ଭୁବନେଶ୍ୱର: ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ‘ଡିଏନଏ’ ଅଲଗା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟାକ୍ଷ କରିଛନ୍ତି । ଏଥିସହ ଆସନ୍ତା ନିର୍ବାଚନରେ ବିଜେଡି ସହ ବିଜେପି କୌଣସି ବୁଝାମଣା ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରାଣ୍ଡରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ । ତାଙ୍କ ସଂପର୍କରେ ଦଳ ନିଷ୍ପତ୍ତି ନେବ ଏବଂ ଆସନ୍ତା ନିର୍ବାଚନ ଓଡ଼ିଶାରେ ମିଳିତ ନେତୃତ୍ୱରେ ଲଢ଼ାଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଦିଲ୍ଲୀରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ସେ ଏହି କଥା କହିଛନ୍ତି ।
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୯୩୦ ଟଙ୍କା ଧାର୍ଯ୍ୟ କରିବା ଓ ସ୍ୱାମୀ ନାଥନ ରିପୋର୍ଟ ଲାଗୁ କରିବା ଦାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦଳର ନେତା, ମନ୍ତ୍ରୀ, ସାଂସଦ, ବିଧାୟକ ଓ ଚାଷୀଙ୍କୁ ଧରି ବିଜେଡି ଯାଇ ମଙ୍ଗଳବାର ଧାରଣା ଦେଇଥିଲେ । ଏହି ଘଟଣାକୁ ଆଧାର କରି ଜାତୀୟ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ରଖିବାକୁ ଯାଇ କେନ୍ଦ୍ରମନ୍ତ୍ରୀ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିଜ ବିଫଳତାକୁ ନେଇ କେନ୍ଦ୍ର ଉପରେ ଦୋଷ ଲଦିବାକୁ ଚାହୁଁଛନ୍ତି । 
ବିଜେପିର ଓଡ଼ିଶା ନେତାମାନେ କେବଳ ବିଜେଡି ସହ ଲଢ଼େଇ କରୁଛନ୍ତି । କିନ୍ତୁ ଜାତୀୟସ୍ତରର ନେତାମାନଙ୍କର ବିଜେଡି ପ୍ରତି ସେଭଳି ଆଭିମୁଖ୍ୟ ନାହିଁ ବୋଲି ପ୍ରଶ୍ନ ଉପରେ ଧର୍ମେନ୍ଦ୍ର କହିଛନ୍ତି, ଏହା ଠିକ ନୁହେଁ, ଏଭଳି ଭୁଲ ପ୍ରଚାର ବିଜେଡି ତା’ର ନିଜ ସ୍ୱାର୍ଥ ପାଇଁ ସୃଷ୍ଟି କରିଛି । ଗତ ତିନିମାସ ଭିତରେ ରାଜ୍ୟ ସରକାରଙ୍କ ବହୁ କାର୍ଯ୍ୟକ୍ରମକୁ ନେଇ ବିଜେପି କଡ଼ା ସମାଲୋଚନା କରିଛି । ଗତ ୫ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଯାଇଥିଲାବେଳେ ରାଜ୍ୟ ସରକାରଙ୍କୁ ବହୁ କଡ଼ା ସମାଲୋଚନା କରିଥିଲେ । ଧାନ କିଣା, କୃଷି କ୍ଷେତ୍ରରେ ଦେଖାଦେଇଥିବା ସଙ୍କଟ, ମହିଳାଙ୍କୁ ନିରାପତ୍ତା, ଦୁର୍ନୀତି ଓ ନିଯୁକ୍ତି ଅଭାବ ବିଷୟ ଉଠାଇଥିଲେ । ଏକଥା ସତ୍ୟ, ଆମେ ଆମ ଢ଼ଙ୍ଗରେ ସମାଲୋଚନା କରୁଛୁ । ଆମେ ଏତେ ଅଭଦ୍ରାମୀ ହୋଇ ବ୍ୟକ୍ତିଗତସ୍ତରକୁ ଯାଇ ସମାଲୋଚନା କରୁନାହୁଁ । ଲୋକେ ବିଜେପି ଉପରେ ଭରସା କରୁଛନ୍ତି ଓ ବିକଳ୍ପ ଭାବେ ଗ୍ରହଣ କରୁଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ପ୍ରଧାମନ୍ତ୍ରୀ ଏତେ ଅଭଦ୍ର ନୁହଁନ୍ତି ବ୍ୟକ୍ତିଗତ ସ୍ତରକୁ ଯାଇ ସମାଲୋଚନା କରିବେ । ସେଥିପାଇଁ ଖୋର୍ଦ୍ଧା ଓ ବାରିପଦାରେ ସେ ତାଙ୍କ ଶାଳୀନତା ରକ୍ଷା କରି ସମାଲୋଚନା କରିଛନ୍ତି । ବ୍ୟକ୍ତିଗତ ସ୍ତରକୁ ଯାଇ ସମାଲୋଚନା କରିବା କ’ଣ ଆବଶ୍ୟକ ବୋଲି ସେ ପ୍ରଶ୍ନ କରିଛନ୍ତି ।
ପାର୍ଲାମେଣ୍ଟରେ ବିଜେପି ସବୁବେଳେ ବିଜେଡି ସମର୍ଥନ ନେଉଥିବାରୁ ଏକ ଧାରଣା ହେଉଛି ଦୁଇ ଦଳ ଭତରେ ବୁଝାମଣା ହୋଇପାରେ ନେଇ ଉଠିଥିବା ପ୍ରଶ୍ନରେ ଧର୍ମେନ୍ଦ୍ର କହିଛନ୍ତି, ଏହା ଠିକ ନୁହେଁ । ସଂସଦର ଏହି ଅଧିବେଶନରେ ଟ୍ରିପଲ ତଲକା ବିଲକୁ ବିଜେଡି ବିରୋଧ କରିଥିଲା । ବିଜେଡି ଏବେ ମହିଳା ସଂରକ୍ଷଣ ବିଲ କଥା ଉଠାଇଛି । କିନ୍ତୁ ଯେତେବେଳେ ଏହି ବିଲ ଉପରେ ଜାନୁଆରୀ ୪ତାରିଖରେ ଆଲୋଚନା ହୋଇଥିଲା । ବିଜେଡିର କେହି ଜଣେ ବି ସଦସ୍ୟ ଗୃହରେ ଉପସ୍ଥିତ ନଥିଲେ । ନବୀନ ପଟ୍ଟନାୟକ ନିଜ କ୍ୟାବିନେଟରେ ଜମା ୨ଜଣ ମହିଳା ସଦସ୍ୟ ଅଛନ୍ତି । ରାଫେଲ ଇସ୍ୟୁରେ କଂଗ୍ରେସ ପକ୍ଷରୁ ଜେପିସି ଦାବିକୁ ବିଜେଡି ସମର୍ଥନ କରିଛି । ଏଣୁ ବିଜେଡି କୌଣସି ପରିସ୍ଥିତିରେ ବିଜେପିକୁ ସମର୍ଥନ କରୁନାହିଁ । ଏଣୁ ବିଜେଡି ସହ ବୁଝାମଣା ହେବାର ପ୍ରଶ୍ନ ଉଠୁନାହିଁ । ବିଜେପି ଏକୁଟିଆ ଓଡ଼ିଶାରେ ନିର୍ବାଚନ ଲଢ଼ିବ । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓଡ଼ିଶାରେ ବହୁ ଉଚ୍ଚାରେ ଅଛି ।
ଧର୍ମେନ୍ଦ୍ର କହିଛନ୍ତି, ଆସନ୍ତା ନିର୍ବାଚନରେ ଦଳ ଓଡ଼ିଶାରେ କାହା ନେତୃତ୍ୱରେ ଲଢ଼ିବ ତାହାର କୌଣସି ଆବଶ୍ୟକ ନାହିଁ । ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସଙ୍ଗେ ହେବ । ମୋଦି ସରକାରଙ୍କୁ ଲୋକେ ବାଛିବେ । ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଆଗୁଆ ବାଛିବାର ଆବଶ୍ୟକ ନାହିଁ । ଆମେ ମିଳିତ ନେତୃତ୍ୱରେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଣ୍ଡରେ ନିର୍ବାଚନ ଲଢ଼ିବୁ । ଧର୍ମେନ୍ଦ୍ର କହିଛନ୍ତି ସେ ଜାତୀୟ ରାଜନୀତି ଛାଡ଼ି ରାଜ୍ୟ ରାଜନୀତିକୁ ଆସିବା ନେଇ ଉଠୁଥିବା ପ୍ରଶ୍ନ ଉପରେ ସେ ନିଷ୍ପତ୍ତି ନେବା ପାଇଁ ଉପଯୁକ୍ତ ନୁହଁନ୍ତି । ଏ ସଂପର୍କରେ ଦଳ ନିଷ୍ପତ୍ତି ନେବ ସେ କ’ଣ କରିବେ ନକରିବେ । ଓଡ଼ିଶାରେ ବହୁ ଦକ୍ଷ ନେତା ଅଛନ୍ତି । ଆମେ ମିଳିତ ଭାବେ ନିର୍ବାଚନ ଲଢ଼ିବୁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦାନ ସଂପର୍କରେ ଧର୍ମେନ୍ଦ୍ର କହିଛନ୍ତି, ବିଜେପି ହେଉଛି ଏକ କ୍ୟାଡର ପାର୍ଟି । ଯିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ସମର୍ଥନ ଆସିବ ସେ ଦଳରେ ଯୋଗଦେବାରେ କିଛି ବାଧା ନାହିଁ । ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେପି ଛାଡ଼ିବା ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି, ବିଜେପି ହେଉଛି ଏକ କ୍ୟାଡର ପାର୍ଟି । କିଛି ଲୋକଙ୍କ ଡିଏନଏ ଅଲଗା । ବହୁ ଯୁବକ ବିଜେପିରେ ଯୋଗ ଦେଇଛନ୍ତି । କିଛି ଲୋକ ଏହି କ୍ୟାଡର ଦଳରେ ନିଜକୁ ଅସ୍ୱାସ୍ଥୀକର ମନେ କରୁଥିଲେ ବୋଲି ଧର୍ମେନ୍ଦ୍ର ଆକ୍ଷେପ କରି କହିଛନ୍ତି ।

LEAVE A REPLY

Please enter your comment!
Please enter your name here