ପୁରୀ, ୧୨ ଅପ୍ରେଲ : ନିର୍ବାଚନୀ ରଙ୍ଗମଂଚରେ ଅନେକ କଳାକାର ରୂପି ନେତା ଅବତୀର୍ଣ୍ଣ ହେଲେଣି । ବାଜା ବାଜିଲାଣି, ସୈନ୍ୟସାମନ୍ତ ସଜାଗ ହେଲେଣି ଓ ମଂଚ ସଜଡା ହେଲାଣି । କାହା ରଙ୍ଗମଂଚରେ ଅଧିକ ଦର୍ଶକ ରହିବେ ତାକୁ ନେଇ ଏବେ ସହରରେ ଚର୍ଚ୍ଚା ଚାଲିଛି ।
ଧାର୍ମିକ କ୍ଷେତ୍ର ଶ୍ରୀକ୍ଷେତ୍ର । ଏହି କ୍ଷେତ୍ରରେ ଶଙ୍ଖ ଓ ପଦ୍ମଫୁଲ ଦୁଇଟିଯାକ ଶ୍ରୀଜଗନ୍ନାଥଙ୍କ ଆୟୁଧ । ବିଗତ ୫ଟି ନିର୍ବାଚନରେ ମହେଶ୍ୱର ମହାନ୍ତି ବିଜୟଲାଭ କରି ଶଙ୍ଖ ଫୁଙ୍ଖିଥିବା ବେଳେ ଏବେ ଏହି କ୍ଷେତ୍ରରେ ଫୁଲ ଫୁଟାଇବାକୁ ବିଜେପି ସତଚେଷ୍ଟା ଚଳାଇଛି । ପୁରୀସଦର ନିର୍ବାଚନ ମଣ୍ଡଳୀରେ ମହେଶ୍ୱରଙ୍କ ଦବଦବା ରହିଥିବାବେଳେ ବିଜେପିର ଜୟନ୍ତ କେତେଦୂର ଭୋଟ ସଂଗ୍ରହ କରିପାରିବେ ତାକୁନେଇ ଛକ ଖଟିରେ ଚର୍ଚ୍ଚା ଚାଲିଛି । ମହେଶ୍ୱରଙ୍କ ଅନିଚ୍ଛା ସତ୍ୱେ ଜୟନ୍ତ ଷଡ଼ଙ୍ଗୀ ନଗରପାଳ ପଦବୀ ଦୀର୍ଘ ୫ବର୍ଷ ଧରି ମାଡିବସିବାକୁ ସକ୍ଷମ ହୋଇଥିଲେ । ସେହି ଧାରାରେ ୫ ଥର ଜିତିଥିବା ମହେଶ୍ୱରଙ୍କ ଗାଦିକୁ ମାଡି ବସିବେନି ତ ବୋଲି ରାଜନୈତିକ ସମୀକ୍ଷକ ମାନେ ମତବ୍ୟକ୍ତ କରିଛନ୍ତି । ନିର୍ବାଚନୀ ଗଣିତରେ ମହେଶ୍ୱର ଜଣେ ବିଚକ୍ଷଣ ଗବେଷକ । ତାଙ୍କ ଗଣିତ କେବେ ଭୁଲ୍ ହୋଇନାହିଁ । ବିରୋଧୀପକ୍ଷ ଯେତେ ଗଣିତ କଷିଛନ୍ତି ଶେଷ ଉତରରେ ଫେଲ୍ ମାରିଛନ୍ତି । ଗତ ନିର୍ବାଚନ ଠାରୁ ୨୦୧୯ ନିର୍ବାଚନ ଏକ ନିଆରା ଢଙ୍ଗରେ ଚାଲିଥିବାରୁ ଉଭୟଙ୍କ ପାଇଁ କର ବା ମର ସ୍ଥିତି ଉପୁଜୁଛି । କେନ୍ଦ୍ରରେ ମୋଦି ସରକାର ରହିବା, ରାଜ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘନ ଘନ ପ୍ରଚାର, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବଡଦାଣ୍ଡରେ ରୋଡ ଶୋ ଆଦି ଘଟଣା ବିଜେଡିକୁ ଟକ୍କର ଦେଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ନିର୍ବାଚନ ମଣ୍ଡଳୀର ୨୩୦ରୁ ଊଦ୍ଧ୍ୱର୍ ବୁଥକୁ କିଏ ଜଗିବ । ବୁଥକୁ ନଜଗିଲେ ଭୋଟ ମିଳିବା କଷ୍ଟ ହୋଇଯିବ । ଏବେଠୁ ବିଭିନ୍ନ ଗାଁରେ ଗୁପ୍ତ ଭୋଜିଭାତ ଆସର ଜମିଲାଣି । ପ୍ରତି ବୁଥରେ ଭୋଟ ଗ୍ରହଣ ବଢିଲେ ବିଜେପି ଅଧିକ ଭୋଟ ପାଇବ ବୋଲି ଆକଳନ କରାଯାଉଛି । ଯଦି ପ୍ରାୟ ୫୨ ପ୍ରତିଶତ ଭୋଟ ହୁଏ ତେବେ ବିଜେଡି ଅଧିକ ଭୋଟ ପାଇବ ବୋଲି ରାଜନୈତିକ ଗବେଷକମାନେ ମତ ଦେଇଛନ୍ତି । ଶଙ୍ଖ ପଦ୍ମ ଲଢେଇରେ ଭୋଟର ଏବେ ଚିନ୍ତାରେ ଅଛନ୍ତି । ନୂଆ ମୁହଁ ଦେଖିବୁ ନା ପୁରୁଣା ମୁହଁ ରଖିବୁ ତାକୁନେଇ ତର୍ଜମା ଚାଲିଛି ।

LEAVE A REPLY

Please enter your comment!
Please enter your name here