ଭୁବନେଶ୍ୱର ପରେ ଏବେ ବାଲେଶ୍ୱର ସହରର ସବୁ ସରକାରୀ ପ୍ରାଚୀରରେ ଝଲସିବ ଚିତ୍ରଶିଳ୍ପୀଙ୍କ କଳାକୃତି । ବାଲେଶ୍ୱରର ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସହରକୁ ସଜେଇବା ଲକ୍ଷ୍ୟରେ ଆରମ୍ଭ କଲେ ଏପରି ଏକ ପ୍ରଶଂସନୀୟ କାର୍ଯ୍ୟ । ବାଲେଶ୍ୱରର ଏକମାତ୍ର ଚିତ୍ରକଳା ଅନୁଷ୍ଠାନ ବାଲେଶ୍ୱର ଆର୍ଟ ଏଣ୍ଡ୍ କ୍ରାଫ୍ଟ୍ କଲେଜର ପ୍ରାୟ ଦେଢ଼ଶହ ଚିତ୍ରକଳା ବିଦ୍ୟାର୍ଥୀ ଏହି ୱାଲ୍ ପେଣ୍ଟିଂ ଅଭିଯାନରେ ସାମିଲ୍ ହୋଇଛନ୍ତି । ପ୍ରତ୍ୟହ ଦିନ ବାରଟା ପର୍ଯ୍ୟନ୍ତ ଧାର୍ଯ୍ୟ ସରକାରୀ ପାଚେରିରେ ଚିତ୍ର ଆଙ୍କୁଛନ୍ତି ଏହି ଶିଳ୍ପୀମାନେ । ସୂଚନାଯାଗ୍ୟ ଯେ ଏହା ପୂର୍ବରୁ ଥିବା ଜିଲ୍ଲାପାଳ କେବଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଆବାସିକ କାର୍ଯ୍ୟାଳୟ ପ୍ରାଚୀରରେ ପ୍ରଫେସନାଲ୍ ଶିଳ୍ପୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ବର୍ତ୍ତମାନର ଜିଲ୍ଲାପାଳ ଚିତ୍ରକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିଛନ୍ତି । ଯାହା ସୂଚନା ଅଛି, ସହରର ଏସ୍.ପି. ଅଫିସ୍, ଟ୍ରାଫିକ୍ ପୋଲିସ ଅଫିସ୍, ପାନ୍ଥନିବାସ, ଡିଆଇଜି ଅଫିସ୍, ପୋଲିସ୍ଲାଇନ୍ ହାଇସ୍କୁଲ୍, ସର୍କିଟ୍ ହାଉସ୍, ପ୍ରେସ୍ କ୍ଲବ, ଜିିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ଜଜ୍ଙ୍କ ବାସଭବନ, ଫକୀରମୋହନ କଲେଜ, ଜିଲ୍ଲା ସ୍କୁଲ, ଜିଲ୍ଲା କାରାଗାର, ପବ୍ଲିକ ହାଇସ୍କୁଲ, ତହସିଲଦାରଙ୍କ ବାସଭବନ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଡିଆର୍ଡିଏ ଅଫିସ୍୍ ପ୍ରାଚୀରମାନଙ୍କୁ ଚିତ୍ରଶିଳ୍ପୀମାନେ ନିଜର ତୂଳୀସ୍ପର୍ଶରେ ସଜେଇବେ । ଏହା ଆଗାମୀ ସପ୍ତାହକ ମଧ୍ୟରେ ଶେଷ ହେବ । ତେବେ ଅଦ୍ୟାବଧି ଟ୍ରାଫିକ୍ ପୋଲିସ ଅଫିସ, ଏସ୍ପି ଅଫିସ୍ ୱାଲ୍ରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।ଏ ସମ୍ପର୍କରେ ଆର୍ଟ ଏଣ୍ଡ୍ କ୍ରାଫ୍ଟ କଲେଜର ଅଧ୍ୟକ୍ଷ ତଥା ବରିଷ୍ଠ ଚିତ୍ରଶିଳ୍ପୀ ନିକୁଞ୍ଜ ବିହାରୀ ଦାସଙ୍କୁ ପଚାରିବାରୁ ସେ କହିଲେ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆମେ ଏ କାର୍ଯ୍ୟ କରୁଛୁ । ଏଥିପାଇଁ ବାଲେଶ୍ୱର ମ୍ୟୁନିସିପାଲିଟି ରଙ୍ଗ ଓ ଅନ୍ୟାନ୍ୟ ଉପକରଣ ଯୋଗାଇଦେବା ସହ ଛାତ୍ରଛାତ୍ରୀଙ୍କୁ ଟିଫିନ୍ ମଧ୍ୟ ଦେଉଛି । ଏଥିରେ ଆମର ଅଧ୍ୟାପକମାନେ ପରିଚାଳନା ଦାୟିତ୍ୱରେ ଅଛନ୍ତି । ଏହାଦ୍ୱାରା ଦୁଇଟି ସୁବିଧା ହେଲା । ସହର ସଜ୍ଜିକରଣ ହେବା ସହ ଆମ ଛାତ୍ରଛାତ୍ରୀ ବାହାରେ ସର୍ବସାଧାରଣରେ ଚିତ୍ର ଆଙ୍କିବାରେ ଅଭିଜ୍ଞତା ସାଉଁଟିଲେ । ଏହା ସେମାନଙ୍କର ପ୍ରାକ୍ଟିକାଲ୍ ପଢ଼ାରେ ସହାୟକ ହେବ ।ବିଭିନ୍ନ ଅଫିସ ପ୍ରାଚୀରରେ ସଂପୃକ୍ତ ଅଫିସ୍ ସମ୍ବନ୍ଧିତ ଥିମ୍ ଅନୁସାରେ ଚିତ୍ର ଅଙ୍କାଯିବା କଥା ଆପାତତଃ ସ୍ଥିର କରାଯାଇଥିବା ବେଳେ ମୁଖ୍ୟତଃ କ୍ୟାରିଅର୍ କଉନ୍ସେଲିଂ ସମ୍ବନ୍ଧିତ ଚିତ୍ର କରାଯାଉଛି । ଏହିକ୍ରମରେ ଫକୀରମୋହନ କଲେଜ ପ୍ରାଚୀରରେ କଥାସମ୍ରାଟ୍ ଫକୀରମୋହନଙ୍କ ଚିତ୍ର, ତାଙ୍କ ଗଳ୍ପଗ୍ରନ୍ଥର ଚିତ୍ର ଅଙ୍କାଯିବ । କେଉଁଠି କଳା, ଐତିହ୍ୟ, ପରମ୍ପରାର ଗାଥା ତ କେଉଁଠି ଶିକ୍ଷା, ସଂସ୍କୃତି ଓ ସଚେତନତାର ବାର୍ତ୍ତା ରହିବ । ଏବେ ପର୍ଯ୍ୟଟନ ଋତୁ ଆସି ଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ପୌର ସଂସ୍ଥା ପକ୍ଷରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ବାଲେଶ୍ୱର ସହରର ମୁଖ୍ୟରାସ୍ତାରେ ରହିଥିବା ସରକାରୀ କାନ୍ଥ ପାଚେରୀଗୁଡ଼ିକୁ ଏହିପରି ଆକର୍ଷଣୀୟ ଢଙ୍ଗରେ ଚିତ୍ରିତ କରାଯାଉଛି । ପୋଲିସ୍ଲାଇନ ଛକରୁ ଆଜିମାବାଦ ଛକ, ଷ୍ଟେସନ ଛକରୁ ଏଡ଼ିଏମ୍ ଛକ, ଫାଣ୍ଡି ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ରହିଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ସରକାରୀ ଗୃହର ପାଚେରୀଗୁଡ଼ିକରେ ବାଲେଶ୍ୱର ଜିଲ୍ଲାର ଚନ୍ଦନେଶ୍ୱର, ଭୁଷଣ୍ଡେଶ୍ୱର, କ୍ଷୀରଚୋରା, ପଞ୍ଚଲିଙ୍ଗେଶ୍ୱର, ନୀଳଗିରି ରାଜପ୍ରାସାଦ, ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହର ସହିଦ ସ୍ମୃତିପୀଠ ଆଦି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ, ଶିକ୍ଷାନୁଷ୍ଠାନର ପାଚେରୀଗୁଡ଼ିକରେ କ୍ୟାରିଅର୍ କାଉନସେଲିଂ, ଆଇଜିଙ୍କ କାର୍ଯ୍ୟାଳୟ ପାଚେରୀରେ ବାଲେଶ୍ୱରର ପାଚୀନ ନୌବାଣିଜ୍ୟ ଓ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି, ସର୍କିଟ୍ ହାଉସ ପାଚେରିରେ ଆଦିବାସୀ କଳା, ସଂସ୍କୃତି ଓ ପରମ୍ପରା, ଟ୍ରାଫିକ୍ ଥାନା ପାଚେରୀରେ ଟ୍ରାଫିକ୍ ସଚେତନତା ବାର୍ତ୍ତା, ଡିଆର୍ଡିଏ କାର୍ଯ୍ୟାଳୟରେ ସ୍ୱଚ୍ଛ ପରିବେଶ, ଜଳସଂରକ୍ଷଣ ମହିଳା ସଶକ୍ତିକରଣ ସହ ଭଳିକିଭଳି ସଚେତନତା ବାର୍ତ୍ତାର ଚିତ୍ର କାନ୍ଥରେ ବାଲେଶ୍ୱର ତଥା ଓଡ଼ିଶାବାସୀଙ୍କ ସାଂସ୍କୃତିକ ଜୀବନ ଯାତ୍ରାର ଅନେକ ଗାଥା ବଖାଣୁଛି ।ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ୧୨ଟି ଦଳରେ ଭାଗ କରାଯାଇ ସହରର ଅଲଗା ଅଲଗା ସ୍ଥାନରେ ସେମାନଙ୍କୁ ରଂଗତୂଳୀର କମାଲ୍ ଦେଖାଇବାର ସୁଯୋଗ ଦିଆ ଯାଇଛି । କଳା ମହାବିଦ୍ୟାଳୟର ଅଧ୍ୟକ୍ଷ ନିକୁଂଜ ବିହାରୀ ଦାସଙ୍କ ତତ୍ତ୍ୱାବଧାନରେ ଅଧ୍ୟାପକ ଅବନିଦ୍ର କର ସଂଗୀତା ସାମନ୍ତରାୟ, ଦୈତାରୀ ବେହେରା, ମନୋରଂଜନ ଜେନା, ବିଷ୍ଣୁପଦ ସେନାପତି, ସରିତା ମହାନ୍ତି, ଶ୍ରୀକୃଷ୍ଣ ପାତ୍ର, ସତ୍ୟବତୀ ଶତପଥି, ଅଜିତ ଜେନା ପ୍ରମୁଖ ଏହି କାର୍ଯ୍ୟକୁ ପରିଚାଳନା କରୁଛନ୍ତି । ବାଲେଶ୍ୱର ସହରକୁ ସୁନ୍ଦର ଭାବେ ସଜାଇବା ଓ ପର୍ଯ୍ୟଟନ ଋତୁରେ ଜିଲ୍ଲାକୁ ଆସିବାକୁ ଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୌରସଂସ୍ଥା ପକ୍ଷରୁ କରାଯାଇଥିବା ଏପରି ପ୍ରୟାସକୁ ସହରବାସୀ ସ୍ୱାଗତ କରିଥିବା ବେଳେ କିଛି ଏହାକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି

LEAVE A REPLY

Please enter your comment!
Please enter your name here