nalco

ଭୁବନେଶ୍ୱର: ବରିଷ୍ଠ ନେତା ଦିଲ୍ଲୀପ ରାୟ ଏବେ ଓଡ଼ିଶା ଫେରିଆସିଛନ୍ତି । ତାଙ୍କୁ ନେଇ ରାଜ୍ୟ ରାଜନୀତିରେ ଢ଼େର ଦିନ ହେଲା ନାନା କଳ୍ପା ଜଳ୍ପନା ଚାଲିଛି । ଦିଲ୍ଲୀପ ବିଦେଶ ଗସ୍ତରରେ ଯାଇଥିବାରୁ ସେ ଫେରିବା ପରେ ଭବିଷ୍ୟତ ରାଜନୀତିକ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ବରିଷ୍ଠ ନେତା ବିଜୟ ମହାପାତ୍ର କହିଥିଲେ । ଯୁଆଡେ ଯିବେ ବା ଆଗକୁ ଯେଉଁ ରାଜନୀତିକ ନିଷ୍ପତ୍ତି ନେବେ ତାହା ଉଭୟ ଦିଲ୍ଲୀପ-ବିଜୟ ଏକାଠି କରିବେ ବୋଲି ସୂଚନା ଦିଆଯାଇଛି । ଦୀର୍ଘ ଦିନ ଧରି ଦିଲ୍ଲୀପଙ୍କ ଅନୁପସ୍ଥିତି ସବୁ କିଛିକୁ ଅଟକାଇ ରଖିଥିଲା ବୋଲି କୁହାଯାଉଛି । ଦିଲ୍ଲୀପ ଫେରିସାରିଥିବାରୁ ଖୁବଶୀଘ୍ର ସେମାନେ ନୂତନ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ ବୋଲି ସୂଚନା ମିଳୁଛି । ବିଜୟ ମଧ୍ୟ ଏକ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ପରୋକ୍ଷରେ ଗୋଟିଏ ସପ୍ତାହ ଭିତରେ ଅନେକ କିଛି ପରିବର୍ତ୍ତନ ହୋଇପାରିବ ବୋଲି ସୂଚନା ଦେଇସାରିଛନ୍ତି । ଦିଲ୍ଲୀପଙ୍କ ଅନୁପସ୍ଥିତିରେ ଆଉ ଏକ ବଡ଼ ଘଟଣା ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଛି ଯେ ବିଜୟଙ୍କ ହାତଛାଡ଼ି ଦିଲ୍ଲୀପ ବିଜେଡିରେ ଯୋଗଦେବେ । ଏପରିକି ଆସନ୍ତା ୬ ତାରିଖରେ ଦିଲ୍ଲୀପ ବିଜେଡିରେ ଯୋଗ ଦେଉଥିବା ନେଇ ଆଲୋଚନା ମଧ୍ୟ କରାଯାଉଛି ।
ବିଜେପିରୁ ଓ ବିଧାନସଭା ସଦସ୍ୟ ପଦରୁ ଦିଲ୍ଲୀପ ଇସ୍ତଫା ଦେବା ପରଠାରୁ ଆଉ ତାଙ୍କର ଧରାଛୁଆଁ ନାହିଁ । ବିଧାନସଭା ଆସି ବାଚସ୍ପତିଙ୍କୁ ଇସ୍ତଫା ପତ୍ର ବଢ଼ାଇ ଦିଲ୍ଲୀପ ସିଧା ବିମାନ ବନ୍ଦର ପଳାଇଲେ । ସେଠାରୁ ବିଦେଶ ଗସ୍ତରେ ଚାଲିଲେ । ଗଣମାଧ୍ୟମକୁ ଦେଖା ଦେଲେନି କି ଧରାଛୁଆଁ ଦେଲେନି । ଡିସେମ୍ବର ୧୫ ତାରିଖ ସୁଦ୍ଧା ସେ ଫେରିବାର ଥିଲା । ଇସ୍ତଫା ଦେବା ସମୟରେ ଦିଲ୍ଲୀପଙ୍କ ଅନୁପସ୍ଥିତିରେ ବିଜୟ କହିଥିଲେ ଦିଲ୍ଲୀପ ଗସ୍ତରେ ଯାଇଛନ୍ତି ସେ ଫେରିବା ପରେ ୧୫ ଦିନ ଭିତରେ ନିଷ୍ପତ୍ତି ନିଆଯିବ । ଦିଲ୍ଲୀପଙ୍କ ଓଡ଼ିଶା ଫେରିବା କ୍ରମେ ଘୁଞ୍ଚିବାରେ ଲାଗିଲା । ସେତେବେଳେ କଥା ଉଠିଥିଲା ଯେ ଉଭୟ ନେତା ବିଜେଡିରେ ଯୋଗଦେବେ । ବିଜେଡିର ଡିସେମ୍ବର ୨୬ରେ ହେବାକୁ ଥିବା ପ୍ରତିଷ୍ଠା ଦିବରେ ସାମିଲ ହେବେ । କିନ୍ତୁ ପରେ ଜଣାପଡ଼ିଲା ଯେ ବିଜେଡିରେ ଏମାନେ ଯୋଗ ଦେଉନାହାନ୍ତି । ମହାକାଳପଡ଼ାର ଏକ କାର୍ଯ୍ୟକ୍ରମରେ ବିଜୟ ଏକଥା କହିଥିଲେ । ଦିଲ୍ଲୀପ ଫେରିବାର ବିଳମ୍ବ ହେଉଥିବାରୁ ନୂଆବର୍ଷରେ ନିଷ୍ପତ୍ତି ନିଆଯିବ ବୋଲି ବିଜୟ କହିଥିଲେ ।
ଏକଥା କୁହାଗଲା ନିର୍ଦ୍ଦିଷ୍ଟ ଦଳରେ ଯୋଗଦେବେ ନା ଆଞ୍ଚଳିକ ଦଳ ଗଢ଼ିବେ ସେ ନେଇ ନିଷ୍ପତ୍ତି ହୋଇପାରୁ ନଥିବାରୁ ଗଣମାମଧ୍ୟମଠାରୁ ଦିଲ୍ଲୀପ ଦୂରେଇ ରହିବାକୁ ଚାହିଁଲେ । ବିଦେଶରୁ ଡିସେମ୍ବର ମାସର ଧାର୍ଯ୍ୟ ସମୟରେ ଫେରିଥିଲେ ବି ଓଡ଼ିଶା ଆସିନଥିଲେ । ଓଡ଼ିଶା ନଆସି ବାହାରେ ରହିଥିଲେ । ଏହି ସମୟରେ କୁହାଗଲା ବିଜୟଙ୍କୁ ନେବା ପାଇଁ ବିଜେଡି ସୁପ୍ରିମୋ ରାଜି ହେଉନାହାନ୍ତି । କିନ୍ତୁ ଦିଲ୍ଲୀପଙ୍କୁ ନେବା ପାଇଁ କୌଣସି ଅସୁବିଧା ନାହିଁ । ଏପରିକି କୁହାଯାଉଛି ଯେ ଦିଲ୍ଲୀପ ବିଜେଡିରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା ଓ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ମାଧ୍ୟମ ଦେଇ ଆସିବାକୁ ଚାହୁଁଛନ୍ତି । ତାଙ୍କ ପାଇଁ ବାଟ ସଫା କରିଥିଲାବେଳେ ବିଜୟଙ୍କ ପାଇଁ ସବୁ ଅଡୁଆ ଅଟକିଛି । ନବୀନ କୌଣସି ପରିସ୍ଥିତିରେ ବିଜୟଙ୍କ ପାଇଁ ରାଜି ହେଉନାହାନ୍ତି । ଏକ୍ଷେତ୍ରରେ ଦିଲ୍ଲୀପ ଏକାକୀ ମିଶିବେ ବୋଲି ଆଲୋଚନା ହେଉଛି ।
କିନ୍ତୁ ଯାହା ସୂଚନା ମିଳିଛି ବିଜୟଙ୍କୁ ଛାଡ଼ି ଦିଲ୍ଲୀପ କେବେ ଏକାକୀ ଯିବେ ନାହିଁ । ଆସନ୍ତା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିସାରିଥିବାରୁ ତାଙ୍କ ପାଇଁ ଏବେ କିଛି ତରବର ହେବାର ନାହିଁ । ଏଣୁ ଭାବିଚିନ୍ତି କାର୍ଯ୍ୟପନ୍ଥା ନେବାକୁ ଚାହୁଁଛନ୍ତି । ନୂଆ ରାଜନୀତିକ ସମୀକରଣ ଆଡ଼କୁ କଥା ଯାଉଥିବା ଅନେକ ମତ ରଖୁଛନ୍ତି । ନିକଟରେ ଏକ କାର୍ଯ୍ୟକ୍ରମରେ ଡ. ଦାମୋଦର ରାଉତ ନୂଆ ସମୀକରଣ ପାଇଁ ସହଯୋଗୀମାନଙ୍କୁ ଏକ ପ୍ରକାର ଅନୁରୋଧ କରିଛନ୍ତି । ବିଜୟ-ଦିଲ୍ଲୀପଙ୍କ ସହ ଡ. ରାଉତ ମଧ୍ୟ ଏବେ ଏକଲା ଅଛନ୍ତି । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ସେମାନଙ୍କ ସହ ଯୋଡ଼ି ହୋଇଯାଇଛନ୍ତି । ରାଜ୍ୟର ଏହି ୪ ଭେଟେରାନ ରାଜନେତା ଚାହିଁଲେ ଅନେକ କିଛି କରିପାରିବେ ବୋଲି ରାଜନୀତିକ ବିଶେଷଜ୍ଞମାନେ କହୁଛନ୍ତି । ହେଲେ ଦିଲ୍ଲୀପ ଫେରି ଆସିଥିବାରୁ ଖୁବଶୀଘ୍ର କିଛି ନୂଆ ବାର୍ତ୍ତା ଆସିବ ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here