କୃଷକ ଭାରତର ମେରୁଦଣ୍ଡ।କୃଷି ଓ କୃଷକ ର ପ୍ରଗତିରେ ଦେଶର ପ୍ରଗତି ସମ୍ଭବ।ଦେଶର ପ୍ରାୟ ୭୦% ଭାଗ ଲୋକ ଗ୍ରାମାଞ୍ଚଳରେ ରେ ବାସ କରୁଥିବା ବେଳେ କୃଷି ଉପରେ ନିର୍ଭର କରି ଜୀବନ ଜିବିକା ଅତିବାହିତ କରନ୍ତି।ଆମ ଡାଇନିଂ ଟେବୁଲକୁ ଆସୁଥିବା ଭଲିକି ଭଲି ଖାଦ୍ୟ କୃଷକର ଝାଲବୁହା ପରିଶ୍ରମର ଫଳ।ପେଟର ଭୋକ ଓ ପାଟିର ସ୍ବାଦ କୁ ମେଣ୍ଟଉଥିବା କୃଷକ କେତେଯେ ଅବହେଳିତ ତାକଥା ଟିକେ ବିଚାର କରିବାର ବେଳେ।ଏ ମହାମାରୀ କୃଷକକୁ ଅଟକାଇ ପାରିନି,କୃଷକ ଯଦି ହାତବାନ୍ଧି ଖରେ ବସିରୁହନ୍ତା ତାହେଲେ ଭୋକ ଉପାସରେ କିଦୁଃର୍ଦଶା ଭୋଗିନଥାନ୍ତେ।ଲକଡାଉନ୍ ଓ ସଟଡାଉନ୍ ଯୋଗୁଁ କେତେ କ୍ଷତି ସହିବି ଚଷା ତାର ଯଥାରିତି ସେବା ଯୋଗାଇ ଆସୁଛି।

ସେ କରୋନା ଯୋଦ୍ଧା ନୁହଁ ତଥାପି ଏହି ବିପତ୍ତି ସମୟରେ ସହରରେ,ଗାଁ ରେ ଆବଶ୍ୟକ ପରିବା ଓ ବିଭିନ୍ନ ପ୍ରକାର ଶସ୍ୟ ଯୋଗାଇ ଦେଶର ଜଣେ ନାଗରିକ ଭାବରେ ବିନାସର୍ତ୍ତରେ କର୍ତ୍ତବ୍ୟ ସମ୍ପାଦନ କରିଚାଳିଛି।ସରକାରୀ ସହାୟତା କହିଲେ ସମୁଦ୍ର କୁ ଶଂଖେ।ପ୍ରକୃତ କୃଷକ ସରକାରୀ ଯୋଜନା ଅନ୍ତର୍ଭୁକ୍ତ ହେବାରେ ଆନ୍ତରିକତାର ଅଭାବ।ବେନାମୀ କୃଷକ ଫାଇଦା ଉଠାଉ ଥିବାବେଳେ ପ୍ରକୃତ ଚାଷି ବାଦ ପଡୁଛି।ସଦ୍ୟତମ କଳିଆ ଯୋଜନା ତାର ପ୍ରମାଣ।ଏଣୁ ଅଫିସ ରେ ବସି କୃଷକ ର ତାଲିକା ପ୍ରସ୍ତୁତ ନକରି ଘର ଘରବୁଲି ସତ୍ୟାସତ୍ୟ ଅନୁଧ୍ୟାନ କରିଚୁଡାନ୍ତ ତାଲିକା ପ୍ରସ୍ତୁତ ହେଇଥିଲେ କାଳିଆ ଟଙ୍କା ଫେରେଇବାର ଅବକାଶ ଆସିନଥାନ୍ତା।କୃଷି ଓ କୃଷକଙ୍କ ପାଇଁ ପ୍ରବର୍ତ୍ତିତ ବିଭିନ୍ନ ଯୋଜନା କୃଷକ ପାଖରେ ପହଞ୍ଚି ବାରେ ରାସ୍ତାମଝିରେ ଅଟକି ଯାଉଥିବା ପଛରେ କିଛି ସ୍ବାର୍ଥପର ଗୋଷ୍ଠୀ ରହିଥିବାର  ଅନୁମେୟ। ତେଣୁତ କୃଷକ ମାନଙ୍କ ପାଇଁ କିଛି ଯୋଜନା ଆସିଲେ ନିଦ୍ଧିଷ୍ଟ ଗୋଷ୍ଠୀର ଲୋକେ ଜାଣନ୍ତି ଓ ତାର ଲାଭ ମଧ୍ୟ ପାଇଥାନ୍ତି।କୃଷି ଓ କୃଷକର ଇତିହାସ ଅତ୍ୟନ୍ତ ପ୍ରାଚୀନ।ଋକବେଦରେ ଚଷିବା,ବୁଣିବା,ବର୍ଷା, ଜଳସଜଚନ ବିଷୟରେ  ଉଲ୍କେଖ ରହିଛି।ଫଳ ଓ ପନିପରିବା ଚାଷ ସଂପର୍କରେ ସୂଚନା ମିଳିଛି।ଇତିହାସ ରୁ ପ୍ରମାଣ ମିଳେ ସିନ୍ଧୁ ସଭ୍ୟତା ସମୟରେ ଧାନ ଓ କପାଚାଷ ହେଉଥିଲା।ବ୍ରୋଞ୍ଜ ଯୁଗରେ ଚଷିବା ପ୍ରଣାଳୀ ମଣିଷ ଶିଖିଥିଲା।ଭୂମିବାରାହ ପଚିଶଶହ ବର୍ଷ ପୂର୍ବେ ସଂସ୍କୃତ ଭାଷାରେ ଜମିକୁ ବିଭିନ୍ନ ବିଭାଗରେ ଭାଗକରିଥିବାର ଜଣାଯାଏ।

ତାଙ୍କ  ଲେଖା ଅନୁସାରେ ଜମି ବାର ପ୍ରକାର ଅଟେ ସେଗୁଡ଼ିକ ହେଲା- ଉର୍ବର, ଉସହର,ମରୁ,ଅପ୍ରାହତ,ସଦବାଳ, ପଙ୍କିଳ,ଜଳପ୍ରୟାସ, କଚ୍ଚା,ସର୍କାର, ସରକର୍ବତ୍ରୀ,ଖଡିମାତୃକା,ଦେବମାତୃକା।ପ୍ରତ୍ନତାତ୍ତ୍ୱିକ ମାନେ ବିଶ୍ୱାସ କରନ୍ତି ଯେ ଗଂଗା ନଦୀ ଅବବାହିକାରେ ତିନିହଜାର ରୁ ଛହଜାର ବର୍ଷ ପୂର୍ବେ ବିଭିନ୍ନ ଫସଲ ଅମଳ ହେଉଥିଲା।ସେଗୁଡ଼ିକ ମଧ୍ୟରେ ତୈଳବୀଜ ଜାତୀୟ ମୁଗ,କୋଳଥ,ବିଭିନ୍ନ ପ୍ରକାର ଫଳ ଅନ୍ତର୍ଭୁକ୍ତ।୨୫୦୦ଶହ ବର୍ଷ ପୂର୍ବେ ପର୍ସିଆରେ ଆଖୁ ଚାଷହେଉଥିବା ବିଷୟରେ ଉଲ୍କେଖ ରହିଛି।

ପର୍ସିଆ ଠାରୁ ଗ୍ରୀକ ମାନେ ଶିଖିଲେ ପରେ ସର୍ବତ୍ର ବ୍ୟାପିଥିଲା।୫୦୦ବର୍ଷ ପୂର୍ବେ ଆଖୁରୁ ଗୁଡ ଓ ଚିନି ଉତ୍ପାଦନ ପ୍ରଣାଳୀ ମଣିଷ ଶିଖିଥିଲା। ସ୍ବାଧୀନତା ପରବର୍ତ୍ତୀ ସମୟରେ ୧୯୬୫ ମସିହାରେ ସବୁଜ ବିପ୍ଲବ ଆରମ୍ଭ ହୋଇଥିଲା।ଏହି ସମୟରେ ଆଧୁନିକ ପତଦ୍ଧତିରେ କୃଷିକାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦିଆଗଲା ।ଧିରେ ଧିରେ ଉତ୍ପାଦିତ ସାମଗ୍ରୀ ବୃଦ୍ଧି ହେବାରେ ଲାଗିଲା।୧୯୪୮ ମସିହାରେ ଯେଉଁଠି ୦.୮ଟନ ଗହମ ହେଉଥିଲା ୧୯୭୫ ମସିହାରେ ୪.୭ଟନ ଓ ୨୦୦୦ ମସିହାରେ ୬ଟନ ଯାଏ ବୃଦ୍ଧି ଘଟିଲା।ସର୍ବୋପରି ସବୁଜ ବିପ୍ଳବ ସମୟରେ ୬୫ମେଟ୍ରିକ ଟନରୁ ୧୧୦ମେଟ୍ରିକ ଟନକୁ ଫସଲର ଆୟବୃଦ୍ଧି ଘଟିଥିଲା।ଏହି ସମୟରେ ଫସଲ ବୃଦ୍ଧି ର ମୁଖ୍ୟ କାରଣ ହେଲା ଶଙ୍କର ଜାତୀୟ ବିହନ,ରାସାୟନିକ ସାର ଓ ଔଷଧର ବ୍ୟବହାର ଅନ୍ତର୍ଭୁକ୍ତ। ଫୋର ୨୦୧୪ରିପୋର୍ଟ ଆଧାରରେ ଫଳପରିବା ଉତ୍ପାଦନ ରେ ଭାରତ ପୃଥିବୀର ସର୍ବାଗ୍ରେ ଥିଲାବେଳେ ଧାନ ଓ ଗହମ ଉତ୍ପାଦନ ରେ ପୃଥିବୀର ଦ୍ବିତୀୟ ସ୍ଥାନ ଆଧିକାର କରିଥିଲା।

ଏକ ରିପୋର୍ଟ ଅନୁସାରେ ଧାନ ଭାରତରେ ପ୍ରତି ହେକ୍ଟର କୁ ୩୫୦୦କିଗ୍ରା ଉତ୍ପନ୍ନ ହେଉଥିବାବେଳେ ପ୍ରତି ହେକ୍ଟର ପିଛା ବାଗଂଳାଦେଶ ରେ ୪୫୦୦କିଗ୍ରା, ଚୀନରେ ୭୦୦୦କିଗ୍ରା, ଆମେରିକାରେ ୮୫୦୦କିଗ୍ରା, ଅଷ୍ଟ୍ରେଲିଆ ରେ ୧୦୦୦୦କିଗ୍ରା ଉତ୍ପନ୍ନ ହେଉଛି।ସେହିପରି ଗହମ ଉତ୍ପାଦନ ରେ ପ୍ରତି ହେକ୍ଟର ରେ ଭାରତ ରେ ୩୦୦୦କିଗ୍ରା,ଚୀନରେ ୫୦୦୦କିଗ୍ରା, ନେଦରଲ୍ୟାଣ୍ଡ ରେ ୮୦୦୦କିଗ୍ରା ଉତ୍ପନ୍ନ ହେଉଛି।ଏହି ସାରଣୀରୁ ଅନୁମାନ କରାଯାଇପାରେ ଏବେ ମଧ୍ୟ ଭାରତ ରେ ଶସ୍ୟ ଉତ୍ପନ୍ନ ଅନ୍ୟ ଦେଶ ତୁଳନାରେ ବିଶେଷ ଭାବରେ ବୃଦ୍ଧି ପାଉନାହିଁ।ଭାରତରେ ହେକ୍ଟର ପିଛା କମ୍ଆୟ ହେବାର ପ୍ରମୁଖ କାରଣ ହେଲା-ମାଟି ପରୀକ୍ଷା କରି ଖତସାର ପ୍ରୟୋଗ କରାଯାଉନାହିଁ, ଜଳସେଚନ ସୁବିଧା ନାହିଁ, ଶଂଙ୍କର ଜାତୀୟ ବିହନ ସମସ୍ତ ଚାଷୀ ବ୍ୟବହାର କରୁନାହାନ୍ତି,ନୂତନ ଜ୍ଞାନକୌଶଳ ଉପଯୋଗ ହେଉନାହିଁ, କୃଷକ ପ୍ରଶିକ୍ଷଣ ର ଅଭାବ ଇତ୍ୟାଦି।ଏହି ସବୁ ଦିଗ ପ୍ରତି ସରକାରଙ୍କୁ ବିଶେଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।ପରମ୍ପରା ଗତ କୃଷି ପ୍ରଣାଳୀ କୁ ବାଦଦେଇ କୃଷକ ଭାଇମାନେ ମଧ୍ୟ କୃଷିକାର୍ଯ୍ୟ ପାଇଁ ନୂତନ ପ୍ରଣାଳୀକୁ ଆପଣେଇବାକୁ ହେବ।ନିଜ ତରଫରୁ ଜାଣିବା ଶିଖିବା ପାଇଁ ଉଦ୍ୟମ କରିବାକୁ ହେବ।

ହେକ୍ଟର ପିଛା ଅଳ୍ପ ଆୟ ଯୋଗୁଁ କୃଷକର ଲାଭବାନ ହେଇପାରୁନାହିଁ।କୃଷି ପାଇଁ ଜଳସେଚନ ସୁବିଧା ସୁଯୋଗ ସୃଷ୍ଟି କରିବାକୁ ହେବ।ଇନ୍ଦ୍ର ଭରସାରେ କୃଷି କାର୍ଯ୍ୟ କରିବା ଜୁଆଖେଳ ସହ ସମାନ।ତଥ୍ୟ ଆଧାରେ ୨୦୧୩-୨୦୧୪ ମସିହାରେ ସମୁଦାୟ ଚାଷ ଜମିର ୩୬.୭%ଜଳସେଚନ ସୁବିଧା ଥିଲାବେଳେ ବର୍ତ୍ତମାନ ତାହା ୫୧%କୁ ବୃଦ୍ଧି ପାଇଛି।ବାକି ଚାଷ କାମ ମୌସୁମୀ ଉପରେ ନିର୍ଭର କରିଥାଏ।ଗତ ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଇଲ ଗସ୍ତ ସମୟରେ ଇଣ୍ଡୋ ଇସ୍ରାଇଲ ଏଗ୍ରିକଲଚରାଳ ପ୍ରୋଜେକ୍ଟ ବିଷୟରେ ଆଲୋଚନା କରିଛନ୍ତି।ଏହା କାର୍ଯ୍ୟକାରୀ ହେଲେ ଅଳ୍ପପାଣିରେ କେମିତି ଚାଷକରିହେବ ସେବିଷୟରେ ଚାଷୀମାନେ ଅବଗତ ହୋଇପାରିବେ।କୃଷି କ୍ଷେତ୍ରରେ ଲାଭ ଅପେକ୍ଷା କ୍ଷତିଗ୍ରସ୍ତ ହେଉଛି କୃଷକ ତେଣୁ କୃଷି କାର୍ଯ୍ୟ କରିବାପାଇଁ ଲୋକେ ଆଗଭର ହେଉନାହାନ୍ତି।

୨୦୦୧ଜନଗଣନା ଅନୁସାରେ ଗ୍ରାମାଞ୍ଚଳରେ ୪୨%ପୁରୁଷ,୩୭.୧% ମହିଳା ହାରାହାରି ୪୦.୨%ଲୋକ କୃଷି କରୁଥିବା ବେଳେ ସହରାଞ୍ଚଳରେ ପୁରୁଷ ୨.୫%, ମହିଳା ୪.୧%, ହାରାହାରି ୨.୮%ଲୋକ କୃଷି କାର୍ଯ୍ୟ ପାଇଁ ଆଗ୍ରହୀ। ୨୦୧୧ ଜନଗଣନା ଅନୁଯାୟୀ ଗ୍ରାମାଞ୍ଚଳରେ ୩୫.୨% ପୁରୁଷ,୨୮.୮% ମହିଳା,ହାରାହାରି ୩୩% ଲୋକେ ଚାଷକାମ କରୁଥିବାବେଳେ ସହରାଞ୍ଚଳରେ ୨.୭% ପୁରୁଷ,୩.୧% ମହିଳା, ହାରାହାରି ୨.୮% ଚାଷ କାମ କରୁଥିବା ଜଣାଯାଏ।

ଏହି ରିପୋର୍ଟ ଅନୁସାରେ ଜଣାପଡିଛି କୃଷିକାର୍ଯ୍ୟ ପାଇଁ ଲୋକମାନେ ଏତେ ଆଗ୍ରହ ପ୍ରକାଶ କରୁନାହାନ୍ତି।ତେଣୁ ଉତ୍ପାଦନ ବୃଦ୍ଧି ପାଉନାହିଁ।ଉତ୍ପାଦନ କମିଗଲେ ଦରଦାମ ବଢିବ। ସଧାରଣ ଲୋକମାନେ ହଇରାଣ ହେବ।ଏଥିପାଇଁ ସରକାର କୃଷକମାନଙ୍କୁ ବିଭିନ୍ନ ପ୍ରକାର ସହଯୋଗ,ପ୍ରଶିକ୍ଷଣ ବ୍ୟବସ୍ଥା,ସିଧାସଳଖ ରିହାତି ପ୍ରଦାନ,ସହାୟକ ମୂଲ୍ୟ ବୃଦ୍ଧି, ଫସଲବିମା, ଶୀତଳଭଣ୍ଡାର ଓ ବଜାର ବ୍ୟବସ୍ଥା ସହଜରେ ଉପଲବ୍ଧ କରି ଆଗ୍ରହ ସୃଷ୍ଟି କରିବା ପାଇଁ ଉଦ୍ୟମ ଆବଶ୍ୟକ।ଆଇସିଆର ଦ୍ଵାରା ପ୍ରକାଶିତ ତଥ୍ୟ ଅନୁସାରେ ଓଡିଶାକୁ ଦଶଗୋଟି କୃଷି ଓ ଜଳବାୟୁ କ୍ଷେତ୍ରରେ ବିଭକ୍ତ କରାଯାଇଛି। ଓଡ଼ିଶାର ମୋଟ ଚାଷଜମିର ପରିମାଣ ୬୧.୫୦ଲକ୍ଷ ହେକ୍ଟର, ସେଥିମଧ୍ୟରୁ ୨୯.୧୬ଲକ୍ଷ ହେକ୍ଟର ଢିପ ଜମି,୧୭.୫୫ଲକ୍ଷ ହେକ୍ଟର ମାଲ ଜମି ଓ ୧୧.୧ଲକ୍ଷ ହେକ୍ଟର ଖାଲୁଆ ଜମି ଅନ୍ତର୍ଭୁକ୍ତ।ଓଡ଼ିଶାରେ ମୂଖ୍ୟତଃ ଧାନ,ତୈଳବୀଜ, ଝୋଟ,ନଡ଼ିଆ, ହଳଦୀ ବହୁଳ ପରିମାଣରେ ହେଉଥିବା ବେଳେ କେବଳ ଧାନ ଖରିପ ଋତୁରେ ୪୧.୨୪ଲକ୍ଷ ହେକ୍ଟର ଓ ରବି ଋତୁରେ ୩.୩୧ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଥାଏ। ଭାରତର ମୋଟ ଉତ୍ପନ୍ନ ଧାନରୁ ଓଡିଶାରେ ଏକ ଦଶମାଂସ ଅମଳ ହୋଇଥାଏ।ଓଡିଶା କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି ତେଣୁ ତ ଆମ ମୂଖ୍ୟମନ୍ତ୍ରୀ ପାଞ୍ଚ ପାଞ୍ଚଥର କୃଷି କର୍ମଣ ପୁରସ୍କାର ପାଇଛନ୍ତି।ତଥାପି ଚାଷୀର ଦୁଃଖ ଯାଇନି।

ଗତ ରବିଋତୁରେ ଧାନ ଅମଳ କରିବା ଓ ମଣ୍ଡିରେ ବିକିବାପାଇଁ କେତେ ବିକଳ ହେଇଛି କୃଷକ।ମାସ ମାସ ଧରି ଖଳାରେ ଓ ମଣ୍ଡିରେ ଧାନ ପଡିରହିଥିଲା ପୁଣି ବର୍ଷା ଦାଉ ସାଧିଲା।ଧାନ ଗଜା ହେଲା ଆହୁରି କମ୍ ଦାମରେ ଧାନ ବିକ୍ରି ହେଲା। କାରଣ କୋଭିଡ କଟକଣା ଭିତରେ କୃଷକକୁ ସବୁକିଛି କରିବା ପାଇଁ ପଡ଼ିଛି। ଏବେ ଆଗକୁ ଧାନ ଅମଳର ସମୟ।ଏଥର ମଧ୍ୟ କୋଭିଡ କଟକଣା ଭିତରେ ଧାନ ବିକ୍ରୀ ହେବ।କରୋନା ସମୟରେ ଚାଷୀ ମଣ୍ଡିକୁ ନଯାଇ ଯଦି ଖଳାରୁ ସରକାରୀ ମୂଲ୍ୟ ରେ ଧାନ ଉଠାଇଲେ ଚାଷୀ କିଛିନହେଲେ ମଧ୍ୟ କରୋନାରୁ ତ ରକ୍ଷା ପାଇବ।ସରକାର ଏଭଲି କିଛି ଠୋସ ପଦକ୍ଷେପ ନିଅନ୍ତୁ ଯେପରି ଚାଷୀ ହଇରାଣ ହେବେ ନାହିଁ।କେନ୍ଦ୍ର ସରକାର ୨୦୨୨ସମୟରେ କୃଷକର ଆୟ ଦ୍ବୀଗୁଣିତ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖିଛି ତାହା ପୂରଣ ହେବାକୁ ହେଲେ ଚାଷୀ ର ସର୍ବାଗୀନ ବିକାଶ ଆବଶ୍ୟକ।ଯଦି ଚାଷୀ ର ଭରସା ସରକାର ଉପରେ ରହିବନି ତହାଲେ ଦେଶର ମେରୁଦଣ୍ଡ ଭାଂଗିଯିବ।

LEAVE A REPLY

Please enter your comment!
Please enter your name here