ଧର୍ମଶାଳା,ଧର୍ମଶାଳା ତହସିଲର ଲଘୁଖଣିଜ ସମ୍ପଦ ବେଆଇନ ଲୁଟ କାରବାରକୁ କୌଣସିମତେ ପ୍ରସୟ ଦିଆଯିବ ନାହିଁ ବୋଲି ବୁଧବାର ଦିନ ରାଜସ୍ୱ ବିଭାଗ ଅତିରିକ୍ତ ଶାସନ ସଚିବ ବିଭୁତି ଭୁଷଣ ଦାସ ଡଙ୍କାରୀ ଓ ରାହାଡପୁର କଳାପଥର ଖାଦାନ ପରିଦର୍ଶନ କରି ସୂଚନା ଦେଇଛନ୍ତି । ଡଙ୍କାରୀ ଓ ରାହାଡପୁର ଖାଦାନରେ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି ସତ୍ୱେ ବେଆଇନ ଖନନ ହେଉଥିବା ସ୍ଥାନୀୟ ଲେକେ ଅଭିଯୋଗ କରିଥିଲେ । ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନସ୍ଥ ଡଙ୍କାରୀ ଓ ରାହାଡପୁର ଖାଦାନ ଅଂଚଳ ପରିଦର୍ଶନ କରି ଫେରିଯାଇଛନ୍ତି ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ବିଭୁତି ଭୂଷଣ ଦାସ । ସଚିବ ପ୍ରଥମେ ଡଙ୍କାରୀର ବିଭିନ୍ନ କଳାପଥର ଖାଦାନ ଓ ପରେ ରାହାଡପୁର ଅଂଚଳ ପରିଦର୍ଶନ କରି ଏସବୁର ଯାଞ୍ଚ କରିଥିଲେ । ପୂର୍ବରୁ ସଂପୃକ୍ତଖାଦାନ ଅଂଚଳରେ ୧୪୪ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଏହା ସତ୍ୱେ ମଧ୍ୟ ପଥରମାଫିଆମାନେ ଏଠାରୁ ଖଣିଜସଂପଦଲୁଟ୍ କରୁଥିବା ଅଭିଯୋଗ ହୋଇଆସୁଛି । ଦିନକୁ ଦିନ ଚୋରା ଚାଲଣ କାରବାର ବୃଦ୍ଧି ପାଇବା ଲାଗିଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ତହସିଲ ଓ ପୋଲିସ ପ୍ରଶାସନର ବାରମ୍ବାର ଚଢାଉ ସତ୍ୱେ ଏହା ବନ୍ଦ ହୋଇପାରୁନି । ସେଥିପାଇଁ ପ୍ରଶାସନ ପକ୍ଷରୁଏହି କଡା ପଦକ୍ଷେପ ଗ୍ରହଣ କରାଯାଉଛି । ଖୁବ ଶୀଘ୍ର ଚୋରା କାରବାରରେ ରୋକ ଲଗାଇବା ସହ ଏହାକୁ ନିୟନ୍ତ୍ରଣ କରିବା ଲାଗି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବା ସହ କୈାଣସିମତେ ବେଆଇନ କାରବାରକୁ ପ୍ରଶୟ ଦିଆଯିବନାହିଁ ବୋଲି ସଚିବ ସୂଚନା ଦେଇଛନ୍ତି । ଏହି ଗସ୍ତ ସମୟରେ ଯାଜପୁର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଧର୍ମଶାଳାତହସିଲଦାର ସରୋଜ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ମହାନ୍ତି,ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ, ଜେନାପୁର ଥାନା ଅଧିକାରୀ ସୁଶାନ୍ତକୁମାର ଦାସ, ବିଭିନ୍ନ ସର୍କଲର ରାଜସ୍ୱ ନିରୀକ୍ଷକ ପ୍ରମୁଖ ସାମିଲ ହୋଇ ସଚିବଙ୍କ ପରିଦର୍ଶନରେ ସହାୟତା କରିଥିଲେ । କଳାପଥର ଚୋରାଚାଲାଣ ରୋକିବା ପାଇଁ ୫୩ନଂ ଜାତୀୟ ରାଜପଥରେ ୩ଟି ଗେଟ କରାଯିବା ସହ ସିସି ଟିଭି ଲଗାଯିବା ପାଇଁ ସ୍ଥିର ହୋଇଛି ବୋଲି ତହସିଲଦାର ଶ୍ରୀ ପଣ୍ଡା ସଚିବଙ୍କୁ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here