ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ୫ଟି ଶିଳ୍ପ ପ୍ରକଳ୍ପର ଉଦ୍‌ଘାଟନ କରାଯିବା ସହ ୨୨ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଆଜି ଖାରବେଳ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରିଥିଲେ। ୨୭ଟି ଯାକ ପ୍ରକଳ୍ପରେ ୮୯୩୮.୮୧ କୋଟି ଟଙ୍କା ପୁଞ୍ଜିନିବେଶ ହେବ। ଏଥିରେ ୧୨,୧୪୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାର ଆକଳନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ପୁଞ୍ଜିନିବେଶ କ୍ଷେତ୍ରରେ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ୩ଟି ରାଜ୍ୟ ଭିତରେ ରଖିବା ପାଇଁ ଲକ୍ଷ୍ୟ ରହିଛି। ୨୦୧୯ ଏପ୍ରିଲ୍‌ରୁ ସେପ୍ଟେମ୍ବର ଭିତରେ ପୁଞ୍ଜିନିବେଶ ପାଇଁ ଓଡ଼ିଶା ସବୁଠାରୁ ଆକର୍ଷଣୀୟ ସ୍ଥାନ ପାଲଟିଛି। ଏହି ସମୟ ମଧ୍ୟରେ ସମଗ୍ର ଦେଶର ୧୮ ପ୍ରତିଶତ ପୁଞ୍ଜିନିବେଶ ଓଡ଼ିଶାକୁ ଆସିଛି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାମ ସାରିବାକୁ ଆମେ ୫-ଟି ପଦ୍ଧତିରେ କାମ କରୁଛୁ। ରାଜ୍ୟରେ ଶିଳ୍ପ ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଯୋଜନାବଦ୍ଧ କାର୍ଯ୍ୟକୁ ଉତ୍ସାହଜନକ ସଫଳତା ମିଳିଛି।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ‘ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌’ର ତୃତୀୟ ସଂସ୍କରଣ ଆୟୋଜନ କରିବାକୁ ଯାଉଛନ୍ତି। ଦେଶର ଯେ କୌଣସି ରାଜ୍ୟ ତୁଳନାରେ ଓଡ଼ିଶାରେ ଏହି ପୁଞ୍ଜିନିବେଶର ମହାକୁମ୍ଭ ବେଶ୍‌ ସଫଳତା ହାସଲ କରିଛି। ମେକ୍‌ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ମୁଖ୍ୟମନ୍ତ୍ରୀ ଆଜି ଉଦ୍‌ଘାଟନ ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡ଼ିକର ସଫଳତା କାମନା କରିବା ସହ ସରକାରଙ୍କ ତରଫରୁ ସବୁ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ‌େଦଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ନୂଆ ୱେବ୍‌ସାଇଟ୍‌ ଉନ୍ମୋଚନ କରିଥିଲେ। ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here