ଭୁବନେଶ୍ୱର,(ନି.ପ୍ର): ପୂଜା ପୂର୍ବରୁ ଅଶାନ୍ତ ହୋଇଛି ଭୁବନେଶ୍ୱର । କେତେବେଳେ ଲୁଟ୍ ରାଜ୍ତ ଆଉ କେତେବେଳେ ହତ୍ୟା ଓ ଆକ୍ରମଣ । ଗତ କିଛିଦିନ ହେବ ରାଜଧାନୀରେ ଅପରାଧିଙ୍କ ଉତ୍ପାତ ଦେଖିବାକୁ ମିଳିଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ଖଣ୍ଡାରେ ଆକ୍ରମଣ ଘଟଣାରେ ଲକ୍ଷ୍ମୀସାଗର ଥାନା ପୋଲିସ ଗୁରୁବାର ପୁତୁରାକୁ ଗିରଫ କରି କୋର୍ଟ ଚାଲଣ କରିଛି । ଅନ୍ୟପକ୍ଷରେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦାଦା ଅଦ୍ୟାବଧି ଫେରାର ରହିଛି ।

ଗିରଫ ଅଭିଯୁକ୍ତ ହେଲା ଲକ୍ଷ୍ମୀସାଗର ଥାନା ଫିସରି ଲେନ୍ ପ୍ଲଟ୍ ନମ୍ବର-୧୦ରେ ରହୁଥିବା ଗୋପୀନାଥ ରାଉତ । ଜାମିନ୍ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଆକ୍ରମଣରେ ଆହତ ହୋଇଥିବା ଯୁବକ ଜଣଙ୍କ ହେଲେ ଲକ୍ଷ୍ମୀସାଗର ଥାନା ପାନବରଜବସ୍ତିର ଲୋକନାଥ ମଜୁମଦାର ।

ଲକ୍ଷ୍ମୀସାଗର ଥାନା ନିକଟସ୍ଥ ପାନବଜରବସ୍ତିରେ ରୁହନ୍ତି ଲୋକନାଥ ମଜୁମଦାର । ସେହି ବସ୍ତିରେ ରୁହନ୍ତି ଟୁଟୁ ରାଉତ । ଲୋକନାଥଙ୍କ ସହ ଟୁଟୁଙ୍କର ପୂର୍ବ ଶତ୍ରୁତା ଥିଲା । ଗତ ୨ ତାରିଖ ଦିନ ଲୋକନାଥ ଘର ସମ୍ମୁଖରେ ବସିଥିବାବେଳେ ଟୁଟୁ ଏବଂ ତାଙ୍କ ପୁତୁରା ଗୋପୀ ଏକ ଖଣ୍ଡାରେ ତାଙ୍କୁ ଗୋଡେଇ ଗୋଡେଇ ହାଣି ଫେରାର ହୋଇଯାଇଥିଲା ।

ଏ ନେଇ ଲୋକନାଥ ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଗୁରୁବାର ପୁତୁରା ଗୋପୀକୁ ଗିରଫ କରିଥିବାବେଳେ ଟୁଟୁ ବର୍ତ୍ତମାନ ସୁଧା ଫେରାର ରହିଛି । ଟୁଟୁକୁ ଧରିବାପାଇଁ ପୋଲିସ ବିଭିନ୍ନ ଥାନାରେ ଚଢାଉ ଜାରି ରଖିଛି । ଅଭିଯୁକ୍ତ ଖୁବ୍ ଶିଘ୍ର ଧରାପଡିବ ବୋଲି ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here