ସିଡନୀ: ସିଡନୀ ଟେଷ୍ଟରେ ଭାରତର ପକ୍ଷ ମଜଭୁତ ରହିଛି । ତୃତୀୟ ଦିନ ଚାଇନାମ୍ୟାନ୍‌ ସ୍ପିନର କୁଲଦୀପ ଯାଦବ ଓ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ଙ୍କୁ ବାନ୍ଧି ରଖିବାରେ ପାରଦର୍ଶିତା ଦେଖାଇଛନ୍ତି । ତୃତୀୟ ଦିନ ଖେଳକୁ ଆହୁରି ୧୬ ଓଭର ବାକିଥିବା ବେଳେ ଖରାପ ପାଗ ଯୋଗୁଁ ମ୍ୟାଚକୁ ଶୀଘ୍ର ଶେଷ କରିବାକୁ ପଡ଼ିଥିଲା । ଷ୍ଟମ୍ପ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ (୮୩.୩ ଓଭର) ୬ ୱିକେଟ୍‌ ହରାଇ ୨୩୬ ରନ୍‌ କରିଛି । ପିଟର ହ୍ୟାଣ୍ଡସ୍‌କମ୍‌ ୨୮ ଓ ପାଟ କୁମିନ୍ସ ୨୫ ରନ୍‌ କରି ଅପରାଜିତ ଥିଲେ ।
କଙ୍ଗାରୁ ଟିମ୍‌ ତା’ର ପ୍ରଥମ ଇନିଂସରେ ଭାରତର ବିଶାଳ ୬୨୨ ରନଠାରୁ ଆହୁରି ୩୮୬ ରନ୍‌ ପଛରେ ରହିଛି । ଟିମ୍‌ ଇଣ୍ଡିଆ ପକ୍ଷରୁ ସିରିଜର ପ୍ରଥମ ମ୍ୟାଚ୍‌ ଖେଳୁଥିବା କୁଲଦୀପ ଯାଦବ ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୨ଟି ଓ ମହମ୍ମଦ ସାମି ଗୋଟିଏ ୱିକେଟ୍‌ ଅକ୍ତିଆର କରିଛନ୍ତି ।
ତୃତୀୟ ଦିନ ଅଷ୍ଟ୍ରେଲିଆ ଅସମାପ୍ତ ପ୍ରଥମ ପାଳି ୨୪ ରନରୁ ଆରମ୍ଭ କରିଥିଲା । ଦଳୀୟ ସ୍କୋର ୭୨ ବେଳେ ଦଳକୁ ପ୍ରଥମ ଝଟକା ଲାଗିଥିଲା । ଓପନର ଉସ୍ମାନ ଖ୍ୱାଜା ୨୭ ରନ୍‌ କରି କୁଲଦୀପ ଯାଦବଙ୍କ ପ୍ରଥମ ଶିକାର ହୋଇଥିଲେ । ଏହାପରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଅଷ୍ଟ୍ରେଲିଆ । ବିଶେଷ କରି କୁଲଦୀପ ଯାଦବ ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ପରେ ଗୋଟିଏ ୱିକେଟ୍‌ ନେଇ ଅଷ୍ଟ୍ରେଲିଆକୁ ପଛକୁ ଠେଲି ଦେଇଥିଲେ । ମଧ୍ୟାହ୍ନ ଭୋଜନ ବିରତି ପରେ ଜାଡେଜା ପ୍ରଥମେ ଫର୍ମରେ ଥିବା ମାରକସ୍‌ ହ୍ୟାରିସ୍‌(୭୭)ଙ୍କୁ ଆଉଟ୍‌ କରିଥିଲେ । ପରେ ସେ ଶନ୍‌ ମାର୍ଶ(୮)ଙ୍କୁ ପାଭିଲିଅନ୍‌ ପଠାଇ ବ୍ୟକ୍ତିଗତ ଦ୍ୱିତୀୟ ସଫଳତା ପାଇଥିଲେ । ମହମ୍ମଦ ସାମି ମଧ୍ୟକ୍ରମର ମଙ୍ଗ ସମ୍ଭାଳିଥିବା ମାର୍ନୁସ ଲବୁସାନ(୩୮)ଙ୍କୁ ଆଉଟ୍‌ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ । କୁଲଦୀପ ଯାଦବ ଭଲ ବ୍ୟାଟିଂ କରୁଥିବା ଟ୍ରେଭିସ୍‌ ହେଡ୍‌(୨୦)ଙ୍କୁ ଆଉଟ୍‌ କରିଦେଇଥିଲେ । ଏହି ସମୟରେ ଦଳୀୟ ସ୍କୋର ୧୯୨ ଥିଲା । ଚା’ ପାନ୍‌ ବିରତି ପରେ କୁଲଦୀପ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପାଇନ୍‌(୫)ଙ୍କୁ ଆଉଟ୍‌ କରି ନିଜର ତୃତୀୟ ୱିକେଟ୍‌ ପାଇଥିଲେ ।
୧୯୮ ରନ୍‌ ଭିତରେ ୬ଟି ୱିକେଟ୍‌ ହରାଇ ସଂଘର୍ଷ କରୁଥିବା ଅଷ୍ଟ୍ରେଲିଆକୁ ହ୍ୟାଣ୍ଡସ୍କମ୍ବ ଓ ପାଟ୍‌ କୁମିନ୍ସ ସ୍ଥିରତା ଦେଇଥିଲେ । ଉଭୟ ୭ମ ୱିକେଟ୍‌ ପାଇଁ ୩୮ ରନ୍‌ ଭାଗୀଦାରି କରି ସ୍ଥିତିକୁ ସମ୍ଭାଳିଥିଲେ । ଭାରତ ଶେଷ ଭାଗରେ ୱିକେଟ୍‌ ନେବାକୁ ଚେଷ୍ଟା କରିଥିଲେ ହେଁ ପ୍ରଥମେ ବର୍ଷା ହୋଇଥିଲା । ଏହାପରେ ବ୍ୟାଡ୍‌ ଲାଇଟ୍‌ କାରଣରୁ ତୃତୀୟ ଦିନରେ ଆଉ ଖେଳ ସମ୍ଭବ ହୋଇପାରି ନଥିଲା । ଏହି ଟେଷ୍ଟ ଶୃଙ୍ଖଳାରେ ଭାରତ ୨-୧ରେ ଅଗ୍ରଣୀ ରହିଛି । ମ୍ୟାଚ ଡ୍ର’ ରହିଲେ ଭାରତ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ଶୃଙ୍ଖଳା ଜିତିବ ।

LEAVE A REPLY

Please enter your comment!
Please enter your name here