ଭୁବନେଶ୍ବର : କଂଗ୍ରେସ ଦଳକୁ ମଜବୁତ କରିବାକୁ ହେଲେ ଅଧିକରୁ ଅଧିକ ଯୁବବର୍ଗ ଓ ଆଇନଜୀବୀଙ୍କୁ ଦଳରେ ସାମିଲ କରାଯିବା ଦରକାର। ଆଜି କଂଗ୍ରେସ ଭବନରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରରେ ପିସିସି ପକ୍ଷରୁ ଆୟୋଜିତ ବୁଦ୍ଧିଜୀବୀ ସମାବେଶରେ ଏପରି ପରାମର୍ଶ ମିଳିଛି। ଏହାସହିତ ରାଜ୍ୟ ଓ ଦେଶରେ ଯୁବବର୍ଗଙ୍କୁ ପ୍ରଭାବିତ କରିବାଭଳି ଯେପରି ବାତାବରଣ ସୃଷ୍ଟି କରାଯାଉଛି ସେଥିପାଇଁ ଦୀର୍ଘମିଆଦି ଯୋଜନା ମାଧ୍ୟମରେ କାର୍ଯ୍ୟକ୍ରମ ହାତକୁ ନେବାକୁ କଂଗ୍ରେସ ଉଦ୍ୟମ କରିବା ଦରକାର। ତା ହେଲେ ଯାଇ ପୁଣି ଥରେ ଦଳ ଲୋକଙ୍କ ଆସ୍ଥା ଭାଜନ ହୋଇପାରିବ ବୋଲି ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ବିଶିଷ୍ଟ ଆଇନଜୀବୀ ଓ ଶିକ୍ଷାବିତମାନେ ପରାମର୍ଶ ଦେଇଛନ୍ତି। ଏଆଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ କହିଛନ୍ତି, ବୁଦ୍ଧିଜୀବୀମାନଙ୍କ ପରାମର୍ଶ ଆଧାରରେ ପ୍ରତି ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲାରେ ଏଣିକି ବର୍ଷବ୍ୟାପି ଦଳ କାର୍ଯ୍ୟକ୍ରମ କରିବ।

ବୁଦ୍ଧିଜୀବୀମାନଙ୍କ ସମାବେଶକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଏଆଇସିସି ସାଧାରଣ ସମ୍ପାଦକ ଶ୍ରୀ ସିଂହ କହିଥିଲେ, ଗାନ୍ଧିଜୀ ଜୀବିତ ନ ଥିଲେ ବି ଗାନ୍ଧୀ ବିଚାରର ମୃତ୍ୟୁ ହୋଇନାହିଁ। ଭବିଷ୍ୟତରେ ବି ଏହି ବିଚାର ନୂତନ ଯୁବପିଢିଙ୍କୁ ଗାନ୍ଧୀ ଆଦର୍ଶରେ ଅନୁପ୍ରାଣିତ କରାଇବ। ଏଥିପାଇଁ କଂଗ୍ରେସ ଦଳ ଆଗାମୀ ଦିନରେ ଠୋସ କାର୍ଯ୍ୟକ୍ରମ ହାତକୁ ନେବ। ଶ୍ରୀ ସିଂହ ଅଭିଯୋଗ କରି କହିଥିଲେ, ବର୍ତ୍ତମାନ ଯୁବପିଢିଙ୍କୁ ବିଭିନ୍ନ ସୋସିଆଲ ମିଡିଆ ଜରିଆରେ ଭ୍ରମିତ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି।  ଗଣତନ୍ତ୍ରର ବିଭିନ୍ନ ଅନୁଷ୍ଠାନଗୁଡ଼ିକ ଆଜି ବିପଦରେ ପଡ଼ିଛି। ବିଚାରଳୟଠୁ ଆରମ୍ଭ କରି ସିବିଆଇ, ନିର୍ବାଚନ କମିସନ ପରି ଅନୁଷ୍ଠାନଗୁଡ଼ିକୁ କରାୟତ କରିବାକୁ ଉଦ୍ୟମ କରାଯାଉଛି। ଯାହାକି ଗଣତନ୍ତ୍ରରେ ଆଦୌ ଶୁଭଙ୍କର ନୁହେଁ। ଏହା ବିରୋଧରେ ଜନ ଜାଗରଣ ସୃଷ୍ଟି କରିବାକୁ କଂଗ୍ରେସ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବ। ପ୍ରତି ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ କଂଗ୍ରେସ କର୍ମୀମାନେ ଲୋକଙ୍କୁ ଏ ଦିଗରେ ସଚେତନ କରିବାକୁ ଉଦ୍ୟମ କରିବେ ବୋଲି ଶ୍ରୀ ସିଂହ କହିଥିଲେ।

କାର୍ଯ୍ୟକ୍ରମରେ ସଭାପତିତ୍ବ କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, ଗାନ୍ଧୀ ସତ୍ୟ ଓ ଅହିଂସାକୁ ଭଗବାନ ଭାବେ ଗ୍ରହଣ କରିଥିଲେ। ସମାଜରେ ଗାନ୍ଧୀ ବିଚାରର ପ୍ରଚାର ଯେତେ ତୀବ୍ରତର ହେବ ସମାଜରୁ କୁସଂସ୍କାର, ଭ୍ରଷ୍ଟାଚାର, ଅତ୍ୟାଚାର, ଅନୀତି, ଦୁର୍ନୀତି ହଟିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଏହି ଅବସରରେ ବିଶିଷ୍ଟ ଭାଷାବିତ୍ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ, ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି, ବିଶିଷ୍ଟ ସାମ୍ବାଦିକ ରବିଦାସ, ସ୍ତମ୍ଭକାର ତୁଷାରକାନ୍ତ, ପୂର୍ବତନ କୁଳପତି ଡ. ଟି. ବାରିକ ଉଦବୋଧନ ଦେଇ କହିଥିଲେ ଗାନ୍ଧୀବାଦ ବିରୁଦ୍ଧରେ ଗତ କେତବର୍ଷ ହେବ ଭାରତବର୍ଷରେ ଏକ ଷଡ଼ଯନ୍ତ୍ର ଚାଲିଛି। କଂଗ୍ରେସ ଦଳ ସାଧାରଣ ଜନତାଙ୍କ ଦଳ। ସାଧାରଣ ଜନତାର ସ୍ବର ସହ ସ୍ବର ମିଳାଇବା କଂଗ୍ରେସ ଦଳର କାର୍ଯ୍ୟକ୍ରମ। ଦେଶରେ ଯେଉଁ ଅର୍ଥନୈତିକ ମାନ୍ଦାବସ୍ଥା ଦେଖା ଦେଇଛି ସେଥିପାଇଁ ବିମୁଦ୍ରାୟନ ଦାୟୀ। ଯୁବବର୍ଗଙ୍କୁ ଏ ବିଷୟରେ ଅବଗତ କରିବା ସହିତ ଗାନ୍ଧିଜୀଙ୍କ ବିଚାରଧାରା ବିଷୟରେ ଜଣାଇବାକୁ କଂଗ୍ରେସ ଭବନରେ ଏକ ପାଠାଗାର ଖୋଲିବାକୁ ବକ୍ତାମାନେ ପ୍ରସ୍ତାବ ଦେଇଥିଲେ।

ଏହି ସମାବେଶ କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହାତ୍ମାଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯିବା ପରେ ବୈକୁଣ୍ଠନାଥ ସାଂସ୍କୃତିକ ପରିଷଦ ଦ୍ବାରା ଗାନ୍ଧୀ ଭଜନ ପରିବେଷଣ କରାଯାଇଥିଲା। ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଦ୍ବାରା ସଂକଳିତ ‘ଗାନ୍ଧୀ ଭଗବାନ’ ପୁସ୍ତିକାକୁ ଶ୍ରୀ ସିଂହ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସମ୍ପାଦକ ଜି.ରୁଦ୍ରରାଜୁ, ମସ୍ତାନ ଭାଲି, ଅନୀଲ ଚୌଧୁରୀ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ବିଧାୟକ ସୁରେଶ କୁମାର ରାଉତରାୟ, ମହମ୍ମଦ ମୋକିମ୍, ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ଧରଣୀଧର ନାୟକ,  ଅମୀୟ ପଟ୍ଟନାୟକ, ଦେବଜାନୀ ରାଉତରାୟ, ଜିଆଉଲ ହକ୍, ମିତ୍ରଭାନୁ ମହାପାତ୍ର, ପୂର୍ବତନ ପ୍ରଧାନଶିକ୍ଷକ ବାନାମ୍ବର ବାରିକି, ଜାନକୀକାନ୍ତ ପଟ୍ଟନାୟକ, ଡାକ୍ତର ବିଭୂତି ଭୂଷଣ ଜେନା, ସୁରେଶ ପାଣିଗ୍ରାହୀ, ସତ୍ୟ ପ୍ରକାଶ ନାୟକ, ସୁଦର୍ଶନ ଦାସ, ନିଶିକାନ୍ତ ମିଶ୍ର, ପ୍ରଶାନ୍ତ ଶତପଥୀ, ଅମୀୟ ପାଣ୍ଡବ, ଗୋବିନ୍ଦ ଭୂୟାଁ, ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ମନୋଜ ଜେନା, ଉମାବଲ୍ଲଭ ରଥ, ଦୀପକ ମହାପାତ୍ର, ସୁଶାନ୍ତ ପଣ୍ଡା, ସୂର୍ଯ୍ୟ ନାରାୟଣ ପଣ୍ଡା, ବିପ୍ଲବ ଚୌଧୁରୀ, ବୀଣାପାଣି ସାମଲ, ସ୍ବାଧୀନବାଳା ଦାସ, ନିରଦବରଣ ଖୁଣ୍ଟିଆ, ଶୈଳବାଳା ଜେନା, ସଞ୍ଜୟ ପ୍ରଧାନ, ରାମକୃଷ୍ଣ ପରିଜା ପ୍ରମୁଖ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here