ଗଞ୍ଜାମ, ୧୨ ଅପ୍ରେଲ : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଏବଂ ଆସିକା ଲୋକସଭା ନିର୍ବାଚନମଣ୍ଡଳୀରେ ହାଇଟେକ୍ ପ୍ରଚାର ଚଳାଇଛନ୍ତି ।
ଆଜି ସକାଳ ପ୍ରାୟ ୧୦ଟା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହେଲିକେପ୍ଟର ଯୋଗେ ଯାଇ ସାନଖେମୁଣ୍ଡି ବ୍ଲକରେ କରାଯାଇଥିବା ଅସ୍ଥାୟୀ ହେଲିପ୍ୟାଡ୍ ରେ ଓହ୍ଲାଇ ଅତ୍ୟାଧୁନିକ ବସ୍ ରେ ପାଟପୁର ଯାଇ ସେଠାରେ ସାଧାରଣ ସଭାରେ ଯୋଗ ଦେଇଥିଲେ । ଏହି ଅବସରରେ ସେଠାରେ ଉପସ୍ଥିତ ଥିବା ହଜାର ହଜାର ସଂଖ୍ୟାରେ ଜନସାଧାରଣଙ୍କୁ ସମ୍ବୋଧନ କରି ସେ କହିଥିଲେ ଯେ, ମୁଁ ଆପଣମାନଙ୍କ ଗାଁକୁ ଆସିଛି ଆପଣମାନେ ଖୁସି ତ । ରାଜ୍ୟର ସାଢ଼େ ୪ କୋଟି ଓଡ଼ିଆ ମୋର ପରିବାର । ଆପଣମାନେ ମୋତେ ଆଶିର୍ବାଦ କରନ୍ତୁ ଯେପରି ମୁଁ ନିର୍ବାଚନରେ ବିଜୟ ଲାଭ କରିବି । ବିଜେଡ଼ି ପୁଣି ଥରେ ରାଜ୍ୟରେ ସରକାର ଗଠନରେ ସଫଳ ହେବ । ଏତିକି କହି ସେ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ । ଉପସ୍ଥିତ ଜନସାଧାରଣ ତାଙ୍କୁ କରତାଳି ଦେଇ ସ୍ୱାଗତ କରିଥିଲେ । ବିଜେଡ଼ି ଜିନ୍ଦାବାଦ୍, ନବୀନ ପଟ୍ଟନାୟକ ଜିନ୍ଦାବାଦ୍ ଧ୍ୱନୀରେ ସଭାସ୍ଥଳ କମ୍ପି ଉଠିଥିଲା ।
ଏହାପରେ ମୁଖ୍ୟମନ୍ତ୍ରୀ ମହାନଳା, ଚୁଡ଼ଙ୍ଗପୁର, ରାଧାଦେଇପୁର, ଏରେଣ୍ଡ୍ରା, ଖଲିଙ୍ଗି, ଆଡପଡ଼ା, କଂକୋରଡ଼ା, କଉଡ଼ିଆ, ଡ଼େଙ୍ଗାଡ଼ି, ଜଗନ୍ନାଥପୁର ଛକ, ରାମଚନ୍ଦ୍ରପୁର, ତା’ ପରେ ଶେରେଗଡ଼ ଆସି ବିଜୁ ପଟ୍ଟନାୟକ ଛକରେ ଦିନ ୧୨ ଟାରେ ପହଂଚି ଥିଲେ । ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ । ଏହାପରେ କୁମାରପାଣି, କରଡ଼ାକଣା, ବରମୁଣ୍ଡୁଳୀ, ବନ୍ଧାଗୁଡ଼ାରେ ମଧ୍ୟ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ତାକରଡ଼ା, ଧନନ୍ତର, ଡ଼େଙ୍ଗାପଦର, ଗୋବିନ୍ଦପୁର, ଗୋଠଗାଁ, ଠୁରୁବୁରାଇ, କୁରୁଳା, ଖାସପା, ଅଲାରୀଗଡ଼, ପଲ୍ଲୀପଦ୍ମନାଭପୁର, ବଡ଼ଖଣ୍ଡି, ସମରଝୋଳ, କଂଚୁର, ଦୁର୍ବନ୍ଧ, ଗଣ୍ଡଳା, ବେଲଗାଁ, ଧୋବାଡ଼ିପାଟପୁର, ନନ୍ଦିକ, ରାଳବ, ସିକିରି, ହିଞ୍ଜିଳିକାଟୁ, ବୁରୁପଡ଼ା, ପୋଡ଼ିଙ୍ଗି, ପିତଳ, ଚେରମାରିଆ, ନଳବଂଟା, କାଳଷଣ୍ଢପୁର ପ୍ରଭୃତି ୪୦ଟି ସ୍ଥାନରେ ରୋଡ ସୋ ଓ ବସ୍ ଉପରେ ପୋଡିୟମ୍ ରୁ ଜନସାଧାରଣଙ୍କୁ ସମ୍ବୋଧନ କରିଥିଲେ । ଆସିକା ଋଷିକୂଲ୍ୟା ହେଲିପ୍ୟାଡ୍ ରେ ଅପରାହ୍ନ ୫ଟାରେ ପହଂଚି ସେଠାରୁ ହେଲିକେପ୍ଟର ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବିଧାନସଭା ପ୍ରାର୍ôଥନୀ ନନ୍ଦିନୀ ଦେବୀ ଏବଂ ଆସିକା ଲୋକସଭା ପ୍ରାର୍ଥିନୀ ପ୍ରମିଳା ବିଷୋୟୀଙ୍କ ସମେତ ଜିଲ୍ଲାର ବହୁ ବିଜେଡ଼ି ନେତା ଓ ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀ ଏହି ରୋଡ଼ ସୋ ରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିନବ ରୋଡ ସୋ ଓ ହାଇଟେକ୍ ପ୍ରଚାର ଦେଖିବାକୁ ବିଭିନ୍ନ ସ୍ଥାନରେ ପ୍ରବଳ ଜନସମାଗମ ହୋଇଥିଲା । ରାସ୍ତାର ଦୁଇ ପାଶ୍ୱର୍ରେ ଲୋକଙ୍କ ଭିଡ଼ ଜମିଥିଲା । ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ଏହି ହାଇଟେକ୍ ପ୍ରଚାର ନିମନ୍ତେ ଉଦ୍ଦିଷ୍ଟ ଅତ୍ୟାଧୁନିକ ଓ ବିଳାସପୂର୍ଣ୍ଣ ବସ୍ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ହୋଇଥିଲା ।

LEAVE A REPLY

Please enter your comment!
Please enter your name here