ସୌଭାଗ୍ୟ ରଂଜନ ମହାନ୍ତି(ରାଜା)ସାମ୍ବାଦିକ : ପାର୍ଲିଆମେଂଟର ମୌସୁମୀ ଅଧିବେଶନ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେଉଛି ଏବଂ ଅଧିବେଶନ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ମାତ୍ର ୧୭ଟି କାର୍ଯ୍ୟାଦିବସ ଥିବା ମୌସୁମୀ ଅଧିବେଶନ ଏଥର ବିଭିନ୍ନ କାରଣରୁ ସ୍ମରଣୀୟ ଏବଂ ଗୁରୁତ୍ୱପୂର୍ଣ୍ଣ ହୋଇ ରହିବ, ଏଥିରେ ସନେ୍ଦହ ନାହିଁ ।

ଅଧିବେଶନରେ କୌଣସି ଛୁଟି ଦିବସ କିମ୍ବା ପ୍ରଶ୍ନୋତର କାର୍ଯ୍ୟକ୍ରମ ରହିବ ନାହିଁ । କେବଳ ଏତିକି ନୁହେଁ, ଅଧିବେଶନ ପ୍ରତ୍ୟହ ମାତ୍ର ଚାରିଘଂଟା ପାଇଁ ବସିବ, ଯେଉଁ ସମୟ ଅବଧିରେ ଆଉ ପରିବର୍ତନ ବା ସଂଶୋଧନ ଆଶାକ୍ଷୀଣ । ସ୍ମରଣଯୋଗ୍ୟ ଯେ, ଅତୀତରେ କେତେକ ପ୍ରସଙ୍ଗରେ ଆଲୋଚନା ବେଳେ ରାତି ତମାମ ଅଧିବେଶନ ବା ବୈଠକ ବସିବାର ନଜୀର ରହିଛି । ଏହା ନିଶ୍ଚିତ ଯେ, ଭାରତୀୟ ଗଣତନ୍ତ୍ରରରେ ପାର୍ଲିଆମେଂଟ ହେଉଛି ପବିତ୍ର ମନ୍ଦିର ଏବଂ ଏହାର ସ୍ୱତନ୍ତ୍ର ସ୍ଥାନ ରହିଛି ।

ମାତ୍ର ଏଥର ପ୍ରାଣଘାତୀ କରୋନା ଭୂତାଣୁ ମହାମାରୀ ଯୋଗୁଁ ଅଧିବେଶନ ବିଳମ୍ବିତ ହୋଇଥିବା ସହ ସଂକ୍ଷିପ୍ତ ହୋଇଛି ବୋଲି କୁହାଯାଇପାରେ । ବଜେଟ ଅଧିବେଶନ ପରେ ସାଧାରଣତଃ ଜୁଲାଇ-ଅଗଷ୍ଟ ମାସରେ ମୌସୁମୀ ଅଧିବେଶନ ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବରରେ ଅନୁଷ୍ଠିତ ହେଉଛି । ପୁଣି ସଂକ୍ଷିପ୍ତ ଏବଂ ଗୃହର ଅବଧିକୁ କାଟଛାଟ ହୋଇଛି । ଏହା ସତ୍ୟ ଯେ, କରୋନା ମହାମାରୀ ବିରୁଦ୍ଧରେ ଦୀର୍ଘ ୬ମାସରୁ ଉଦ୍ଧ୍ୱର୍ ସମୟ ଧରି ଦେଶ ଲଢେଇ ଜାରି ରଖିଛି ।

କରୋନା କେବଳ ଜୀବନ-ଜୀବିକାକୁ ବିପନ୍ନ କରିନାହିଁ, ସମସ୍ତ କ୍ଷେତ୍ର ଓ କର୍ମକ୍ଷେତ୍ରକୁ ମଧ୍ୟ ପଙ୍ଗୁ କରିଦେଇଛି ବୋଲି ସ୍ୱୀକାର କରିବାକୁ ହେବ । ଭାରତୀୟ ଗଣତନ୍ତ୍ରର ପବିତ୍ର ମନ୍ଦିର ପାର୍ଲିଆମେଂଟକୁ ମଧ୍ୟ ପ୍ରଭାବିତ କରିଦେଇଛି । ପାର୍ଲିଆମେଂଟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ଭାବେ ପରିଚିତ ପ୍ରଶ୍ନୋତର କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଲୋକପ୍ରତିନିଧିମାନେ ସରକାରଙ୍କୁ ପ୍ରଶ୍ନ କରିଥାନ୍ତି ଏବଂ ବିରୋଧି ଦଳ ସରକାରଙ୍କୁ ଉତରଦାୟୀ କରିଥାଏ ।

ଏହା ନିଶ୍ଚିତ ଯେ, ଉଭୟ ଶାସକ ଓ ବିରୋଧି ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ ଭାବେ ସାବ୍ୟସ୍ତ ହୋଇଆସିଛି । ଯେଉଁଥିରେ ଉଭୟ ଶାସକ ଓ ବିରୋଧି ଦଳ ସାଂସଦ ସରକାରଙ୍କୁ ପ୍ରଶ୍ନ ପଚାରିଥାନ୍ତି ଏବଂ ସରକାର ଏହାର ଉତର ଦେଇଥାନ୍ତି । ସେହିପରି ପ୍ରଶ୍ନୋତର ପରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ହେଉଛି ‘ଜିରୋ ଆୱାର’ ବା ‘ଶୂନ୍ୟକାଳ’ । ଯେଉଁଥିରେ ଉଭୟ ଶାସକ ଓ ବିରୋଧି ଦଳର ସଦସ୍ୟମାନେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠାଇଥାନ୍ତି । ଶୂନ୍ୟକାଳ ମଧ୍ୟ ଉଭୟ ଶାସକ ଓ ବିରୋଧିଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରଶ୍ନୋତର କାର୍ଯ୍ୟକ୍ରମ ହେଉ ବା ଶୂନ୍ୟକାଳ ହେଉ ସରକାରଙ୍କୁ ଅଡୁଆରେ ପକାଇବା ପ୍ରଣୟନ ପାଇଁ ଏହା ଏକ ଗରୁତ୍ୱପୂର୍ଣ୍ଣ ସମୟ ଭାବେ ପରିଚିତ । ବିରୋଧି ଦଳ ପାଇଁ ଏହା ଏକ ମର୍ଯ୍ୟଦାଜନକ ସମୟ ହୋଇଥିବା ବେଳେ ସୁଯୋଗ ମଧ୍ୟ ଆଣିଦେଇଥାଏ ।

ମାତ୍ର କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଏହି ଗୁରୁତ୍ୱପୂର୍ଣ୍ଣ ସମୟ ଏବେ ପ୍ରଭାବିତ ହୋଇଛି । କେବଳ ଏତିକି ନୁହେଁ, କରୋନା ମାଡରେ ସରକାର ପାର୍ଲିଆମେଂଟର କାର୍ଯ୍ୟକ୍ରମକୁ ସଂକ୍ଷିପ୍ତ ଓ ସଂକୁଚିତ କରିବାକୁ ଏ ପ୍ରକାର ବାଧ୍ୟ ହୋଇଛନ୍ତି ବୋଲି କୁହାଯାଇପାରିବ । କରୋନା ମହାମାରୀ ଦେଶର ସମସ୍ତ କ୍ଷେତ୍ରକୁ ପ୍ରଭାବିତ କରିଥିବା ବେଳେ ପାର୍ଲିଆମେଂଟ ମଧ୍ୟ ଏହାର ପ୍ରଭାବରୁ ବାଦ ପଡିନାହିଁ । କହିବା ବାହୁଲ୍ୟ ଯେ, କେବଳ ଭାରତ ନୁହେଁ, ବିଶ୍ୱର ବହୁ ରାଷ୍ଟ୍ରର ପାର୍ଲିଆମେଂଟ କରୋନା ମହାମାରୀ ଦ୍ୱାରା ପ୍ରଭାବିତ । ଚଳିତ ବର୍ଷ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରୀକ ରାଷ୍ଟ୍ର ଆମେରିକାରେ ଆସନ୍ତା ନଭେମ୍ବର ମାସରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି ।

ଅଲିଖିତ ସଂବିଧାନର ନିଦେ୍ର୍ଦଶ ସତ୍ୱେ କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ରାଷ୍ଟ୍ରପତି ନିର୍ବାଚନକୁ ସ୍ଥିଗିତ ରଖିବାକୁ ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପ ପ୍ରସ୍ତାବ ଦେଇଥିଲେ । ଇତି ମଧ୍ୟରେ ଦେଶରେ ବହୁ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ହୋଇପାରିନାହିଁ । ତେବେ ବିଧାନସଭା ଅଧିବେଶନ ବସିଥିବା ରାଜସ୍ଥାନ ଓ ଉତରପ୍ରଦେଶ ବିଧାନସଭା ବିନା ପ୍ରଶ୍ନୋତର ଗୃହର କାର୍ଯ୍ୟକ୍ରମ ହୋଇଥିଲା । ଛତିଶଗଡ ଏବଂ ଅରୁଣାଚଳ ପ୍ରଦେଶ ବିଧାନସଭର ମଧ୍ୟ ବିନା ପ୍ରଶ୍ନ-ଉତର କାର୍ଯ୍ୟକ୍ର୍ରମ ହୋଇଛି । ପାର୍ଲିଆମେଂଟ ହେଉଛି ଦେଶବାସୀଙ୍କର ବିକାଶର ପ୍ରତୀକ । ଏହାକୁ ସୁରୁଖୁରୁରେ ଚଳାଇବା ଉଭୟ ଶାସକ ଓ ବିରୋଧି ଦଳର ସାଂସଦମାନଙ୍କର କର୍ତବ୍ୟ ଓ ଧର୍ମ ।

ଆସନ୍ତା ମୌସୁମୀ ଅଧିବେଶନର ସଂକ୍ଷିପ୍ତ ହେଲେ ବି ଏହାକୁ ଶତ ପ୍ରତିଶତ ଫଳପ୍ରଦ କରିବା ପାଇଁ ଲୋକପ୍ରତିନିଧି ମାନେ ପଦକ୍ଷେପ ନେବେ ବୋଲି ଆମେ ଦୃଢ ଆଶାବାଦୀ । ଦେଶ ଆଜି କେବଳ କରୋନା ଭୂତାଣୁ ସଂକ୍ରମଣର ସମ୍ମୁଖୀନ ହୋଇନାହିଁ । ସୀମାନ୍ତରେ ଚୀନର ଅନୁପ୍ରବେଶ ଉଦ୍ୟମ ଯୋଗୁଁ ଉତେଜନା ଦେଖାଦେଇଛି । ଦୁଇଦେଶ ଯୁଦ୍ଧପାଇଁ ପ୍ରସ୍ତୁତ ଥିବା ଭଳି ମନେ ହୁଏ । ଏହା ବ୍ୟତୀତ ପ୍ରାକୃତିକ ବିପର୍ଯ୍ୟାୟ ବର୍ଷା ଓ ବନ୍ୟାର ତାଣ୍ଡବରେ ଦେଶର ଅର୍ଦ୍ଧାଧିକ ଲୋକ ପିଡିତ । ଲକଡାଉନ ଯୋଗୁଁ କୋଟି କୋଟି ଶ୍ରମିକ ଜୀବିକା ହରାଇ ବେକାର ହୋଇଛନ୍ତି । ଏସବୁ ଉପରେ ଗୃହ ଆଲୋଚନା କରିବା ଜରୁରୀ ।

LEAVE A REPLY

Please enter your comment!
Please enter your name here