ଡେରାବିଶ :  ଡେରାବିଶ ବ୍ଳକ ପଲେଇ ପଂଚାୟତ ଅନ୍ତର୍ଗତ ସବଳଙ୍ଗକଣିପଡ଼ା ସ୍ଥିତ ଜୟଭାରତୀ ସାଥିସମାଜ ସଭାକକ୍ଷରେ ଆସନ୍ତା ଦୁର୍ଗାପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ଉପସଭାପତି ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରତାପ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠାନର ସମ୍ପାଦକ ନିରଞ୍ଜନ ସାହୁ ବାର୍ଷିକ ବିବରଣୀ ପାଠ କରିବା ସହିତ ପୂର୍ବ ବର୍ଷର ଆୟ ବ୍ୟୟର ହିସାବ ଉପସ୍ଥିତ ପରିଚାଳନା କମିଟିର ସଭ୍ୟସଭ୍ୟାମାନଙ୍କୁ ପ୍ରଦାନ କରିଥିଲେ । ଏଥିସହିତ ସାମ୍ପ୍ରତିକ କରୋନା ପରିସ୍ଥିତି ପାଇଁ ଚଳିତ ବର୍ଷର ଦୂର୍ଗାପୂଜା ସରକାରଙ୍କ କରୋନା କଟକଣା ସହିତ ନିରାଡ଼ାମ୍ବର ଭାବେ ପାଳନ କରାଯିବା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ଚଳିତ ବର୍ଷ ଅନୁଷ୍ଠାନର ସଭ୍ୟସଭ୍ୟାମାନଙ୍କୁ କରୋନା କଟକଣାର ସମସ୍ତ ନିୟମକୁ ମାନି ଅନୁଷ୍ଠାନ ପାଇଁ ସେମାନଙ୍କର ସାହାଯ୍ୟ ସହଯୋଗ ପୂର୍ବ ବର୍ଷମାନଙ୍କ ଭଳି ପ୍ରଦାନ କରିବାକୁ ନିବେଦନ କରାଯିବ ବୋଲି ସମ୍ପାଦକ ଶ୍ରୀ ସାହୁ ପ୍ରକାଶ କରିଥିଲେ । ଚଳିତ ବର୍ଷ ମୃଣ୍ମୟୀ ମୂର୍ତିର ଆକାର ପ୍ରକାର, ସାଜସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମ, ଡାକବାଜି ଓ ଆତସବାଜି ଉପରେ ଲାଗିଥିବା କଟକଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ସେହି ଅନୁଯାୟୀ କାର୍ଯ୍ୟକ୍ରମ ସମ୍ପାଦନ କରାଯିବ ବୋଲି ମତପ୍ରକାଶ ପାଇଥିଲା । ସରକାରୀ କଟକଣା ଯୋଗୁ ପ୍ରତିବର୍ଷ ଦିଆଯାଉଥିବା ନାଗରିକ ସମ୍ବର୍ଦ୍ଧନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ନିଷ୍ପତି ନିଆଯାଇଛି । ଶେଷରେ ଅନୁଷ୍ଠାନର କର୍ମଚାରୀ ମନୋରମା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here