ଆଗାମୀ କଳିଙ୍ଗ ବାଲିଯାତ୍ରାକୁ ନେଇ ଏବେ ରାଜନୀତି ଉଗ୍ର ରୂପ ଧରିଛି । ଗତକାଲି ଟେଣ୍ଡର ପ୍ରକାଶ ପାଇବା ପରେ ସବୁ କିଛି ସ୍ପଷ୍ଟ ହୋଇଯାଇଥିଲେ ମଧ୍ୟ ବିଜେପି ନିଜ ଜିଦ୍ରେ ଅଟଳ ରହିଛି । ଫଳରେ ପାରାଦୀପ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଧାରଣା ତୃତୀୟ ଦିନରେ ପହଞ୍ଚିଛି । ଆସନ୍ତାକାଲି ବିଜେପିକୁ ଜବାବ ଦେବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ଆସନ୍ତାକାଲି ବିଜେଡି ତିନି ହଜାର କର୍ମକର୍ତ୍ତାଙ୍କୁ ଏକାଠି କରି ଏକ ବିଶାଳ ଶୋଭାଯାତ୍ରାରେ ପାରାଦୀପ ପରିକ୍ରମା କରିବାକୁ ଯୋଜନା କରିଛି । କେବଳ ସେତିକି ନୁହେଁ ଏକ ସାଧାରଣ ସଭା ଆୟୋଜନ କରି ସାଧାରଣ ଲୋକଙ୍କ ସାମ୍ନାରେ ବିଜେପିର ମୁଖା ଖୋଲିବୁ ବୋଲି ପୌରାଧ୍ୟକ୍ଷ ତଥା ନଗର ବିଜେଡି ସଂପାଦକ ବସନ୍ତ ବିଶ୍ୱାଳ କହିଛନ୍ତି ।
ଅନ୍ୟପଟେ ବିଜେପିର ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଜଣାପଡ଼ିଛି । ବିଜେପି କର୍ମକର୍ତ୍ତମାନେ ବଡ଼ପଡ଼ିଆ ଥାନା ଛକରୁ ଏକ ଶୋଭାଯାତ୍ରାରେ ବାହାରି ପୌରପାଳିକା କାର୍ଯ୍ୟାଳୟ ନିକଟରେ ପହଞ୍ଚିବ । ସେଠାରେ ପୌରପାଳିକା କାର୍ଯ୍ୟାଳୟ ଫାଟକରେ ବିଜେପି କର୍ମକର୍ତ୍ତାମାନେ ତାଲା ପକାଇବା ସହ ଆଇନ ଶୃଙ୍ଖଳାକୁ ହାତକୁ ନେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଏଣୁ ଏଥିପାଇଁ ପୁଲିସ ପ୍ରଶାସନ ମଧ୍ୟ ସଜାଗ ରହିଛି ।

LEAVE A REPLY

Please enter your comment!
Please enter your name here