ଭୁବନେଶ୍ବର : ଆସନ୍ତା ଜାନୁଆରି ୨୧ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ପ୍ରଥମ ଥର ପାଇଁ ଭିଭିପାଟ୍ ମେସିନରେ ଭୋଟ ଗ୍ରହଣ କରାଯିବ। ଯାହା ସୂଚନା ମିଳୁଛି, ୫ ଲକ୍ଷ ନୂୂଆ ଯୁବ ଭୋଟର ତାଲିକାଭୁକ୍ତ େହାଇଛନ୍ତି। ସେହିଭଳି ଭିନ୍ନକ୍ଷମଙ୍କ ପାଇଁ ଏଥର ଇଭିଏମରେ େବ୍ରଲି ଲିପି ବ୍ୟବସ୍ଥା କରାଯାଇଛି।

୨୦୧୯ ସାଧାରଣ ନିର୍ବାଚନ ପ୍ରସ୍ତୁତି, େଭାଟର ତାଲିକା ଆଦି ସଂପର୍କରେ ସୂଚନା େଦଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏଭଳି ସୂଚନା େଦଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ େସ କହିଥିଲେ, ଚଳିତ ଥର ଭୋଟର ତାଲିକାରେ ଯୋଗ ପାଇଁ ଉଦ୍ଦିଷ୍ଟ ଫର୍ମ ୬ରେ ବର୍ତ୍ତମାନ ସୁଦ୍ଧା ୧୨ ଲକ୍ଷ ୮ ହଜାର ୩୯୬ଟି ଦରଖାସ୍ତ ଗ୍ରହଣ କରାଯାଇଛି । ସେହିପରି ତାଲିକାରୁ ନାମ ବାଦ ଦେବାକୁ ଉଦ୍ଦିଷ୍ଟ ଫର୍ମ ୭ରେ ୬ଲକ୍ଷ ୪୭ ହଜାର ୪୮୬ଜଣ ଆବେଦନ କରିଛନ୍ତି। ତାଲିକାରେ ଥିବା ତ୍ରୁଟି ସଂଶୋଧନ ପାଇଁ ଉଦ୍ଦିଷ୍ଟ ଫର୍ମ ୮ରେ ଆବେଦନ କରିଛନ୍ତି ୪ ଲକ୍ଷ ୬୮ ହଜାର ୪୨୦ଜଣ ଓ ଗୋଟିଏ ନିର୍ବାଚନ ମଣ୍ଡଳିରୁ ଆଉ ଗୋଟିଏ ନିର୍ବାଚନ ମଣ୍ଡଳିକୁ ସ୍ଥାନାନ୍ତରଣ କରିବାକୁ ଉଦ୍ଦିଷ୍ଟ ଫର୍ମ ୮’ଏ’ରେ ଆବେଦନ କରିଛନ୍ତି ମୋଟ ୫୨ ହଜାର ୨୯୩ ଜଣ ଭୋଟର । ସର୍ବମୋଟ ୨୩ ଲକ୍ଷ ଲୋକ ସ୍ବତନ୍ତ୍ର ଭୋଟର ତାଲିକାରେ ନାମ ପଞ୍ଜିକରଣ କରିବାକୁ ଆବେଦନ କରିଛନ୍ତି । ମୋଟ ଆବେଦନର ଅଦ୍ୟାବଧି ୮୯.୯୫ ପ୍ରତିଶତ ଦରଖାସ୍ତ ବିଚାର କରାଯାଇ ତାଲିକା ଅପଡେଟ ହୋଇଥିବା କହିଛନ୍ତି ସିଇଓ ।

ଚଳିତ ଥର ଯେପରି ଅଧିକରୁ ଅଧିକ ଭିନ୍ନକ୍ଷମ ଭୋଟର ତାଲିକାରେ ନାମ ଭର୍ତ୍ତି କରିବେ ସେଥିପାଇଁ ପଦକ୍ଷେପ ନେଉଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ ଲକ୍ଷ ଭିନ୍ନକ୍ଷମ ଭୋଟରଙ୍କୁ ଚିହ୍ନଟ କରାଯାଇଛି । ଦୃଷ୍ଟିଶକ୍ତି ନଥିବା ଭିନ୍ନକ୍ଷମଙ୍କ ପାଇଁ ଇଭିଏମ ମେସିନରେ ବ୍ରେଲି ଲିପିରେ ବ୍ୟବସ୍ଥା କରିବାକୁ ମଧ୍ୟ ଆୟୋଗ ବ୍ୟବସ୍ଥା କରିଛନ୍ତି। ତେବେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ବି ଭୋଟର ତାଲିକାରେ ନାମ ଯୋଗ, ବାଦ, ସଂଶୋଧନ କାର୍ଯ୍ୟ ଚାଲୁରହିବ । ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ପର୍ଯ୍ୟନ୍ତ ସଂଶୋଧନ ପ୍ରକ୍ରିୟା ଚାଲୁ ରଖିବାକୁ ନିର୍ବାଚନ ଆୟୋଗ ବ୍ୟବସ୍ଥା କରିଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀ କହିଥିେଲ,ବିଜେପୁର ଉପନିର୍ବାଚନରେ ଭୋଟ ଗ୍ରହଣ ପାଇଁ ଭିଭିପାଟ ମେସିନ ବ୍ୟବହାର ହୋଇଥିଲେ ବି ଆସନ୍ତା ସାଧାରଣ ନିର୍ବାଚନରେ ୨୧ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ଓ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଇଭିଏମ ସହିତ ଭିଭିପାଟ ମେସିନରେ ଭୋଟ ଗ୍ରହଣ କରାଯିବ । ଏଥରକ ଓଡ଼ିଶା ପାଇଁ ହାଇଦ୍ରାବାଦର ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ବା ଇସିଆଇଏଲ କମ୍ପାନି ଇଭିଏମ ଓ ଭିଭିପାଟ ମେସିନ ତିଆରି କରିଛି । ବର୍ତ୍ତମାନ ସୁଦ୍ଧା ୮୯ ହଜାର ୩୩୭ଟି ବାଲଟ ୟୁନିଟ, ୯୧ ହଜାର ୮୬୯ କଣ୍ଟ୍ରୋଲ ୟୁନିଟ୍ ଓ ୮୯ ହଜାର ୩୫୧ ଭିଭିପାଟ ମେସିନ ଉପଲବ୍ଧ ହୋଇଛି। ଆଉ କିଛି ମେସିନ ଦେବା ଲାଗି ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରାଯାଇଛି । ଉପଲବ୍ଧ ହୋଇଥିବା ୯୫ ପ୍ରତିଶତ ମେସିନର ପ୍ରାଥମିକ ସ୍ତର ଚେକିଂ ସମ୍ପୂର୍ଣ୍ଣ ହୋଇଛି । ବାକି ଚେକିଂ ଆସନ୍ତା ୨୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ଇଭିଏମ ମେସିନରେ ମକ ପୁଲିଂ କରାଯିବା ସହ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ସାରା ରାଜ୍ୟରେ ୩୭ ହଜାର ୬୦୬ଟି ପୋଲିଂ ବୁଥ କରାଯାଇଛି ।

ମୁ୍ଖ୍ୟ ନିର୍ବାଚନ ଅଧିକାରୀ ଆହୁରି ସୂଚନା ଦେଇ କହିଛନ୍ତି, ଆଗାମୀ ୭ ତାରିଖରୁ ଇଭିଏମ ଓ ଭିଭିପାଟ ମେସିନରେ ଭୋଟ ଗ୍ରହଣ ନେଇ ଲୋକଙ୍କ ସଚେତନତା କାର୍ଯ୍ୟକ୍ରମ କରାଯିବ । ଏଥିପାଇଁ ୭ଟି ମୋବାଇଲ ଭ୍ୟାନକୁ ପ୍ରସ୍ତୁତ କରାଯାଇଛି । େଗାଟିଏ ଗାଁରେ ଦେଢ଼ଘଣ୍ଟା ଲେଖାଏଁ ମକ ପୋଲିଂ କରାଇବାକୁ ଧାର୍ଯ୍ୟ କରାଯାଇଛି । ଆଉ ପାଖାପାଖି ମାସେ ଭିତରେ ଏହି ଅଭିଯାନ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଗତଥର ସାରା ରାଜ୍ୟରେ ୩ କୋଟି ୧୨ ଲକ୍ଷ ଭୋଟ ତାଲିକାଭୁକ୍ତ ହୋଇଥିଲେ । ଏଥରକ ଏହି ସଂଖ୍ୟା ୩ କୋଟି ୨୪ ଲକ୍ଷ ଛୁଇଁପାରେ ବୋଲି କହିଛନ୍ତି ସିଇଓ । ୨୦୧୯ ନିର୍ବାଚନକୁ ମୁକ୍ତ ଓ ଅବାଧ କରିବାକୁ ନିର୍ବାଚନ ଆୟୋଗ ସବୁ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ନିର୍ବାଚନ ସୁପରିଚାଳନା ପାଇଁ ଆସନ୍ତା ୫ ତାରିଖରେ ପୋଲିସ,ଆୟକର, କେନ୍ଦ୍ର ଏବଂ ରାଜ୍ୟ ଗୁଇନ୍ଦା ସଂସ୍ଥାଙ୍କ ସହ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି େବାଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।

LEAVE A REPLY

Please enter your comment!
Please enter your name here