ନୂଆଦିଲ୍ଲୀ: ସାରା କ୍ରିକେଟ ଜବତରେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା । ମହାନ କ୍ରିକେଟ୍‌ ଗୁରୁ ଜଣକ ତାଙ୍କ କାରଖାନାରେ ବହୁ କ୍ରିକେଟରଙ୍କୁ ଗଢ଼ିଛନ୍ତି । ତାଙ୍କ ଯୋଗୁଁ ସଚିନ୍‌ ତେନ୍ଦୁଲକର କ୍ରିକେଟ ଭଗବାନ ବନିପାରିଥିଲେ । ଆହୁରି ମଧ୍ୟ ବିନୋଦ କାମ୍ବଲିଙ୍କ ପରି ଖ୍ୟାତନାମାଙ୍କ ମାର୍ଗ ଦର୍ଶକ ସାଜିଥିଲେ ସେ । ତାଙ୍କ ବିୟୋଗରେ ମୁମ୍ବାଇର ଶିବାଜୀ ପାର୍କ ସ୍ତବ୍ଧ ହୋଇଯାଇଛି । ଭାରତୀୟ କ୍ରିକେଟ ଜଣେ ମହାନ୍‌ କୋଚ୍‌ଙ୍କୁ ସବୁ ଦିନ ପାଇଁ ହରାଇଛି । ଆଉ ତାଙ୍କ ଶିଷ୍ୟଙ୍କ ଆଖିରୁ ଦୁଃଖର ଅଶ୍ରୁ ଝରି ଯାଇଛି । ବୁଧବାର ମୁମ୍ବାଇରେ ଏହି ମହାନ୍‌ କୋଚ୍‌ ଦ୍ରୋଣଚାର୍ଯ୍ୟ ଆୱାର୍ଡି ରମାକାନ୍ତ ଆଚରେକର ୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରି ତାଙ୍କ ଶିଷ୍ୟମାନଙ୍କୁ ଅନାଥ କରି ଚାଲିଯାଇଛନ୍ତି । ଫଳରେ ଭାରତୀୟ କ୍ରିକେଟରେ ଏକ ଅପୁରଣୀୟ କ୍ଷତି ହୋଇଛି ।
ଦୀର୍ଘ ଦିନ ହେବ ଆଚରେକରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲା । ୨୦୧୩ରେ ସେ ହୃଦଘାତର ଶିକାର ହୋଇଥିଲେ । ଏହା ପରଠୁ ଆଚରେକର ସ୍ୱତନ୍ତ୍ର ମେଡିକାଲ ଚିକିତ୍ସାରେ ଥିଲେ । ନବେ ଦଶକରେ ଆଚରେକରଙ୍କ ଏକାଡେମୀ ଶିବାଜୀ ପାର୍କ ବେଶ ଗହଳଚହଳ ଥିଲା । ଏଇଠି ଗୁରୁ ଆଚରେକରଙ୍କଠୁ କ୍ରିକେଟର ସବୁ କଳାକୌଶଳ ଶିଖିଥିଲେ ସଚିନ ତେନ୍ଦୁଲକର, ବିନୋଦ କାମ୍ବଲି, ପ୍ରବୀଣ ଆମରେ, ଅଜିତ ଅଗରକର ଓ ରମେଶ ପାୱାର ।
ମାତ୍ର ୧୧ ବର୍ଷ ବୟସରେ ସଚିନ କୋଚ୍‌ ଆଚରେକରଙ୍କଠୁ କ୍ରିକେଟ୍‌ ପ୍ରଶିକ୍ଷଣ ନିମନ୍ତେ ବାନ୍ଦ୍ରାର ନୁ୍ୟ ଇଂଲିଶ ମିଡିୟମ ସ୍କୁଲରୁ ଶରଧାଶ୍ରମ ବିଦ୍ୟାମନ୍ଦିର ସ୍କୁଲକୁ ଚାଲିଆସିଥିଲେ । ଶିବାଜୀ ପାର୍କରେ ର୍ହି କୋଚ୍‌ ଆରରେକର ସଚିନଙ୍କୁ କ୍ରିକେଟର ସବୁ କୌଶଳ ଶିକ୍ଷା ଦେଇଥିଲେ । ୧୯୯୦ରେ ଆଚରେକରଙ୍କୁ ମର୍ଯ୍ୟାଦାଜନକ ଦ୍ରୋଣାଚାର୍ଯ୍ୟ ଆୱାର୍ଡ ପ୍ରଦାନ କରାଯାଇଥିଲା । ୨୦୧୦ରେ ପଦ୍ମଶ୍ରୀ ସମ୍ମାନରେ ତାଙ୍କୁ ସମ୍ମାନିତ କରିଥିଲେ ସେତେବେଳର ଉପା ସରକାର ।
କୋଚ୍‌ ଆଚରେକରଙ୍କ ବିୟୋଗରେ ସଚିନ୍‌ କେନ୍ଦୁଲକର ଗଭିର ଦୁଃଖ ପ୍ରକାଶ କରିଛନ୍ତି । ମୁଁ ଆଜି ପିତୃତୁଲ୍ୟ ସାରଙ୍କୁ ହରାଇଲି । ତାଙ୍କ ମାର୍ଗଦଶନ ଯୋଗୁଁ କ୍ରିକେଟରେ ମୋତେ ସିଦ୍ଧି ମିଳିଛି । ଯଦି କ୍ରିକେଟ୍‌ କ୍ୟାରିୟର ଆରମ୍ଭ ବେଳେ ରମାକାନ୍ତ ସାରଙ୍କ ସହ ଭେଟ ହୋଇନଥାନ୍ତା, ତାହେଲେ ହୁଏତ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାର ସ୍ୱପ୍ନ ମୋ ପାଇଁ ଅଧୁରା ହୋଇ ରହିଯାଇଥାନ୍ତା ବୋଲି ସଚିନ୍‌ ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ସଚିନଙ୍କ ବ୍ୟତୀତ ବିନୋଦା କାମ୍ବଲି, ଅଜିତ ଅଗରକର, ବୀରେନ୍ଦ୍ର ସେହ୍ୱାଗ, କପିଲ ଦେବ, ସୁନିଲ ଗାଭାସ୍କର, ବିସିସିଆଇ, ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି ।
୧୯୩୨ରେ ବମ୍ବେ ପ୍ରେସିଡେନ୍ସୀରେ ରମାକାନ୍ତ ଆଚରେକର ଜନ୍ମ ହୋଇଥିଲେ । ୧୯୪୩ରେ ଆଚରେକର କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ୧୯୪୫ରେ ସେ ନୁ୍ୟ ହିନ୍ଦ ସ୍ପୋର୍ଟ୍ସ କ୍ଲବ ପକ୍ଷରୁ ଖେଳ ଜୀବନ ଆରମ୍ଭ କରିଥିଲେ । ୟଙ୍ଗ ମହାରାଷ୍ଟ୍ର ଏକାଦଶ, ଗୁଲ ମୋହର ଏବଂ ମୁମ୍ବାଇ ପୋର୍ଟ ପକ୍ଷରୁ ଖେଳିବାର ଗୌରବ ଅର୍ଜନ କରିଥିଲେ । ୧୯୬୩ରେ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ହାଇଦ୍ରାବାଦ ବିପକ୍ଷରେ କେବଳ ଏକାମତ୍ର ପ୍ରଥମ ଶ୍ରେଣୀ କ୍ରିକେଟର ଖେଳିଥିଲେ ।

LEAVE A REPLY

Please enter your comment!
Please enter your name here