ଭୋଗରାଇ- ବାଲେଶ୍ୱର ଜିଲ୍ଲା ସୀମାନ୍ତ ଭୋଗରାଇର ସମୁଦ୍ର ତଟବର୍ତ୍ତୀ ଇଲାକାରେ ବସବାସ କରୁଥିବା ଲୋକମାନେ ବୁଲ୍‍ବୁଲ୍‍କୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି । ଆଜି ପୂର୍ବାହ୍ନରୁ ଝିପିଝିପି ବର୍ଷା ଲାଗିରହିଥିବା ବେଳେ ପାଗ ଖରାପ ରହିଛି । ଧିରେଧିରେ ପାଗରେ ଅବନତି ଘଟୁଥିବାରୁ ସମୁଦ୍ର କୂଳବର୍ତ୍ତି ଇଲାକାରେ ବସବାସ କରୁଥିବା ଲୋକମାନଙ୍କ ମଧ୍ୟରୁ ଅନେକେ ଆତଙ୍କିତ ହୋଇପଡ଼ିବା ସହ କେତେକ ବ୍ୟକ୍ତି ନିରାପଦ ସ୍ଥାନକୁ ଚାଲିଯାଇଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ବାତ୍ୟା ସମ୍ପର୍କୀତ ସୂଚନା ଡାକବାଜି ଯନ୍ତ୍ରରେ ବାରମ୍ବାର ପ୍ରଚାର କରାଯାଉଥିବା ପରିଲକ୍ଷିତ ହେଉଛି । ଦୀଘା ଉପକୂଳଠାରୁ ବାଲେଶ୍ୱର ଉପକୂଳ ଉଦୟପୁର, ତାଳସାରୀ, କିର୍ତ୍ତନୀଆ, ଡଗରା, ଚୌମୁଖ, ବାହାବଳପୁର, କଷାଫଳ ଆଦି ସ୍ଥାନମାନଙ୍କରେ ସମୁଦ୍ରରୁ ଫେରିଥିବା ଶତାଧିକ ମାଛଧରା ଡଙ୍ଗା କୂଳରେ ଲାଗିଛି । ଏବେ ଧାନପାଚିବା ସମୟ ଓ ଧାନ କଟାଯିବା ସମୟ ହୋଇଥିବାରୁ ଚାଷୀମାନେ ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଚିନ୍ତାରେ ପଡ଼ିଯାଇଛନ୍ତି । ଅନ୍ୟପକ୍ଷରେ ଭୋଗରାଇ, ବାଲିଆପାଳ, ଜଳେଶ୍ୱର ଓ ବସ୍ତା ବ୍ଲକ ଇଲ୍‍ାକାରେ କଚାଘର ଓ ନଡ଼ାଛପର ଘରେ ବସବାସ କରୁଥିବା ଲୋକମାନଙ୍କୁ ସଜାଗ ରହିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଇଦିଆଯାଇଛି । ଅଶାନ୍ତ ସମୁଦ୍ର ଏବେ କୂଳଆଡ଼କୁ ଧୀରେ ଧୀରେ ମାଡ଼ୁଥିବାରୁ ବିଭିନ୍ନ ସ୍ଥାନରେ ପର୍ଯ୍ୟଟକ ମାନଙ୍କୁ ଓ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର କୂଳକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଆପାଳ ଓ ଭୋଗରାଇ ଅଞ୍ଚଳରେ ଏନ୍‍ଡି ଆର୍‍ଏଫ୍‍ ଟିମ୍‍ ଓ ଓଡ୍ରାଫ୍‍ ଟିମ୍‍ ମୁତୟନ କରାଯିବା ସହ ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି । ଏହାଛଡ଼ା ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ସହ ସମସ୍ତ ଥାନା ମାନଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ସନ୍ଧ୍ୟା ପରେ ପରେ ଝିପିଝିପି ବର୍ଷା ପୁଣି ଆରମ୍ଭ ହୋଇଯାଇଥିବା ବେଳେ ପବନର ବେଗମଧ୍ୟ ଧିରେ ଧିରେ ବଢୁଥିବା ପରିଲକ୍ଷିତ ହେଉଛି । ଏହି ଘଟଣାକୁ ନେଇ ଭୋଗରାଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଥିବା ବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମସ୍ତ ସୁରକ୍ଷା ପ୍ରଦାନର ବ୍ୟବସ୍ଥା କରାଯାଇଥିବା କଥା କୁହାଯାଇଛି

LEAVE A REPLY

Please enter your comment!
Please enter your name here