କୁହାଯାଏ, ଭାରତସ୍ୟ ପ୍ରତିଷ୍ଠେ ଦ୍ୱେ ସଂସ୍କୃତଂ ସଂସ୍କୃତିସ୍ତଥା । ଅର୍ଥାତ୍ ସାରା ବିଶ୍ୱରେ ଭାରତର ପ୍ରସିଦ୍ଧି ଅନ୍ତରାଳରେ ଯେଉଁ ଦୁଇଟି କଥା ରହିଛି, ତାହା ହେଲା ଏହାର ଦେବଭାଷା ସଂସ୍କୃତଭାଷା ଓ ଏହାର ସଂସ୍କୃତି, ପରମ୍ପରା, ପର୍ବପର୍ବାଣୀ, ବିଧିବିଧାନ । ଭାରତବର୍ଷର ପ୍ରତ୍ୟେକ ପର୍ବପାଳନ ଏକ ଆଧ୍ୟାତ୍ମିକତା ଉପରେ ପର୍ଯ୍ୟବେସିତ । ଆଧ୍ୟାତ୍ମିକତା ହେଉଛି ପ୍ରତ୍ୟେକ ଧର୍ମର ଆତ୍ମା । ସେହିପରି ଏକ ପର୍ବ ମହାଶିବରାତ୍ରି ଯାହାକି ସର୍ବ ଆତ୍ମାଙ୍କ ପିତା ପରମପିତା ପରମାତ୍ମା ଶିବଙ୍କ ଦିବ୍ୟ ଅବତରଣ ତଥା ଅଦ୍ଭୂତ କର୍ତ୍ତବ୍ୟକୁ ସ୍ମରଣ କରାଇଦିଏ ।


ଯିଏ ସଂସାରର ଭୟ ତଥା ତ୍ରିତାପକୁ ହରଣ କରନ୍ତି, ଯିଏ ଦେବତାମାନଙ୍କର ତଥା ସଚରାଚର ସୃଷ୍ଟିର ସ୍ୱାମୀ, ଯାହାଙ୍କର ବାହନ ବୃଷଭ, ଯିଏ ଅମ୍ବିକାଙ୍କର ସ୍ୱାମୀ, ଯାହାଙ୍କ ହାତରେ ଖଟ୍ୱାଙ୍ଗ, ତ୍ରିଶୂଳ ଏବଂ ବରଦ ତଥା ଅଭୟ ମୁଦ୍ରା, ସଂସାର ରୋଗ ହରଣ ନିମିତ୍ତ ଯିଏ ଅଦ୍ୱିତୀୟ ଔଷଧ ସ୍ୱରୂପ, ସେହି ମହାଦେବଙ୍କୁ ଭକ୍ତମାନେ ଅମୃତବେଳାରେ ସ୍ମରଣ କରିଥାଆନ୍ତି । ପୁରାଣରେ ଶିବଙ୍କୁ ଦେବାଧିଦେବ ମହାଦେବ ବୋଲି କୁହାଯାଇଛି । ଶିବ ହିଁ ମହାଯୋଗୀ । ଏହାଙ୍କ ପରିଧାନ ବ୍ୟାଘ୍ରଚର୍ମ । ସର୍ପ ଏହାଙ୍କର କଟିବନ୍ଧ, ଉତ୍ତରୀୟ ମଧ୍ୟ । ଏହାଙ୍କ ଦେହସାରା ଭସ୍ମ ବିଲେପିତ ହୋଇଥାଏ । ଶିବ ହେଲେ ଜଟାଜୁଟ ଧାରୀ । ତିନିଗୋଟି ଲୋଚନ ଯୋଗୁ ଶିବ “ତ୍ରିଲୋଚନ’ । ପାଞ୍ଚଗୋଟି ମୁଖ ଥିବାରୁ ଶିବଙ୍କର ଅନ୍ୟ ନାମ “ପଞ୍ଚାନନ’ । ତ୍ରିଶୂଳ ଏହାଙ୍କର ପ୍ରଧାନ ଆୟୁଧ । ଧନୁର ନାମ ପୀନାକ । ସେଥିପାଇଁ ସେ “ପୀନାକୀ’ । ଡମ୍ବରୁ ଶିବଙ୍କର ମୁଖ୍ୟ ବାଦ୍ୟ । ଶିବ ତାଣ୍ଡବ ନୃତ୍ୟପ୍ରିୟ ଅଟନ୍ତି । ତ୍ରିପୁରାସୁରକୁ ବଧ କରିଥିବାରୁ ଏହାଙ୍କର ଅନ୍ୟ ଏକ ନାମ “ତ୍ରିପୁରାରି’ । ଅସୁର ଓ ଦେବତାମାନଙ୍କ ଦ୍ୱାରା ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ହଳାହଳ ବିଷକୁ ଜଗତର କଲ୍ୟାଣ ପାଇଁ ପାନ କରିଥିବାରୁ ଏହାଙ୍କର କଣ୍ଠ ନୀଳବର୍ଣ୍ଣ ଧାରଣ କଲା । ତେଣୁ ତାଙ୍କର ଅନ୍ୟ ଏକ ନାମ ହେଲା “ନୀଳକଣ୍ଠ’ । ତପସ୍ୟା ଦ୍ୱାରା ଅତି ଶିଘ୍ର ତୋଷ ହେଉଥିବାରୁ ଏହାଙ୍କ ନାମ “ଆଶୁତୋଷ’ । ଲୋକମାନଙ୍କର ବିଶ୍ୱାସ ଯେ, ମହାଦେବ ସର୍ବଦା ଭାଙ୍ଗ ନିଶାରେ ଭୋଳ ଥାଆନ୍ତି । ତେଣୁ ଏହାଙ୍କର ଅନ୍ୟତମ ନାମ “ଭୋଳାନାଥ’ । ତାଙ୍କର ମସ୍ତକରେ ଚନ୍ଦ୍ରଦେବତା ଶୋଭା ପାଉଥିବାରୁ ତାଙ୍କର ନାମ “ଚନ୍ଦ୍ରଶେଖର’ । ସେ ସଦା ମଙ୍ଗଳମୟ, କଲ୍ୟାଣକାରୀ, ତେଣୁ “ସଦାଶିବ’ ।
ଗଙ୍ଗା ବ୍ରହ୍ମାଙ୍କ କମଣ୍ଡଳୁରେ ବାସ କରୁଥିଲେ । କପିଳ ମୁନିଙ୍କ କ୍ରୋଧରେ ସଗରବଂଶୀମାନେ ଦଗ୍ଧ ହେଉଥିଲେ । ସେମାନଙ୍କର ଉଦ୍ଧାର ନିମନ୍ତେ ଭଗୀରଥ ଗଙ୍ଗାଙ୍କୁ ପୃଥିବୀ ଉପରେ ଅବତରଣ କରାଇବା ପାଇଁ ଚାହିଁଲେ । କଠୋର ତପସ୍ୟା ପରେ ଗଙ୍ଗା ପ୍ରସନ୍ନ ହେଲେ । ଏବେ ପ୍ରଶ୍ନ ଉଠିଲା ଗଙ୍ଗାଙ୍କୁ କିଏ ଧାରଣ କରିବ ? ଭଗୀରଥଙ୍କର ତପସ୍ୟାରେ ମୁଗ୍ଧ ହୋଇ ଶିବ ତାଙ୍କ ଜଟାରେ ଗଙ୍ଗାଙ୍କୁ ଧାରଣ କରିନେଲେ । ଗଙ୍ଗା ପୃଥିବୀରେ ପ୍ରଥମେ ଶିବଙ୍କ ଜଟାରେ ଅବତରଣ କରିଥିଲେ । ଏଣୁ ଶିବ ହେଲେ “ଗଙ୍ଗାଧର’ । ବ୍ରହ୍ମ ଆଦି ଯାବତୀୟ ଜଙ୍ଗମକୁ ପଶୁ ବୋଲାଯାଏ । ଏହି ସବୁର ସ୍ୱାମୀ ହୋଇଥିବାରୁ ତାଙ୍କର ନାମ “ପଶୁପତି’ ।


ମାଘମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ଶିବରାତ୍ରି ରୂପେ ପାଳନ କରାଯାଏ । ଏହାକୁ ଜାଗର ଅମାବାସ୍ୟା ବୋଲି ମଧ୍ୟ କୁହାଯାଏ ।
ମାଘ ଫାଲଗୁନୟୋ ମଧ୍ୟେ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ
ଶିବରାତ୍ରି ତସ୍ୟ ଜେ୍ଞୟୋ ସର୍ବ ଯଜେ୍ଞତ୍ତମୋତ୍ତମା ।ା
ଅଜ୍ଞାନ ଅନ୍ଧାର ଭିତରେ ପଥ ଅଣ୍ଡାଳି ହେଉଥିବା ମନୁଷ୍ୟମାନଙ୍କୁ ଜାଗ୍ରତ କରିବା ନିମନ୍ତେ ଯୋଗୀଗଣ ଶିବରାତ୍ରିରେ ଜାଗ୍ରତ ରହି ଯୋଗସାଧନା କରିଥାଆନ୍ତି । ଜ୍ଞାନୀମାନେ ଜ୍ଞାନଚର୍ଚ୍ଚା କରିଥାଆନ୍ତି । ଭକ୍ତମାନେ ଶିବଭାବରେ ରହି ଶିବଙ୍କ ଅଭିଷେକ କରିଥାଆନ୍ତି । ଶିବ କୋଟି କୋଟି ପ୍ରାଣୀଙ୍କୁ ପରିତ୍ରାଣ କରନ୍ତି । ଯିଏ ଶିବତତ୍ତ୍ୱକୁ ଉପଲବ୍ଧି କରି ନିରନ୍ତର ଶିବ ସ୍ମରଣରେ ନିମଗ୍ନ ରୁହନ୍ତି, ତାଙ୍କ ପ୍ରତି ଶିବ ପ୍ରସନ୍ନ ରୁହନ୍ତି । ଶିବ ମାର୍ଗୀର ମାର୍ଗ ଶ୍ରଦ୍ଧାର ମାର୍ଗ ଅଟେ । ଏଣୁ ତୁଳସୀଦାସ କହିଛନ୍ତି – “ଭବାନୀଶଙ୍କରୌ ବନ୍ଦେ ଶ୍ରଦ୍ଧାବିଶ୍ୱାସରୂପିଣୌ” । ଅର୍ଥାତ୍ ଶ୍ରଦ୍ଧା ଏବଂ ବିଶ୍ୱାସରୂପୀ ଭବାନୀଶଙ୍କରଙ୍କୁ ମୁଁ ବନ୍ଦନା କରୁଅଛି ।
ଆଧ୍ୟାତ୍ମିକ ଚେତନାର ବିକାଶ କରି ପ୍ରତ୍ୟେକ ମାନବାତ୍ମା ମଧ୍ୟରେ ଥିବା ତମୋଗୁଣର ଅନ୍ଧକାରକୁ ଦୂର କରିବା ଏହି ପର୍ବର ଲକ୍ଷ୍ୟ । ଶିବ ଏକ ସାର୍ବଭୌମ ସର୍ବୋଚ୍ଚ ଈଶ୍ୱରୀୟ ସତ୍ତା । ବିଶ୍ୱର ପ୍ରମୁଖ ଧର୍ମ, ସଂସ୍କୃତି ଓ ପ୍ରାଚୀନ ସଭ୍ୟତାର ଅଧ୍ୟୟନରୁ ଏହା ସ୍ପଷ୍ଟ ଯେ, ପରମାତ୍ମାଙ୍କର ଧରାବତରଣର ସ୍ମରଣୋତ୍ସବ ରୂପେ ପାଳିତ ଶିବରାତ୍ରି ବିଶ୍ୱର ସର୍ବାତ୍ମାଙ୍କ ପାଇଁ ଉଦ୍ଦିଷ୍ଟ । କେବଳ ଗୋଟିଏ ରାତ୍ରି ନିରାହାର, ପବିତ୍ର ରହି ଉପବାସ କରି ଶିବ ମନ୍ଦିରରେ ମାଟି ଦୀପଟିଏ ଜାଳିଦେବା ଏହି ବ୍ରତର ଉଦ୍ଦେଶ୍ୟ ନୁହେଁ । କେବଳ ଗୋଟିଏ ରାତ୍ରି ଉଜାଗର ରହିବା ଦ୍ୱାରା ବିଶେଷ କିଛି ପ୍ରାପ୍ତି ହୋଇନଥାଏ । ଆଧ୍ୟାତ୍ମିକ ଦୃଷ୍ଟିରୁ ବିଚାର କଲେ ରାତ୍ରି ଅଜ୍ଞାନ ଅନ୍ଧକାରର ପ୍ରତୀକ । ଯେତେବେଳେ ସମଗ୍ର ସୃଷ୍ଟି ଧର୍ମଭ୍ରଷ୍ଟ, କର୍ମଭ୍ରଷ୍ଟ ଓ ବିକାରପ୍ରଧାନ ହୋଇଯାଏ, ସେତେବେଳେ ବିଶ୍ୱ ପରିବର୍ତ୍ତନ କରିବା ପାଇଁ ପରମାତ୍ମାହିଁ ଏକମାତ୍ର ବିକଳ୍ପ ଅଟନ୍ତି ।
ଏହି ଅବସରରେ ବିକାରରୂପୀ “ଅରଖ’ ଓ “ଦୁଦୁରା’ ଫୁଲ ଶିବଙ୍କୁ ଅର୍ପଣ କରି ପବିତ୍ର ଜୀବନଯାପନ କରିବାକୁ ପରମାତ୍ମା ନିର୍ଦ୍ଦେଶ ଦିଅନ୍ତି । ମାଟିଦୀପ ବିନାଶୀ, ପଞ୍ଚତତ୍ତ୍ୱରେ ଗଢ଼ା ଶରୀରର ପ୍ରତୀକ ଏବଂ ଦୀପରେ ଜଳୁଥିବା ଜ୍ୟୋତି ଆତ୍ମାର ପ୍ରତୀକ । ଜାଗର ଅର୍ଥ ଜାଗୃତି । ଦେହ ପରିବର୍ତ୍ତେ ନିଜକୁ ଆତ୍ମା ବୋଲି ଭାବି ନିଜର ଆତ୍ମଶକ୍ତିକୁ ଜାଗ୍ରତ କରିବା ଅର୍ଥାତ୍ ଆତ୍ମାର ସ୍ୱଧର୍ମ “ଶାନ୍ତି’ ଏବଂ ପବିତ୍ରତାର ବ୍ରତ ପାଳନ କରିବା ଯଥାର୍ଥରେ ଜାଗରର ଉଦ୍ଦେଶ୍ୟ । ମାଟି ଦୀପକୁ ଜଳେଇବା ପାଇଁ ସାଧାରଣ ଘୃତ ବା ତୈଳ ଆବଶ୍ୟକ ହେଉଥିବା ସ୍ଥଳେ ଆତ୍ମଜ୍ୟୋତିକୁ ଜାଗ୍ରତ କରିବା ପାଇଁ ଦିବ୍ୟ ଆତ୍ମଜ୍ଞାନରୂପୀ ଘୃତ ଆବଶ୍ୟକ ହୋଇଥାଏ । ଦୀପ ଆତ୍ମଜ୍ୟୋତିର ପ୍ରତୀକ ଏବଂ ମହାଦୀପ ମହାଜ୍ୟୋତି ଶିବ ପରମାତ୍ମାଙ୍କ ପ୍ରତୀକ । ପରମାତ୍ମା ଶିବ ନିରାକାର ଜ୍ୟୋତିବିନ୍ଦୁ ସ୍ୱରୂପ । ତେଣୁ ଶିବାଳୟମାନଙ୍କରେ ତାଙ୍କର ନିରାକାର ସ୍ୱରୂପ “ଶିବଲିଙ୍ଗ’ ହିଁ ପୂଜା ପାଇଥାଏ । କେବଳ ଶିବ ପରମାତ୍ମା ହିଁ ସୃଷ୍ଟିର ଆଦି, ମଧ୍ୟ, ଅନ୍ତର ରହସ୍ୟକୁ ଜାଣନ୍ତି । ତେଣୁ ଶିବ ହେଲେ ତ୍ରିକାଳଦର୍ଶୀ । ଶିବ ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ସତ୍ୟଯୁଗର ସ୍ଥାପନା, ଶଙ୍କରଙ୍କ ଦ୍ୱାରା ପୁରୁଣା କଳିଯୁଗୀ ଦୁନିଆର ମହାବିନାଶ ଏବଂ ବିଷ୍ଣୁଙ୍କ ଦ୍ୱାରା ଦୈବୀ ସୃଷ୍ଟିର ପାଳନା ଏହି ତିନୋଟି ଦିବ୍ୟ କର୍ତ୍ତବ୍ୟ କରାଇଥାଆନ୍ତି । ତେଣୁ ସେ ତ୍ରିଦେବ ବା ତ୍ରିମୂର୍ତ୍ତି ଶିବ ନାମରେ ପରିଚିତ । ଏହାର ସ୍ମୃତି ସ୍ୱରୂପ ଶିବଲିଙ୍ଗରେ ତିନୋଟି ଗାର ଥାଏ ଏବଂ ତ୍ରିଶାଖା ବେଲପତ୍ର ଚଢ଼ାଯାଏ । ଗଳାରେ ସର୍ପ ଧାରଣ କରିଥାନ୍ତି ଶିବ । ସର୍ପ ଅମରତ୍ୱର ପ୍ରତୀକ, ତେଣୁ ଅଜର, ଅମର, ଅବିନାଶୀ ଶିବ ପରମାତ୍ମାଙ୍କ ଗଳାମଣ୍ଡନ କରିଥାଏ । ଅନ୍ୟ ଏକ ଅର୍ଥରେ ସର୍ପ ବିଷଧର ଅଟେ । ସେଥିପାଇଁ କୁହାଯାଏ – “ସର୍ପ ସମାନ ଭୟଙ୍କର, ଦୁର୍ଜନ ସଙ୍ଗ ପରିହର” । ମାତ୍ର ମହାଯୋଗୀ ଶିବ ସବୁରି ଉପରେ ବିଜୟ ହାସଲ କରିପାରିଥିବାରୁ ସମସ୍ତେ ତାଙ୍କର ଅଧୀନ । ଶିବଙ୍କ ହସ୍ତରେ ଥିବା ତ୍ରିଶୂଳ ଶିବଭକ୍ତମାନଙ୍କର ତ୍ରିତାପ (ଆଧ୍ୟାତ୍ମିକ, ଆଧିଭୌତିକ ଓ ଆଦିଦୈବିକ) ଜନିତ ଦୁଃଖ ଓ କ୍ଳେଶ ହରଣ କରିଥାଏ । ଶିବଙ୍କ ଆସନ ବ୍ୟାଘ୍ରଛାଲ ବିକାର ଉପରେ ବିଜୟ ପ୍ରାପ୍ତିର ସଙ୍କେତ ଦେଇଥାଏ । ଶିବଙ୍କ ଉପରେ ଲେପିତ ଶ୍ମଶାନ ଭସ୍ମ ବୈରାଗ୍ୟର ପ୍ରତୀକ । ଶିବଙ୍କ ଶରୀରର ଗୌର ବା ଶ୍ୱେତବର୍ଣ୍ଣ ପବିତ୍ରତାର ପ୍ରତୀକ । ହସ୍ତରେ ଧରିଥିବା ମୃଗ ସୂଚନା ଦିଏ ଚଞ୍ଚଳ ମନ ଉପରେ ବିଜୟ ହାସଲ କରିପାରିଲେ ହିଁ ଆମେ ବିଶ୍ୱବିଜୟୀ ହୋଇପାରିବା । ମନର ଦେବତା ଚନ୍ଦ୍ରକୁ ମଥାରେ ଧାରଣ କରିଥିବାରୁ ଶିବ ସଦା ସର୍ବଦା ଶାନ୍ତ, ଶୀତଳ, ଜିତେନ୍ଦ୍ରିୟ ଓ ଅମୃତମୟ । ଉପରେ ଥିବା ବସୁନ୍ଧରା ପାତ୍ରରୁ ଶିବଲିଙ୍ଗ ଉପରେ ପଡ଼ୁଥିବା ବିନ୍ଦୁ ବିନ୍ଦୁ ଜଳ ଏ କଥା ସୂଚେଇ ଦେଇଥାଏ କି ପରମାତ୍ମାଙ୍କ ସହିତ ବିନ୍ଦୁରୂପୀ ଆତ୍ମାମାନେ ନିରନ୍ତର ସଂଯୁକ୍ତ ରହିବା ଉଚିତ । ଶିବଙ୍କ ବାହନ ବୃଷଭ “ନନ୍ଦୀ’ ସାକ୍ଷାତ୍ ଧର୍ମାବତାର । “ଯତ୍ର ଧର୍ମଂ ତତ୍ର ଜୟଃ” ସେଥିପାଇଁ କୁହାଯାଇଥାଏ ।


ପୁନଶ୍ଚ ଶିବ ପରିବାରରେ ବୃଷଭ, ସିଂହ, ମୂଷିକ, ସର୍ପ ଓ ଗରୁଡ଼ ପରସ୍ପର ବୈରଭାବ ତ୍ୟାଗ କରି ସୁଖ ଶାନ୍ତି ଆନନ୍ଦରେ ଏକତ୍ର ବାସ କରନ୍ତି । ତେଣୁ ଏ ସୃଷ୍ଟିରେ କେହି କାହାର ଶତ୍ରୁ ନୁହଁନ୍ତି । ଏ ସବୁର ମୂଳ କାରଣ ମନ । ମନ ଉପରେ ନିୟନ୍ତ୍ରଣ ଏକାନ୍ତ ଆବଶ୍ୟକ । ସେଥିପାଇଁ ଶ୍ରୀମଦ୍ଭଗବଦ୍ଗୀତାରେ କୁହାଯାଇଛି –
ମନ ଏବ ମନୁଷ୍ୟାଣାଂ କାରଣଂ ବନ୍ଧମୋକ୍ଷୟୋଃ
ବନ୍ଧାୟ ବିଷୟାସକ୍ତଂ ମୁକ୍ତ୍ୟୈ ନିର୍ବିଷୟଂ ସ୍ମୃତମ୍ ।
ଅର୍ଥାତ୍ : ମନ ହିଁ ମନୁଷ୍ୟର ବନ୍ଧନ ଏବଂ ମୋକ୍ଷର କାରଣ । କାରଣ ମନ ବିଷୟାସକ୍ତ ହେଲାପରେ ବନ୍ଧନର ହେତୁ ହୁଏ ଏବଂ ବିଷୟରେ ବୈରାଗ୍ୟ ଜନ୍ମିଲା ମାତ୍ରେ ମୁକ୍ତି ହୋଇଥାଏ ।
ଶ୍ୟଙ୍କରାଚାର୍ଯ୍ୟ ମଧ୍ୟ କହିଛନ୍ତି – ବନେ୍ଧା ହି କୋ? – ଯୋ ବିଷୟାନୁରାଗଃ ।
କୋ ବା ବିମୁକ୍ତିଃ – ବିଷୟେ ବିରକ୍ତିଃ ।ା (ମଣିରତ୍ନମାଳା) ଅର୍ଥାତ୍ ବନ୍ଧନ କାହାକୁ କହନ୍ତି ? – ବିଷୟ ଭୋଗରେ ମନର ଯେଉଁ ଅନୁରାଗ, ତାହାର ନାମ ବନ୍ଧନ । ଆଉ ମୁକ୍ତି କାହାକୁ କହନ୍ତି ? ବିଷୟବାସନାରହିତ ବା ବିଷୟରେ ବିରକ୍ତି ହେବାର ନାମ ମୁକ୍ତି । ସୁତରାଂ ଆସକ୍ତିଶୂନ୍ୟତା ହିଁ ସୁଖ, ଶାନ୍ତି, ଆନନ୍ଦର ଉତ୍ସ ।
ପରମାତ୍ମା ଶିବଙ୍କର ଶରୀର ନାହିଁ । ଶରୀରଧାରୀ ପାଖକୁ ଶରୀର ଦ୍ୱାରା ଯିବାକୁ ପଡ଼େ । ତେବେ ଯାହାଙ୍କର ଶରୀର ନାହିଁ, ତାଙ୍କ ପାଖକୁ ଯିବାକୁ ହେଲେ ପ୍ରଥମେ ନିଜକୁ ଏକ ଅଶରୀରୀ, ଶରୀରରୁ ଭିନ୍ନ ଏକ ଜ୍ୟୋତିର୍ବିନ୍ଦୁ ଆତ୍ମା ବୋଲି ନିଶ୍ଚୟ କରିବାକୁ ହେବ । ମନରୂପୀ ବିମାନ ଦ୍ୱାରା ପରମାତ୍ମା ଶିବଙ୍କ ନିକଟକୁ ଯିବାକୁ ହେବ ଏବଂ ବୁଦ୍ଧିଦ୍ୱାରା ତାଙ୍କଠାରୁ ବରଦାନ ନେବାକୁ ହେବ । ତେବେ ମନଦ୍ୱାରା କିପରି ଯିବେ ? ଏପରିବି ସଂସାରରେ ଯାହା ସହିତ ସ୍ନେହ ଥାଏ, ତାଙ୍କ ବିଷୟରେ ମନୁଷ୍ୟ କହିଥାଏ ଯେ ମୋର ମନ ତା ପାଖରେ ଅଛି, କିନ୍ତୁ ଶରୀର ଏହିଠାରେ ଅଛି । ତେବେ ଯଦି ପରମାତ୍ମା ଶିବଙ୍କ ସହିତ ଆମର ସ୍ନେହ ଅଛି, ତେବେ ଆମର ଶରୀର ଏହିଠାରେ ରହି ମଧ୍ୟ ମନ ସେଠାକୁ ଯାଇପାରିବ । ପରମାତ୍ମା ଶିବ ଆମର ମାତା, ପିତା,ଶିକ୍ଷକ, ଗୁରୁ, ବନ୍ଧୁ ସବୁକିଛି । ସେ ବ୍ରହ୍ମଲୋକନିବାସୀ । ବ୍ରହ୍ମଲୋକ କେଉଁଠାରେ? କୁହାଯାଏ ସ୍ଥୂଳଲୋକ ଓ ସୂକ୍ଷ୍ମଲୋକ ଉପରେ, ସୂର୍ଯ୍ୟ ଚନ୍ଦ୍ର ତାରା, ଆକାଶ, ମହାକାଶ ପରେ ଆଉ ଏକ ଦିବ୍ୟ ଦୁନିଆ ଅଛି, ଯେଉଁଠାରେ ପ୍ରକାଶ ହିଁ ପ୍ରକାଶ ଅଟେ, ଯେଉଁଠାରେ ପରମାତ୍ମା ଶିବ ବାସ କରିଥାଆନ୍ତି । ଯେଉଁ ଧାମକୁ ବ୍ରହ୍ମଲୋକ, ନିର୍ବାଣ ଧାମ, ଶାନ୍ତିଧାମ, ପରମଧାମ, ମୁକ୍ତିଧାମ ଆଦି କୁହାଯାଇଥାଏ । ସେହି ସ୍ଥାନକୁ ମନରୂପୀ ଯାନରେ ଯିବାକୁ ହେବ । ସଂସାରରେ ମଧ୍ୟ ଦେଖାଯାଏ, ଯେଉଁଠାକୁ ମନୁଷ୍ୟକୁ ଯିବାକୁ ହୋଇଥାଏ, ପ୍ରଥମେ ତାଙ୍କର ମନ ସେଠାରେ ପହଞ୍ôଚ ଯାଇଥାଏ, ପରେ ସେ ସ୍ୱୟଂ ପହଞ୍ôଚଥାଏ । ତେବେ ବର୍ତ୍ତମାନ ସମୟରେ ଆମେ ଜୀବାତ୍ମାମାନେ ମନକୁ ଶିବ ପରମାତ୍ମାଙ୍କ ସହ ଜୋଡ଼ି ଦେଇ, ବୁଦ୍ଧି ଦ୍ୱାରା ତାଙ୍କ ସହ ମଗ୍ନ ହୋଇପାରିଲେ ସମ୍ପୂର୍ଣ୍ଣ ପବିତ୍ରତା, ସଦାସୁଖ ଏବଂ ଚିରଶାନ୍ତି ଲାଭ କରିପାରିବା ।

LEAVE A REPLY

Please enter your comment!
Please enter your name here