ଭୁବନେଶ୍ୱର,ତା.୧୨/୦୧: ଗତ ସୋମବାର ଦିନ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳୀ ଶ୍ରମିକମାନଙ୍କୁ ଏକ ‘ଲଲିପପ୍’ ଧରାଇ ଦେଇଛନ୍ତି ବୋଲି ପୂର୍ବତନ ବିଧାୟକ ତଥା କେନ୍ଦୁପତ୍ର ଶ୍ରମିକ ନେତା ଶ୍ରୀ ପ୍ରଦୀପ ପୁରୋହିତ ଗୁରୁତର ଅଭିଯୋଗ କରିଛନ୍ତି ।
କେନ୍ଦୁପତ୍ର ତୋଳାଳୀ, ଗୁଛା କଟାଲି, ବନେ୍ଧଇ ଶ୍ରମିକ, ସିଜିନାଲ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ରାଜ୍ୟସରକାର ଚଳିତ ବର୍ଷ କେନ୍ଦୁପତ୍ର ସଂସ୍ଥାରୁ ୪୦୦ କୋଟି ଲାଭ ପାଇଛନ୍ତି ଏବଂ ବର୍ତମାନ ଗଚ୍ଛିତ ଥିବା ପତ୍ର ବିକ୍ରି ହେଲେ ଆଉ ୧୫୦ କୋଟି ଟଙ୍କା ସରକାର ଲାଭ ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ପେସା ଆଇନ ଲାଗୁ ହେବା ପରେ ଜଙ୍ଗଲ ଜାତ ଦ୍ରବ୍ୟର ଅଧିକାର ପେସା ଆଇନ ଅନୁଯାୟୀ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ଆଦିବାସୀ ପରିବାର ସଂପୂର୍ଣ୍ଣ ଅଧିକାର ଥିବା ସତ୍ୱେ ରାଜ୍ୟସରକାର ଲାଭାଂଶର ଶତ ପ୍ରତିଶତ ବୋନସ ଦେବା ପରିବର୍ତେ ମୁଖ୍ୟମନ୍ତ୍ରୀ ତୋଳାଳୀ ଓ ଶ୍ରମିକମାନଙ୍କୁ ମାତ୍ର ୯୨.୩୭ କୋଟି ଟଙ୍କା ବୋନସ ଦେବା ଘୋଷଣା କରିବା ଅତ୍ୟନ୍ତ ହାସ୍ୟାସ୍ପଦ । ଦେଶର କେନ୍ଦୁପତ୍ର ଉତ୍ପାଦିତ ହେଉଥିବା ଅନ୍ୟ ରାଜ୍ୟ ସରକାରମାନେ କେନ୍ଦୁପତ୍ର ଲାଭାଂଶରୁ ଶତପ୍ରତିଶତ ବୋନସ ଦେଉଥିବାବେଳେ ଓଡିଶା ସରକାର କେନ୍ଦୁପତ୍ର ଲାଭାଂଶର ଅର୍ଥକୁ ନିଜ ରାଜକୋଷରେ ରଖି ଅନ୍ୟ ଦିଗରେ ଖର୍ଚ୍ଚ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ଶ୍ରୀ ପୁରୋହିତ ମତପୋଷଣ କରିଛନ୍ତି ।
କେନ୍ଦୁପତ୍ର ତୋଳାଳୀମାନେ ମୃତୁ୍ୟ ବରଣ କଲେ ୨ ଲକ୍ଷ ଟଙ୍କା କିମ୍ବା କୌଣସି କାରଣରୁ ଅକର୍ମଣ୍ୟ ହେଲେ ‘ଶ୍ରମିକ ମଙ୍ଗଳ ପାଣ୍ଠି’ ରୁ ୧ ଲକ୍ଷ ଟଙ୍କା ଓ ଘୋଷଣା କରିଥିବା ୪୦ ହଜାର ପତ୍ରର ମାନଦଣ୍ଡ ରାଜ୍ୟ ସରକାର ସ୍ଥିର କରିଥିବାରୁ ଓଡିଶାରେ ଥିବା ପାଖାପାଖି ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ ମାନଙ୍କ ଭିତରୁ ମାତ୍ର ୫୦ ହଜାର ତୋଳାଳୀ ଏଥିରେ ଯୋଗ୍ୟ ହେବେ ୭ ଲକ୍ଷରୁ ଉଦ୍ଧ୍ୱର୍ ତୋଳାଳୀ ସରକାର ଘୋଷଣା କରିଥିବା ୨ ଲକ୍ଷ ଟଙ୍କା କିମ୍ବା ୧ ଲକ୍ଷ ଟଙ୍କା ପାଇବାରୁ ବଂଚିତ ହେବେ । ୨୦ ହଜାର ପତ୍ରର ମାନଦଣ୍ଡ ସରକାର ସ୍ଥିର କଲେ ଓଡିଶାର ପ୍ରାୟ ସମସ୍ତ କେନ୍ଦୁପତ୍ର ତୋଳାଳୀ ଏ ଶ୍ରମିକ ମଙ୍ଗଳ ପାଣ୍ଠିର ସହାୟତା ପାଇ ପାରିଥାନ୍ତେ । ରାଜ୍ୟ ସରକାରଙ୍କୁ ଆଗରୁ ଏ ବିଷୟରେ ଅବଗତ କରାଯାଇଥିଲେ ମଧ୍ୟ ଏହା ଉପରେ ସରକାର ପୁନର୍ବାର କଲେ ନାହିଁ । ଏଥିରୁ କେନ୍ଦୁପତ୍ର ତୋଳାଳୀମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ କେତେ ଦରଦ ଅଛି ତାହା ଧରା ପଡିଯାଇଛି ।
କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୭ ହଜାର ସିଜିନାଲ କର୍ମଚାରୀଙ୍କ ବର୍ଦ୍ଧିତ ଦରମାର ୧୭ ମାସର ବର୍ଦ୍ଧିତ ଦରମା ଟଙ୍କା ସରକାର ଦେବା ପାଇଁ ଉନ୍ନୟନ ପରିଷଦର ନିଷ୍ପତି ନହେବା ଯୋଗୁଁ ସିଜିନାଲ କର୍ମଚାରୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ପ୍ରକୃତରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଗତକାଲି କେନ୍ଦୁପତ୍ର ଉନ୍ନୟନ ପରିଷଦର ଯାହା ପ୍ରସ୍ତାବ ପାରିତ ହୋଇଛି ତାହା ତୋଳାଳୀ ଓ ଶ୍ରମିକମାନଙ୍କ ପାଇଁ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ସରକାରଙ୍କ ଘୋଷଣା କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ଲଲିପପ୍ ବୋଲି ଶ୍ରୀ ପୁରୋହିତ କ୍ଷୋଭ ପ୍ରକାଶ କରିବା ସହ ଆଗାମୀ ଦିନରେ ସରକାରଙ୍କ ଏହି ନିଷ୍ପତି ବିରୁଦ୍ଧରେ ସାରା ରାଜ୍ୟରେ କେନ୍ଦୁପତ୍ର ଶ୍ରମିକମାନଙ୍କ ବିରାଟ ଆନେ୍ଦାଳନ ହେବ ବୋଲି ସୂଚନା ଦେଇଛନ୍ତି ।