ଡେରାବିଶ : ସ୍ୱାସ୍ଥ୍ୟସେବା ଜନସାଧାରରଙ୍କ ନିକଟରେ ଶିଘ୍ର ଓ ସହଜରେ ପହଂଚିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି । ସ୍ୱାସ୍ଥ୍ୟ ସେବା ପ୍ରତିଟି ଲୋକଙ୍କ ପାଖରେ ପହଂଚିବା ପାଇଁ ପ୍ରତି ବ୍ଲକରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ସେକ୍ଟର ଓ ପ୍ରତି ସେକ୍ଟର ଅଧୀନରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ମାନ ଖୋଲାଯାଇଛି । ପ୍ରତି ଉପସ୍ଥାସ୍ଥ୍ୟ କେନ୍ଦ୍ରରେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ (ଏ.ଏନ୍.ଏମ୍.) ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ପାଇଥାନ୍ତି । ଏବେ ପ୍ରାୟ ପୁରୁଷ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତ ହେଉନଥିବାରୁ ଜଣେ ସ୍ୱାସ୍ଥ୍ୟକର୍ମୀ (ପୁରୁଷ)ଙ୍କୁ ୨ଟି ଲେଖାଏ ଉପକେନ୍ଦ୍ର ଦାୟିତ୍ୱରେ ରହିବାକୁ ପଡ଼ୁଛି । ଦ୍ୱିତୀୟରେ ଉପସ୍ୱାସ୍ଥ୍ୟ କେନ୍ଦ୍ରର ନିଜସ୍ୱ ଗୃହ ନଥିବା ଅଥବା ନିର୍ମିତ ଗୃହ ବାସୋପଯୋଗୀ ନଥିବାରୁ ଗୃହ ଗୁଡ଼ିକ ଭୂତକୋଠି ପାଲଟିଥିବା ଦେଖାଯାଇଛି ।

ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ଚାନେ୍ଦାଳ ସେକ୍ଟର ଅଧୀନରେ ଥିବା ଦାନପୁର, ସଲାରୋ, ଜହ୍ନିମୂଳ, ବିଶୋକ, ପଲେଇ ଓ ସବଳଙ୍ଗ ମୋଟ ୬ଟି ଉପକେନ୍ଦ୍ର ମଧ୍ୟରୁ ଦାନପୁର, ଜହ୍ନିମୂଳ ଓ ବିଶୋକର ଆଦୌ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୃହ ନଥିବା ବେଳେ ସଲାରୋର ପୂର୍ବରୁ ଶ୍ମଶାନ ନିକଟରେ ଏକ ନିଛାଟିଆ ସ୍ଥାନରେ ନିର୍ମିତ ହୋଇଥିଲା । ସେଠାରେ ରହିବା ପାଇଁ ନିରାପଦ ନମଣିବାରୁ ଗୃହଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏବେ ଅନ୍ୟତ୍ର ଦ୍ୱିତୀୟବାର ସ୍ୱାସ୍ଥ୍ୟ ଉପକେନ୍ଦ୍ରର ନିର୍ମାଣ ଚାଲିଛି । ସେହିପରି ପଲେଇର ଏହି କେନ୍ଦ୍ରଟି ଏକ ନିର୍ଜ୍ଜନ ତଥା ଜନବସତି ଠାରୁ ବହୁ ଦୂରରେ ନିର୍ମିତ ହୋଇ ପଡ଼ିରହିଛି ।

ସେଠାରେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ରହିବା ଆଦୌ ନିରାପଦ ନୁହେଁ । ସେହିପରି ସବଳଙ୍ଗ ଠାରେ ଥିବା ଉପ ସ୍ୱାସ୍ଥ୍ୟକେନ୍ଦ୍ରଟି ମଧ୍ୟ ଅନ୍ୟଜଣେ ବ୍ୟକ୍ତିଙ୍କ ଜବରଦଖଲରେ ରହି ଆସୁଅଛି । ଚାନେ୍ଦାଳ ସେକ୍ଟର ଅଧୀନ ଜହ୍ନିମୂଳ ଓ ବିଶୋକ ଦୁଇଟି ଉପସ୍ୱାସ୍ଥ୍ୟକେନ୍ଦ୍ରର ଗୃହ ଏଭଳି ସ୍ଥାନରେ ନିର୍ମିତ ହେଉଅଛି ଯେଉଁଠାରେ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀ ରହିବା କଷ୍ଟକର ହୋଇପଡ଼ିବ । ସେହିପରି ହରିଅଙ୍କ ସେକ୍ଟର ଅଧୀନରେ ଥିବା ହରିଅଙ୍କ ସେକ୍ଟର ଅଧୀନରେ ଥିବା ହରିଅଙ୍କ ବାଲିସାହି, ବମ୍ପୁ, ହାଟବାଣପୁର ରତାଦିଆ ଆଦି ୫ଟି ଉପସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରୁ ବାଲିସାହି କେନ୍ଦ୍ରଟି ଗ୍ରାମ ମଧ୍ୟରେ ରହିଥିବାରୁ ସେଠାରେ ନିଯୁକ୍ତ ଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ସେଠାରେ ରହୁଛନ୍ତି । ହେଲେ ଅନ୍ୟ ୪ଟି ଉପକେନ୍ଦ୍ର ମଧ୍ୟରୁ ହରିଅଙ୍କ କେନ୍ଦ୍ରଟି ହରିଅଙ୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ଥିଲେବି ତାହା ବାସୋପଯୋଗୀ ନୁହେଁ ।

ରତାଦିଆ ଠାରେ ଏ ପର୍ଯ୍ୟନ୍ତ କୌଣସି ଗୃହ ନିର୍ମାଣ କରାନଯାଇ ଦୀର୍ଘ ବର୍ଷ ହେବ । ଭଡ଼ାଘରେ ଚାଲୁଥିବା ଦେଖାଯାଇଛି । ଅନ୍ୟ ଦୁଇଟି ହାଟବାଣପୁର ଓ ବମ୍ପୁରେ ୧୦ ଲକ୍ଷରୁ ଉଦ୍ଧ୍ୱର୍ ବ୍ୟୟ ଅଟକଳରେ ନିର୍ମିତ ସ୍ୱାସ୍ଥ୍ୟକେନ୍ଦ୍ର ଗୃହ ଜନବସତିର ବହୁ ଦଦୂରରେ ନିଛାଟିଆ ସ୍ଥାନରେ ନିର୍ମାଣ ହୋଇଥିବାରୁ ସେଠାରେ ମହିଳା କର୍ମୀମାନେ ରହିବାକୁ ନିରାପଦ ମନେକରୁନାହାଁନ୍ତି । ଏବେ ପ୍ରଶ୍ନ ଉଠୁଛି ଉପକେନ୍ଦ୍ର ଗୁଡ଼ିକ ମହିଳାମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବା ବେଳେ ଏମାନେ ରହିବା ପାଇଁ ଜନବସତି ନିକଟରେ ନିର୍ମାଣ କରିବା ଉଚିତ୍ ହୋଇଥାନ୍ତି ବୋଲି ଅଂଚଳବାସୀଙ୍କ ମତ । କିନ୍ତୁ ସରକାର ଏଥି ପ୍ରତି ଦୃଷ୍ଟିନଦେଇ ଏଭଳି ସ୍ଥାନ ମାନଙ୍କ କିଛିନାକିଛି ସରକାରଙ୍କ ଅର୍ଥ ଅଯଥା ବ୍ୟୟ ହେବା ସହ ନିର୍ମିତ ଗୃହ ଗୁଡ଼ିକ ବ୍ୟବହାର ନହେବାରୁ ଏହା ଆପେ ନଷ୍ଟ ହେବାକୁ ବସିଲାଣି । ଏବେ ନିର୍ମାଣ ହେବାକୁଥିବା ଗୃହ ପାଇଁ ସଠିକ୍ ସ୍ଥାନ ନିରୂପଣ କରିବା ସହ ଅବ୍ୟବହୃତ ଗୃହକୁ ଅନ୍ୟ କୌଣସି ସରକାରୀ କାର୍ଯ୍ୟରେ ଲଗାଇବା ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here