ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଲୁଟ୍ ହେଉଥିବା ଲଘୁଖଣିଜ ଓ ରାଜସ୍ୱ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେ୍ଦଶ୍ୟରେ ଏକ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାର ଲଢୁଆ ଯୁବଛାତ୍ର ନେତା କଳିଙ୍ଗକେଶରୀ ଜେନା । ଆାଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ବର୍ତ୍ତମାନ କରୋନା ମହାମାରୀର ପ୍ରକୋପ ବଢିବା ସହ ବେକାରୀ ସମସ୍ୟା ମଧ୍ୟ ବହୁମାତ୍ରାରେ ବୃଦ୍ଧି ପାଇଛି । ଜିଲ୍ଲାର ୩୦ଗୋଟି ତହସିଲ ପ୍ରଶାସନ ଓ ବନବିଭାଗ ପକ୍ଷରୁ ବେଆଇନ୍ ପଥର ଓ ବାଲିବୋଝେଇ ଟ୍ରକ ଏବଂ ଟ୍ରାକ୍ଟର ଚେକିଂ କରି ଫାଇନ୍ ଆଦାୟ ଚାଲିଛି ।

ମାତ୍ର ଜିଲ୍ଲାରେ କୌଣସି ରୋଜଗାର ପନ୍ଥା ନଥିବାରୁ ଏହି ଦୁର୍ଦ୍ଦୀନରେ ନିଜ ପରିବାର ଭୋରଣପୋଷଣ ପାଇଁ ଓ ଗାଡିଗୁଡିକର ବ୍ୟାଙ୍କ୍କିସ୍ତି ସୁଜିବା ପାଇଁ ଯୁବଗୋଷ୍ଠୀମାନେ ଏଭଳି କାର୍ଯ୍ୟକୁ ଆପଣେଇଛନ୍ତି । ଏଠାରେ ପ୍ରଶ୍ନ ଉଠିଛି ଯେ, ରାତିଅଧିଆ ଓ ଦିନଦ୍ୱିପ୍ରହରରେ ସମଗ୍ର ଜିଲ୍ଲାର ତହସିଲ, ପ୍ରଶାସନ, ଜଙ୍ଗଲ ବିଭାଗ ଓ ଜିଲ୍ଲାପ୍ରଶାସନର ଛୋଟବଡ ଅଧିକାରୀମାନେ ବେଆଇନ୍ ପଥର ଓ ବାଲିବୋଝେଇ ଗାଡିଗୁଡିକୁ ଚେକିଂ କରି ଫାଇନ୍ ଆଦାୟ କରୁଛନ୍ତି ।

ସେହିପରି ଭାବେ ଉକ୍ତ ପ୍ରଶାସନର ଅଧିକାରୀମାନେ ଯଦି ମାଇନିଂ ପ୍ଲାନ୍ ସହ ଲିଜ୍ ଦିଆଯାଉଥିବା ବାଲିଘାଟ ଓ ପଥରଘାଟ ଗୁଡିକୁ ପ୍ରତି ଦେଢମାସରୁ ଦୁଇମାସ ମଧ୍ୟରେ ନିୟମ ଅନୁଯାୟୀ ପୁନଃମାପ କରିଥାନ୍ତେ ତେବେ ବେଆଇନ୍ ଭାବେ ନେଉଥିବା ବାଲି ଓ ପଥର ବୋଝେଇ ଟ୍ରକ ଓ ଟ୍ରାକ୍ଟର ଆଦାୟ ହେଉଥିବା ଫାଇନ୍ର ପାଖାପାଖୀ ଶହେଗୁଣ ଫାଇନ୍ ମାଧ୍ୟମରେ ରାଜସ୍ୱ ରାଜ୍ୟସରକାରଙ୍କ ପାଖକୁ ଆସିପାରିଥାନ୍ତା ବୋଲି ଶ୍ରୀ ଜେନା ଯୁକ୍ତିବାଢିଛନ୍ତି ।

ଏଥିସହ ମୟୂରଭଞ୍ଜ ଜିଲ୍ଲାରେ ଚାଲୁରହିଥିବା ବାଲେଶ୍ୱର ନହରପାଟଣା ଠାରୁ ବମ୍ବେଛକ ଓ ଜାମଶୋଳା-କେନ୍ଦୁଝର ଭାୟା ବିଶୋଇ-ଯଶିପୁର ରାସ୍ତା କାର୍ଯ୍ୟକରୁଥିବା ରାଜ୍ୟ ବାହାର ଠିକାଦାରମାନେ ନିଜସ୍ୱ ବ୍ୟବହାର ପାଇଁ ଲିଜ୍ରେ ନେଉଥିବା ପଥରଖାଦାନ୍ରୁ ନିଜ କାର୍ଯ୍ୟବାଦ୍ ଅନ୍ୟାନ୍ୟ କାର୍ଯ୍ୟ ଏବଂ ପଡୋଶୀ ରାଜ୍ୟକୁ ମଧ୍ୟ ପଥର ଚୋରାଚାଲାଣ କରୁଛନ୍ତି ଓ ତାଙ୍କର ଏହି ଦୁର୍ନୀତି ପ୍ରତି ଜିଲ୍ଲାପ୍ରଶାସନର କୌଣସି କଟକଣା ନାହିଁ ।

ତେଣୁ ରାଜ୍ୟ ଓ ଜିଲ୍ଲାକୁ ଯେଉଁଭଳି ବ୍ୟାପକ ଭାବେ ବାଲି ଓ ପଥର ଚୋରାଚାଲାଣ କରାଯାଉଛି ତାହାକୁ ଚେକିଂ ମାଧ୍ୟମରେ ରୋକିବାକୁ ଓ ଏହାର ଉପଯୁକ୍ତ ତଦନ୍ତ କରିବାକୁ ଶ୍ରୀ ଜେନା ବିନମ୍ର ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here