୍ମରାଗ, ସ୍ଫଟିକ, ରକ୍ତମଣି, ନୀଳମଣି, ପାନ୍ନାର ସହିତ ବିଭିନ୍ନ ଧାତୁକର୍ମ, ତାରକସି କାମ ଏବଂ ମାଟିପାତ୍ର, ଲୁଣ, ଚାଉଳ ଆଦି ରପ୍ତାନୀ ହେଉଥିବା କଥା ଚାଣକ୍ୟଙ୍କ “ଅର୍ଥଶାସ୍ତ୍ର’ରୁ ଜଣାପଡ଼େ । ସେହିପରି ରଣପୁର ଓ ତିଗିରିଆର ତନ୍ତୀମାନଙ୍କ ଦ୍ୱାରା ପ୍ରସ୍ତୁତ ସୂକ୍ଷ୍ମବସ୍ତ୍ର ବାଉଁଶନଳୀ ମଧ୍ୟରେ ମୁଦ ଦେଇ ବିଦେଶକୁ ରପ୍ତାନୀ କରାଯାଉଥିଲା ବୋଲି ପ୍ରଥମ ଶତାବ୍ଦୀରେ ରଚିତ “ପେରିପ୍ଲସ୍ ଅଫ୍ ଦି ଆରିଥ୍ରିଆନ୍ ସି” ପୁସ୍ତକରେ ଉଲ୍ଲେଖ କରାଯାଇଛି ।ବୈଶାଖରୁ କାର୍ତ୍ତିକ ମାସ ପର୍ଯ୍ୟନ୍ତ ଶୂଦ୍ର ଶିଳ୍ପୀକୂଳର ସାଧବଗଣ ରପ୍ତାନୀ ଉଦ୍ଦେଶ୍ୟରେ ବିଭିନ୍ନ ବସ୍ତୁ ନିର୍ମାଣ ଓ ସଂଗ୍ରହ ଅଭିଯାନ ଶେଷ କରି କାର୍ତ୍ତିକ ଅମାବାସ୍ୟା ବା ଆଲୋକର ପର୍ବ ଦୀପାବଳୀ ଦିନ ଲକ୍ଷ୍ମୀପୂଜା ପାଳନ କରିଥାଆନ୍ତି । ପରଦିନ ପ୍ରାତଃକାଳରୁ ସାଧବାଣୀ ଦ୍ୱାରା ବୋଇତ ବନ୍ଦାପନା ପରେ ସଂଗୃହିତ ଜିନିଷପତ୍ର ଲଦାହୁଏ କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ । ଏହି ସମୟରେ ଉତ୍ତରା ଅନୁକୂଳ ପବନ ଅର୍ଥାତ୍ ଅକ୍ଟୋବର-ନଭେମ୍ବର ମାସରେ ଉତ୍ତରା ପବନ ପ୍ରବାହିତ ହେବାରୁ ଓ ଝଡ଼ବର୍ଷାର ଆଶଙ୍କା ନ ଥିବାରୁ, କଳିଙ୍ଗ ଉପକୂଳରୁ ଓଡ଼ିଆ ସାଧବଗଣ ନିଜର ପଣ୍ୟସମ୍ଭାରଯୁକ୍ତ ବିଶାଳ ବୋଇତମାଳା ନୀଳାମ୍ବୁ ସାଗର ବକ୍ଷରେ ମେଲାଇ ପୂର୍ବ ଦ୍ୱୀପପୁଞ୍ଜକୁ ନେଇ ଯାଉଥିଲେ । କାର୍ତ୍ତିକଠାରୁ ଚୈତ୍ର ପର୍ଯ୍ୟନ୍ତ ସେଠାରେ ବାଣିଜ୍ୟ କାରବାର କରି ଦକ୍ଷିଣାପବନ ବୋହିବା ଆରମ୍ଭ ହେବାମାତ୍ରେ, ବୈଶାଖ ମାସ ପୂର୍ବରୁ ଓଡ଼ିଶାର ପୋତାଶ୍ରୟଗୁଡ଼ିକୁ ଫେରି ଆସୁଥିଲେ । ଦୀର୍ଘଦିନର ବିଚ୍ଛେଦ ପରେ ସାଧବ ପରିବାରରେ ଏହି ଅପୂର୍ବ ମିଳନକୁ ମହାଆଡ଼ମ୍ବର ସହିତ ପାଳନ କରାଯାଉଥିଲା ବୈଶାଖର ପ୍ରଥମ ଦିନ ପଣାସଂକ୍ରାନ୍ତି ଭାବରେ । ଆଜି ଆମେ ବୈଶାଖ ମାସର ପ୍ରଥମ ଦିନରେ ପଣା ପିଉଛୁ, ଜଳଦାନ ଦେଉଛୁ, କାର୍ତ୍ତିକ ମାସରେ ଡଙ୍ଗା ଭସାଉଛୁ, ମାତ୍ର ପୂର୍ବ ଗୌରବର ସେହି ବାଣିଜ୍ୟିକ ପରମ୍ପରାକୁ ସମ୍ପୂର୍ଣ୍ଣ ରୂପେ ପାଶୋରି ପକାଇଛୁ ।”ଆ କା ମା ବଇ’ର ଅର୍ଥ :ଛୋଟ ବୋଇତଟି ପାଣିରେ ଭସାଇବା ବେଳେ ଓଡ଼ିଆଙ୍କ ପାଟିରୁ ବାହାରି ପଡ଼ୁଥିବା ଆ କା ମା ବଇ ଶବ୍ଦଟିର ଅର୍ଥ ଏପର୍ଯ୍ୟନ୍ତ ବହୁ ଓଡ଼ିଆ ଜାଣିନାହାନ୍ତି । କେତେକଙ୍କ ମତରେ ଏହାର ଅର୍ଥ ଆଷାଢ଼ରେ ଆସି କାର୍ତ୍ତିକରେ ଯାଅ, ଭୟ କରନାହିଁ ।

ଆଉ କେତେକ ଏହାକୁ ହିନ୍ଦୁମାନଙ୍କର ଚାରିଟି ଧାର୍ମିକ ମାସ – ଆଷାଢ଼, କାର୍ତ୍ତିକ, ମାର୍ଗଶୀର, ବୈଶାଖ ବୋଲି କହୁଥିବା ବେଳେ ଆଉ କେତେକ ବିଜ୍ଞ ଏହି ଚାରି ମାସର ଅନୁକୂଳ ମୌସୁମୀବାୟୁ ଯୋଗୁଁ ସାଧବପୁଅ ବଣିଜ କରିବାକୁ ବିଦେଶ ଯାଆନ୍ତି ବୋଳି କହିଥାନ୍ତି । ତେବେ ଦୁଇଟିଯାକ କଥା ସମ୍ପୂର୍ଣ୍ଣ ମିଛ । ଓଡ଼ିଆ ନାରୀର ଓଷାବ୍ରତ ସହ ବେପାରବଣିଜର ଇତିହାସ ପାଠ କରିବା ହିଁ ସୂଚାଇଥାଏ ଅତୀତ ଉକ୍ରଳର ନୌବାଣିଜ୍ୟ ପରମ୍ପରା । ତେଣୁ ଆ, କା, ମା, ବଇ, ଧାର୍ମିକ ମାସ ନୁହେଁ, ବରଂ ସାଧବପୁଅ ଦ୍ୱାରା ସୃଷ୍ଟି ଚାରିଟି ମୁଖ୍ୟ ଉପନିବେଶର ସଂକ୍ଷିପ୍ତ ନାମ ଆ – ଆନ୍ନମ (ଭିଏତନାମ), କା – କାମ୍ବଡ଼ିଆ, ମା – ମାଳୟ, ବଇ – ବାଲିଦ୍ୱୀପ । କାର୍ତ୍ତିକ ପୂର୍ଣ୍ଣମୀର ପାହାନ୍ତ ପ୍ରହରରେ ଏହି ଚାରିଟି ଶବ୍ଦ ଉଚ୍ଚାରଣ କରି ପାନଗୁଆ ସହ ଛୋଟିଆ ବୋଇତଟିଏ ଭସାଇ ଦେବାର ଅର୍ଥ ହେଲା, ବହୁବର୍ଷ ପୂର୍ବେ ଏହି ମାହେନ୍ଦ୍ର ବେଳାରେ ଓଡ଼ିଆ ଘରର ବୋହୂମାନେ ବନ୍ଦାପନା କରି ସାଧବପୁଅକୁ ବିଦାୟ ଦେଉଥିଲେ ବିଦେଶରେ ବେପାର ବଣିଜ କରିବା ପାଇଁ । ସାଧବପୁଅର ମଙ୍ଗଳ କାମନା କରିବା ଉଦ୍ଦେଶ୍ୟରେ ଘରର ପ୍ରୌଢ଼ାଗଣ ପୂର୍ଣ୍ଣମୀ ପୂର୍ବର ୫ ଦିନ ନିଷ୍ଠାପର ଭାବେ ବିଭିନ୍ନ ପୂଜାର୍ଚ୍ଚନାରେ ବ୍ୟସ୍ତ ରହୁଥିଲେ, ଯାହା ପଞ୍ଚୁକ ନାମରେ ଖ୍ୟାତ । ପାନ ଗୁଆ ହେଉଛି ଶୁଭ ଓ ବନ୍ଧୁତାର ସୂଚକ, ଯାହା ଏବେ ମଧ୍ୟ ଓଡ଼ିଆ ପରମ୍ପରାରେ ପ୍ରଚଳିତ ।ସାଧବପୁଅର ବଂଶଧର ଭାବେ ପରିଚିତ ଓଡ଼ିଆ ଯୁବସମାଜ ଆଜି ଦିଗହରା । ଜାତି ଭିତ୍ତିରେ ଭାଗ ଭାଗ ହୋଇ ନିଜ କୌଳିକ ବୃତ୍ତିରୁ ନିବୃତ୍ତ । ଶିକ୍ଷାର ବ୍ୟବସାୟୀକରଣ ଯୋଗୁଁ ଗରିବ ଓଡ଼ିଆ ଉଚ୍ଚଶିକ୍ଷା ପ୍ରାୟୋଗିକ ଶିକ୍ଷାପ୍ରାପ୍ତିଠାରୁ ମଧ୍ୟ ବହୁ ଦୂରରେ । ଏବେ ବି ସମୟ ଅଛି । ଆସନ୍ତୁ ସମସ୍ତେ ଏକାଠି ହେବା । ଅତୀତର ସେହି ଗୌରବ ଗାରିମାକୁ ଫେରାଇ ଆଣିବାକୁ ସଂକଳ୍ପବଦ୍ଧ ହେବା । ଓଡ଼ିଶାର ଦୁଃଖ, ଦୈନ୍ୟ, କଷଣକୁ ହଟାଇ ଦେଇ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା । ଆମ ପୂର୍ବପୁରୁଷଙ୍କ ଆତ୍ମା ସ୍ୱର୍ଗରେ ଥାଇ ଶାନ୍ତିଲାଭ କରିବ ।

LEAVE A REPLY

Please enter your comment!
Please enter your name here