ସିଡ଼ନୀ: ଦିନ କେଇଟା ଆଗରୁ ଭାରତ ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ଟେଷ୍ଟ ସିରିଜ୍‌ ଜିତିଥିଲା । ପୁଣି ଦୁଇ ଦଳ ଦିନିକିଆ ସିରିଜ୍‌ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ୧୨ ତାରିଖ ସିଡ଼୍‌ନୀରେ ଖେଳାଯିବ । ଏନେଇ ବୁଧବାରଠୁ ଭାରତ ସିଡ଼ନୀ ପଡ଼ିଆରେ ଅଭ୍ୟାସ ଆରମ୍ଭ କରିଛି । ଦିନିକିଆ ଓ ଟି-୨୦ ସ୍ପେଶାଲିଷ୍ଟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଓ ତାରକା ଓପନର ଶିଖର ଧାୱନ ନେଟ୍ସରେ ଝାଳବୁହାଇଛନ୍ତି । ବିଶ୍ୱକପ୍‌ ପୂର୍ବରୁ ଭାରତ ଏକାଧିକ ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳିବ । ଅଷ୍ଟ୍ରେଲିଆ ସହ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବା ପରେ ନୁ୍ୟଜିଲାଣ୍ଡଗସ୍ତରେ ଯିବ ଭାରତ । ଘରୋଇ ନୁ୍ୟଜିଲାଣ୍ଡ ସହ ୫ଟି ଦିନିକିଆ ଏବଂ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳିବ । ଏହାପରେ ଅଷ୍ଟ୍ରେଲିଆ ଭାରତଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଘରୋଇ ମାହୋଲରେ ଭାରତ ୫ଟି ଦିନିକିିଆ ଓ ୨ଟି ଟି-୨୦ ମ୍ୟାଚ୍‌ ଖେଳିବ । ଏହି ସିରିଜ୍‌ ଶେଷ ହେବାପରେ ମାର୍ଚ୍ଚ ୨୩ରୁ ଦ୍ୱାଦଶ ସଂସ୍କରଣ ଆରମ୍ଭ ହେବ ।
ବୁଧବାର ଅଭ୍ୟାସ ସେସନ୍‌ରେ ମହେନ୍ଦ୍ର ସିଂ ଧୋନିଙ୍କ ବ୍ୟତୀତ ଶିଖର ଧାୱନ, ରୋହିତ ଶର୍ମା, ଅମ୍ବାତି ରାୟୁଡୁ, କେଦାର ଯାଦବ, ୟୁଜଭେନ୍ଦ୍ର ଚହଲ, ଦିନେଶ କାର୍ତ୍ତିକ ଓ ଖଲିଲ ଅହମ୍ମଦ ଦୀର୍ଘ ସମୟ ଧରି ଅଭ୍ୟାସ କରିଥିଲେ । ଦିନକ ଆଗରୁ ଧୋନି, ଧାୱନ, କେଦାର ଓ ରାୟୁଡୁ ସିଡ଼ନୀ ଗସ୍ତ କରି ଦଳ ସହ ଯୋଗଦେଇଥିଲେ । ଦିନିକିଆ ସିରିଜ୍‌ରୁ ଯଶପ୍ରିତ ବୁମରାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ଖଲିଲ ଅହମ୍ମଦଙ୍କୁ ସାମିଲ କରାଯାଇଛି । ଦ୍ରୁତ ବୋଲିଂ ବିଭାଗରେ ମହମ୍ମଦ ସାମି,ଈଶାନ୍ତ ଶର୍ମ ଓ ଭୁବନେଶ୍ୱର କୁମାର ଦଳର ମଙ୍ଗ ଧରିବେ । ୧୨ ତାରିଖ ସିଡନୀ ପ୍ରଥମ ଦିନିକିଆ, ୧୫ ତାରିଖ ଆଡିଲେଡରେ ଦ୍ୱିତୀୟ ଓ ୧୮ ତାରିଖ ମେଲବୋର୍ଣ୍ଣରେ ତୃତୀୟ ଦିନିକିଆ ମ୍ୟାଚ ଖେଳାଯିବ ।

LEAVE A REPLY

Please enter your comment!
Please enter your name here