ଦାନଗଦି : କଳିଙ୍ଗନଗର ଶିଳ୍ପାଞ୍ଚଳର ସୁକିନ୍ଦା ରୋଡ ରେଳ ଷ୍ଟେସନର ମାନପୁର ରେଳବାଇ ସାଇଡିଂରେ ବ୍ୟାପକ ପ୍ରଦୂଷଣ ହେଉଥିବା ନେଇ ଜାତୀୟ ସବୁଜ ପ୍ରାଧୀକରଣ (ଏନ୍‌ଜିଟି)ଙ୍କ ନିକଟରେ ହୋଇଥିବା ଅଭିଯୋଗ ଉପରେ ଏନଜିଟିଙ୍କ ରାୟ ରେଳ ସାଇଡିଂ ସପକ୍ଷରେ ଯାଇଛି । ଅଭିଯୋଗକାରୀ ସୁଶାନ୍ତ ଦାସ କରିଥିବା ପ୍ରଦୂଷଣ ଅଭିଯୋଗକୁ ଏକ ସ୍ୱତନ୍ତ୍ର କମିଟି ଦ୍ୱାରା ଏନ୍‌ଜିଟି ତଦନ୍ତ କରାଇବା ପରେ ରିପୋର୍ଟ ଆଧାରରେ ଗତ ୮ତାରିଖରେ ମାମଲାର ଶୁଣାଣୀ କରିଥିଲେ । ଏନ୍‌ଜିଟିରେ ଦାଖଲ ହୋଇଥିବା କମିଟିର ତଦନ୍ତ ରିପୋର୍ଟ ମୁତାବକ ଅଭିଯୋଗକାରୀ ସୁଶାନ୍ତ ଦାସଙ୍କ ଅଭିଯୋଗ ଭିତ୍ତିହୀନ ସାବ୍ୟସ୍ଥ ହୋଇଛି ।

ରେଳ ସାଇଡିଂ ଚଳାଇବାକୁ କନସେଣ୍ଟ-ଟୁ-ଅପରେଟ୍‌ ନଥିବା ଅଭିଯୋଗକାରୀ ମାମଲାରେ ଦର୍ଶାଇଥିବାବେଳେ ଅନୁସନ୍ଧାନରୁ ଏହା ମିଥ୍ୟା ପ୍ରମାଣିତ ହୋଇଥିଲା । ୩୦-୩-୨୦୨୦ ତାରିଖରେ ଏହି ସାଇଡିଂ ପାଇଁ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଅନୁମତି ନବୀକରଣ କରିଥିଲେ । ସେହିପରି ଏଠାରେ ରେଳ ସାଇଡିଂ ୨୦୧୦ ଏପି୍ରିିଲ ଅଧିନିୟମ ମୁତାବକ ନିୟମ ମୁତାବକ କାର୍ଯ୍ୟ କରୁ ନଥିବା, ରେଳ ସାଇଡିଂ ପାଶ୍ୱର୍ରେ ବୃକ୍ଷରୋପଣ କରାଯାଉନଥିବା, ରେଳ ସାଇଡିଂ ଠାରୁ ମାତ୍ର ୩୦ ମିଟର ଦୂରରେ ଏକ ବିଦ୍ୟାଳୟ ରହିଥିବା, ପ୍ଲଟ୍‌ ପାଶ୍ୱର୍ରେ ଏକ ବସ୍ତିରେ ୪୦୦ଲୋକ ବସବାସ କରୁଥିବା ଏବଂ ମାତ୍ରାଧିକ ପ୍ରଦୂଷଣ ପାଇଁ ୮୪ଜଣ ଲୋକଙ୍କ ପ୍ରାଣହାନୀ ଘଟିଥିବା ପରି ଅନେକ ସମ୍ବେଦନଶୀଳ ପ୍ରସଙ୍ଗ ଉପସ୍ଥାପନ କରି ଅଭିଯୋଗକାରୀ ଏନ୍‌.ଜି.ଟିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ରେଳ ସାଇଡିଂକୁ ବନ୍ଦ କରିବାକୁ ନିବେଦନ କରିଥିଲେ ।

ଅଭିଯୋଗର ସତ୍ୟାସତ୍ୟ ସମ୍ପର୍କରେ ସରଜମିନ୍‌ ତଦନ୍ତ ପାଇଁ ଏନ୍‌.ଜି.ଟିର ଖଣ୍ଡପୀଠ ଏମିତି ଏକ ସ୍ୱର୍ଶକାତର ଅଭିଯୋଗ ସମ୍ପର୍କରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଅଧିକାରୀ, ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଅଧିକାରୀ ଏବଂ ଯାଜପୁର ଜିଲାପାଳଙ୍କୁ ନେଇ ଗଠିତ ମିଳିତ କମିଟି ଅନୁଧ୍ୟାନ କରିବା ପରେ ପୃଥକ ପୃଥକ ରିପୋର୍ଟ ଦେବାକୁ ଗତ ଜୁନ୍‌ ୧୬ରେ ନିଦେ୍ର୍ଦଶ ଦେଇଥିଲେ ।

କମିଟି ଗତ ଜୁଲାଇ ୧୩ତାରିଖରେ ରେଳ ସାଇଡିଂ ପ୍ରଦୂଷଣ ସମ୍ପର୍କରେ ଅନୁଧ୍ୟାନ କରିବା ପରେ ଯେଉଁ ରିପୋର୍ଟ ଦେଇଥିଲେ ସେଥିରେ ଅଭିଯୋଗକାରୀଙ୍କ ସମସ୍ତ ଅଭିଯୋଗ ଅମୂଳକ ବୋଲି ଜଣାପଡିଥିଲା । ରେଳ ସାଇଡିଂ ଠାରୁ ୧୦୦ରୁ ୧୫୦ ମିଟର ଦୂରରେ ନୀଳପଦା ନାମରେ ପଡା ଗାଁ ରହିଥିବାବେଳେ ସେଠାରେ ମାତ୍ର ୧୫-୨୦ ଟି ପରିବାର ରହୁଥିବାବେଳେ ୩୦ମିଟର ମଧ୍ୟରେ କୌଣସି ସ୍କୁଲ ନଥିବା ଜଣାପଡିଥିଲା । ପ୍ଲଟ୍‌ ଠାରୁ ୫୦୦ ମିଟର ଦୂରରେ ଏକ ବିଦ୍ୟାଳୟ ରହିଥିବା କମିଟି ରିପୋର୍ଟ ଦେଇଥିଲେ ।

ଏହା ବ୍ୟତୀତ ରେଳବାଇ ସାଇଡିଂ ପାଶ୍ୱର୍ରେ ଗଛ ଲାଗିଥିବା ଏବଂ ୧୦୫ଟି ସ୍ପ୍ରିଙ୍କଲର ଦ୍ୱାରା ପ୍ଲଟ୍‌ ଅଞ୍ଚଳରେ ଜଳ ସିଞ୍ଚନ ହେଉଥିବା, ୨ଟି ଟ୍ୟାଙ୍କର ଦ୍ୱାରା ରାସ୍ତାରେ ପାଣି ସିଞ୍ଚନ କରାଯାଉଥିବା, ପ୍ଲଟ ସଂଲଗ୍ନ ରାସ୍ତା ଏବଂ ଭିତର ରାସ୍ତା ଭଲ ରହିଥିବା, ପ୍ଲଟ୍‌ ୨ପାଶ୍ୱର୍ରେ ୩ମିଟର ଲେଖାଏଁ ପ୍ରାଚୀର ରହିଥିବା, ଉଦବୃତ୍ତ ଜଳ ପାଇଁ ଡ୍ରେନେଜ୍‌ ବ୍ୟବସ୍ଥା କାର୍ଯ୍ୟ କରୁଥିବା, ବର୍ଜ୍ୟଜଳ ପ୍ଲଟ୍‌ ବାହାରକୁ ଯାଉନଥିବା ସମ୍ପର୍କରେ କମିଟି ତଦନ୍ତ ବେଳେ ଅବଗତ ହୋଇଥିଲେ । ବର୍ଜ୍ୟଜଳ ପରିଚାଳନା ପାଇଁ ପ୍ଲଟରେ ଏକ ଟ୍ରୀଟ୍‌ମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ରହିଥିବାବେଳେ ବିଶୋଧିତ ଜଳକୁ ସେଠାରେ ସିଞ୍ଚନ କରିବା ଏବଂ ଗଛରେ ଦେବା ଆଦି କରାଯାଉଥିବା ସମ୍ପର୍କରେ କମିଟି ପ୍ରମାଣ ସଂଗ୍ରହ କରିଥିଲେ । ଏହା ବ୍ୟତୀତ ପ୍ରଦୂଷଣ ଆଶଙ୍କା ଥିବା ଜିପସମ୍‌ ର ଲୋଡିଂ ଅନଲୋଡିଂକୁ ଜୁନ୍‌ ୧୫ ତାରିଖ ଠାରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ପ୍ଲଟରେ ବନ୍ଦ କରାଯାଉଥିବା ସମ୍ପର୍କରେ କମିଟି ଅବଗତ ହୋଇଥିଲେ । ଯାହାକି ଅଭିଯୋଗକାରୀଙ୍କ ସମସ୍ତ ଅଭିଯୋଗକୁ ମିଛ ପ୍ରମାଣିତ କରିଥିଲା ।

ସାଇଡିଂକୁ ଅଧିକ ପ୍ରଦୂଷଣ ମୁକ୍ତ କରିବାକୁ ଚାରି ପାଖରେ ପବନ ଜାଲି ଲଗାଇବାକୁ ଏନ୍‌.ଜି.ଟି ନିଦେ୍ର୍ଦଶ ଦେଇଛନ୍ତି । ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହାକୁ ଅନୁଧ୍ୟାନ କରିବା ସହ ବାୟୂ ନମୂନା ପରୀକ୍ଷଣ କରିବେ ଓ ଏହାର ରିପୋର୍ଟ ଏନଜିଟିକୁ ପ୍ରଦାନ କରିବେ । ଜିପସମ୍‌ ଖଲାସ ପାଇଁ ସ୍ୱତନ୍ତ୍ର ସେଡ୍‌ ନିର୍ମାଣ କରିବା, ପ୍ରଦୂଷଣ ରୋଧକ ବୃକ୍ଷରୋପଣ କରିବା ସହ ରେଳବାଇ କର୍ତ୍ତୃପକ୍ଷ ୩ମାସ ମଧ୍ୟରେ ଦ୍ୱିତୀୟ ଟ୍ରୀଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରିବାକୁ ଏନ୍‌.ଜି.ଟି ପରାମର୍ଶ ଦେଇଛନ୍ତି ।

ଟ୍ରୀବ୍ୟୁନାଲର ନ୍ୟାୟିକ କମିଟି ସଦସ୍ୟ ଏସ୍‌.ପି ୱାଙ୍ଗଡି ଏବଂ ପ୍ରବୀଣ ସଭ୍ୟ ନାଗିନ୍‌ ନନ୍ଦ ମାମଲାର ଶୁଣାଣୀ କରିଥିଲେ । ଅଭିଯୋଗକାରୀଙ୍କ ପକ୍ଷରୁ ଆଡଭୋକେଟ ଶଙ୍କର ପ୍ରସାଦ ପାଣି, ଓପିସିବି ପକ୍ଷରୁ ଆଡଭୋକେଟ୍‌ ପପିୟା ବାନାର୍ଜୀ ବିହାନୀ, ରେଳବାଇ ପକ୍ଷରୁ ଆଡଭୋକେଟ୍‌ କଲ୍ୟାଣ ସରକାର ଏବଂ ସି.ପି.ସି.ବି ପକ୍ଷରୁ ଆଡଭୋକେଟ୍‌ ସୁରେନ୍ଦ୍ର କୁମାର ପ୍ରମୂଖ ମାମଲାର ପରିଚାଳନା କରୁଥିଲେ ।

ସୂଚନାଯୋଗ୍ୟ ଯେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଅଧିକାଂଶ କାରଖାନାକୁ ରେଳପଥ ସଂଯୋଗ ନଥିବା ବେଳେ ଉକ୍ତ କାରଖାନା ଗୁଡିକ ମାନପୁର ରେଲୱେ ସାଇଡିଂ ମାଧ୍ୟମରେ କଞ୍ଚାମାଲ ଆମଦାନୀ କରିଥାନ୍ତି । ସାଇଡିଂ ଉପରେ ନିର୍ଭର କରି କଳିଙ୍ଗନଗର ଶିଳ୍ପାଞ୍ଚଳର ଭିସା ଷ୍ଟିଲ, ବିଆରପିଏଲ୍‌, ଇମାମୀ ସିମେଣ୍ଟ ଏବଂ ଜେଏସଡବ୍ଲୁ ସିମେଣ୍ଟ ପ୍ରଭୃତି କାରଖାନା କାର୍ଯ୍ୟକ୍ଷମ ରହିଥିବାବେଳେ ଇମ୍ଫା ଖଣିର କ୍ରୋମାଇଟ୍‌ ଏଠାରୁ ପରିବହନ ହୋଇଥାଏ । ରେଳ ୱାଗନରେ ବୋଝେଇ ଏବଂ ଖଲାସ ପ୍ରକ୍ରୀୟାରେ ପାଖାପାଖି ୬ଶହ ସ୍ଥାନୀୟ ଶ୍ରମିକ ଏଠାରେ ନିୟୋଜିତ ରହିଛନ୍ତି ।

ଏବେ ଶିଳ୍ପାଞ୍ଚଳରେ ୧୮ଟି ପୁରୁଣା ଶିଳ୍ପ ରହିଥିବାବେଳେ ଆଗାମୀ ଦିନରେ ୩୬ଟି ନୂତନ ଶିଳ୍ପ ଖୋଲିବା ନେଇ ରାଜ୍ୟ ସରକାର ଆଗେଇ ଆସୁଥିବା ପରିପ୍ରେକ୍ଷୀରେ ଏବଂ ପୂର୍ବରୁ ଜଖପୁରା ରେଳ ସାଇଡିଂ ବନ୍ଦ ହୋଇ ଯାଇଥିବାରୁ ମାନପୁର ରେଳବାଇ ସାଇଡିଂ ଅପରିହାର୍ଯ୍ୟ ବିକଳ୍ପ ଭାବେ ଉଭା ହୋଇଛି ।

LEAVE A REPLY

Please enter your comment!
Please enter your name here