ବାଲେଶ୍ୱର ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ବାଲେଶ୍ୱର ରେଳଷ୍ଟେସନରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମାକରି ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ସୋମବାର ଦିନ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଜିଲ୍ଲା ସମାଜମଙ୍ଗଳ ଅଧିକାରୀଣିଙ୍କ ବିରୁଦ୍ଧରେ ବିକ୍ଷୋଭ ସମାବେଶରେ ବାଲେଶ୍ୱର ଜିଲ୍ଲା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘର ନେତୃମଣ୍ଡଳୀ ଗର୍ଜିଥିଲେ । ଗର୍ଭବତୀ ମହିଳା ଓ ଶିଶୁଙ୍କ ସ୍ୱାର୍ଥପାଇଁ କେନ୍ଦ୍ର ସରକାର ଗତ ୧୯୭୫ ମସିହାରୁ ଏହି ଯୋଜନା ଦେଶବ୍ୟାପୀ କାର୍ଯ୍ୟକାରୀ କରୁଛନ୍ତି । କିନ୍ତୁ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଥିବା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ସରକାରୀ କର୍ମଚାରୀମାନଙ୍କ ପାଇଁ ଘୋଷିତ ସର୍ବନିମ୍ନ ୧୮ହଜାର ଟଙ୍କା ବେତନ ପ୍ରଦାନ କରୁନାହାନ୍ତି । ଚାକିରିରେ ଥିବାବେଳେ କିମ୍ବା ଅବସରପରେ ଏମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉନଥିବା ସଂପର୍କରେ ବିକ୍ଷୋଭ ସମାବେଶରେ ବକ୍ତାମାନେ ଅଭିଯୋଗ କରିଥିଲେ । ନୂତନ ନିଯୁକ୍ତି ଓ ପଦୋନ୍ନତିରେ ପାତର ଅନ୍ତର ନୀତି ଯୋଗୁଁ ଶହଶହ ମୋକଦ୍ଦମାରେ ସରକାରୀ ତହବିଲରୁ ଖର୍ଚ୍ଚ କରାଯାଉଛି । ବାଲେଶ୍ୱର ଜିଲ୍ଲାରେ ନୂତନ ଭାବେ ଦାୟିତ୍ୱ ନେଇଥିôବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ କୌଣସି ସରକାରୀ ନିର୍ଦ୍ଦେଶକୁ ମାନୁନାହାନ୍ତି । ଶିଶୁମାନଙ୍କ ପୋଷାକ ବାବଦ ଅର୍ଥ ଅଙ୍ଗନୱାଡ଼ିକର୍ମୀଙ୍କ ଯୁଗ୍ମ ବ୍ୟାଙ୍କ୍ ବହିକୁ ପ୍ରଦାନ ବଦଳରେ ସ୍ୱୟଂସହାୟକ ଗୋଷ୍ଠୀଙ୍କ ନାମରେ ପୋଷାକ ବାବଦକୁ ଅର୍ଥ ପ୍ରଦାନ କରି ଲକ୍ଷାଧିକ ଟଙ୍କାର ଲାଞ୍ଚ ନେବାକୁ ଉଦ୍ୟମ ଜାରି ରଖିଛନ୍ତି । ସଂଘ ତରଫରୁ ଆନ୍ଦୋଳନ ନୋଟିସ୍ ଦିଆଯିବା ପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଏକଘଣ୍ଟା ମଧ୍ୟରେ ୫/୭ଟି ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିଥିବାର ଦର୍ଶାଇ କର୍ମୀମାନଙ୍କୁ ହଇରାଣ କରି ସଂଘକୁ ଦୁର୍ବଳ କରିବାକୁ ଅପଚେଷ୍ଟା ଚଳାଇଛନ୍ତି । ଆଜିର ସମାବେଶକୁ ଭଣ୍ଡୁର କରିବାପାଇଁ ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ଓ କେତେକ ସି.ଡି.ପି.ଓ.ମାନେ ପ୍ରବଳ ଉଦ୍ୟମ ଚଳାଇଥିଲେ । କିନ୍ତୁ ସଂଘର ଆହ୍ୱାନରେ ଆଜି ସମାବେଶ ସଫଳ ହୋଇଛି ବୋଲି ସଂଘ ତରଫରୁ କୁହାଯାଇଛି । ବିକ୍ଷୋଭସ୍ଥଳରୁ ସାଧାରଣ ସଂପାଦିକା ଗୌରୀ ଦାସଙ୍କ ନେତୃତ୍ୱରେ ସଂଘର ପ୍ରତିନିଧିମାନେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଅରୁଣା ତ୍ରିପାଠୀଙ୍କୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ବିକ୍ଷୋଭ ସମାବେଶରେ ଏ.ଆଇ.ଟି.ୟୁ.ସି.ର ରାଜ୍ୟ ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବାବେଳେ ସଂଘ ତରଫରୁ ଆରତି ଦାସମହାପାତ୍ର, ରାଧାରାଣୀ ପଣ୍ଡା, ନିର୍ମଳା ପାଣିଗ୍ରାହୀ, ରାଜଲକ୍ଷ୍ମୀ ପଣ୍ଡା, ସବିତା ମଲ୍ଲିକ, ସବିତା ତ୍ରିପାଠୀ, ଜମ୍ବୁବତୀ ମହାନ୍ତି, ରେଣୁବାଳା ପାତ୍ର, କାଞ୍ଚନ ଦାସ, କଳ୍ପନା ଦାସ, ଅନସୂୟା ଦଳାଇ, ସୁକାନ୍ତି ମହାପାତ୍ର, ଜୟଶ୍ରୀ ରାଉତ, ତପସ୍ୱିନୀ ବିଶ୍ୱାଳ, ରିଙ୍କି ମଜୁମଦାର, ନମିତା ସାହୁ ଓ ସବିତା ପାଣ୍ଡିଆ ପ୍ରମୁଖ ସେମାନଙ୍କ ସମସ୍ୟା ଓ ଦାବି ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏ.ଆଇ.ଟି.ୟୁ.ସି.ର ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ, ସଂପାଦକ ମାୟାଧର ନାୟକ, ଉପସଂପାଦକ ଶ୍ୟାମସୁନ୍ଦର ଜେନା, ସି.ପି.ଆଇ.ର ଜିଲ୍ଲା ସଂପାଦକ ନିରଞ୍ଜନ ବାରିକ, ପୂର୍ବତନ ସରପଞ୍ଚ ପୁରୁଷୋତ୍ତମ ସେଠୀ ପ୍ରମୁଖ ଦାବି ଓ ଆନ୍ଦୋଳନକୁ ଦୃଢ଼ ସମର୍ଥନ ଜଣାଇଥିଲେ

LEAVE A REPLY

Please enter your comment!
Please enter your name here