ଭଦ୍ରକ :ଭଦ୍ରକ ବ୍ଲକ ଅନ୍ତର୍ଗତ ବଣିଆ ପଞ୍ଚାୟତରେ ଧାନ ବିକ୍ରି ପାଇଁ ଚାଷୀ ପଂଜୀକରଣ କ୍ଷେତ୍ରରେ ବ୍ୟାପକ ଜାଲିଆତି ହୋଇଥିବା ନେଇ ଚାଷୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ସଂପୃକ୍ତ ପଞ୍ଚାୟତର ଚାଷୀମାନେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିବା ସହ ଏସମ୍ପର୍କରେ ବିଭାଗୀୟ ମନ୍ତ୍ରୀଙ୍କୁ ଟ୍ୱିଟ୍‍ କରିଛନ୍ତି ତଥା ଭଦ୍ରକ ବିଧାୟକ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ବି ଅଭିଯୋଗ ପତ୍ର ଦେଇଛନ୍ତି ।

ଏହି ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ, ସଂପୃକ୍ତ ପଞ୍ଚାୟତରେ ସେବା ସମବାୟ ସମିତି ବନ୍ଦ ରହିଥିବାରୁ ଧାନବିକ୍ରିର ପଂଜୀକରଣ ଦାୟିତ୍ୱ ଜୟ ମା ଦୁର୍ଗା ଜିପିଏଲ୍‍ଏଫ୍‍(ଏସ୍‍୨୦୩୦୨୫୮)କୁ ଦିଆଯାଇଛି । ତେବେ ଜୟ ମା’ଦୁର୍ଗା ଜିପିଏଲ୍‍ଏଫ ଚାଷୀ ପଂଜୀକରଣ କ୍ଷେତ୍ରରେ ବଣିଆ ପଞ୍ଚାୟତର ଚାଷୀଙ୍କ ନାମରେ ଧାମରା ମୌଜାରେ ଥିବା ଜମି ଓ ଅନ୍ୟାନ୍ୟ ଜମିଦେଇ ମିଥ୍ୟ ରେଜିଷ୍ଟ୍ରେସନ କରିଛନ୍ତି । ଯାହାକି ଜମି ମାଲିକଙ୍କ ସହିତ ଚାଷୀଙ୍କ କୌଣସି ସମ୍ପର୍କ ନଥିବା ସ୍ଥଳେ ମିଥ୍ୟାରେ କାହାର ବାପା, ଭାଇ ଓ ପୁତୁରା ଆଦି ସମ୍ପକୀର୍ୟ ଦର୍ଶାଇ ପଂଜୀକରଣ କରିଛନ୍ତି ।

ଜମି ମାଲିକଙ୍କ ଉପଯୁକ୍ତ ପ୍ରମାଣପତ୍ର ନଦେଇ ଭାଗଚାଷୀ ଦର୍ଶାଇ ମିଥ୍ୟାରେ ରେଜିଷ୍ଟ୍ରେସନ କରାଇ ନେଇଛନ୍ତି । ଏହି ଅଭିଯୋଗ ପତ୍ର ସହ ଚାଷୀମାନେ ପ୍ରମାଣ ଭିତ୍ତିକ ଜାଲିଆତିର କେତେକ ତଥ୍ୟ ଜିଲ୍ଲାପାଲଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଜାଲିଆତି ଅଭିଯୋଗ ସମ୍ପର୍କରେ ଯୋଗାଣ ଅଧିକାରୀ ଅତିରିକ୍ତ ଯୋଗାଣ ଅଧିକାରୀଙ୍କୁ ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ବଣିଆ ପଞ୍ଚାୟତର ଚାଷୀ ବୈଲୋଚନ ନାୟକ, ତରଣୀ ପାତ୍ର, ଶିବପ୍ରସାଦ ନାୟକ, ଉମାକାନ୍ତ ପାତ୍ର, ସଂଜୟ ପଣ୍ଡା, ଅଜୟ ମିଶ୍ର ଓ ମହେନ୍ଦ୍ର ପଣ୍ଡା ପ୍ରମୁଖ ଚାଷୀମାନେ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here