ଚାରିଆଡେ କରୋନାର କରାଳ ଛାଇ ମଣିଷର ସର୍ବାଙ୍ଗକୁ ଏପରି ଢାଙ୍କିଦେଛିଯେ ଆମେ ଯେତେ ଚେଷ୍ଟା କଲେ ବି ଏଥିରୁ ମୁକୁଳିବା ଆଦୌ ସହଜ ନୁହେଁ  । ସମଗ୍ର ପୃଥିବୀ ଭୀତତ୍ରସ୍ତ । ପ୍ରତିଟି ମଣିଷ ମୁହଁରୁ ହସ ଲିଭିଯାଇଛି । ଜୀବନ ଅସ୍ତବ୍ଯସ୍ତ, ପୁଣି ବିପର୍ଯ୍ୟସ୍ତ ।ଆମର  ଅନେକ ପ୍ରଥା,ପରମ୍ପରା, ଅଭ୍ୟାସ ତଥା ଚଳଣିରେ ଆସିଛି ବ୍ୟାପକ  ପରିବର୍ତ୍ତନ ।ମନେହୁଏ ଅନେକାଂଶରେ ଆମର ଜୀବନ ଯେମିତି ବଦଳିଯାଇଛି।ଆମେ ଫେରିଯାଇଛୁ ଅନେକ ବର୍ଷ ତଳକୁ । ସକଳ ସମସ୍ୟା ଭିତରେ ଆମେ ବଂଚିବାର କଳା ଶିଖିଛୁ । ସତ କହିବାକୁଗଲେ ଜୀବନକୁ ଯାହା ଯେମିତି ଚଳେଇ ନେବାର କୌଶଳ ଆମେ ଏକପ୍ରକାର ଆପଣେଇ ନେଇଛୁ ।  ସବୁବେଳେ ଯେ ଜହ୍ନ ରାତି ଥିବ ତାହାର କୌଣସି ନିର୍ଦ୍ଦିଷ୍ଟତା ନାହିଁ । ଦିନେ ନା ଦିନେ ଅନ୍ଧାର ଆସିବ ଓ ଆମକୁ ସେହି ଘନ ଅନ୍ଧକାର ଭିତରେ ଗୁରୁଣ୍ଡି ଗୁରୁଣ୍ଡି ବାଟ ଚାଲିବାକୁ ପଡିବ ବୋଲି ସତେ ଯେପରି ମହାମାରୀ ଆମ କାନେ କାନେ କହି ଦେଉଛି ।
                 ଦୀର୍ଘ ଛଅ ମାସ ହେଲା ସମଗ୍ର ପୃଥିବୀ ବିନା ଅସ୍ତ୍ରରେ ତୃତୀୟ ବିଶ୍ବଯୁଦ୍ଧ ଲଢୁଛି କରୋନା ଭୂତାଣୁ ବିରୋଧରେ । କେଉଁଠି କଣ୍ଟେଣ୍ଟମେଣ୍ଟ ଜୋନ୍ ତ ଆଉ କେଉଁଠି ରେଡ୍,ଗ୍ରୀନ୍ ଅବା ଆରେଂଜ ଜୋନ୍ ଇତ୍ୟାଦି ଭିନ୍ନ ଭିନ୍ନ ତରିକା ମାଧ୍ୟମରେ । ଅନ୍ୟ କେଉଁଠି ସଙ୍ଗରୋଧ କେନ୍ଦ୍ର ତ ଆଉ କେଉଁଠି କୋଭିଡ ହସ୍ପିଟାଲ ସ୍ଥାପନ ଇତ୍ୟାଦି ଇତ୍ୟାଦି । ମାତ୍ର ଯୁଦ୍ଧ ଚାଲିଛି ।ଯୁଦ୍ଧ ଜିତିବାର ସକଳ ଚେଷ୍ଟା ଚାଲିଛି ସମଗ୍ର ବିଶ୍ବରେ । ବୁଦ୍ଧି ବିଦ୍ୟା ସହ ଅତ୍ୟାଧୁନିକ ଜ୍ଞାନ କୌଶଳ ଓ ଚିନ୍ତାଧାରା ଦ୍ବାରା  ଲଢେଇଚାଲିଛି । ଅହିଂସା ବଳରେ ଅନ୍ୟ ଏକ ସ୍ବାଧୀନତା ସଂଗ୍ରାମ କହିଲେ ଅତ୍ୟୁକ୍ତି ହେବନାହିଁ । ଏ ଯୁଦ୍ଧର ପରିସମାପ୍ତି ଯେ କେବେ ଏହା ସଂପୂର୍ଣ୍ଣ  ଅନିଶ୍ଚିତ । ମାତ୍ର ଆମେ ସମସ୍ତେ ଆଶାବାଦୀ ଯେ ଏ ଯୁଦ୍ଧରେ ସମଗ୍ର ମଣିଷ ସମାଜର ଦିନେ ନା ଦିନେ ଜୟ ଘଟିବ । ପୁଣି ଖୁସି ଫେରିବ । ଜୀବନ ସହଜ ହେବ ଓ ଚଳ ଚଂଚଳ ହେବ ନିଶ୍ଚୟ ।
      ବର୍ତ୍ତମାନ ଆମ ଦେଶ ଭାରତ ବିଷୟରେ ଆଲୋଚନା କରାଯାଉ । ଆମେରିକା, ,ଇଂଲଣ୍ଡ, ଜର୍ମାନୀ, ଇଟାଲି, ଜାପାନ ,ଫ୍ରାନ୍ସ ଭଳି ଆମ ଦେଶ କରୋନା ମହାମାରୀ ବିରୁଦ୍ଧରେ ଲଢେଇ ଜାରିରଖିଛି । ଅବଶ୍ୟ ଆଧୁନିକ ଜ୍ଞାନ କୌଶଳ ଓ ଆର୍ଥିକ ପ୍ରଗତି ଦୃଷ୍ଟିରୁ ଆମେ ଏତେଟା ବିକଶିତ ନୁହଁ ତଥାପି ଆମ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଅଦ୍ୟାବଧି ସଫଳତାର ସହ ସଂଗ୍ରାମ କରିଆସୁଛନ୍ତି । ଶହେ ତିରିଶ କୋଟିରୁ ଅଧିକ ଲୋକସଂଖ୍ୟା ଥିବା ଭାରତ ଭଳି ଏକ ବିଶାଳ ଦେଶରେ ଏଭଳି ମହାମାରୀକୁ ପ୍ରତିରୋଧ କରିବା ଆଦୌ ସହଜ ନୁହେଁ । ଏହା ସତ୍ତ୍ୱେ  ଅନ୍ୟ ବିକଶିତ ଦେଶ ତୁଳନାରେ ରୋଗ ମୁକାବିଲା କରିବାର ତରିକା ଓ ସଫଳତା ହାର ଆମ ଦେଶର  ଯଥେଷ୍ଟ ଅଧିକ ।ଏହା ନିଃସନ୍ଦେହରେ କୁହାଯାଇପାରେ । ଠିକଣା ସମୟରେ ଠିକଣା ପଦକ୍ଷେପ ଓ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଏକାନ୍ତ ଆନ୍ତରିକତା ସହିତ ବୁଦ୍ଧିମତାର ପ୍ରୟୋଗ ବଳରେ ଆମେ କରୋନାଜନିତ ମୃତ୍ୟୁହାର ନିଶ୍ଚିତ ଭାବେ କମାଇ ପାରିଛୁ । ଏହା ଆମ ପାଇଁ ଏକ ଗୌରବର ବିଷୟ ।
              ଆମେ ଦୀର୍ଘ ଛଅ ମାସ ହେଲା ଲକଡାଉନ୍ ଓ ସଟଡାଉନ ଆଦି ଏକ ଦୁର୍ବିସହ ତଥା କଠିନ ପ୍ରକ୍ରିୟା ମଧ୍ୟରେ ଗୃହବନ୍ଦୀର ଜୀବନ ବିତାଉଥିଲେ । ଅନେକ ଦୁଃଖ କଷ୍ଟ ଭିତରେ ଥିଲେ ଓ ଏବେ ବି ଅଛନ୍ତି । ଅନେକ ମୂଲ୍ୟବାନ ଜୀବନ ଯାଉଛି ପ୍ରତିଦିନ । ଜୀବିକା ବି ଯାଇଛି ଓ ଯାଉଛି। ଅନେକ ଲୋକ ଦାନା ହରାଇଛନ୍ତି । ଘରେ ପରିବାର ପ୍ରତିପୋଷଣ ନିମନ୍ତେ ସମ୍ବଳ କିଛି ବି ନାହିଁ । ଦୁଇ ବେଳା ଦୁଇମୁଠା ପେଟକୁ ଦେବାକୁ ଦାନା ମୁଠାଏ ନାହିଁ । ବିଶେଷକରି ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ  ଆର୍ଥିକ ଅନାଟନ ଭିତରେ କାଳତିପାତ କରୁଛନ୍ତି । ଅଗଣିତ ଶ୍ରମଜୀବୀଙ୍କ ନିକଟରେ ଶ୍ରମର କୌଣସି ପନ୍ଥା ନାହିଁ । ଅନନ୍ୟୋପାୟହୋଇ ପ୍ରବାସୀ ଭାଇମାନେ ଜୀବନକୁ ବାଜି ଲଗାଇ ଜୀବିକା ନିମନ୍ତେ ପୁନଶ୍ଚ ନିଜ ରାଜ୍ୟରୁ ଅନ୍ୟତ୍ର ଯିବା ଆରମ୍ଭ କଲେଣି । ଏହିଭଳି ଭାବରେ କରୋନା ମହାମାରୀ କାଳରେ ଆମ ଜୀବନ ଏକାନ୍ତ ଭାବେ ଦୁର୍ବିସହ ହୋଇପଡିଛି ।ଆମେ ହତୋତ୍ସାହ ହୋଇପଡୁଛୁ ପ୍ରତିଟି ମୁହୂର୍ତ୍ତରେ । ଆମର ଅର୍ଥନୀତି ଅବକ୍ଷୟମୁଖୀ ନିଶ୍ଚୟ ।
         ଆମ ସରକାର ଏସବୁ ବିଷୟରେ ନିଶ୍ଚିତ ଅବଗତ ଅଛନ୍ତି । ଉଭୟ ଜୀବନ ଓ ଜୀବିକା ବଞ୍ଚାଇବାକୁ ଅନେକ ନୀତିଗତ ପଦକ୍ଷେପ ନେଉଛନ୍ତି  ।  ଅନଲକ୍-୧,୨, ୩ ଓ ୪ ମାଧ୍ୟମରେ ଅନେକ କଟକଣାକୁ କୋହଳ କରି ଆର୍ଥିକ ମାନ୍ଦାବସ୍ତାକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି ।  ଏଇ ଏବେ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇଛି ଅନଲକ-୪ ପ୍ରକ୍ରିୟା ,ଯାହାର ନିର୍ଦ୍ଦେଶାବଳୀ ମଧ୍ୟରେ  ଦେଶ ମଧ୍ୟରେ କୌଣସି ଲକଡାଉନ କିମ୍ବା ସଟଡାଉନର ବ୍ୟବସ୍ଥା ନାହିଁ । ଅବଶ୍ୟ ସ୍ଥିତି ନୀରିକ୍ଷଣ କରି କେନ୍ଦ୍ର ସରକାଙ୍କ ପରାମର୍ଶ କ୍ରମେ ରାଜ୍ୟ ସରକାର ଚାହିଁଲେ ଏଭଳି କୌଣସି ପଦକ୍ଷେପ ନେଇପାରିବେ ବୋଲି କୁହାଯାଉଛି ।  ହୋଟେଲ ଶିଳ୍ପ, ମଲ୍ଲ୍ ପ୍ରଭୃତି କାର୍ଯ୍ୟ ଆରମ୍ଭ କରିଛି । ମାଲ୍ ପରିବହନ ସହିତ ଅନ୍ତଃରାଜ୍ୟ ଯାତ୍ରୀ ପରିବହନ ଉପରେ ସରକାର ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି।   ଅନଲକ୍-୪ ର ମୁଖ୍ୟ ଲକ୍ଷ୍ୟ ହେଉଛି ମହାମାରୀ ପ୍ରପୀଡିତ ଏକ ଜରାଜୀର୍ଣ୍ଣ ମାନ୍ଦା ଅର୍ଥ ବ୍ୟବସ୍ଥାକୁ ଉଜ୍ଜୀବିତ କରାଇବା ଓ ଏକ ନିଶ୍ଚିତ ଆର୍ଥିକ ଦୁଃସ୍ଥିତିରୁ ଦେଶକୁ ଆଗେଇ ନେବା । ଏହାଦ୍ବାରା ଜନସାଧାରଣଙ୍କ ଜୀବନ ଜୀଇଁବାରେ ବିଶେଷ କିଛି ଅସୁବିଧା ହେବନାହିଁ । ସାଧାରଣ ଗରିବ ଶ୍ରେଣୀର ଲୋକମାନେ ନିଜ ନିଜର ଜୀବିକା ପ୍ରତି ଧ୍ୟାନ ଦେଇପାରିବା ସହିତ କରୋନା ବିରୁଦ୍ଧରେ ଲଢେଇ ଜାରିରଖିପାରିବେ ।
         ଏହାର ମାନେ ନୁହେଁ ଯେ ଆମେ କରୋନା ମୁକ୍ତ । ଆମେ ଏବେ ବି କରୋନାର କରାଳତା ଦେଇ ଗତି କରୁଛେ । ମହାମାରୀ ଦିନକୁ ଦିନ ତା’ର କାୟା ବିସ୍ତାର କରିଚାଲିଛି  । ମୃତ୍ୟୁସଂଖ୍ୟା ଦିନକୁ ଦିନ ଦ୍ରୁତବେଗରେ ବୃଦ୍ଧି ପାଇବାରେ ଲାଗିଛି । ସ୍କୁଲ ,କଲେଜ ଇତ୍ୟାଦି ଶିକ୍ଷାନୁଷ୍ଠାନ ଅଦ୍ୟାବଧି  ବନ୍ଦ ହୋଇ ରହିଛି । କେବେ ଶିକ୍ଷାନୁଷ୍ଠାନ ଖୋଲିବ ତାହାର ସଠିକ ଉତ୍ତର କାହା ପାଖରେ ନାହିଁ । ଅଗଣିତ ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରୁଛି ।ନୂଆ ନିଯୁକ୍ତି ଉପରେ କଟକଣା ମଧ୍ୟ  ଲଗାଯାଇଛି । ତଥାପି ସକଳ ଅନିଶ୍ଚିତତା ସତ୍ତ୍ୱେ ଆମକୁ ଜୀବନ ଜୀଇଁବାକୁ ପଡିବ । ଏହାର ଅର୍ଥ ବେପରୁଆ ଜୀବନ ଯାପନ ନୁହେଁ ।  ଏଣିକି ପରିସ୍ଥିତି ଆହୁରି ଭୟଙ୍କର । ଏବେ ଆମେ କେହି ଗୃହବନ୍ଦୀ ନୁହଁ । ପୋଲିସ ପ୍ରଶାସନ ଲାଠିମାଡର ବି ଏତେଟା ଭୟ ନାହିଁ । ରାଜ୍ୟ ଅବା ସ୍ଥାନୀୟ ପ୍ରଶାସନର ଆଉ କୌଣସି ଆଖିଦୃଷ୍ଟିଆ କଡା ଆଇନ କାନୁନ ନାହିଁ । ବର୍ତ୍ତମାନ ଏକ ବଡ ପ୍ରଶ୍ନ ଆମ ସମସ୍ତଙ୍କ ନିକଟରେ ଯେ ଏଭଳି ଏକ ଖୋଲାମେଲା ପରିସ୍ଥିତିରେ ଆମେ କେତେଦୂର ସୁରକ୍ଷିତ ରହିପାରିବା ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖିପାରିବା  ?
      ମୋ ମତରେ ଏହାର ଏକ ସହଜ ଓ ସରଳ ଉତ୍ତର ହେଉଛି  ଆମେ ନିଜେ ହିଁ ଆମର ରକ୍ଷାକର୍ତ୍ତା । ଆମେ ଚାହିଁଲେ ନିଜକୁ ସୁରକ୍ଷିତ ରଖିବା ସହିତ ଅନ୍ୟମାନକୁ ସୁରକ୍ଷା ଦେଇପାରିବା । ଆଗରୁ ସରକାର ଯାହା ବୁଝିଥିଲେ ଓ ବୁଝାଉଥିଲେ ଏବେ ସେ ଦାୟିତ୍ୱ ଆମ ସମସ୍ତଙ୍କର । ପ୍ରଥମ ଓ ସର୍ବ ପ୍ରଧାନ କର୍ତ୍ତବ୍ୟ ହେଉଛି ଆମେ ଅଧିକରୁ ଆହୁରି ଅଧିକ ସଚେତନ ହେବା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମୟୋଚିତ ନିର୍ଦ୍ଦେଶାବଳୀଗୁଡିକୁ ଆନ୍ତରିକ ଓ ଦାୟିତ୍ୱର ସହିତ ଅନୁଶୀଳନ ଓ ଅନୁପାଳନ କରିବାର ଆବଶ୍ୟକତା ରହିଛି । ନିଜ ନିଜର କର୍ମକ୍ଷେତ୍ରରେ କାର୍ଯ୍ୟ କରୁଥିବାବେଳେ ଆମକୁ ସରକାରୀ ନିର୍ଦ୍ଦେଶଗୁଡିକୁ ପୂର୍ଣ୍ଣମାତ୍ରାରେ ମାନିବାକୁ ପଡିବ। ମାସ୍କ ପିନ୍ଧିବା ସହିତ ,ବାରମ୍ବାର ହାତଧୋଇବା ଓ ସାମାଜିକ ଦୂରତ୍ବ ଉପରେ ସର୍ବାଧିକ ଗୁରୁତ୍ବ ଦେବାକୁ ପଡିବ ।କୌଣସି କିଛି ଜରୁରୀ କାର୍ଯ୍ୟ ନଥିଲେ ଅଯଥାରେ ବାହାରେ ଗହଳି ନକରିବା ଏକାନ୍ର ବିଧେୟ । ଏହା ସହିତ ବୟସ୍କ ଲୋକମାନଙ୍କର ଯତ୍ନ ନେବା ନିହାତି ଜରୁରୀ । ଏହାଦ୍ବାରା ଆମେ ସଂକ୍ରମଣକୁ ସହଜରେ ଏଡାଇ ଦେଇପାରିବା । ଯାହାଫଳରେ ଉଭୟ ଜୀବନ ଓ ଜୀବିକା ସୁରକ୍ଷିତ ହୋଇ ପାରିବ ।
              ଏହା ବ୍ୟତୀତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହିକି ଯେ ଯଦି କାହାଠାରେ ରୋଗର ଲକ୍ଷଣ ପ୍ରକାଶ ପାଏ ତେବେ  ଉପଯୁକ୍ତ ଉପଚାର ପାଇଁ  ସରକାରୀ ବିଧିବ୍ୟବସ୍ଥା ଉପରେ ତୁରନ୍ତ ନିର୍ଭର କରିବାକୁ ପଡିବ । ଅର୍ଥାତ୍ ଆମେ କେହି ରୋଗ ଲୁଚେଇବାକୁ ଚେଷ୍ଟା ବି କରିବା ନାହିଁ । ଏହାଦ୍ବାରା ଆମେ ସୁରକ୍ଷିତ ହେବା ସହିତ ଆମ ପରିବାର,ପଡୋଶୀ, ସାହି,ଗ୍ରାମ,ଅଂଚଳ,ସହର ବଜାର ,ରାଜ୍ୟ ,ଦେଶ ତଥା ସମଗ୍ର ବିଶ୍ବକୁ ମଧ୍ୟ ସୁରକ୍ଷିତ ରଖିପାରିବା ।
       କରୋନା ମହାମାରୀକୁ ନେଇ ଅନେକ ହୃଦୟ ବିଦାରକ ଦୃଶ୍ୟ ଅଳ୍ପ ବହୁତ ଆମ ଦୃଷ୍ଟିକୁ ଆସୁଛି । ଅତି ରୋଚକ ତଥ୍ୟ ମଧ୍ୟ ଆମ ଆଗକୁ ଆସୁଛି । ମହାମାରୀର ଆଳରେ ଆମେ ଯେପରି ଆମର ମାନବିକତା ହରାଇବାକୁ ବସିଲୁଣି । ଦିନକୁ ଦିନ ଅତ୍ୟନ୍ତ ଅମାନବୀୟ ଆଚରଣ ବୃଦ୍ଧି ପାଇବାରେ ଲାଗିଛି । ତାହା ଅତ୍ୟନ୍ତ ଦୁଃଖ ଦାୟକ ଓ ନିନ୍ଦନୀୟ ମଧ୍ୟ । ଆମେ ଜଣେ ଜଣେ ଯେ ସାମାଜିକ ଜୀବ ମଣିଷ ଏକଥା ହୁଏତ ଭୁଲିଯିବାକୁ ବସିଲୁଣି। ସ୍ନେହ, ଶ୍ରଦ୍ଧା, ଭଲ ପାଇବ, ସେବା,ସହଯୋଗ ଇତ୍ୟାଦି ମହନୀୟ ଗୁଣାବଳୀ ସତେ ଯେମିତି ଆମ ସଂସ୍କୃତିରୁ ଆସ୍ତେ ଆସ୍ତେ ଲୋପ ପାଇବାକୁ ଲାଗିଲାଣି ।
      ଏ ଘଡିସନ୍ଧି ମୁହୂର୍ତ୍ତରେ ଆମ ସମସ୍ତଙ୍କୁ ଗୋଟିଏ କଥା ମନେ ରଖିବାକୁ ହେବ ଯେ ଆମର ବଡ ଶତ୍ରୁ ରୋଗ ।ରୋଗୀ ନୁହେଁ  । ଆମେ ରୋଗକୁ ଘୃଣା କରିବା କିନ୍ତୁ ରୋଗୀକୁ ନୁହେଁ ।ହୁଏତ ଆଜିର ପରିସ୍ଥିତି ଆସନ୍ତାକାଲିକୁ ନ ଥାଇପାରେ । ରୋଗ ଚାଲିଯିବ । ମାତ୍ର ଆମ ଭିତରେ ସୃଷ୍ଟି ହୋଇଥିବା ଛୁଆଁ ଅଛୁଆଁ, ସାମାଜିକ ବାସନ୍ଦ, ଘୃଣା ତଥା ନୀଚ ମନୋଭାବ,ଭୟସଙ୍କୁଳ ପରିବେଶ ଇତ୍ୟାଦି ଆମ ଭାରତୀୟ ସଂସ୍କୃତିର ଯେ ପରିପନ୍ଥୀ ଏ କଥା ଆମକୁ ସର୍ବାଧିକ ଧ୍ୟାନ ଦେବାକୁ ପଡିବ । କରୋନା ମହାମାରୀ ପରର ସାମାଜିକ ଅବସ୍ଥାର ଚିତ୍ର ଯେ କେତେ ଭୟଙ୍କର ତାହା ବିଚାରଯୋଗ୍ୟ ନିଶ୍ଚୟ । ଏଥିପ୍ରତି ଆମକୁ ବିଶେଷ ସଜାଗ ରହିବାକୁ ପଡିବ । ନଚେତ ଖସିଯିବା ଗୋଡ ତଳକୁ ତଳକୁ ନ୍ୟାୟରେ ଆମେ ସମସ୍ତେ ରସାତଳଗାମୀ ହୋଇଯିବା ।
           ଆମକୁ କାୟ ମନ ବାକ୍ୟରେ ସଂଗଠିତ ହେବାକୁ ପଡିବ। ଆମ ତଥା କଥିତ ମାନସିକତାରେ ପରିବର୍ତ୍ତନ ଆଣିବାକୁ ପଡିବ ।ଭୟ ଛାଡି ସାହାସ ସାଉଁଟିବାକୁ ପଡିବ। ଅନ୍ତଃଶକ୍ତିକୁ ଏକଜୁଟ୍ କରିବାକୁ ପଡିବ। ଅଣ୍ଟାଭିଡି ଏକ ନିମ୍ନମୁଖୀ ଦୁଃସ୍ଥ ସମାଜକୁ ସଜାଡିବାକୁ ପଡିବ ଉଭୟ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ।କାରଣ  ଆମ ପାଇଁ ଉଭୟ ମୂଲ୍ୟବାନ ।ଭାଇଚାରାର ପବିତ୍ର ମନୋଭାବକୁ ଉଜ୍ଜୀବିତ କରିବାକୁ ପଡିବ । ବିଭିନ୍ନତା ମଧ୍ୟେ ଏକତାର ମହାନ ମନ୍ତ୍ର ସବୁରି କର୍ଣ୍ଣ ଗହ୍ବରରେ ପ୍ରତିଧ୍ବନିତ କରିବାର ବଜ୍ର ଶପଥ ନେବାକୁ ପଡିବ । ସତ କହିବାକୁ ଗଲେ ଆମକୁ କରୋନା ଭିତରେ ବଂଚିବାର କଳା ଶିଖି ଜୀବନ ଓ ଜୀବିକାକୁ ଆଗେଇ ନେବାକୁ ପଡିବ ।ତେବେ ଯାଇ ଆମେ ପୁନଶ୍ଚ ସଳଖ ହୋଇ ଛିଡାହୋଇପାରିବା ଓ ନିଜେ ବଂଚିବା ସହିତ ଅନ୍ୟମାନଚୁ ବଂଚାଇପାରିବା  ।

LEAVE A REPLY

Please enter your comment!
Please enter your name here