ଅନୁଗୁଳ: କୋଇଲା ଖଣି ଗୁଡିକର ଘରୋଇ କରଣ ବିରୋଧରେ ଏବଂ କୋଇଲା ଖଣି ଶ୍ରମିକ କର୍ମଚାରୀଙ୍କ ବିରୋଧରେ କେନ୍ଦ୍ର ବିଜେପି ସରକାରଙ୍କ ପଦକ୍ଷେପର ପ୍ରତିବାଦରେ ୨ରୁ ୪ ଜୁଲାଇ ୨୦୨୦ ତିନି ଦିନିଆ ଧର୍ମଘଟକୁ ସର୍ବ ସ୍ତରର ଶ୍ରମଜୀବି ଜନସାଧାରଣ ସଫଳ କରିବା ପାଇଁ ଅଲ ଇଣ୍ଡିଆ ୟୁନାଇଟେଡ୍ ଟ୍ରେଡ୍ ୟୁନିୟନ ସେଟଂର (ଏ.ଆଇ.ୟୁ.ଟି.ୟୁ.ସି) ପକ୍ଷରୁ ଆହ୍ୱାନ କରାଯାଇଛି । ତକ୍ରାଳୀନ କେନ୍ଦ୍ରର କଂଗ୍ରେସ ସରକାରଙ୍କ ଦ୍ୱାରା ପ୍ରଚଳିତ ଘରୋଇକରଣ ନୀତିକୁ କେନ୍ଦ୍ରର ବିଜେପି ସରକାର ୨୦୧୪ ମସିହା ଠାରୁ ଜୋରସୋରରେ କାର୍ଯ୍ୟକାରୀ କରିଆସୁଛନ୍ତି । ଶ୍ରମିକ କର୍ମଚାରୀଙ୍କ ବାରମ୍ବାର ବିରୋଧକୁ ବେଖାତିର କରି କେନ୍ଦ୍ର ବିଜେପି ସରକାର ଏନ.ଟି.ପି.ସି, ନାଲକୋ, ବିପିସିଏଲ,ପିଜିସିଆଇଏଲ, କୋଇଲା ଆଦି ରାଷ୍ଟ୍ରାୟାତ ଉଦ୍ୟୋଗ ଗୁଡିକୁ ଘରୋଇକରଣ କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି ।

ବିଶେଷ କରି କୋଇଲା ଖଣି (ସ୍ୱତନ୍ତ୍ର ବ୍ୟବସ୍ଥା) ଆଇନ୍ ୨୦୧୫ କୋଲ ମାଇନ୍ସ ଲାଗୁକରି ଏବଂ ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ୍ ୧୯୫୭ କୁ ସଂଶୋଧନ କରି କୋଇଲା କ୍ଷେତ୍ରରେ ଦେଶୀ ଓ ବିଦେଶୀ ଘରୋଇ କମ୍ପାନୀ ମାନଙ୍କୁ ପ୍ରବେଶ କରାଇବାରେ ବିଜେପି ସରକାର ସୁବ୍ୟବସ୍ଥା କରି କୋଲ ଇଣ୍ଡିଆ ଲିମିଟେଡ୍ ଓ ସିଙ୍ଗାରେଣୀ କୋଲିୟେରିଜ୍ କମ୍ପାନୀ ଲିମିଟେଡକୁ ଦୁର୍ବଳ ଓ ଘରୋଇକରଣ କରିବାର ସମସ୍ତ ରାସ୍ତା ପ୍ରଶସ୍ତ କରିଛନ୍ତି । ୧୮ ଜୁନ୍ ୨୦୨୦ରେ କୋଇଲା ବ୍ଲକ ନିଲାମ ପ୍ରକ୍ରିୟା ଆରମ୍ଭ କରି ୪୧ଟି କୋଇଲା ବ୍ଲକକୁ ଘରୋଇ କମ୍ପାନୀ ମାନଙ୍କୁ ଦୀର୍ଘକାଳୀନ ଲିଜ୍ ପ୍ରଦାନ କରିବା ନିଷ୍ପତି ଯୋଗୁଁ କୋଲ ଇଣ୍ଡିଆ ଲିମିଟେଡ ଦୁର୍ବଳ ହେବାର ସ୍ପଷ୍ଟ ହୋଇଯାଇଛି । ଏହି ସମସ୍ତ କୋଇଲା ବ୍ଲକ କାର୍ଯ୍ୟକାରୀ ହେଲେ କ୍ଷତିଗ୍ରସ୍ତ ଜନସାଧାରଣ ଯେ ନାହିଁ ନଥିବା ଶୋଷଣର ଶିକାର ହେବେ ଏଥିରେ ସନେ୍ଦହ ନାହିଁ ।

ଏହି ସମସ୍ତ କୋଇଲା ବ୍ଲକ ଗୁଡିକର ନିଲାମ ପ୍ରକ୍ରିୟାକୁ ବାତିଲ କରିବା, ଏହି ସମସ୍ତ କୋଇଲା ବ୍ଲକ ଗୁଡିକୁ କୋଲ ଇଣ୍ଡିଆ ଲିମିଟେଡକୁ ପ୍ରଦାନ କରିବା, କୋଇଲା କ୍ଷେତ୍ର ଶ୍ରମିକ କର୍ମଚାରୀ ବିରୋଧି ସମସ୍ତ ନୀତି ଓ ପଦକ୍ଷେପ ଗୁଡିକୁ ପ୍ରତ୍ୟାହାର କରିବା,  ସିଏମପିଡିଆଇଏଲକୁ କୋଲ ଇଣ୍ଡିଆ ଲିମିଟେଡ୍ ଠାରୁ ପୃ୍ଥକୀକରଣ କରିବା ନିଷ୍ପତିକୁ ପ୍ରତ୍ୟାହାର କରିବା, କୋଲ ଇଣ୍ଡିଆ ଲିମିଟେଡର ମଜୁରୀ ଚୁକ୍ତିନାମାକୁ ସମ୍ପୁର୍ଣ୍ଣ ଭାବେ ଅବିଳମ୍ବେ କାର୍ଯ୍ୟକାରୀ କରିବା, ଆଉଟ ସୋସିଂ ଓ ଠିକା ଶ୍ରମିକ କର୍ମଚାରୀ ମାନଙ୍କୁ କୋଲ ଇଣ୍ଡିଆ ଲିମିଟେଡରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଏବଂ ଏମସିଏଲ ତାଳଚେରରେ ଛଟେଇ ଠିକା ଶ୍ରମିକ ମାନଙ୍କୁ ଅବିଳମ୍ବେ ପୁନଃ ନିଯୁକ୍ତି ଦେବା ପାଇଁ ଏ.ଆଇ.ୟୁ.ଟି.ୟୁ.ସି ପକ୍ଷରୁ ଦୃଢ଼ ଦାବୀ କରାଯାଇଛି ବୋଲି ସଂଗଠନର ଓଡିଶା ରାଜ୍ୟ ସମ୍ପାଦକ ଜୟସେନ ମେହେର, ଅନୁଗୁଳ ଜିଲ୍ଲା ସଭାପତି ପ୍ରହ୍ଲାଦ ଚନ୍ଦ୍ର ସାହୁ ଓ ଜିଲ୍ଲା ସମ୍ପାଦକ ବ୍ରଜବନ୍ଧୁ ସାହୁ ପ୍ରମୁଖ ଏକ ପ୍ରେସ୍ ବିବୃତିରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here