ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଉକ୍ରଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀରେ ଯୋଗ ଦେଇ ଯେଭଳି ଭାବରେ ତାଙ୍କର ବକ୍ତବ୍ୟ ଉପସ୍ଥାପନ କଲେ, ସେଥିରୁ ତାଙ୍କର ଅସହାୟତା ଓ ରାଜନୈତିକ ଦେବାଳିଆ ଅବସ୍ଥା ସ୍ପଷ୍ଟ ଭାବରେ ଜଣାପଡୁଛି । ଏଭଳି ଏକ ଗମ୍ଭୀର ପରିବେଶରେ ସେ ଯେଭଳି ଭାବରେ ରାଜନୀତି କରିବାକୁ ଚେଷ୍ଟା କଲେ ତାହା ଆଦୌ ସ୍ପୃହଣୀୟ ନୁହେଁ । ମହତାବଙ୍କ ଜୟନ୍ତୀରେ ସେ ମିଥ୍ୟା ଓ ଅର୍ଦ୍ଧସତ୍ୟ କହି ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ଯେଉଁ ଅପଚେଷ୍ଟା କରିଛନ୍ତି, ତାହା ଆଦୌ ଗ୍ରହଣୀୟ ହେବନାହିଁ । ଓଡ଼ିଶାରେ ପ୍ରଥମକରି ବିଶ୍ୱ ହକି କପ୍‍ ଅନୁଷ୍ଠିତ ହେଉଛି । ହକିର ପ୍ରୋତ୍ସାହନମୂଳକ ସଂଗୀତର ଉନ୍ମୋଚନ ମାନ୍ୟବର ପ୍ରଧାନମନ୍ତ୍ରୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ କରିନଥିଲେ ବୋଲି ବିଜେଡି ଦୋଷାରୋପ କରିବା କଥା କହି ଶ୍ରୀ ପ୍ରଧାନ ନିମ୍ନମାନର ରାଜନୀତି କରିଛନ୍ତି । କିନ୍ତୁ ବାସ୍ତବ ସତ୍ୟ ହେଲା, ‘ମନ୍‍କି ବାତ୍‍’ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାରେ ହେବାକୁ ଯାଉଥିବା ହକି ବିଶ୍ୱକପ୍‍ ସଂପର୍କରେ ଉଲ୍ଲେଖ କରିଥିଲେ ଏବଂ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଟେଲିଫୋନ୍‍ ଯୋଗେ ଧନ୍ୟବାଦ ଜଣାଇଥିଲେ । ଅନେକ ଚଳଚ୍ଚିତ୍ର ତାରକା ଓ ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ହକି ବିଶ୍ୱକପ୍‍ ସହ ସଂପୃକ୍ତି ଯୋଗୁ ବାସ୍ତବରେ ତାରିଖଟି ଖାପ ଖାଇପାରିନଥିଲା ଓ ୧୯ ତାରିଖରେ ସଂଗୀତଟି ଉନ୍ମୋଚନ ହୋଇପାରିନଥିଲା । ବିଜେଡି ଏଥିପାଇଁ ଗୋଟିଏ ଶବ୍ଦଟିଏ ମଧ୍ୟ କହିନାହିଁ । ବରଂ ଆମେ ସମସ୍ତେ ଦଳୀୟ ରାଜନୀତିର ଊଦ୍ଧ୍ୱର୍କୁ ଯାଇ ହକି ବିଶ୍ୱକପ୍‍କୁ ସଫଳ କରିବା ସହ ଓଡ଼ିଶାକୁ ବିଦେଶରେ ପ୍ରଶଂସା କରାଯିବା ଭଳି ପରିବେଶ ସୃଷ୍ଟି କରିବା ଆବଶ୍ୟକ ।
ବକ୍ସି ଜଗବନ୍ଧୁଙ୍କ ସଂପର୍କରେ ଶ୍ରୀ ପ୍ରଧାନ ଯାହା କହୁଛନ୍ତି, ତାହା ଆଦୌ ଗ୍ରହଣୀୟ ନୁହେଁ । ବକ୍ସି ଜଗବନ୍ଧୁ ଆମ ରାଜ୍ୟର ଜଣେ ସୁଯୋଗ୍ୟ ସନ୍ତାନ । ରାଜ୍ୟ ସରକାର ଏଭଳି ଜଣେ ବରପୁତ୍ରଙ୍କୁ ସମ୍ମାନ ଦେବାକୁ ଯାଇ ବୃହତ ପାନୀୟ ଜଳ ଯୋଜନା ‘ବସୁଧା’ ତାଙ୍କ ନାମରେ ଆରମ୍ଭ କରିଛନ୍ତି । ବକ୍ସି ଜଗବନ୍ଧୁଙ୍କ ନାମରେ ଏକ ଟ୍ରେନ୍‍ ଓଡ଼ିଶାରୁ ଚଳାଚଳ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ମଧ୍ୟ କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ଥାଇ, ତାହା ସମ୍ଭବ ହୋଇପାରିଲା ନାହିଁ । ଧର୍ମେନ୍ଦ୍ର ପ୍ରଧାନ ଏ ସଂପର୍କରେ ଯେଉଁ ବିତଣ୍ଡା ଯୁକ୍ତି କରୁଛନ୍ତି, ତାହାକୁ ଲୋକମାନେ ଗ୍ରହଣ କରିବେ ନାହିଁ । ଧର୍ମେନ୍ଦ୍ର ପ୍ରଧାନ ରାଜନୀତି କରିବାକୁ ଯାଇ ଅତି ନିମ୍ନ ସ୍ତରକୁ ଚାଲିଯାଉଛନ୍ତି । ରାଜନୀତିରେ ସେ ଏତେ ତଳକୁ ଖସିବାରୁ ନିବୃତ ରୁହନ୍ତୁ ଏବଂ ମିଥ୍ୟା, କପୋଳକଳ୍ପିତ ଅଭିଯୋଗ ନଆଣନ୍ତୁ ବୋଲି ବିଜୁ ଜନତା ଦଳ ମୁଖପାତ୍ର ତଥା ସାଂସଦ ଶ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here