ଥରେ ଭାଗବନ ଗୌତମ ବୁଦ୍ଧ ପ୍ରବଚନ ଦେବା ସକାଶେ ଗୋଟିଏ ସ୍ଥାନରେ ଅଟକିଗଲେ । ସେଠିକାର ଲୋକେ ତାଙ୍କୁ ନାନା ରକମର ପ୍ରଶ୍ନ ପୁଛିବାକୁ ଲାଗିଲେ । ଆଉ ମହାତ୍ମା ବୁଦ୍ଧ ବି ସେମାନଙ୍କୁ ସେସବୁ ପ୍ରଶ୍ନଗୁଡିକର ନିର୍ଭୁଲ ଉତ୍ତର ଦେଇଚାଲିଲେ । ଏ ଭିତରେ ପରମ କାରୁଣୀକ ବୁଦ୍ଧଙ୍କ ଜଣେ ବ୍ୟକ୍ତି ସେଇ ସ୍ଥାନର ଏକ କୋଣରେ ମଉନ ହୋଇ ବସିରହି ତାଙ୍କ ଉପଦେଶକୁ ଖୁବ ତଲ୍ଲୀନ ହୋଇ ଶୁଣୁଥାନ୍ତି । ତେଣେ ସମ୍ପୃକ୍ତ ବ୍ୟକ୍ତି ଚେହେରାରେ ପୀଡା ଯନ୍ତ୍ରଣା ଭାବ ବେଶ୍ ପରିଷ୍କାର ଭାବେ ଉକୁଟି ଆସୁଥାଏ । ଖୁବ ଧୀର ଅଥଚ ଶାନ୍ତ ଭାବରେ ମହାତ୍ମା ବୁଦ୍ଧ ବ୍ୟକ୍ତିଙ୍କୁ ପଚାରିଲେ–ଭାଇ! ତୁମେ ଏମିତି ଉଦାସ ଦିଶୁଛ କାହିଁକି? ତୁମ ମନରେ ଦୁଃଖ କଷ୍ଟ ଥିବା ଭଳି ମନେହେଉଛି,କାରଣ କଣ ଫିଟେଇ କହିବ ବି ? ବ୍ୟକ୍ତି ଜଣକ ଚୁମ୍ବକରେ ଉତ୍ତର ଦେଲେ-ଭଗବାନ! ମତେ ଏ କଥା ତ ଆଦୌ ମାଲୁମ ନାଇଁ । ତହୁଁ ବୁଦ୍ଧ କହିଲେ–ଭାଇ ଦେଖ,ପହିଲେ ତୁମେ ମନରେ ବାସ କରିଥିବା ଦୁଃଖକୁ ଜାଣିବାକୁ ଚେଷ୍ଟା କର,ଦୁଃଖର ମୂଳକୁ ଯାଇ ନିରୀକ୍ଷଣ କର ଆଉ ସବାଶେଷକୁ ଦୁଃଖର ଉପଚାର କରିବାକୁ ପ୍ରୟାସ କର । ଏହାପରେ ଲୋକ ଜଣକ ପୁଣି ପଚାରିଲେ –ଭଗବାନ! ତାହା କେମିତି ସମ୍ଭବପର ଦୟାପୂର୍ବକ ମତେ ବତାଇଦିଅନ୍ତୁ ।’
ବ୍ୟକ୍ତିଙ୍କ ତୁଣ୍ଡରୁ ପ୍ରଶ୍ନଟି ଶୁଣି ଗୌତମ ବୁଦ୍ଧ ଅତ୍ୟନ୍ତ ଶାନ୍ତ ଭାବରେ ଉତ୍ତର ଦେଲେ-ବତ୍ସ! ତୁମେ ଏଇ ପାଖ ଜଂଗଲକୁ ତୁରନ୍ତ ଯାଇ ସେଠୁ କିଛି ଚାରା ଉପାଡି ଆଣ । କିନ୍ତୁ ମନେରଖ,ଏମିତିକା ଚାରା ଉଖାଡି ଆଣିବ ଯେମିତି କି ସେଥିରେ ଦୁଇ ଚାରୋଟି ପତ୍ର ଥିବ,ଆଉ ସବୁ ଚାରା ଭିନ୍ନ ଭିନ୍ନ ହୋଇଥିବ । ବୁଦ୍ଧଙ୍କ ଆଦେଶକୁ ଶିରୋଧାର୍ଯ୍ୟ କରି ବ୍ୟକ୍ତି ଜଣକ ଘନ ଜଙ୍ଗଲ ଆଡେ ମୁହାଁଇଲେ, ଆଉ ଜଂଗଲରୁ କିଛି ଛନଛନିଆ ଶାଗୁଆ ଚାରା ଉଖାଡି ନେଇଆସିଲେ । ପହିଲେ ମହାତ୍ମା ବୁଦ୍ଧ ଲୋକଟି ହାତରୁ ଚାରାଟିଏ ତୋଳିନେଲେ । ଆଉ ସେଟାକୁ ବ୍ୟକ୍ତିର ସମ୍ମୁଖରେ ଦେଖାଇ ପଚାରିଲେ–ବତ୍ସ !ଏଟା କୋଉ କିସମର ଚାରା କହିଲ ? ଶ୍ରୋତା ଜଣକ ଉତ୍ତର ଦେଲେ-ଏଟା ତ ଖୁବ ଛୋଟିଆ ଚାରାଟିଏ, ପୁଣି ୟାର ଶାଗୁଆ ପତ୍ରଗୁଡାକ ବି ଦେଖିବାକୁ ଛୋଟ । ତେଣୁ ଏଟାକୁ କୋଉ ଚାରା ବୋଲି ବତାଇବା ମୋ ପାଇଁ କାଠିକର ପାଠ ।’ ମହାତ୍ମା ବୁଦ୍ଧ ସେଠୁ କହିଲେ-ଏଇ ଚାରାଟିର ମୂଳକୁ ଟିକେ ଧ୍ୟାନପୂର୍ବକ ନିରିଖେଇ ସେଇଠି କଣ ଅଛି କୁହ । ମହାତ୍ମା ବୁଦ୍ଧଙ୍କ ଆଦେଶ ମୁତାବକ ଲୋକଟି ଚାରାର ମୂଳକୁ ନିରେଖିଲେ । ଆଉ ଅତ୍ୟନ୍ତ ନମ୍ର ଭାବେ କହିଲେ-‘ୟାରି ମୂଳରେ ଚାରା ମଂଜିର ଖୋଳପାଟି ଲାଖିରହିଛି ।’ ଏଥିରୁ ଜଣାପଡୁଛି ଚାରାଟିର ନାମ ନିମ୍ବ ହୋଇଥାଇପାରେ ।ଏଥର ବୁଦ୍ଧ ତାଙ୍କୁ ଅନ୍ୟ ଚାରା ବାବଦରେ ପଚାରିବାରୁ ଲୋକଟି ଚାରାଗୁଡିକର ମୂଳକୁ ଅନେଇ ସଠିକ ନାମ ବତାଇଦେଲେ ।
ମହାତ୍ମା ବୁଦ୍ଧ ବ୍ୟକ୍ତିଙ୍କୁ ଅତ୍ୟନ୍ତ ପ୍ରାଂଜଳ ଭାବରେ ବୁଝାଇ କହିଲେ –‘ଯେମିତି ପ୍ରତିଟି ଚାରାର ଗୋଟିଏ ଲେଖାଁ ବୀଜ ଥାଏ, ଠିକ ସେମିତି ଦୁଃଖର ବି ଗୋଟିଏ ମଂଜି ଥାଏ । ସେଇ ମଂଜିକୁ ଆମେ କାରଣ ବୋଲି କହିପାରିବା । କାରଣ ବିନା କାର୍ଯ୍ୟର ଉତ୍ପତ୍ତି ଅସମ୍ଭବ । ବୀଜ ବିନା କୌଣସି ଚାରା ସୃଷ୍ଟି ହୁଏନା । ସେଇମିତି କାରଣ ବିନା ଦୁଃଖ ଉତ୍ପନ୍ନ ହୁଏନା । ଦୁଃଖର ବୀଜ ଅଥବା କାରଣକୁ ଚିହ୍ନଟ କରି ୟାକୁ କେମିତି ଉନ୍ମୁଳନ କରିହେବ ସେ ଉପାୟ ଆମେ ବାହାର କରିପାରିବା । ଅତ୍ୟାଧୁନୀକ ଚିକିତ୍ସା ପଦ୍ଧତିରେ ବି କୌଣସି ପ୍ରକାର ଉକ୍ରଟ ବ୍ୟାଧିର ଉପଚାର ସକାଶେ ରୋଗର ସମୁଚିତ ନିଦାନ ଚିହ୍ନଟିକରଣ ଅନିବାର୍ଯ୍ୟ । ରୋଗର ଅସଲ କାରଣ ଆଉ ବ୍ୟାଧିର ଅସଲ ରୂପ ବା ଲକ୍ଷଣ ନ ଜାଣି ଉପଚାର କରିବା ପବନରେ ପହଁରିବା ସହ ସମାନ । ଶାରିରୀକ ହେଉ କି ମାନସିକ ପୀଡାର ମୂଳ ବା ଜଡକୁ ଅନ୍ୱେଷଣ କରିବା ନିହାତି ଜରୁରୀ । ତେବେ ଏଇଠି ପ୍ରଶ୍ନ ଉଠୁଛି-କାରଣ ଅନ୍ୱେଷଣ ପୃଷ୍ଠଭୂମୀରେ ଦୁଃଖର ଉପଚାର ହେବ କେମିତି ? ଭଗବାନ ବୁଦ୍ଧ ସେଥିପାଇଁ ଚାରୋଟି ଆର୍ଯ୍ୟ ସତ୍ୟକୁ ଲୋକ ଲୋକଚନକୁ ଆଣିଥିଲେ । ସିଏ କହିଥିଲେ, ଦୁଃଖ ହେଉଛି ଜୀବନର ଏକ ଅନିବାର୍ଯ୍ୟ ସତ୍ୟ । ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଏହି ଦୁଃଖ କୌଣସି ନା କୌଣସି ରୂପରେ ପ୍ରକଟିତ ହୋଇଥାଏ । ପୁଣି ଦୁଃଖର ଉପଚାର ରହିଛି ବୋଲି ଗୌତମ ବୁଦ୍ଧ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି । ଏଇଲେ ପ୍ରଶ୍ନ ଉଙ୍କିମାରେ–ଏଇ ଦୁଃଖର ଉପଚାର ହେବ କେମିତି? ୟାର ଉତ୍ତରରେ ମହାତ୍ମା ବୁଦ୍ଧ କହିଛନ୍ତି-ସମ୍ୟକ ମାର୍ଗ ହିଁ ୟାର ବାସ୍ତବ ଉପଚାର । ଏହା ଭଗବାନ ବୁଦ୍ଧଙ୍କ ଦର୍ଶନ । ବୁଦ୍ଧଙ୍କ ଅଷ୍ଟାଙ୍ଗମାର୍ଗ ହିଁ ତାଙ୍କ ଦର୍ଶନ ଓ ପ୍ରତିଟି ବ୍ୟାଧିର ସଠିକ ଉପଚାର । ଦୁଃଖ ଯନ୍ତ୍ରଣାରୁ ନିସ୍ତରିବାକୁ ହେଲେ ଏହି ଅଷ୍ଟାଙ୍ଗମାର୍ଗର ପାଳନ ନିହାତି ଅନିବାର୍ଯ୍ୟ । ସୁତରାଂ ଜୀବନର ପ୍ରତିଟି କ୍ଷେତ୍ରରେ ନାନାଦି ‘ଅତି’ରୁ ଦୂରେଇଯାଇ ବୁଦ୍ଧଙ୍କ ଅଷ୍ଟାଙ୍ଗମାର୍ଗ ଅଥବା ସମ୍ୟକ ମାର୍ଗର ଅଂଶବିଶେଷ ମଧ୍ୟମପନ୍ଥାକୁ ଆପଣାଇବା ବୁଦ୍ଧିମତ୍ତାର ପରିଚାୟକ ।

LEAVE A REPLY

Please enter your comment!
Please enter your name here