ବାରିପଦା  : ଦୀର୍ଘ ସାତଦିନ ଧରି ବାରିପଦାର ବିଭିନ୍ନ ସ୍ଥାନରେ ସୁଟିଂ ଚାଲିଥିବା ନୂଆ ଓଡିଆ ଚଳଚ୍ଚିତ୍ର “କହିଦେ ଥରେ ଆଇ ଲଭ୍ ୟୁ” ଖୁବ୍ ଶୀଘ୍ର ଶେଷ ହେବାପାଇଁ ଯାଉଅଛି । ଓଡିଆ ସିନେ ଦର୍ଶକମାନଙ୍କ ପାଇଁ ଏହି ନୂତନ ଧରଣର ମୌଳିକ ପ୍ରେମକାହାଣୀକୁ ଲେଖିଛନ୍ତି ଓଲିଉଡର ଜଣାଶୁଣା କାହାଣୀ, ଚିତ୍ରନାଟ୍ୟ ସଂଳାପ ଲେଖକ ଚିନ୍ମୟ ଦାସ ପଟ୍ଟନାୟକ । ସିଦ୍ଧାର୍ଥ ଫିଲ୍ମସ୍ ନିବେଦିତ ସୀତାରାମ ଅଗ୍ରୱାଲ୍ଙ୍କ ପ୍ରଯୋଜିତ ଏହି ଫିଲ୍ମରେ କାର୍ଯ୍ୟକାରୀ ପ୍ରଯୋଜକର ଦାୟିତ୍ୱ ନେଇଛନ୍ତି ବରିଷ୍ଠ କଳାକାର ଅସିତ୍ ପତି । ନିର୍ଦେଶନାର ଭାର ଗ୍ରହଣ କରିଛନ୍ତି ଓଲିଉଡ୍ର ପ୍ରସିଦ୍ଧ ଡାଇରେକ୍ଟର ହିମାଂଶୁ ପରିଜା(ଚଣ୍ଡି), ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ଅସଦ୍ ନିଜାମ୍, କ୍ୟାମେରା ଚାଳନା କରିଛନ୍ତି ଶୁଭମ୍ । ଏହି ଚଳଚ୍ଚିତ୍ରରେ ନାୟକ ଭାବେ ଅବତୀର୍ଣ୍ଣ ହୋଇଛନ୍ତି ଆର୍ୟନ୍ ଧିର୍, ଖଳନାୟକ ଭାବେ ରାଜ୍ ରାଜେଶ ଏବଂ ନାୟିକା ଭାବେ ଅଛନ୍ତି ଭୂମିକା ଓ ସସ୍ମିତା । ଏମାନଙ୍କ ସହିତ ପିଣ୍ଟୁ ନନ୍ଦ, ସାତ୍ୟକୀ ମିଶ୍ର, ହରିହର ମହାପାତ୍ର, ଅନିତା ମିଶ୍ର, ଆରଧନା, ସମାଜ ପତି, ତାପସ୍ ପାଢୀ ଓ ଲମ୍ବୋଦର ସିଂ ପ୍ରମୁଖ କଳାକାରମାନେ ମଧ୍ୟ ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିବା ସଙ୍ଗେ ସଙ୍ଗେ, ବାରିପଦା ଅଭିରାମ ଅଭିନୟ ଅନୁଷ୍ଠାନର କଳାକାରମାନେ ମଧ୍ୟ ଏହି ଚଳଚ୍ଚିତ୍ରରେ ନିଜ ନିଜର ଅଭୀନୟ ପରାକାଷ୍ଠା ଦେଇଛନ୍ତି । ଏକ ଭିନ୍ନ ଶୈଳୀର ପ୍ରେମ କାହାଣୀ “କହିଦେ ଥରେ ଆଇ ଲଭ୍ ୟୁ” ଓଡିଆ ଚଳଚ୍ଚିତ୍ର ଜଗତରେ ନିଶ୍ଚିତ ଭାବେ ଚହଳ ପକାଇବ ବୋଲି ପ୍ରଯୋଜନା ସଂସ୍ଥା ମତପୋଷଣ କରିଛନ୍ତି ।