ଚଣ୍ଡିଖୋଲ : ଯାଜପୁର ଓ କଟକ ଜିଲାର ମଧ୍ୟ ସ୍ଥଳ ଦର୍ପଣ ଏବଂ ଟାଙ୍ଗି ତହସିଲରୁ ଜମି ନେଇ ଓସିଏଲ ସିିମେଣ୍ଟ କାରଖାନା ଗତ ୧୦ବର୍ଷ ହେବ ସ୍ଥାପିତ ହୋଇଛି ।ଏହି କାରଖାନା ନିର୍ମାଣ ହେବା ଦିନରୁ ଅଦ୍ୟାବଧି ପରିବେଶ ପ୍ରଦୁଷଣ ଓ ଜଳ ସଂକଟକୁ ନେଇ ଜନଅସନ୍ତୋଷ ଲାଗି ରହିଥିଲା ବେଳେ ଏବେ କମ୍ପାନୀ ପୂର୍ନବାର କାରଖାନାର ସଂପ୍ରସାରଣ ପାଇଁ ଘୋଷଣା କରିଛି । ପୂର୍ବରୁ ୧.୭୦ ନିୟୁତ ଟନ କ୍ଷମତା ଥିବା କାରଖାନାକୁ ଏବେ ୪.୨୦ ନିୟୁତ ମେଟ୍ରିକ ଟନ କ୍ଷମତା ସଂପନ୍ନ କରିବା ପାଇଁ ମେସର୍ସ କପିଳାସ ସିମେଣ୍ଟ ମେନୁଫେକ୍ଚରିଙ୍ଗ ୱାକର୍ସ (ଓସିଏଲ, ଇଣ୍ଡିଆ ଲିମିଟେଡ଼ର ଏକ ୟୁନିଟ୍) ପକ୍ଷରୁ ଜନଶୁଣାଣୀ ପାଇଁ ନୋଟିସ ଜାରି କରିଛି । ଯାହାକୁ ସ୍ଥାନୀୟ ଅଂଚଳବାସୀ ତିବ୍ର ବିରୋଧ କରିବା ସହ ସଂମ୍ପ୍ରସାରଣ କାର୍ଯ୍ୟ ପ୍ରତିବାଦରେ ଏକ ପ୍ରଚାର ପତ୍ର ବାଣ୍ଟୁଥିବା ଦେଖାଯାଇଛି । କାରଖାନାର ସଂପ୍ରସାରଣ ପାଇଁ ଇତି ମଧ୍ୟରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପରିବେଶ ମଞ୍ଜୁରୀ ନିମନ୍ତେ ଅଧିସୂଚନା ସଂଖ୍ୟା ଏସ.ଓ-୧୫୩୩ (ଇ) ତା ୧୪/୦୯/୨୦୦୬ ଅନୁଯାୟୀ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼କୁ ସର୍ବସାଧାରଣ ଜନଶୁଣାଣି କରିବାର କ୍ଷମତା ପ୍ରଦାନ କରିଛନ୍ତି । ସେହି ଆଧାରରେ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼ ଚିଠି ସଂଖ୍ୟା ୧୨୭୩୮ ଗତ ୨୫/୧୦/୨୦୧୮ରେ ବିଜ୍ଞାପନ ପ୍ରକାଶ କରିଅଛି । ଏହି ବିଜ୍ଞାପନ ପ୍ରକାଶ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିରୋଧାଭାଷ ତୀବ୍ର ହେବାରେ ଲାଗିଛି । ଦର୍ପଣ ତହସିଲର ପାରିଆ ଓ ବୈରୀ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଏହି ପ୍ରଚାର ପତ୍ର ବଣ୍ଟା ହେବା ସହିତ ଏହାକୁ ବିରୋଧ କରିବା ପାଇଁ ଉଲ୍ଲେଖ ରହିଛି । ଅଭିଯୋଗ ଅନୁଯାୟୀ ଓସିଏଲ ଯେତେବେଳେ ତାର ପ୍ରଥମ ପ୍ରକଳ୍ପ ଆରମ୍ବ କରିଥିଲା ସେତେବେଳେ ଏକ ଫାର୍ମହାଉସ କରିବାକୁ କହି ସାଧାରଣ ଲୋକଙ୍କ ଠାରୁ ଶାଗ ମାଛ ଦରରେ ଜମି କିଣିଥିଲା । ଏହାପରେ ସେ ସିମେଣ୍ଟ କାରଖାନା ଆରମ୍ଭ କରିବା ସହ ଭୂତଳ ଜଳ ବ୍ୟବହାର କରିଥିଲା । ତେବେ ଆଦିବାସୀ ଓ ଗରିବ ଲୋକମାନେ ବାସଚ୍ୟୁତ ହୋଇଥିଲେ ମଧ୍ୟ ସେମାନଙ୍କର କୌଣସି ଦାବୀ ଶୁଣିନଥିଲା । ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାର ପ୍ରତିଶୃତି ଦେଇଥିଲେ ମଧ୍ୟ ପ୍ରତିଶୃତି ରକ୍ଷା ନକରି ହତାଶ କରିଥିଲା । ଏପରିକି ରାଜନୈତିକ ନେତାଙ୍କ ହାତବାରିସ ସାଜି ସେମାନଙ୍କ ଅନୁମୋଦନରେ କିଛି ଯୁବକଙ୍କୁ କାରଖାନାରେ ତଳିଆ ପଦବୀରେ ରଖାଇଥିଲା । ଏହା ଦ୍ୱାରା ସାଧାରଣ ଲୋକ ପ୍ରଭାବିତ ହୋଇଥିଲେ । ଏପରିକି ସେତେବେଳେ ବାରମ୍ବାର ଆନ୍ଦୋଳନ କରାଯାଇଥିଲେ ମଧ୍ୟ ପ୍ରଶାସନ ଓ ପୋଲିସକୁ ହାତକରି କମ୍ପାନୀ କର୍ତ୍ତୃପକ୍ଷ ଆନ୍ଦୋଳନକାରୀଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ସେମାନଙ୍କ ଆନ୍ଦୋଳନକୁ ଚାପି ଦେଇଥିଲେ । ବଡ଼ଚଣା ବ୍ଳକ୍ ଅନ୍ତର୍ଗତ ନିକଟସ୍ଥ ପାରିଆ, ବୈରୀ, ସମିଆ, ସୋଲର ଓ ଛତିଆ ପଞ୍ଚାୟତ ଆଦି ସ୍ଥାନରେ ବ୍ୟାପକ ବୃକ୍ଷରୋପଣ କରିବା ସହ ସ୍ଥାନୀୟ ଅଞ୍ଚଳର ଆଦିବାସୀଙ୍କ ସମସ୍ୟା ସମାଧାନ କରିବା ପାଇଁ ଦେଇଥିବା ପ୍ରତିଶୃତିକୁ କମ୍ପନୀ ଭୁଲିଯାଇଥିଲା । ବର୍ତ୍ତମାନ ଦ୍ୱିତୀୟ ପ୍ରକଳ୍ପ ଆରମ୍ଭ କରିବାକୁ ଥିଲାବେଳେ ସ୍ଥାନୀୟ କିଛି କୁଜି ନେତାଙ୍କୁ ଧରି ପୁର୍ନଃବାର ଜମି ଅଧିଗ୍ରହଣ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ଯେ-ପଯ୍ୟନ୍ତ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତ ନମିଳିଛି ସେପର୍ଯ୍ୟନ୍ତ ବିରୋଧ କରାଯିବ ସହ ଜନଶୁଣାଣିରେ ଓସିଏଲ କାରଖାନା ବନ୍ଦ ନେଇ ଦାବୀ କରାଯିବ ବୋଲି ପ୍ରଚାର ପତ୍ରରେ ଉଲ୍ଲେଖ କରାଯାଇଛି । ଅନ୍ୟ ପକ୍ଷରେ କାରଖାନା ସଂପ୍ରସାରଣ ହେଲେ ଦୈନିକ ୬୮୦ ଘନ ଲିଟରରୁ ଅଧିକ ଭୂତଳ ଜଳ ବ୍ୟବହାର କରିବ । ଯାହା ସମଗ୍ର ପାହାଡ଼ିଆ ଅଂଚଳରେ ସବୁଦିନ ପାଇଁ ଜଳସଂକଟ ସୃଷ୍ଟି କରିବ ବୋଲି ଅଭିଯୋଗ ହୋଇଛି ।ଏଥିପାଇଁ ଜଙ୍ଗଳ ଓ ପରିବେଶ ବିଭାଗ , ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋଡ଼ର୍୍ କର୍ତ୍ତୁପକ୍ଷଙ୍କୁ ଚିଠି କରାଯାଇଅଛି । ତେବେ ସିମେଣ୍ଟ କାରଖାନା ବେଆଇନ ଭାବେ ଜଙ୍ଗଲ ଜମି ଅଧିକାର କରିବା ସହିତ ହାତୀମାନଙ୍କ ଚଳାପଥରେ ରେଲ ଧାରଣା ତିଆରି କରିଥିବା ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଜାରି ରହିଛି ।

Loading...

LEAVE A REPLY

Please enter your comment!
Please enter your name here