କେନ୍ଦ୍ରାପଡା : କେନ୍ଦ୍ରାପଡାର ଯୁବକ୍ରୀଡାବିତ୍‌ ଦିବାକର ଗୋଛାୟତ ବେଙ୍ଗାଲୁରୁର ସେଣ୍ଟ୍ରାଲ କଲେଜର ଜ୍ଞାନଜ୍ୟୋତି ଅଡିଟୋରିୟମ ହଲରେ ଆନୁଷ୍ଠିତ ହୋଇଥିବା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁର ଗ୍ରାମର ଦିବାକର ଗୋଛାୟତ ବେଙ୍ଗାଲୁରୁଠାରେ ଆୟୋଜିତ ଏସିଆ ପାସିଫିକ-୨୦୧୯ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରି ସ୍ୱର୍ଣ୍ଣ ପଦକ ହାସଲ କରିବା ସହିତ ପୁରୁଷ ଫିଜିକ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହି ପ୍ରତିଯୋଗିତାରେ ୪୮ଟି ଦେଶର ପ୍ରତିଯୋଗିମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଶ୍ରୀ ଗୋଛାୟତ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ନେଇ କେନ୍ଦ୍ରାପଡାରେ ଖୁସିର ଲହରି ଖେଳି ଯାଇଛି । ଶ୍ରୀ ଗୋଚ୍ଛାୟତ ଚଳିତ ବର୍ଷ ମଇ ମାସରେ ତାମିଲ ନାଡୁର ଚେନ୍ନାଇଠାରେ ଆୟୋଜିତ ସୁନ୍ଦର ସ୍ୱାସ୍ଥ୍ୟ ଓ ପୁରୁଷ ଫିଜିକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ୨ଟି ସ୍ୱର୍ଣ୍ଣ ପଦକ ଓ ଗତ ଅକେଫାବର ମାସରେ କେରଳର କୋଚିଠାରେ ଆୟୋଜିତ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିସାରିଛନ୍ତି । ସେହିପରି ୨୦୧୭ ରେ ଝାଡଖଣ୍ଡର ରାଞ୍ଚି, ୨୦୧୮ରେ ମହାରାଷ୍ଟ୍ରର ପିନେ ଠାରେ ଆୟୋଜିତ ଶକ୍ତି ଉତ୍ତେଳନ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିଲେ ।

LEAVE A REPLY

Please enter your comment!
Please enter your name here