ଅସ୍ତରଙ୍ଗ: ନବବର୍ଷ ୨୦୨୦ ନେଇ ଅସ୍ତରଙ୍ଗର ପୀର ଜାହାନିଆଁ ବେଳାଭୂମୀ, ଗଙ୍ଗାଦେବୀ ଠାକୁରରାଣୀ ପୀଠ ସହ, ଦେବୀ ମୁହାଁଣ ତଟବର୍ତ୍ତୀ ଅଂଚଳ ଚଳ ଚଂଚଳ ହୋଇ ଉଠିଛି । ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ କୋଣ ଅନୁକୋଣରୁ ପିକ୍ନିକ ପାର୍ଟି । ହଜାର ହଜାର ସଂଖ୍ୟାରେ ଉକ୍ତ ପର୍ଯ୍ୟଟନ ସ୍ଥଳୀକୁ ଆସି ନୂଆବର୍ଷ ପାଳନ କରିଥିବା ବେଳେ ଗୁରୁବାର ଦିନଟି ମୁସଲମାନ ଭାଇ ମାନଙ୍କର ମୂଖ୍ୟ ବାର ହୋଇଥିବାରୁ ସେମାନେ ମଧ୍ୟ ପରିବାର ସହ ଜାହାନିଆଁ ପୀଠ ରେ ପହଁଚି ପୀର ଙ୍କୁ ଦର୍ଶନ କରି ବଣଭୋଜି କରିବା ସହ ସମୁଦ୍ର ସ୍ନାନ କରିଛନ୍ତି । ବିଗତ ବର୍ଷ ମାନଙ୍କରେ ଯେତେ ସବୁ ବଣଭୋଜି କରିବାକୁ ଆସିଛନ୍ତି ସମସ୍ତ ରେକର୍ଡକୁ ଉକ୍ତ ଦୁଇ ଦିନ ଭଙ୍ଗ ହୋଇଅଛି ।

ଯୁଆଡେ ଚାହିଁବ ଲୋକରଣ୍ୟ ସହ ଭୋଜି ଭାତର ଆଶର । ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଦୁଇ ପ୍ଲାଟୁନ ଫୋସ ଜହାନିଆଁ ସି-ବିଚ୍ ରେ ସ୍ଥାୟୀ ଭାବେ ନିଯୁକ୍ତି କରାଯାଇ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରୁଥିବା ବେଳେ ସମୁଦ୍ର ରେ ଶ୍ରୋତ ଥିବାରୁ ନ ଗଧୋଇବା ପାଇଁ କେନ୍ଦ୍ର ସରକାରଙ୍କର ତଟସୁରକ୍ଷା ତରଫରୁ ବୋର୍ଡ ଲାଗାଯାଇ ସତର୍କ ସୂଚନା ଜାରି କରାଯାଇଅଛି । କାର୍ତ୍ତିକ ପୂର୍ଣ୍ଣିମା ଦିନ ହେଉଥିବା ପୀର ଜାହାନିଆଁ ବାଲିଯାତ୍ରା ପରି , ପୀର ପୀଠ ଓ ବେଳାଭୂମୀ ସନ୍ନିକଟ ବିଭିନ୍ନ କିଶମର ଦୋକାନ ମାନ ଖୋଲାଯାଇଥିବା ବେଳେ ବଣଭୋଜି କରିବାକୁ ଆସିଥିବା ପୁରୁଷ ଓ ମହିଳା ମାନେ ଏହି ସବୁ ଦୋକାନରୁ ବିଭିନ୍ନ କିଶମର ଜିନିଷମାନ କିଣୁଥିବାର ଦେଖିବାକୁ ମିଳିଥିଲା । ଆଉ ମଧ୍ୟ ବଣ ଭୋଜି କରିବାକୁ ଆସିଥିବା ବିଭିନ୍ନ କଲେଜର ଛାତ୍ର ଛାତ୍ରୀ ତଥା ଯୁବକ ଯୁବତି ମାନେ ଝାଉଁ ଜଙ୍ଗଲରେ ଡେରା ପକାଇ ନାଚ, ଗୀତରେ ମଉଜ ମଜଲିସ୍ କରିଥିଲେ । ଅପର ପକ୍ଷରେ ଗଙ୍ଗାଦେବୀ ପୀଠ ଓ ଦେବୀ ମାଉଥ ସଲଗ୍ନ ଅଂଚଳରେ ମଧ୍ୟ ବହୁ ପର୍ଯ୍ୟଟକ ପହଁଚି ନୂଆବର୍ଷ ପାଳନ କରିବା ସହ ଭୋଜି ଭାତ କରି ବୋଟିଂର ମଜା ନେଇଥିଲେ । ଏହି ସବୁ ସତ୍ୱେ ହଜାର ହଜାର ପର୍ଯ୍ୟଟକ ବଣଭୋଜି କରି ସମୁଦ୍ରର ଉତ୍ତାଳ ତରଙ୍ଗକୁ ଉପଭୋଗ କରିବା ସହ ନାଚଗୀତରେ ମଉଜ ମଜଲିସ୍ କରିଥିଲେ ମଧ୍ୟ ଏହି ଦିନ ମାନଙ୍କରେ କୈାଣସି ଅଘଟଣ ଘଟିନଥିବା ଦେଖିବାକୁ ମିଳିଅଛି ।

LEAVE A REPLY

Please enter your comment!
Please enter your name here