ନୂଆଦିଲ୍ଲୀ: ନୋଇଡ଼ାରେ ଜନୈକା ଯୁବତୀକୁ ହତ୍ୟା କରିବା ଅପରାଧରେ ଦିଲ୍ଲୀ ପୁଲିସ୍‌ ତିନି ଜଣ ହତ୍ୟାକାରୀଙ୍କୁ ଗିରଫ କରି ଜେଲ୍‌କୁ ପଠାଇବାର ଦୀର୍ଘ ୬ ମାସ ପରେ ସଂପୃକ୍ତା ଯୁବତୀ ଜଣକ ଝାଡ଼ଖଣ୍ଡ ପୁଲିସ୍‌ ନିକଟରେ ଆବିର୍ଭୂତା ହୋଇ ଜୀବିତ ଥିବା ଦାବୀ କରିବା ଘଟଣା ଏବେ ଦିଲ୍ଲୀ ପୁଲିସ୍‌ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଜନୈକା ୧୬ ବର୍ଷ ବୟସ୍କା ଯୁବତୀର ଗଳିତ ଶବକୁ ଗତ ମେ ମାସ ୩ ତାରିଖରେ ଏକ ନାଳ ମଧ୍ୟରୁ ପୁଲିସ୍‌ ଉଦ୍ଧାର କରିଥିଲା। କେତେକ ଦୁର୍ବୃତ୍ତ ଯୁବତୀଟିର ଶରୀରକୁ ଖଣ୍ଡଖଣ୍ଡ କରି କାଟିବା ପରେ ଏକ କଳାବ୍ୟାଗରେ ଭର୍ତ୍ତିକରି ନାଳ ମଧ୍ୟକୁ ଫିଙ୍ଗି ଦେଇଥିଲେ। ପରେ, ମୃତା ଯୁବତୀ ଜଣଙ୍କୁ ନୋଇଡ଼ାର ମିନାଓ୍ଵାଲି ନଗରରେ ଜନୈକ ବ୍ୟକ୍ତିଙ୍କ ଘରେ କାର୍ଯ୍ୟ କରୁଥିବା ଘରୋଇ ସହାୟିକା, ଏବଂ ତା’ର ଘର ଝାଡ଼ଖଣ୍ଡ ବୋଲି ଚିହ୍ନଟ କରାଯାଇଥିଲା। ପରେ, ପୁଲିସ୍‌ ଏହି ହତ୍ୟା ଘଟଣା ତଦନ୍ତ କରି ଘଟଣାରେ ସଂପୃକ୍ତ ଥିବା ୩ ଜଣ ହତ୍ୟାକାରୀଙ୍କୁ ଗିରଫ କରିଥିଲା। ପରେ ହତ୍ୟାକାରୀମାନେ ମଧ୍ୟ ଏହି ହତ୍ୟା କରିଥିବା ପୁଲିସ୍‌ ନିକଟରେ ସ୍ୱୀକାର କରିଥିଲେ।

ତେବେ, ଏହି ଘଟଣାର ଦୀର୍ଘ ୬ମାସ ପରେ ସଂପୃକ୍ତା ଯୁବତୀ ଜଣକ ତା’ ଝାଡ଼ଖଣ୍ଡସ୍ଥିତ ଘରକୁ ଫେରି ଆସିବା ସହ ସେ ଜୀବିତ ଥିବା ଝାଡ଼ଖଣ୍ଡ ପୁଲିସ୍‌କୁ କହିଛି। ଯୁବତୀ ଜଣକ ପୁଲିସ୍‌କୁ କହିଛି ଯେ କେତେକ ନ୍ୟୁଜ୍‌ ଚ୍ୟାନେଲରେ ତା’ର ଫଟୋଚିତ୍ର ପ୍ରଦର୍ଶିତ କରାଯାଇ ତାକୁ ହତ୍ୟା କରାଯାଇଛି ବୋଲି ସମ୍ବାଦ ପ୍ରସାରିତ ହେଉଥିବା ପରେ, ସେ ପୁଲିସ୍‌ ନିକଟକୁ ଆସି ଜୀବିତ ଥିବା ଜଣାଇବାକୁ ଉଚିତ ମନେକଲା ବୋଲି ଝାଡ଼ଖଣ୍ଡ ଲାତୁଙ୍ଗା ଥାନା ଅଧିକାରୀ ଗଣମାଧ୍ୟମକୁ କହିବା ସହ ଘଟଣା ସଂପର୍କରେ ଦିଲ୍ଲୀ ପୁଲିସ୍‌କୁ ମଧ୍ୟ ସୂଚନା ଦେଇଥିବା କହିଛନ୍ତି। ଝାଡ଼ଖଣ୍ଡ ପୁଲିସ୍‌ଠାରୁ ସୂଚନା ପାଇବା ପରେ ଏବେ ସଂପୃକ୍ତା ଯୁବତୀକୁ ଜେରା କରିବା ପାଇଁ ଦିଲ୍ଲୀ ପୁଲିସ୍‌ର ଏକ ଟିମ୍‌ ଝାଡ଼ଖଣ୍ଡ ଆସୁଥିବା ଜାଣିବାକୁ ମିଳିଛି।
Loading...

LEAVE A REPLY

Please enter your comment!
Please enter your name here