nalco

ଭୁବନେଶ୍ୱର ପରି ସଚେତନ ଓ ସଂସ୍କୃତି ସମ୍ପନ୍ନ ମହାନଗରୀରେ ଜଣେ ଛାତ୍ର ମୋବାଇଲ ଫୋନ ବ୍ୟବହାର ସହ ପରିବାରର ଆକଟ ଘଟଣାକୁ ନେଇ ଅଭାବନୀୟ ଭାବେ ଜୀବନ ହାରି ଦେଇଛି । ପିଲାଟିର ଜୀବନକୁ ନେଇ ବାପାମାଆଙ୍କ ଯେଉଁ ସ୍ୱପ୍ନ ଥିଲା ସେ ସବୁ ଧୂଳିରେ ମିଶିଯାଇଛି । ଅନେକ ସମୟରେ ପ୍ରଶ୍ନପତ୍ର ଲିକ ଯୋଗୁଁ ଦେଶରେ ଛାତ୍ରଛାତ୍ରୀମାନେ ପୁନର୍ବାର ପରୀକ୍ଷା ଦେବାକୁ ବାଧ୍ୟ ହୋଇଥିବାରୁ ସ୍ୱାଭାବିକ ଭାବେ ତାହା ସେମାନଙ୍କ ଉପରେ ଚାପ ବଢ଼ାଇଛି । ପ୍ରକୃତରେ ସମଗ୍ର ଦେଶରେ ଛାତ୍ରଛାତ୍ରୀଙ୍କ ଉପରେ ଚାପ ବଢ଼ୁଥିବାରୁ ସେମାନଙ୍କ ଭିତରେ ଆତ୍ମହତ୍ୟା ସମସ୍ୟା ବୃଦ୍ଧି ପାଉଛି । ହିସାବ କରି ଦେଖାଯାଇଛି ଯେ ଭାରତରେ ପ୍ରତି ଏକଘଣ୍ଟାରେ ଜଣେ ଛାତ୍ରଙ୍କର ଆତ୍ମହତ୍ୟା ଘଟୁଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ୨୦୧୬ରେ ୯୪୭୪ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବାବେଳେ ୨୦୦୭ରୁ ୨୦୧୬ ଭିତରେ ସେମାନଙ୍କ ଭିତରେ ଆତ୍ମହତ୍ୟା ସଂଖ୍ୟା ୭୫ ହଜାର ଥିଲେ । ପ୍ରତି ଆତ୍ମହତ୍ୟାର କାରଣ ଖୋଜି ସମସ୍ୟାର ସରଳ ସମାଧାନ ବାହାର କରିବା ସମ୍ଭବ ନୁହେଁ । କିନ୍ତୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ୨୦୧୬ରେ ହୋଇଥିବା ଆତ୍ମହତ୍ୟାର ଏକ ଚତୁର୍ଥାଂଶ ଏବଂ ୨୦୦୭ରୁ ୨୦୧୬ ମଧ୍ୟରେ ୨୩ ହଜାରଟି ଆତ୍ମହତ୍ୟାର କାରଣ ଥିଲା ପରୀକ୍ଷାରେ ଅସଫଳତା । ପରୀକ୍ଷା ଫେଲ ବାଦ ଛାତ୍ରଛାତ୍ରୀମାନେ ର‌୍ୟାଗିଂ ଓ ଅନ୍ୟାନ୍ୟ କାରଣରୁ ମାନସିକ ଚାପର ଶିକାର ହେଉଛନ୍ତି ।


ଦେଶର ଶିକ୍ଷା କ୍ଷେତ୍ରରେ ବହୁ ସମସ୍ୟା ରହିଛି । ଏସବୁର ସମାଧାନ ପାଇଁ ସବୁପକ୍ଷରୁ ଉଦ୍ୟମ ହେବା ଦରକାର । କିନ୍ତୁ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଏକ ଗୁରୁତର ସମସ୍ୟା । ଅଭିଭାବକମାନେ ପିଲାମାନଙ୍କ ଉପରେ ପାଠପଢ଼ାରେ ଭଲ କରିବା ଲାଗି ଚାପ ଦେଉଛନ୍ତି । ଏହାର ପରିଣତି ଅନେକ ସମୟରେ ଖରାପ ହେଉଛି । ରାଜସ୍ଥାନର କୋଟାରେ ଇଞ୍ଜିନିୟରିଂ ଆଦି ପେଷାଗତ ପାଠ୍ୟକ୍ରମ ପାଇଁ ଯେଉଁ କୋଚିଂ ଦିଆଯାଉଛି ତାହାର ଚାପ ଯୋଗୁଁ ଆତ୍ମହତ୍ୟା ଓ ଅନ୍ୟାନ୍ୟ ସମସ୍ୟା ଘଟୁଥିବା ଜଣାଶୁଣା । ର‌୍ୟାଗିଂ ଘଟଣା ଅନେକାଂଶରେ ଲୋକଙ୍କ ଦୃଷ୍ଟିକୁ ଆସୁନାହିଁ । ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନର ଅନୁଧ୍ୟାନରୁ ଜଣାପଡ଼ିଛି ଯେ ର‌୍ୟାଗିଂର ଶିକାର ହେଉଥିବା ୮୪ ପ୍ରତିଶତ ପିଲା ଏହାକୁ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣୁନାହାନ୍ତି । ର‌୍ୟାଗିଂ ପ୍ରତି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସତର୍କଦୃଷ୍ଟି ରଖିବା ଦରକାର ଓ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ଲୋଡ଼ା । ସାଧାରଣ ଭାବେ ପାଠପଢ଼ା କ୍ଷେତ୍ରରେ ସିଲାବସ୍କୁ ବି ସରକାର ବଦଳାଇବା ଉଚିତ । ଏନସିଆରଟି ଛାତ୍ରଛାତ୍ରୀଙ୍କର ପାଠପଢ଼ା ଚାପ ଅଧା କମାଇବାକୁ ଯୋଜନା କରୁଥିବା ଖୁସିର ବିଷୟ । କିନ୍ତୁ କେବଳ ତଳଶ୍ରେଣୀରେ ପାଠ୍ୟକ୍ରମକୁ ହାଲକା କରିଦେଇ ଉପରଶ୍ରେଣୀର ସିଲାବସକୁ ଅପରିବର୍ତ୍ତିତ ରଖାଗଲେ ଅସଲ ଉଦ୍ଦେଶ୍ୟ ସାଧିତ ହେବନାହିଁ । ଦଶମ ଓ ଦ୍ୱାଦଶ ଶ୍ରେଣୀରେ ବି ପାଠ୍ୟକ୍ରମ ବଦଳିବା ଦରକାର । ଯେପରି ଭାବେ ପିଲାମାନେ କେବଳ ଘୋଷା ପାଠରେ ମନ ନିବେଶ ନକରିବେ ସେହି ଲକ୍ଷ୍ୟରେ ପରିବର୍ତ୍ତନ ଆଣିବାକୁ ହେବ । ପାଠପଢ଼ାରେ ଭଲକରି ଚାକିରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳ ହେବାର ଚାପ ସ୍ୱାଭାବିକ ଭାବେ ଭାରତୀୟ ଛାତ୍ରଛାତ୍ରୀଙ୍କ ଅବସାଦ ବଢ଼ାଉଛି । ଗତି କିଛି ବର୍ଷ ମଧ୍ୟରେ ପାଠପଢ଼ା ଓ କ୍ୟାରିୟର କ୍ଷେତ୍ରରେ ବିକଳ୍ପ ପସନ୍ଦ ସବୁ ଆସିଲାଣି । ଅନେକ ଅନୁଷ୍ଠାନ ଅନ୍ଲାଇନ କୋର୍ସ ମଧ୍ୟ ପ୍ରବର୍ତ୍ତନ କରିଛନ୍ତି । ଉଭୟ ଭାରତୀୟ ଓ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଏଥିରେ ସଂଶ୍ଲିଷ୍ଟ । ଏଣୁ ସ୍କୁଲସ୍ତରରୁ ଉଚ୍ଚଶିକ୍ଷା ଅନୁଷ୍ଠାନ ଯାଏ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ପରାମର୍ଶ ଦିଆଯିବା ଦରକାର । ସେମାନଙ୍କ ମାନସିକ ଚାପକୁ କମ ରଖି ଆଗ୍ରହର ସହ ସେମାନେ କିପରି ପ୍ରତିଦ୍ୱନ୍ଦିତାରେ ଆଗେଇପାରିବେ ସେହି ପରାମର୍ଶ ସର୍ବାଧିକ ଛାତ୍ରଛାତ୍ରୀଙ୍କ ପାଇଁ ଲୋଡ଼ା । ଏ କ୍ଷେତ୍ରରେ ମନସ୍ତାତ୍ତ୍ୱିକ ପରାମର୍ଶ ଅପେକ୍ଷା ଶିକ୍ଷା ବିଶାରଦଙ୍କ ଉପଦେଶ ଅଧିକ କାମ ଦେବ । ପାଠପଢ଼ାର ଆପାତତଃ ମୁଖ୍ୟ ଉଦ୍ଦେଶ୍ୟ ନିଯୁକ୍ତି । ଦେଶରେ ଦକ୍ଷତା ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । କିନ୍ତୁ ସେଗୁଡ଼ିକ ସଫଳ ହୋଇନଥିବାରୁ ଯୁବକ ଯୁବତୀ ଉପଯୁକ୍ତ ଚାକିରି ପାଉନାହାନ୍ତି । ଏପରିକି ଇଞ୍ଜିନିୟରିଂ ତଥା ଅନ୍ୟାନ୍ୟ ଶିକ୍ଷାଗତ ଯୋଗ୍ୟତା ହାସଲ କରୁଥିବା ଯୁବଶ୍ରେଣୀର ନିଯୁକ୍ତି ଯୋଗ୍ୟତା ମଧ୍ୟ ରହୁନାହିଁ । ଏସବୁ ସମସ୍ୟାର ସମାଧାନ ଲୋଡ଼ା । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମାନସିକ ସମସ୍ୟା ବଢ଼ୁଥିବାରୁ ସରକାର ମାନସିକ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ହେବ । ଏଥିଲାଗି ଅଧିକ ମାନସିକ ଡାକ୍ତର ମଧ୍ୟ ସୃଷ୍ଟି କରିବାକୁ ପଡ଼ିବ । ଭାରତରେ ପ୍ରତି ୧ଲକ୍ଷରେ ମାତ୍ର ୦.୬ ଜଣ ମାନସିକ ସ୍ୱାସ୍ଥ୍ୟ ସେବାକାରୀ ଅଛନ୍ତି, ଯାହା ଅନ୍ୟ ଦେଶଗୁଡ଼ିକ ତୁଳନାରେ ଖୁବ୍ କମ୍ ।

LEAVE A REPLY

Please enter your comment!
Please enter your name here