ବାରିପଦା  : ୧୯୫୦ ସେପ୍ଟେମ୍ବର ୬ ତାରିଖ ଦିନ ତକôାଳୀନ କେନ୍ଦ୍ର ସରକାର କୁଡୁମୀ ଜାତିକୁ ଆଦିବାସୀ ତାଲିକାରୁ ବାଦ ଦେଇଥିଲେ । ଫଳରେ ଏହି ଜାତିର ଲକ୍ଷଲକ୍ଷ ଯୁବକଯୁବତୀ ତଥା ପୁରୁଷ ମହିଳା ଦେଶର ସଂରକ୍ଷଣ ବ୍ୟବସ୍ଥାର ଲାଭ ନେବାରୁ ବଞ୍ଚିତ ହୋଇ ଆସୁଛନ୍ତି ।

ତେବେ କୁଡୁମୀ ଜାତିକୁ ପୁଣିଥରେ ଆଦିବାସୀ ତାଲିକା ଭୁକ୍ତ କରିବାପାଇଁ କୁଡୁମୀସେନା ପକ୍ଷରୁ ଦୀର୍ଘଦିନ ଧରି ଆନେ୍ଦାଳନ ଜାରିରହିଛି । ଏହା ସାଙ୍ଗକୁ ପ୍ରତିବର୍ଷ ସଂଗଠନ ପକ୍ଷରୁ ସେପ୍ଟେମ୍ବର ୬ ତାରିଖକୁ କଳାଦିବସ ଭାବେ ମଧ୍ୟ ପାଳନ କରାଯାଇ ଆସୁଅଛି । ଏହି ଅବସରରେ କୁଡୁମୀସେନା ପକ୍ଷରୁ ସମଗ୍ର ରାଜ୍ୟର କୁଡୁମୀ ବହୁଳ ବ୍ଲକଗୁଡିକର ମୁଖ୍ୟାଳୟ ସମେତ ସବ୍ଡିଭିଜନ୍ ତଥା ଜିଲ୍ଲା ମୁଖ୍ୟାଳୟ ମାନଙ୍କରେ ଶୋଭାଯାତ୍ରା ତଥା ପ୍ରତିବାଦ ସଭା ଇତ୍ୟାଦି ଅନୁଷ୍ଠିତ ହୋଇଥାଏ । ତେବେ ଚଳିତବର୍ଷ କୋଭିଡ୍ ପରିସ୍ଥିତି ଯୋଗୁଁ ଏହି ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ ବାତିଲ କରାଯାଇଛି ବୋଲି କୁଡୁମୀସେନାର ରାଜ୍ୟସଭାପତି ଜୈମୁନୀ କୁମାର ମହାନ୍ତ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।

ଉକ୍ତ ବିବୃତିରେ ଶ୍ରୀମହାନ୍ତ ଓଡିଶାର ବସବାସ କରୁଥିବା ଲକ୍ଷଲକ୍ଷ କୁଡୁମୀମାନଙ୍କୁ ବର୍ଷବର୍ଷ ଧରି ଅଣଦେଖା କରିଆସୁଥିବା ରାଜ୍ୟସରକାର କୁଡୁମୀସେନାର ନିରବଚ୍ଛିନ୍ନ ଆନେ୍ଦାଳନ ଦ୍ୱାରା ପ୍ରଭାବିତ ହୋଇ ଏହି ଜାତିକୁ ପ୍ରଥମଥର ପାଇଁ ରାଜନୈତିକ ପ୍ରତିନିଧିତ୍ୱର ସୁଯୋଗ ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ଏଥିରେ ଦୁଇଜଣ ମହିଳାଙ୍କୁ ବିଧାନସଭା ଏବଂ ରାଜ୍ୟସଭାକୁ ନିର୍ବାଚିତ କରାଇଛନ୍ତି । ଏଥିପାଇଁ ସଂଗଠନ ତଥା କୁଡୁମୀଜାତି ପକ୍ଷରୁ ସାଧୁବାଦ ଜଣାଯାଇଛି । ମାତ୍ର ଏହି ଆନେ୍ଦାଳନକୁ ବ୍ୟାପକ କରାଯିବ ବୋଲି ଶ୍ରୀମହାନ୍ତ ସୂଚନା ଦେଇଛନ୍ତି ।

କୋଭିଡ୍ ପରିସ୍ଥିତି ସ୍ୱାଭାବିକ ହେବାପରେ ବିଭିନ୍ନ ଆନେ୍ଦାଳନାତ୍ମାକ ପନ୍ଥା ତଥା କାର୍ଯ୍ୟକ୍ରମ ଆରମ୍ଭ ହେବବୋଲି ସେ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ ତଥା ଆସାମ ଆଦି ରାଜ୍ୟର ଆନେ୍ଦାଳନକାରୀ ତଥା ସଙ୍ଗଠନ ଗୁଡିକ ଭିତରେ ଇତି ମଧ୍ୟ ସମନ୍ୱୟ ସ୍ଥାପିତ ହୋଇସାରିଛ । ତେଣୁ ଭବିଷ୍ୟତର ବହୁ ଆନେ୍ଦାଳନାତ୍ମକ କାର୍ଯ୍ୟକ୍ରମଗୁଡିକ ଏକକାଳୀନ ପାଞ୍ଚଗୋଟି ରାଜ୍ୟରେ ମିଳିତ ଭାବରେ ମଧ୍ୟ ଆୟୋଜନ କରାଯିବା ପାଇଁ ପ୍ରସ୍ତୁତୀଜାରୀ ରହିଛି ବୋଲି କୁଡୁମୀସେନା ରାଜ୍ୟସଭାପତି ଶ୍ରୀମହାନ୍ତ ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here