ଭଞ୍ଜନଗର – ଘୁମୁସର ଅଞ୍ଚଳର ଖ୍ୟାତନାମା ଡାକ୍ତର, ଭଞ୍ଜନଗର ଠାକୁରାଣୀ ଯାତ୍ରା କମିଟିର ସଭାପତି, ସହରର ପ୍ରସିଦ୍ଧ ରଘୁନାଥ ମନ୍ଦିରର ପରିଚାଳନା ବୋର୍ଡ ଟ୍ରଷ୍ଟି ଡାକ୍ତର ନଳୀନିକାନ୍ତ ତ୍ରିପାଠୀଙ୍କ ୭୮ବର୍ଷ ବୟସରେ ପରଲୋକ ଘଟିଛି । ଗୁରୁବାର ଅପରାହ୍ନ ୧.୫୫ ମିନଟରେ ଭଞ୍ଜନଗରସ୍ଥିତ ନିଜ ବାସଭବନ ପରିସରରେ ଡାକ୍ତର ତି୍ରପାଠୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ସେ ଜଣେ ଭଦ୍ର, ଆମାୟିକ ଓ ପରୋପକାରୀ ବ୍ୟକ୍ତିଭାବେ ଅଞ୍ଚଳରେ ବେଶ ପ୍ରସିଦ୍ଧି ଲାଭ କରିଥିଲେ । ଜଣେ ଏମବିବିଏସ୍ ଡାକ୍ତର ଭାବେ ସେ ସରକାରୀ ଚାକିରୀକୁ ତୁଛ କରି ଭଞ୍ଜନଗର ସହରର ରେଡକ୍ରସରୋଡସ୍ଥିତ ନିଜ ବାସଭବନ ପରିସରରେ ତ୍ରିପାଠୀ କ୍ଲିନିକ୍ ଖୋଲି ଦୀର୍ଘ ୫୦ବର୍ଷ ଧରି ଲୋକଙ୍କୁ ସେବା ଯୋଗାଇ ଆସୁଥିଲେ । ତାଙ୍କର ସ୍ନେହବୋଳା ମିଠା କଥାରେ ରୋଗୀ ଅଧା ଉପଶମ ଲାଭ କରିବା ଭଳି ମନେ କରୁଥିଲେ । ତାଙ୍କ କ୍ଲିନିକରେ ଚିକିତ୍ସାଲାଭ କରି ହଜାର ହଜାର ବ୍ୟକ୍ତି ବିଭିନ୍ନ ଅସାଧ୍ୟ ରୋଗରୁ ଆରୋଗ୍ୟ ଲାଭ କରି ପୁର୍ନଜୀବନ ଲାଭ କରିଛନ୍ତି । ଅନ୍ୟପକ୍ଷରେ ଡାକ୍ତର ନଳୀନିକାନ୍ତ ତ୍ରିପାଠୀ ଭଞ୍ଜନଗର ରଘୁନାଥ ମନ୍ଦିରର ପରିଚାଳନା ବୋର୍ଡ ଟ୍ରଷ୍ଟିଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ । ସେ ଏହି ଟ୍ରଷ୍ଟି ଦାୟିତ୍ୱ ଗ୍ରହଣ କରିବାପରେ ରଘୁନାଥ ମନ୍ଦିରର ଅନେକ ବିକାଶ ସାଧିତ ହୋଇପାରିଛି ।

ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସହ ଉତ୍ତମ ସଂପର୍କ ଯୋଗୁଁ ମନ୍ଦିର ପରିସରରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ସହ ମନ୍ଦିର ପରିସରରେ ବିଭିନ୍ନ ଦେବାଦେବୀଙ୍କ ନୂତନ ମନ୍ଦିର ନିର୍ମାଣ କରି ସେ ସହରବାସୀଙ୍କ ଅଧିକ ଲୋକପ୍ରିୟ ହୋଇଯାଇଥିଲେ । ସର୍ବୋପରି ସେ ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା କମିଟିର ସଭାପତିଭାବେ ସୁଚାରୁ ରୂପେ ଦାୟିତ୍ୱ ସଂପାଦନ କରି ଆସୁଥିଲେ । ତାଙ୍କ ସଭାପତିତ୍ୱ ସମୟରେ ଠାକୁରାଣୀ ଯାତ୍ରାର ରୂପରେଖ ବେଶ ବଦଳିବାସହ ଭଞ୍ଜନଗର ଠାକୁରାଣୀ ଯାତ୍ରା ଘୁମୁସର ମହୋତ୍ସବର ଭ୍ରମ ସୃଷ୍ଟି କରିଥିଲା । ରାଜ୍ୟର ବିଭିନ୍ନ ଇଲାକାର କଳାକାରଙ୍କ ସମାହାର କରି ଯାତ୍ରା ସମୟରେ ସାଂସ୍କୃତିକ ଭାବଧାରାର ମନ୍ଦାକିନୀ ବୁହାଇ ସେ ଘୁମୁସର ଅଞ୍ଚଳବାସୀଙ୍କ ବେଶ ପି୍ରୟପାତ୍ର ହୋଇପାରିଥିଲେ ।

ଡାକ୍ତର ତ୍ରିପାଠୀଙ୍କ ଗୋଟିଏ ଝିଅ ଓ ୨ ପୁଅ ଅଛନ୍ତି । ମୃତୁ୍ୟ ଶଯ୍ୟା ନିକଟରେ ବଡପୁଅ ଓ ପତ୍ନୀ ଉପସ୍ଥିତ ରହିଥିଲେ । ଡାକ୍ତର ତି୍ରପାଠୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାମାତ୍ରେ ସହରରେ ଶୋକର ଛାୟା ଖେଳିଯାଇଥିଲା । ବିଭିନ୍ନ ବ୍ୟକ୍ତିବିଶେଷ ତାଙ୍କର ଶେଷ ଦର୍ଶନ କରିବାକୁ ତାଙ୍କ ରେଡକ୍ରସ ରୋଡସ୍ଥିତ ବାସଭବନକୁ ଯାଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

 

LEAVE A REPLY

Please enter your comment!
Please enter your name here