ଫୁଲବାଣୀ : ଜିଲା ପ୍ରଶାସନର ଏବଂ ପୋଲିସର ଯଥେଷ୍ଟ ପ୍ରଚେଷ୍ଟା ପରେ ମଧ୍ୟ କନ୍ଧମାଳ ଜିଲ୍ଲାକୁ କରୋନା ଛୁଇଁଲା । ଆଜି  କନ୍ଧମାଳ ଜିଲ୍ଲାରେ ୨ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଫଳରେ ରାଜ୍ୟରେ କନ୍ଧମାଳ ୨୩ ନଂ କରୋନା ରୋଗୀ ଥିବା  ଜିଲ୍ଲା ଭାବେ ଗଣତି ହୋଇଛି । ଏଥିପୂର୍ବରୁ ୨୨ଟି ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । କନ୍ଧମାଳର ରତଙ୍ଗ ସ୍ଥିତ ଭୋଳେଶ୍ୱର ବିଦ୍ୟାପୀଠରେ ଅନୁଷ୍ଠିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବୀରରେ ତାମିଲନାଡୁର ଚେନ୍ନାଇରୁ ଆସିଥିବା ପ୍ରାୟ ୨୦ ଜଣ ପ୍ରବାସୀ ଓଡିଆଙ୍କୁ ସେଠାରେ ରଖାଯାଇଥିଲା । ସେଠାରେ କ୍ୱାରେଂଟାଇନ ସେଂଟରରେ ଥିବା ୨ ଜଣ ଯୁବକଙ୍କ ସ୍ୱାବ୍ ନମୁନା ରିପୋର୍ଟ ପଜିଟିଭ୍ ଆସିଛି ।

କରୋନା ପଜିଟିଭ୍ ଆସିଥିବା ଏହି ଦୁଇଜଣଙ୍କୁ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ପଠାଯାଇଛି । ଫଳରେ ସେଠାରେ କ୍ୱାରେଣ୍ଟାଇନରେ ଥିବା ଅନ୍ୟମାନେ ଭୟଭୀତ ହେବା ସହ ଗ୍ରାମବାସୀ ମଧ୍ୟ ଭୟଭୀତ ହୋଇପଡିଛନ୍ତି । ଆଜି ଅଗ୍ନିଶମ ବିଭାଗ କର୍ମଚାରୀ ମାନେ କ୍ୱାରେଣ୍ଟାଇନ ସେଣ୍ଟର ଓ ଗ୍ରାମକୁ ସାନିଟାଇଜ୍ କରିଛନ୍ତି । ଗ୍ରାମବାସୀ ମାନେ କୋଭିଡ-୧୯ ନିୟମ ମାନିବା ସହ ସର୍ବଦା ମାସ୍କ ପିନ୍ଧିବା ସହ ଅତି ଜରୁରୀ ନପଡିଲେ ଘରୁ ବାହାରକୁ ବାହାରୁ ନାହାନ୍ତି । ସେମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା, ହାତକୁ ବାରମ୍ବାର ସାବୁନରେ ପରିଷ୍କାର କରିବାଲାଗି ପରାମର୍ଶ ଦେଇଛି ପ୍ରଶାସନ । ରୋଗାକ୍ରାନ୍ତ, ବୟସ୍କ, ଶିଶୁ, ଗର୍ଭବତୀ ମହିଳା ଆଦୋ÷ ବାହାରକୁ ନବାହାରିବା ଲାଗି ପ୍ରଶାସନ ପରାମର୍ଶ ଦେଇଛି । ନିୟମ ଖିଲାପ କଲେ ସରକାରଙ୍କ ପ୍ରଣୀତ ମହାମାରୀ ପ୍ରତିରୋଧ ଆଇନ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ଚେତାବନୀ ଦେଇଛି ।

ଜିଲ୍ଲାକୁ ବର୍ତମାନ ସୁଦ୍ଧା ୧୩୦୩ ଜଣ ପ୍ରବାସୀ ଓଡିଆ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୬୫୬ ଜଣ କେରଳ, ୧୦୪ ଜଣ ଗୁଜୁରାଟ, ୨ ଜଣ ଝାଡଖଣ୍ଡ, ମହାରାଷ୍ଟ୍ରରୁ ୩୦, ଆନ୍ଧ୍ରପ୍ରଦେଶରୁ ୧୨୯, ତେଲେଙ୍ଗାନା ୧୧୦, ତାମିଲନାଡୁରୁ ୧୩୭, ପଶ୍ଚିମବଙ୍ଗ ୧୪, କର୍ଣ୍ଣାଟକ ୧୩, ମଧ୍ୟପ୍ରଦେଶ ୬୬, ଉତରାଖଣ୍ଡ ୧୨, ଛତିଶଗଡରୁ ୧, ଉତରପ୍ରଦେଶରୁ ୧୨, ବିହାର ୬, ଦିଲ୍ଲୀରୁ ୧ ଆସିଥିବା କଥା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ କହିଛନ୍ତି ।

ଏମାନେ ସମସ୍ତେ ଜିଲ୍ଲାର ୩୬ଟି ଅସ୍ଥାୟୀ ସ୍ୱାସ୍ଥ୍ୟ ଚିକିତ୍ସା ଶିବୀରରେ ଅଛନ୍ତି । ସେହିପରି ବର୍ତମାନ ସୁଦ୍ଧା ୧୯୩୮ ଜଣଙ୍କ ସ୍ୱାବ୍ ସଂଗ୍ରହ କରାଯାଇ ଟେଷ୍ଟିଂ ପାଇଁ ପଠାଯାଇଛି । ସେଥିମଧ୍ୟରୁ ୧୩୫୨ ଜଣଙ୍କ ରିପୋର୍ଟ ଆସିଛି । ସେଥିମଧ୍ୟରୁ ୨ ଜଣଙ୍କ କରୋନା ପଜିଟିଭ୍ ରିପୋର୍ଟ ଆସିଛି । ଆଉ ୫୮୬ ଜଣଙ୍କ ଟେଷ୍ଟିଂ ରିପୋର୍ଟ ଆସିନି ଏଯାଏଁ । ଜିଲ୍ଲାକୁ ଫେରିଥିବା ୧୩୦୩ ଜଣଙ୍କୁ କ୍ୱାରେଂଟାଇନ ସେଂଟର ମଧ୍ୟରେ ରଖାଯାଇ ଖାଇବା ପିଇବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିବା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଜିଲ୍ଲାବାସୀ ଆତଙ୍କିତ ନହେବା ପାଇଁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here