ଚେନ୍ନାଇ, ୧୬।୧୧ : ତାମିଲନାଡ଼ୁରେ ସାମୁଦ୍ରିକ ଝଡ଼ ‘ଗଜ’ ତାଣ୍ଡବ ମଚାଇଛି । ଏହି ଝଡ଼ କାରଣରୁ ହୋଇଥିବା ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୨୨ରେ ପହଞ୍ଚିଛି । ରାଜ୍ୟରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ତାମିଲନାଡ଼ୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ଅନୁସାରେ ନିମ୍ନ ଇଲାକାରୁ ୮୧ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଗଜ ପ୍ରଭାବ କାରଣରୁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଶୁକ୍ରବାର ସକାଳେ ଏହି ଘୂର୍ଣ୍ଣିଝଡ଼ ତାମିଲନାଡୁରେ ପ୍ରବେଶ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲେମିଟର ଗତିରେ ପ୍ରବାହିତ ହୋଇଥିଲା । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ମୁତାବକ ନିମ୍ନ ଇଲାକାରୁ ୭୬,୨୯୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । କଡଲୁର, ନାଗପଟ୍ଟିନମ, ପୁଡୁକୋଟ୍ଟାଇ, ରାମନାଥପୁରମ, ତରିୁବରୁର, ତଞ୍ଜାପୁରରେ ୪୭୧ ଶିବିରରେ ୮୧,୯୪୮ ଜଣ ଲୋକେ ରହୁଛନ୍ତି । ଏହି ଝଡ଼ତୋଫାନ କାରଣରୁ ନାଗାପଟ୍ଟିନମ ଓ କରାଇକଲ ଜିଲ୍ଲାରେ ଶତାଧିକ ବିଜୁଳି ଖୁଣ୍ଟି ଭାଙ୍ଗି ଯାଇଛି । ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ଗଜରେ ମୃତ୍ୟୁ ଘଟିଥିବା ପରିବାରଙ୍କ
ପ୍ରତି ୧୦ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଗୁରୁତର ଆହତଙ୍କୁ ଏକ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗଜକୁ ନେଇ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ଓ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା କରିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here