ବାରିପଦା : ରାଇରଙ୍ଗପୁରରେ ମହିଳା ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ ନ୍ୟାୟ ନପାଇ ଆତ୍ମହତ୍ୟା କରିବା ଘଟଣା ଅତ୍ୟନ୍ତ ମର୍ମସ୍ପର୍ଶୀ । ଅକ୍ଟୋବର ୨୭ତାରିଖର ଘଟଣା ପରେ ଅଧ୍ୟାପିକା ଜଣକ ଥାନାରେ ଏତଲା ଦେବା ପରେ ପୋଲିସ ଏତଲା ଗ୍ରହଣ କରିଥିଲେ କିନ୍ତୁ କୌଣସି ପଦକ୍ଷେପ ନିଆନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ଗୃହ ବିଭାଗର ଏପରି ବେପାରୁଆ କାର୍ଯ୍ୟ ଯୋଗୁଁ ରୁକ୍ମଣୀଙ୍କ ଭଳି ଅନେକ ମହିଳା ଆଜି ଆତ୍ମହତ୍ୟା କରୁଛନ୍ତି । ଗୃହବିଭାଗର ମୁଖ୍ୟ ଭାବେ ମହିଳାଙ୍କୁ ସରୁକ୍ଷା ଦେବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ରାଜ୍ୟ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି । ରାଜ୍ୟରେ ପ୍ରତ୍ୟେକ ଦିନ ମହିଳାମାନଙ୍କ ଉପରେ ଅତ୍ୟାଚାର, ଦୁଷ୍କର୍ମ ଏବଂ ହତ୍ୟା ବଢିବାରେ ଲାଗିଥିବାବେଳେ ବିଜେଡି ସରକାର ଅପରାଧୀ ମାନଙ୍କୁ ଘଂଟ ଘୋଡାଇ ସେମାନଙ୍କୁ ସୁରକ୍ଷା ଦେଇଚାଲିଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଡଃ ସାମନ୍ତସିଂହାର କହିଛନ୍ତି ଯେ ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ୟା ଭଳି ସଙ୍ଗୀନ ମାମଲାରେ ଯେଉଁଠି କି ମହିଳା ମାନଙ୍କର ଉତ୍ପୀଡନ ହେଉଛି ସେଠି ପୋଲିସ ଏତଲା ରଖୁନି । ଯାଜପୁରର ପିଇଓ ସ୍ମିତାରାଣୀ ଘଟଣାରେ ଶାସକଦଳ ଚାପରେ ପୋଲିସ ପକ୍ଷପାତିତା କରି ସବୁ ପ୍ରମଣା ନଷ୍ଟ କରିଛି । ସେହିପରି ପୁରୀରେ ଦୁଇଦିନ ତଳେ ପୋଲିସ ନିଜେ ଦୁଷ୍କର୍ମ କରିଛି ତେଣୁ ପୋଲିସ ବର୍ତ୍ତମାନ ଏହି ସ୍ତରକୁ ଗଲାଣି ଯେ, ରାଜ୍ୟରେ ଦୁଷ୍କର୍ମକାରୀଙ୍କୁ ରୋକିବା ତ ଦୂରର କଥା ପୋଲିସ ନିଜେ ଦୁଷ୍କର୍ମକାରୀ ପାଲଟି ଯାଇଛି । ଗୃହବିଭାଗର ମୁଖ୍ୟ ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କର ସୁରକ୍ଷା ଯୋଗାଇବା ବଦଳରେ ଅପାରାଧୀମାନଙ୍କୁ ସୁରକ୍ଷା ଦେଉଛନ୍ତି । ଯାହାଫଳରେ ଅପରାଧୀ ଖୁଲମଖୁଲା ଅପରାଧ ଘଟାଇଚାଲିଛନ୍ତି । ତିନିଦିନ ତଳେ ଯାଜପୁର ଜିଲ୍ଲାରେ ୯ବର୍ଷର ବାଳିକା ସହ ଦୁଷ୍କର୍ମ ହୋଇଛି । ପୋଲିସର ନିଷ୍କ୍ରିୟତା ପଛରେ ବିଜୁଜନତା ଦଳ ଏବଂ ତାଙ୍କ ମୁଖୀଆଙ୍କ ହାତ ରହିଛି । ବିଧାସଭାରେ ସ୍ମିତାରାଣୀଙ୍କ ଘଟଣାକୁ ଆଲୋଚନା କରିବାକୁ ମୁଖ୍ୟ ବିରୋଧିଦଳ ଭାବେ ଭାରତୀୟ ଜନତାପାର୍ଟିକୁ ସୁଯୋଗ ଦେଲେନାହିଁ । ସାଂସଦରେ ମଧ୍ୟ ସ୍ମିତାରାଣୀଙ୍କ କଥା ଉଠିଲା ପରେ ବି ଶାସକଦଳର ସାଂସଦ ତାଙ୍କୁ ବିରୋଧ କରିଥିଲେ । ମହିଳାମାନଙ୍କୁ ନ୍ୟାୟ ଦେବାକୁ ବିଜୁ ଜନତାଦଳ ଚାହୁଁ ନଥିବା ସ୍ପଷ୍ଟ ହୋଇଛି ବୋଲି ଡଃ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ଏନସିଆରବି ରିପୋର୍ଟ ଅନୁଯାୟୀ ଓଡିଶା ମହିଳା ବିରୋଧୀ ଅତ୍ୟାଚାରରରେ ପ୍ରଥମସ୍ଥାନରେ ରହିଛି । ଏହି ଏନସିଆରବି ରିପୋର୍ଟ ବଖାଣୁଛି କେଉଁଭଳି ଭାବରେ ରାଜ୍ୟସରକାର ଶାସନ ଚଲାଇଛନ୍ତି । ପଛୁଆ ଆଦିବାସୀ ଅଞ୍ଚଳରେ ଅଧ୍ୟାପିକାଙ୍କ ସହ ଦୁଷ୍କର୍ମ ହେବା ଏବଂ ପୋଲିସ ଏତଲା ନରଖିବା କଣ ନବୀନବାବୁଙ୍କ ୫ଟିରେ ଯାଉଛି କି ପ୍ରଶ୍ନ କରିବା ସହ ଅଭିଯୁକ୍ତ ଆଇଆଇସି ଶରତ ମାହାଲିକଙ୍କୁ ସସ୍ପେଣ୍ଡ ନକରି ସୁଇସାଇଡ କେସରେ କାହିଁକି ଗିରଫ କରାଗଲା ନାହିଁ ବୋଲି ଡଃ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । ସେହପରି ସ୍ମିତାରାଣୀ ଘଟଣାରେ ଯାଜପୁର ଏସପି ତତ୍ପର ହୋଇ ଘଟଣାବଳୀ ନଶୁଣିବା ଆଗରୁ ବାହାରି ପୀଡିତାଙ୍କର ଚରିତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟି କଲେ ଓ ଏହା ହତ୍ୟା ନୁହେଁ ଆତ୍ମହତ୍ୟା ବୋଲି ପ୍ରମାଣିତ କରିବାରେ ଲାଗିପଡିଲେ । ସେହିଭଳି ଭାବେ ରାଇରଙ୍ଗପୁର ଘଟଣାରେ ପୋଲିସ ମିମାଂସା, ମିଳାମିଶା କରାଇବା, କେସ ନକରିବା ପାଇଁ ପୀଡିତାକୁ ପ୍ରବର୍ତାଇବା କେଉଁ ପ୍ରକାର ମାନସିକତା ବୋଲି ଡଃ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । ଗୃହରାଜ୍ୟମନ୍ତ୍ରୀ ଦିବ୍ୟସିଂ ମିଶ୍ରଙ୍କ ନିର୍ବାଚନମଣ୍ଡଳି ଜୁନାଗଡରେ ମଧ୍ୟ ଏକ ମହିଳା ସହ ଦୁଷ୍କର୍ମ ହୋଇଥିଲା । ଘଟଣାରେ କଳାହାଣ୍ଡି ଜିଲ୍ଲା ସଭାପତିଙ୍କ ଡ୍ରାଇଭରର ସଂପୃକ୍ତି ଥିବାରୁ ଘଟଣାକୁ ଚପେଇ ଦିଆଯାଇଥିଲା । ଏହିପରି ଭାବେ ସମଗ୍ର ରାଜ୍ୟରେ ଶାସକଦଳ ଚାପରେ ମହିଳା ବିରୋଧୀ ଅପରାଧକୁ ଚପେଇ ଦିଆଯାଉଛି ବୋଲି ଶ୍ରୀମତୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦିକା ତଥା ରାଜ୍ୟ ପ୍ରବକ୍ତା ଲେଖାଶ୍ରୀ ସାମନ୍ତସିଂହାର, ବିଧାୟକ ସନାତନ ବିଜୁଳି, ପ୍ରକାଶ ସୋରେନ ଓ ଡାଃ ବୁଢାନ ମୁର୍ମୁ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ସୁଜାତା ମୁର୍ମୁ, ଜିଲ୍ଲା ସଭାପତି ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଞ୍ଜିତ ଦାସ ଓ ଜିଲ୍ଲା ପ୍ରବକ୍ତା କବି ବିଷ୍ଣୁ ଶତପଥୀ ପ୍ରମୁଖଙ୍କ ସହ କୁମାର ମଙ୍ଗଳମ, ଦିନେଶ ଦାସ, ନିରଞ୍ଜନ ଦାସ, ବିଜୟ ହୋତା, ପ୍ରଦୀପ ମହାନ୍ତି, ପ୍ରବୀର କୁମାର ମହପାତ୍ର ଓ ଲକ୍ଷ୍ମଣ ତ୍ରୀପାଠୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here