ଭୁବନେଶ୍ୱର : ଆସନ୍ତା ନିର୍ବାଚନରେ ନବୀନଙ୍କୁ ଚେକ୍ ଦେବା ପାଇଁ ପ୍ରସ୍ତୁତ ହେଉଛି କି ନୂଆ ଷ୍ଟ୍ରାଟେଜି ? ଏକାଠି ହେବେ କି ବିଜୁ ପରିବାରର ପୁରୁଣା ସଦସ୍ୟ ଓ ଅନ୍ୟ ନେତା? ବୈଜୟନ୍ତଙ୍କ ସମେତ ଦାମୋଦର ରାଉତ, ବ୍ରଜକିଶୋର ତ୍ରିପାଠୀ, ବିଜୟ ମହାପାତ୍ର, ଦିଲୀପ ରାୟ, ଖାରବେଳ ସ୍ୱାଇଁଙ୍କ ପରି ବରିଷ୍ଠ ନେତା ଏକ୍ ହୋଇ ନବୀନଙ୍କ ବିରୋଧରେ ଲଢିବେ କି?

ଉତ୍କଳ ଭାରତ ସଭାପତି  ଖାରବେଳ ସ୍ୱାଇଁ ଓ ବରିଷ୍ଠ ବିଧାୟକ ଦାମୋଦର ରାଉତ ପୂର୍ବରୁ ନୂଆ ସମୀକରଣ ନେଇ ସଂକେତ ଦେଇଥିଲେ। ଯାହାକୁ ଖୋରାକ୍ ଯୋଗାଇଛି ଜାତୀୟ ଗଣମାଧ୍ୟମରେ ବୈଜୟନ୍ତଙ୍କ ସାକ୍ଷାତାକାର।

ବୈଜୟନ୍ତ କହିଛନ୍ତି ଗତ ନିର୍ବାଚନରେ ୩୫ ପ୍ରତିଶତ ଆସନରେ ବିଜେଡି ଅଳ୍ପ ବ୍ୟବଧାନରେ ଜିତିଥିଲା। ସେଠାରେ ଯଦି ମିଳିତ ଭାବେ ନିର୍ବାଚନ ଲଢାଯାଏ, ତେବେ ଚିତ୍ର ଭିନ୍ନ ହେବ। ଏହା ସହ ଏକମତ ହୋଇଛନ୍ତି ଦାମ, ବ୍ରଜ ଓ ଖାରବେଳ। ବଡ଼ ପ୍ରଶ୍ନ, ନିର୍ବାଚନର ଠିକ୍ ପୂର୍ବରୁ ଏଭଳି ଏକ ସମୀକରଣ କାହିଁକି ପରିକଳ୍ପନା କରଯାଉଛି ? ରାଜ୍ୟରେ କଂଗ୍ରେସ୍ ଏବେ ତୃତୀୟ ସ୍ଥାନରେ ଥିବାବେଳେ ପଞ୍ଚାୟତ ନିର୍ବାଚନରେ ଗ୍ରୋ’ କରିଥିବା ବିଜେପି ବି ବିଜେଡି ସହ ଭିତିରି ସଂପର୍କ ରଖିଥିବା ଚର୍ଚ୍ଚା ହେଉଛି।

ତେଣୁ ନବୀନଙ୍କୁ କାଉଣ୍ଟର କରିବାକୁ ଏ ଷ୍ଟ୍ରାଟେଜି ନୁହେଁ ତ? ତାସହ ୧୮ ବର୍ଷର ଶାସନ ପରେ ନବୀନ ସରକାରରେ ଦୁର୍ନୀତି ଓ ଅପରାଧ ବୃଦ୍ଧି ପାଇଥିବାରୁ ଯେଉଁ ସରକାର ବିରୋଧୀ ହାଓ୍ୱା ରହିଛି ସେଥିରୁ ଫାଇଦା ଉଠାଇବାକୁ ଏ ଉଦ୍ୟମ ନୁହେଁ ତ?  ତେବେ ବିଜେଡି କହିଛି, ନବୀନଙ୍କ ବିରୋଧରେ ଯିଏ ଟିପଣୀ ଦେଇଛି ତାକୁ ଲୋକ ପ୍ରତ୍ୟାଖାନ କରିଛନ୍ତି।

ଗୋଟିଏ ପଟେ ୧୯ ରଣ ଜିତିବା ଲାଗି ବିଜେପି, କଂଗ୍ରେସ ଓ ବିଜେଡି ନିଜ ନିଜ ଷ୍ଟ୍ରାଟେଜି ଅନୁଯାୟୀ ଆଗକୁ ବଢୁଛନ୍ତି। ସେପଟେ ବିଜେଡିରେ ଦିନେ ପ୍ରମୁଖ ଭୂମିକା ତୁଲାଉଥିବା ବିଜୟ, ଦିଲୀପ, ବୈଜୟନ୍ତ  ଓ ଦାମ ଆଗାମୀ ଦିନରେ କଣ ପଦକ୍ଷେପ ନେବେ ଓ ତାହା ରାଜ୍ୟ ରାଜନୀତିକୁ କେତେଦୂର ପ୍ରଭାବିତ କରିବ। ତା ଉପରେ ନଜର।

LEAVE A REPLY

Please enter your comment!
Please enter your name here