ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର (ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ) : କରୋନା ଭୂତାଣୁମାନଙ୍କୁ ମୁଖ୍ୟତଃ ଦୁଇ ବର୍ଗ ଭାବେ ବିଭକ୍ତ କରାଯାଇଛି । ଆଲଫା ଓ ବିଟା କରୋନା । କୋଭିଡ଼ ଏକ ପ୍ରକାର ବିଟା କରୋନା ଭୂତାଣୁ ଅଟେ । ଅତୀତରେ କରୋନା ଭୂତାଣୁ ଦ୍ୱାରା ୨୦୦୩ ଓ ୨୦୧୨-୧୩ ମସିହାରେ ମଧ୍ୟ ଏସିଆ, ଆଖଫାଖ ରାଷ୍ଟ୍ର ଓ ଚୀନ ଦେଶରେ ମହାମାରୀ ପରିସ୍ଥିତି ଦେଖାଯାଇଥିଲା । ସେହି ମହାମାରୀକୁ ଶ୍ୱାସ ପ୍ରକ୍ରିୟାରେ ସାଂଘାତିକ କଷ୍ଟ ସୃଷ୍ଟି କରୁଥିବା ରୋଗ ଓ ମଧ୍ୟ ଏସିଆର ଶ୍ୱାସ ଜଟିଳତା ରୋଗ ନାମରେ ଅଭିହିତ କରାଯାଇଛି । କିନ୍ତୁ ତାହା ଆଜିର କୋଭିଡ଼ ମହାମାରୀ ପରି ଏତେ ଭୟାନକ ରୂପ ନେଇନଥିଲା । ଏଯାଏ କରୋନା ଭୂତାଣୁ ଭଲ କରିବା ପାଇଁ କୌଣସି ଠିକ୍ ଔଷଧ ବାହାରି ପାରିନାହିଁ । ଇବୋଲା, ଇନ୍ଫ୍ଲୁଏଞ୍ଜା ଓ ଅନ୍ୟ ଭୂତାଣୁ ବେମାରିରେ ଦିଆଯାଉଥିବା ଔଷଧ ମାନଙ୍କୁ ନେଇ ଚେଷ୍ଟା ଚାଲିଛି । ଭୂତାଣୁ ଜନିତ ମହାମାରୀ ରୋକିବା ପାଇଁ ଔଷଧ ଯେତିକି ଆବଶ୍ୟକ, ତାଠାରୁ ରୋଗର ପ୍ରସାର ରୋକିବା ପାଇଁ ପ୍ରତିଷେଧକ ଟିକା ଅଧିକ ଆବଶ୍ୟକ ।

ଟିକା ସାଧାରଣତଃ ଦୁଇ ପ୍ରକାର । ପ୍ରଥମରେ ପାସିଭ ବା ନିଷ୍କ୍ରିୟ ଟିକା ଯଥା ଇମୟୁନୋଗଲୋବୁଲିନ (ରୋଗ ମୁତାବକ ଆଣ୍ଟିବଡ଼ି) ଯାହା ଶରୀରରେ ଥିବା ଜୀବାଣୁ ବା ଭୂତାଣୁ ସହ ବାନ୍ଧି ହୋଇଯାଏ ଓ ତାକୁ ନିଷ୍କ୍ରିୟ କରିଦିଏ । ଏହାର ପ୍ରଭାବ ମାତ୍ର ଅଳ୍ପ ସମୟ ପରିଲକ୍ଷିତ ହୁଏ । ଏହି ଟିକା ମଣିଷ ଶରୀରରେ ଭୂତାଣୁ ବିରୁଦ୍ଧରେ ସକ୍ରିୟ ଭୂମିକା ଗ୍ରହଣ କରିପାରେନାହିଁ ଓ ଆଣ୍ଟିବଡ଼ି ସୃଷ୍ଟି କରିପାରେନାହିଁ । ଦ୍ୱିତୀୟରେ ଆକ୍ଟିଭ ବା କ୍ରିୟାଶୀଳ ଟିକା, ଯାହା ଜୀବାଣୁ ବା ଭୂତାଣୁର ଅଂଶବିଶେଷରୁ ଅଥବା ତାର ମୁଖ୍ୟ ପ୍ରୋଟିନରୁ ଅଂଶ ନେଇ ଅଥବା ଗବେଷଣାଗାରରେ ଭୂତାଣୁର ପ୍ରୋଟିନ ପରି କୃତି୍ରମ ପ୍ରୋଟିନ/ନୁ୍ୟକ୍ଲିକ୍ ଏସିଡ଼ ସୃଷ୍ଟିକରି ତିଆରି କରାଯାଏ । ଆକ୍ଟିଭ ଟିକା ଶରୀରର ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ । ଏହି ଟିକା ଶରୀରର ଇମୟୁନିଟିରେ ସଂପୃକ୍ତ ଜୀବକୋଷ ଗୁଡ଼ିକୁ ସେହି ଭୂତାଣୁ ବିରୁଦ୍ଧରେ ସଂଦେଶ ଦେଇ ସେମାନଙ୍କୁ ଜାଗ୍ରତ କରାନ୍ତି । ଫଳତଃ ସେମାନଙ୍କର ଭୂତାଣୁ ନାଶ କ୍ଷମତା ବହୁଗୁଣରେ ବଢ଼ାଇ ଦିଅନ୍ତି ।

ପ୍ରତିରୋଧ ଶକ୍ତି ବଢ଼ିବା ପାଇଁ ପ୍ରଥମେ ଶରୀରର ଇମୟୁନ ପଦ୍ଧତିର ଟି ଜୀବକୋଷ ଗୁଡ଼ିକ ଉତ୍ସାହିତ ହୋଇଥାଆନ୍ତି । ଏହି ଟି ଜୀବକୋଷଙ୍କ ପାଖରେ ସ୍ମରଣ ଶକ୍ତି ଥାଏ । ଭୂତାଣୁର ରୂପରେଖ ବିଷୟରେ ଥରେ ଜ୍ଞାତ ହେଲେ, ସେମାନେ ବହୁ ଦିନ ଧରି ତାକୁ ମନେ ରଖନ୍ତି । ଏଣୁ ସେମାନଙ୍କୁ ମେମୋରି ଟି ସେଲ କୁହାଯାଏ । ଏହି ଟି ଜୀବକୋଷ, ଭୂତାଣୁ ବିରୁଦ୍ଧରେ ଇମୟୁନୋଗଳୋବୟୁଲିନ୍ ଆଣ୍ଟିବଡ଼ି ତିଆରି କରିବା ପାଇଁ ଦକ୍ଷ ବି ଜୀବକୋଷ ମାନଙ୍କୁ ପ୍ରବର୍ତ୍ତିତ କରିଥାନ୍ତି । ଏହି ପ୍ରକ୍ରିୟା ସମୟ ସାପେକ୍ଷ ଅଟେ । ଫଳତଃ କ୍ରୀୟାଶୀଳ ଟିକା କାର୍ଯ୍ୟକ୍ଷମ ହେବାକୁ ପ୍ରାୟ ଅତି କମରେ ୨୮ରୁ ୩୦ ଦିନ ସମୟ ଲାଗେ । ଯେଉଁ ବ୍ୟକ୍ତିମାନଙ୍କ ଇମୟୁନିଟ ସ୍ଥିତି ଭଲ ନଥାଏ ସେମାନଙ୍କ ପାଇଁ ହୁଏତ ଅଧିକ ସମୟ ଲାଗିପାରେ । ଏହି ଟିକା ବ୍ୟବହାର ଉପଯୋଗୀ ହେବା ପାଇଁ କେତେକ ଆବଶ୍ୟକ ଗୁଣ ରହିବା ଦରକାର । ଟିକାରେ ଥିବା ଦ୍ରବଣ ମଣିଷ ଶରୀର ପାଇଁ ଉପାଦେୟ ହେବା ଆବଶ୍ୟକ ।

ଏହା ଶରୀରରେ ସେହି ଭୂତାଣୁ ଜନିତ ଯାହାର ପ୍ରତିକାର ପାଇଁ ଉଦ୍ଦିଷ୍ଟ ବା ଅନ୍ୟ କୌଣସି ରୋଗ ସୃଷ୍ଟି କରିବ ନାହିଁ । ଟିକା ଯୋଗୁଁ ହେଉଥିବା ପାଶ୍ୱର୍ ପ୍ରତିକ୍ରିୟା ସହଜରେ ସହ୍ୟ କରିହେଉଥିବ । କୋଭିଡ଼ ଭୂତାଣୁରେ ଚାରିଟା ମୁଖ୍ୟ ପୁଷ୍ଟିସାର ବା ପ୍ରୋଟିନ ଅଛି । ସ୍ପାଇକସ୍(ଏସ୍), ନୁ୍ୟକ୍ଲିଓକାପସିଡ଼ (ଏନ୍), ମେମ୍ବ୍ରେନ୍ (ଏମ୍) ଓ ଏନଭଲପ୍ (ଇ) । ସ୍ପାଇକ ପ୍ରୋଟିନ ଭୂତାଣୁର ଉପରେ ଥାଏ ଏବଂ ଏହା ସାହାଯ୍ୟରେ ସେ ଜୀବକୋଷରେ ଲାଗିଯାଏ । ବିଶ୍ୱରେ ଶତ ସହସ୍ର ଜୈବ ବୈଜ୍ଞାନିକମାନେ ବିଭିନ୍ନ ଗବେଷଣାଗାରରେ କୋଭିଡ଼ ବିରୁଦ୍ଧରେ ଟିକା ପ୍ରସ୍ତୁତିରେ ଦିନରାତି ପରିଶ୍ରମ କରୁଛନ୍ତି । କୋଭିଡ଼ର ପ୍ରତିଷେଧକ ଟିକା ନିକଟ ଭବିଷ୍ୟତରେ ସମସ୍ତଙ୍କ ପାଇଁ ଉପଲବ୍ଧ ହେବାର ସମ୍ଭାବନା ଉଜ୍ଜ୍ୱଳ ।
କରୋନା ମହାମାରୀକୁ ରୋକିବା ପାଇଁ ଏ ପର୍ଯ୍ୟନ୍ତ ଉପଯୁକ୍ତ ଟିକା ବାହାରି ପାରିନାହିଁ ।

ଫଳପ୍ରଦ ଔଷଧ ବାହାର କରିବା ଲାଗି ବୈଜ୍ଞାନିକମାନେ ସଂଘର୍ଷ କରୁଛନ୍ତି । ଏଭଳି ସ୍ଥିତିରେ ଗୁରୁତର କରୋନା ରୋଗୀଙ୍କ ପାଇଁ ସଞ୍ଜୀବନୀ ପାଲଟିଛି ଷ୍ଟେରଏଡ଼୍ । ଲଣ୍ଡନର ବିଭିନ୍ନ ହସ୍ପିଟାଲରେ ଏହାକୁ ପ୍ରୟୋଗ କରାଯିବା ପରେ ଭଲ ଫଳ ମିଳିଛି । ଏବେ ଦୁଇଟି ଷ୍ଟେରଏଡ଼ ଗୁରୁତର ଆକ୍ରାନ୍ତ ରୋଗୀଙ୍କୁ ଦିଆଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଗୁରୁତର ରୋଗୀଙ୍କ ପାଇଁ ଷ୍ଟେରଏଡ଼ ଥେରାପି ଆପଣାଇବାକୁ ସୁପାରିସ କରିଛି ।

ଜୁନ୍ରେ ବି୍ରଟେନର ଏନ୍ଏଚ୍ଏସ୍ ହସ୍ପିଟାଲରେ ଡେକ୍ସାମିଥାସୋନ ନାମକ ଏକ ଷ୍ଟେରଏଡ଼ କିଛି ରୋଗୀଙ୍କ ଉପରେ ପରୀକ୍ଷା କରାଯାଇଥିଲା । ଅକ୍ସଫୋର୍ଡ଼ ୟୁନିଭର୍ସିଟି ନେତୃତ୍ୱରେ ଗୁରୁତର ରୋଗୀଙ୍କ ଉପରେ ଏହା ପ୍ରୟୋଗ ହୋଇଥିଲା । ଏହା କିଛି ପରିମାଣରେ ପ୍ରଭାବୀ ପ୍ରମାଣିତ ହୋଇଥିଲା । ଅତି ଗୁରୁତର ଥିବା ୮ କରୋନା ରୋଗୀଙ୍କ ମଧ୍ୟରୁ ଜଣେ ରୋଗୀଙ୍କ ଜୀବନ ବଞ୍ଚାଇ ପାରିଥିଲା । କୋଭିଡ଼ ମୃତୁ୍ୟକୁ ୨୦% କମାଇବାରେ ଏଭଳି ଷ୍ଟେରଏଡ଼ ସହାୟକ ହେଉଥିବା କୁହାଯାଉଛି । ଏବେ ହାଇଡ଼୍ରୋକୋର୍ଟିସୋନ ନାମକ ଅନ୍ୟ ଏକ ଷ୍ଟେରଏଡ଼୍କୁ ନେଇ ଆଶା ବୃଦ୍ଧି ପାଇଛି । ଏହାଦ୍ୱାରା ମଧ୍ୟ ଗୁରୁତର କୋଭିଡ଼ ରୋଗୀଙ୍କ ଜୀବନ ବଞ୍ଚାଯାଇ ପାରିବ ବୋଲି ଗବେଷକମାନେ କହିଛନ୍ତି । ୧,୭୦୩ ରୋଗୀଙ୍କ ଉପରେ ହୋଇଥିବା ୭ଟି ପରୀକ୍ଷାରୁ ଜାଣିବାକୁ ମିଳିଛି ଯେ କୋଭିଡ଼ ମୃତୁ୍ୟକୁ ଷ୍ଟେରଏଡ଼ ଦ୍ୱାରା ୨୦% ହ୍ରାସ କରାଯାଇ ପାରିବ । ଆମେରିକାନ ମେଡ଼ିକାଲ ଆସୋସିଏସନର ପତ୍ରିକାରେ ଏ ନେଇ ଏକ ରିପୋର୍ଟ ବି ପ୍ରକାଶ ପାଇଛି ।

ଏ ବାବଦରେ ବି୍ରଷ୍ଟଲ ୟୁନିଭର୍ସିଟିର ମହାମାରୀ ବିଶେଷଜ୍ଞ ପ୍ରଫେସର ଜୋନାଥନ ଷ୍ଟର୍ଣ୍ଣ କହିଛନ୍ତି, ଷ୍ଟେରଏଡ଼୍ ହେଉଛି ଏକ ସୁଲଭ ଡାକ୍ତରୀ ଉପାୟ ଯାହାକୁ ଯେ କୌଣସି ସମୟରେ ଆପଣାଯାଇପାରିବ । କୋଭିଡ଼-୧୯ ଦ୍ୱାରା ଅତି ପ୍ରଭାବିତ ହୋଇଥିବା ଲୋକଙ୍କ ମଧ୍ୟରେ ମୃତୁ୍ୟ କମାଇବା କ୍ଷେତ୍ରରେ ଏହା ଉପଯୋଗୀ ସାବ୍ୟସ୍ତ ହୋଇପାରିବ । ବୟସ ଓ ଲିଙ୍ଗ ନିର୍ବିଶେଷରେ ଏହା ଫଳପ୍ରଦ ଉପଚାର ପାଲଟିଛି । ଅକ୍ସଫୋର୍ଡ଼ ୟୁନିଭର୍ସିଟିର ମେଡ଼ିସିନ୍ ପ୍ରଫେସର ତଥା ମହାମାରୀ ବିଶେଷଜ୍ଞ ମାର୍ଟିନ୍ ଲାଣ୍ଡରେ କହିଛନ୍ତି, ଏବେ କରୋନା ମହାମାରୀ ବ୍ୟାପିବାରେ ଲାଗିଛି । ମୃତୁ୍ୟ ବି ବୃଦ୍ଧି ପାଉଛି । କରୋନା ମୃତୁ୍ୟକୁ କମାଇବା ପାଇଁ ଏବେ ଷ୍ଟେରଏଡ଼୍ ବ୍ୟବହାର କରିବାର ସମୟ ଆସିଛି । ଜଣେ ରୋଗୀ ଗୁରୁତର ହୋଇ ଅକ୍ସିଜେନରେ ରହିବା ପରେ ଷ୍ଟେରଏଡ଼୍ର ସହାୟତା ନିଆଯାଇପାରିବ ।

ଶ୍ୱାସକ୍ରିୟାରେ ଅଧିକ କଷ୍ଟ ଅନୁଭବ କରୁଥିବା ଲୋକମାନଙ୍କ ପାଇଁ ଭେଣ୍ଟିଲେଟର ନିମନ୍ତେ ଅପେକ୍ଷା ନ କରି ଷ୍ଟେରଏଡ଼୍ ଦେବା କଥା ଚିନ୍ତା କରିବା ଉଚିତ । ଉଲ୍ଲେଖଯୋଗ୍ୟ ଇମ୍ପରିଆଲ କଲେଜ ଲଣ୍ଡନର ପ୍ରଫେସର ଆନ୍ଥୋନି ଗର୍ଡ଼ନ (ଇନ୍ଟେନ୍ସିଭ କେୟାର ବିଶେଷଜ୍ଞ)ଙ୍କ ଦ୍ୱାରା ବ୍ରିଟେନରେ ଷ୍ଟେରଏଡ଼୍ ହାଇଡ୍ରୋକୋର୍ଟିସୋନ ଉପରେ ପରୀକ୍ଷା ହୋଇଥିଲା । ଏଥିପାଇଁ ହସ୍ପିଟାଲ ପକ୍ଷରୁ ୮୮ ଜଣଙ୍କର ନାମାଙ୍କନ କରାଯାଇଥିଲା । କିଛି ରୋଗୀଙ୍କ ପାଇଁ ଏହା ଫଳପ୍ରଦ ହୋଇଥିଲା ଏବଂ ସେମାନଙ୍କ ଜୀବନ ବଞ୍ଚôଯାଇଥିଲା । ଏ ନେଇ ପ୍ରଫେସର ଗର୍ଡ଼ନ କହିଛନ୍ତି, ଅତ୍ୟଧିକ ସଂକ୍ରମଣ କ୍ଷେତ୍ରରେ ଆମେ ଆଇସିୟୁରେ ଷ୍ଟେରଏଡ଼୍କୁ ବ୍ୟବହାର କରୁଛୁ । ଏହାଦ୍ୱାରା ପ୍ରତିରୋଧକ ବ୍ୟବସ୍ଥା ଉପରେ ଚାପ ପଡ଼ିବା ଆଶଙ୍କା ରହିଛି । ଏବେ ଷ୍ଟେରଏଡ଼ ଭାବେ ଡେକ୍ୱାମିଥାସୋନ, ହାଇଡ୍ରୋକୋର୍ଟିସୋନ ଏବଂ ମିଥାଇଲପ୍ରେଡ଼ନିସୋଲୋନକୁ ସଂକଟାପନ୍ନ କରୋନା ରୋଗୀଙ୍କ ପାଇଁ ବ୍ୟବହାର କରାଯାଇପାରିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here