ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପୂର୍ବରୁ ବିଜେଡି ନିଜକୁ ଅଧିକ ଶକ୍ତିଶାଳୀ ଓ ବଳିଷ୍ଠ କରିବା ପାଇଁ ଚାହୁଁଛି । ବିଜେପି କେନ୍ଦ୍ରକୁ ସରକାରରେ ଆସିବା ପରେ ଓ ଏଥର ଓଡ଼ିଶା ଦଖଲ କରିବା ପାଇଁ ସ୍ୱପ୍ନ ଦେଖୁଥିବାରୁ ଏହା ବିଜେଡି ଲାଗି ନିଶ୍ଚୟ ଚିନ୍ତା ଦାୟକ ହୋଇଛି । ସେଥିପାଇଁ ବିଜେପି ଭଳି ଏକ ମହାନ ଶତ୍ରୁକୁ ମୁକାବିଲା କରିବାକୁ ଯାଉଥିବାରୁ ନିଜକୁ ଅଧିକ ସୁଦୃଢ଼ କରିବାକୁ ଚାହୁଁଛି । ସେଥିପାଇଁ ରାଜ୍ୟର ହେବିୱେଟ ନେତାମାନଙ୍କୁ ଦଳରେ ସାମିଲ କରିବାକୁ ଯୋଜନା ରଖିଛି । ନିକଟରେ ବିଜେପି ଛାଡ଼ିଥିବା ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ କୁଆଡ଼େ ବିଜେଡିରେ ସାମିଲ ହେବେ । ଏଥିସହ ଦଳ ଛାଡ଼ିବା ପୂର୍ବରୁ ଲୋକଙ୍କ ମତାମତ ନେଉଥିବା କଂଗ୍ରେସ ବିଧାୟକ ନବ ଦାସ ମଧ୍ୟ ବିଜେଡିକୁ ଆସିବେ ବୋଲି କୁହାଯାଉଛି । ଏଣୁ ଏହି ନେତାମାନଙ୍କୁ ଆଣିବା ପରେ ବିଜେଡି କେଉଁଠି ଥଇଥାନ କରିବ ତାକୁ ନେଇ ଚାଲିଛି ନାନା ଆଲୋଚନା । କୁହାଯାଉଛି ଇତିମଧ୍ୟରେ ଏହି ନେତମାନଙ୍କ ଥଇଥାନ ଲାଗି ବିଜେଡି କୁଆଡ଼େ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରି ସାରିଛି ।
ଏହି ବ୍ଲୁ ପ୍ରିଂଟ ଅନୁସାରେ ବିଜୟ ଓ ଦିଲ୍ଲୀପ ଆସିଲେ ଉଭୟଙ୍କୁ ରାଜନୈତିକ ଥଇଥାନ କରାଯିବ । ବୈଜୟନ୍ତ ପଣ୍ଡାଙ୍କ ସ୍ଥାନ ନେବେ ବିଜୟ । କେନ୍ଦ୍ରପଡ଼ା ଲୋକସଭା ଆସନରୁ ବିଜୟଙ୍କୁ ପ୍ରାର୍ଥୀ କରାଯିବ । ଦିଲ୍ଲୀ ଯାଇ ବିଜୟ ସେଠାରେ ବିଜେପି ସହ ଲଢ଼ିବେ । ପ୍ରଥମ ଯୋଜନାରେ ବିଜୟଙ୍କ ପାଇଁ ଏହି ପ୍ରସ୍ତାବ ରଖାଯାଇଥିବା କୁହାଯାଉଛି । ନଚେତ ଦ୍ୱିତୀୟ ପ୍ରସ୍ତାବରେ ବର୍ତମାନର ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେବଙ୍କୁ ଲୋକସଭାରେ ପ୍ରାର୍ଥୀ କରାଯିବ ଓ ତାଙ୍କ ସ୍ଥାନରେ ବିଜୟଙ୍କୁ ରାଜ୍ୟସଭା ପଠାଯିବ । କିନ୍ତୁ ଲୋକସଭା କଥାକୁ ନେଇ ବିଜୟଙ୍କ ସପକ୍ଷରେ ଅଧିକ ଆଲୋଚନା ହେଉଛି । ସେହିପରି ଦିଲ୍ଲୀପ ରାୟଙ୍କ ପାଇଁ ମଧ୍ୟ ଯୋଜନା ହୋଇଛି । ଦିଲ୍ଲୀପଙ୍କୁ ମୁଖ୍ୟତଃ ରାଜ୍ୟସଭା ପଠାଇବା ପାଇଁ ଏକ ପ୍ରକାର ସ୍ଥିର ହୋଇସାରିଛି । କିନ୍ତୁ ଦିଲ୍ଲୀପ ତାଙ୍କ ପୁଅକୁ ରାଜନୀତିକୁ ଆଣିବା ପାଇଁ ବେଶ ଆଗ୍ରହୀ । ଅବଶ୍ୟ ଆସନ୍ତା ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବେ ନାହିଁ ବୋଲି ଦିଲ୍ଲୀପ କହିସାରିଛନ୍ତି । କେହି କେହି କହୁଛନ୍ତି ପୁଅ ପାଇଁ ବାଟ ସଫା କରୁଛନ୍ତି ଦିଲ୍ଲୀପ । ଆଉ କଥା ଉଠୁଛି ରାଜ୍ୟସଭାକୁ ଯାଇ ବିଜେପିକୁ ମୁକାବିଲା କରିବା ଲାଗି କୁଆଡେ ସେ ଆଗ୍ରହୀ । ଦଳ ଯଦି ତାଙ୍କୁ ଓ ତାଙ୍କ ପୁଅକୁ ଥଇଥାନ କରିବ ତେବେ ଅନ୍ୟମାନେ ବିରୋଧ କରିପାରନ୍ତି । କିନ୍ତୁ ଦିଲ୍ଲୀପ ଆସିଲେ ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡି ଭଲ ଫଳାଫଳ କରିବ ବୋଲି କୁହାଯାଉଥିବାରୁ ତାଙ୍କୁ ଅଧିକ ପୁରସ୍କାର ଦିଆଯାଇପାରେ । ରାଉରକେଲାରେ ଥିବା ଦଳର ଟାଣୁଆ ନେତା ପୂର୍ବତନ ମନ୍ତ୍ରୀ ଶାରଦା ନାୟକଙ୍କୁ ଅସନ୍ତୁଷ୍ଟ କରିବା ପାଇଁ କେହି ଚାହୁଁ ନାହାନ୍ତି । ଯଦି ଦିଲ୍ଲୀପଙ୍କ ପୁଅକୁ ପ୍ରାର୍ଥୀ କରାଯାଏ ତେବେ ଶାରଦାଙ୍କୁ ବାଦ ଦେବାକୁ ପଡ଼ିବ । ଏକଥା କୁହାଯାଉଛି ଦିଲ୍ଲୀପ କିମ୍ବା ତାଙ୍କ ପୁଅ ଜଣଙ୍କୁ ଥଇଥାନ କରାଯିବ ।
ଦିଲ୍ଲୀପ ଏବେ ବିଦେଶ ଗସ୍ତରେ ଅଛନ୍ତି । ସେ ଫେରିଲା ପରେ ଆଲୋଚନା କରାଯାଇ ଚୂଡ଼ାନ୍ତ କରାଯିବ । କୁହାଯାଉଛି ଦିଲ୍ଲୀପ ଓ ବିଜୟଙ୍କ ସହ ଡିଲ ଯାହା ଆଲୋଚନା ମାଧ୍ୟମରେ ଚାଲିଛି ତାହା ଚୂଡ଼ାନ୍ତ ହେବ ଦିଲ୍ଲୀରେ । ଦିଲ୍ଲୀପ ପହଂଚିଲା ପରେ ବିଜେଡି ନେତା ସେଠାରେ ରହି ତାଙ୍କ ସହ ଆଲୋଚନା କରି ମିଶ୍ରଣ ପର୍ବକୁ ଚୂଡ଼ାନ୍ତ ରୂପରେଖ ଦେବେ ।
ସେହିପରି ନବ ଦାସ ଆସିଲେ ତାଙ୍କୁ ଝାରସୁଗୁଡ଼ା ଆସନ ଦିଆଯିବ । ଏଠାରେ ଥିବା ଦଳର ଟାଣୁଆ ନେତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତିଙ୍କୁ ବ୍ରଜରାଜନଗରରେ ପ୍ରତିଦ୍ୱନ୍ଦ୍ୱୀ ପାଇଁ ପଠାଯିବ । ଏଥର ଅନୁପ ସାଏଙ୍କୁ ଆଉ ବ୍ରଜରାଜନଗରରେ ପ୍ରାର୍ଥୀ କରାଯିବ ନାହିଁ । ଦଳ ଦେଖୁଛି ନବ ଯଦି ଆସନ୍ତି ତେବେ ପଶ୍ଚିମ ଓଡ଼ିଶାରେ ଦଳର ସ୍ଥିତି ସୁଦୃଢ଼ ହେବ । ପଶ୍ଚିମ ଓଡ଼ିଶାରେ ବିଜେଡିର ସ୍ଥିତି ବହୁତ ଖରାପ । କୁଆଡ଼େ ଏ ଅଂଚଳରେ ବିଜେପିର ସ୍ଥିତି ଅଧିକ ସୁଦୃଢ଼ । ଦଳର କେହି ସେପରି ଟାଣୁଆ ନେତା ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସେଥିପାଇଁ ନବକୁ ଆଣିବାକୁ ଯୋଜନା କରାଯାଇଛି ।
କୁହାଯାଉଛି ବିଜେଡି ଉଭୟ ବିଜେପି ଓ କଂଗ୍ରେସକୁ ଏକ ବଡ଼ଧରଣର ଝଟକା ଦେବା ପାଇଁ ଯୋଜନା ଚଳାଇଛି । ଆଉ ଅଳ୍ପ ଦିନ ରହିଲା ଦଳର ପ୍ରତିଷ୍ଠା ଦିବସ । ଏହି ପ୍ରତିଷ୍ଠା ଦିବସକୁ ଅତି ଆଡମ୍ବରରେ ରାଜ୍ୟବ୍ୟାପି ପାଳନ କରିବା ପାଇଁ ଯୋଜନା କରାଯାଇଛି । ସେହି ସମୟରେ ହିଁ ଉଭୟ କଂଗ୍ରେସ ଓ ବିଜେପିର ବଡ଼ ବଡ଼ ନେତାଙ୍କୁ ଆଣି ବିଜେଡି ସମସ୍ତଙ୍କୁ ଚକିତ କରିବା ଲକ୍ଷ୍ୟ ରଖିଥିବା କୁହାଯାଉଛି ।

Loading...

LEAVE A REPLY

Please enter your comment!
Please enter your name here