ଚଣ୍ଡିଖୋଲ : ଯାଜପୁର ଜିଲାର ଚଣ୍ଡିଖୋଲ ସ୍ଥିତ ଜଳ ନିଷ୍କାସନ ଉପଖଣ୍ଡ ଅଧିକାରୀଙ୍କ ଅଧିନରେ ଥିବା କୁଆଁରିଆ ନାଳ ପୁର୍ନଃରୁଦ୍ଧାର କାର୍ଯ୍ୟରେ ବ୍ୟାପକ ଦୃର୍ନିତି ଯୋଗୁ ଏହା ଚାଷୀଙ୍କ ହିତ ପରିବର୍ତ୍ତେ ଦୁଃଖ ପାଲଟିଛି । ୨୮ କିଲୋମିଟର ଦ୍ରଘ୍ୟ ବିଶିଷ୍ଟ ଏହି ନାଳର ପୁର୍ନଃଉଦ୍ଧାର ପାଇ ଗତ ୨୦୧୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ପ୍ରାୟ ୪କୋଟି ୮୪ ଲକ୍ଷ ଟଙ୍କା ବିନିଯୋଗ ହୋଇଥିଲା । ତେବେ ଏହି ପୁର୍ନଃଉଦ୍ଧାର କାର୍ଯ୍ୟ ଏବେ ପାଣିରେ ମିଳାଇ ଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ଗତ ବର୍ଷକ ତଳେ ଶେଷ ହୋଇଥିବା ଏହି  ପୁର୍ନଃଉଦ୍ଧାର କାର୍ଯ୍ୟ ବହୁ ସ୍ଥାନରେ ଦେଖିବାକୁ ମିଳୁ ନାହିଁ । ଖୋଳାଯାଇଥିବା କେନାଲ ବ୍ୟାପକ ଅଂଚଳରେ ପୋତି ହୋଇଯାଇଥିବାରୁ ସେଥିରେ ଉଦ୍ବୃତ ବନ୍ୟାଜଳ ହୋଇପାରି ନାହିଁ । ଯେଉଁଥି ପାଇଁ ଧର୍ମଶାଳା, ବଡଚଣା ଓ  ଗଦଆଁ ବ୍ଲକ୍ର ହଜାର ହଜାର ହେକ୍ଟର ଚାଷଜମି ବନ୍ୟା ଜଳରେ ବୁଡ଼ି ରହି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି ।  ଡ୍ରେନେଜ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ଜଳ ନିଷ୍କାସନ ହେବାରେ ବିଳମ୍ବ ହେଉଛି । ଫଳରେ ବହୁ ପରିମାଣରେ ଚାଷ ଜମି ଜଳ ଘେରିରେ ରହିଛି । ଏପରିକି ଧାନ ଚାଷ ସମେତ ପନିପରିବା ଫସଲ ଜଳ ଜମିବା ଦ୍ୱାରା ନଷ୍ଟ ହୋଇଯାଇଛି । ଉପର ମୁଣ୍ଡରୁ ଜଳ ନିଷ୍କାସନ କରିବା ପାଇଁ ଡ୍ରେନେଜ୍ ବ୍ୟବସ୍ଥା କରାଯାଇଥାଏ ।

ଇଂରେଜ ଶାସନ କାଳରୁ ଉପର ମୁଣ୍ଡର ଜଳ ନିଷ୍କାସନ ନିମନ୍ତେ ଏହି ନାଳ ନିର୍ମାଣ କରାଯାଇଥିଲା । ଯାଜପୁରର ପଡ଼ୋଶୀ ଜିଲା ଢେଙ୍କାନାଳରୁ କୁଆଁରିଆ ନାଳ ବାହାରି ଧର୍ମଶାଳା ବ୍ଲକ ସଂପାରୁ ପଂଚାୟତ କୁରିକଣା ଦେଇ  ଗଙ୍ଗାଧରପୁର ପଂଚାୟତ ଇମାମନଗର ଗ୍ରାମ ନିକଟରେ ବ୍ରାହ୍ମଣୀରେ ମିଶିଛି । ଚଣ୍ଡିଖୋଲ ସ୍ଥିତ ଡ୍ରେନେଜ୍ ସବ୍ଡିଜିନ୍ ପକ୍ଷରୁ ୨୦୧୭/୧୮ ଆର୍ଥôକ ବର୍ଷରେ ୨୮ କି.ମି. କୁଆଁରିଆ ନାଳର ପୁନଃଉଦ୍ଧାର କାର୍ଯ୍ୟ ୪କୋଟି ୮୩ଲକ୍ଷ ୯୩ହଜାର ଅର୍ଥ ବ୍ୟୟରେ କରାଯାଇଥିଲା । ସଂପୃକ୍ତ ଠିକାଦାର ଜେସିପ୍ ମେସିନ୍ ସାହାଯ୍ୟରେ କୁଆଁରିଆ ନାଳରୁ ମାଟି ଉଠାଇ ନାଳର ଦୁଇପାଶ୍ୱର୍ରେ ଠୁଳ କରିଥିଲା । ସେହି ମାଟିଗୁଡ଼ିକୁ ଅନ୍ୟତ୍ର ନେବାର ନିୟମ ଥିବାବେଳେ ସଂପୃକ୍ତ ଠିକାଦାର ତାହା ନକରି ମାଟିଗୁଡ଼ିକ ନାଳକଡ଼ରେ ଠୁଳକରି ରଖିଥିଲା ।

ବର୍ଷା ହେବା ଫଳରେ ମାଟିଗୁଡ଼ିକ ଧୋଇ ହୋଇ କ୍ରମଶଃ ନାଳ ପୋତି ହୋଇଥିଲା । ଏପରିକି ଧର୍ମଶାଳା- କବାଟବନ୍ଧ ପୂର୍ତ୍ତ ବିଭାଗ ରାସ୍ତାର ଇମାମନଗର ଠାରେ ଉକ୍ତ ନାଳର ଜଳକୁ ନିଷ୍କାସନ ନିମନ୍ତେ ଏକ ଡ୍ରେନେଜ୍ ସାଇଫନ୍ ନିର୍ମାଣ କରାଯାଇଥିଲା । ସେହି ସାଇଫନ୍ରେ ୮ଟି  ଫୁକାର ଦେଇ ଜଳ ନିଷ୍କାସନ ହୋଇଥାଏ । ବର୍ତ୍ତମାନ ୮ଗୋଟି ଫୁକାରରୁ ୪ଗୋଟି ଫୁକାରରେ ଜଳ ନିଷ୍କାସନ ହେଉଛି । ଅନ୍ୟ ୪ଗୋଟି ଫୁକାର ମାଟିରେ ପୋତି ହୋଇପଡ଼ିଛି । ଫଳରେ ଜଳ ନିଷ୍କାସନ ହୋଇପାରୁ ନାହିଁ । ପୁର୍ନଃଉଦ୍ଧାର କାର୍ଯ୍ୟ ବେଳେ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁ ୪ଟି ପୁକାର ମାଟିରେ ପୋତି ହୋଇଯାଇଛି ।

ବ୍ରାହ୍ମଣୀ ନଦୀରେ ଜଳସ୍ଥର କମିଥିଲେ ମଧ୍ୟ ଧର୍ମଶାଳା ବ୍ଲକର ୭ଗୋଟିି ,ବଡ଼ଚଣା ବ୍ଲକ୍ର ୩ଟି ଓ ଗଅଦିଆ ବ୍ଲକ୍ର ୪ଟି ପଂଚାୟତର ଉପର ମୁଣ୍ଡରୁ ଜଳ ନିଷ୍କାସନ ହୋଇପାରୁ ନାହିଁ । ସେହି ପଂଚାୟତ ଗୁଡ଼ିକ ହେଲା- ମହିଶରା, ସଂପାରୁ, ତରଞ୍ଜିଆ, ମଧୁପୁରଗଡ଼ , ପାଖର, ଗଙ୍ଗାଧରପୁର ଓ ଥାନୁଆଳ । ଏହିସବୁ ପଂଚାୟତର ପାରିକ୍ଷେତ, ଝାଟିଆପଡ଼ା, କୁରିକଣା, ବିରିବାଟୀ, କାଦୁଅମାଗୁରା, ରଂପେଇ, ତୋଡ଼ସିଂ, ପୋବଳ, ତରଞ୍ଜିଆ, ପନ୍ତୁରି, ଭୁବନପୁର, ନାକୁଆ, ଛେଳିଆପଦା, ସୁନାଶିରିଗିହର, ହିଞ୍ଜିଡ଼ିପାଟିଆ, ଅଁଳାଝାଟିଆ, ବାଜବାଟୀ, ବସନ୍ତପଡ଼ା, ଝାରଷୋହଳ, ଓରମଲ୍ଲି, କାନପୁର ଓ ଇମାମନଗର ପ୍ରମୁଖ ଗ୍ରାମ ଜଳଘେରିରେ ରହିଛି । କୁଆଁରିଆ ନାଳରେ ଠିକ୍ ଭାବେ ଜଳ ନିଷ୍କାସନ ହେଉନଥିବାରୁ ଦୀର୍ଘ ୧୫ ଦିନ ହେବ ଏହି ସବୁ ଗ୍ରାମ ଓ ହଜାର ହଜାର ଏକର ଚାଷ ଜମି ପାଣି ଘେରରେ ରହିଛି ।   ଏହି  ଇମାମନଗର ଠାରେ ଥିବା କୁଆଁରିଆ ନାଳର ଡ୍ରେନେଜ୍ ସାଇଫନକୁ ସଫା କରା ନ ଯିବାରୁ ଜଳଗୁଡ଼ିକ ନିଷ୍କାସନ ହୋଇପାରୁ ନାହିଁ । ଫଳରେ ନାନାଦି ଅସୁବିଧା ସୃଷ୍ଟି ହେଉଛି । ଉକ୍ତ ସାଇଫନକୁ ମରାମତି କରିବା ସହ ପୁନଃର୍ଉଦ୍ଧାର କାର୍ଯ୍ୟର ତଦନ୍ତ ପାଇଁ ଚାଷୀମାନେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here