SYDNEY, AUSTRALIA - JANUARY 07: India celebrate with the trophy after a 2-1 series win after day five of the Fourth Test match in the series between Australia and India at Sydney Cricket Ground on January 07, 2019 in Sydney, Australia. (Photo by Jenny Evans/Getty Images)

ସିଡନୀ: ଅଷ୍ଟ୍ରେଲିଆ ମାଟିରେ ଅଧିନାୟକ ବିରାଟ କୋହଲି ଓ ତାଙ୍କ ଟିମ ସଦସ୍ୟ ଇତିହାସ ବଦଳାଇଛନ୍ତି । ୭୧ ବର୍ଷ ପରେ ଅଭେଦ୍ୟ କଙ୍ଗାରୁ ସେନାକୁ ଟେଷ୍ଟ ଶୃଙ୍ଖଳାରେ ୨-୧ରେ ପରାସ୍ତ କରି ନୂଆ ର୍କୀର୍ତ୍ତିମାନ ରଚିଛି ଭାରତ । ପୂର୍ବରୁ ଭାରତର କୌଣସି ଅଧିନାୟକ ଯାହା କରି ଦେଖାଇ ପାରି ନଥିଲେ, ଆଜି ତାହା କରି ଦେଖାଇଛନ୍ତି ବିରାଟ ଆଣ୍ଡ କୋ । ୩-୧ରେ ଭାରତ ଶୃଙ୍ଖଳା ଜିତିବା ପାଇଁ ଆଶା ବାନ୍ଧି ବସିଥିଲା । ହେଲେ ସିଡନୀ ଟେଷ୍ଟର ପଞ୍ଚମ ଦିନ ଲଗାଣ ବର୍ଷା କାରଣରୁ କେବଳ କରମର୍ଦନର ଔପଚାରିକତା ବାକି ରହିଯାଇଥିଲା । ଦୁଇ ଅଧିନାୟକଙ୍କ ସହମତି କ୍ରମେ ଅମ୍ପାୟାର ୪ର୍ଥ ମ୍ୟାଚ୍‌ ଡ୍ର’ ଘୋଷଣା କରିଥିଲେ । ଏଥିସହ ଭାରତୀୟ ଟେଷ୍ଟ କ୍ରିକେଟ୍‌ ପଟ ପରିବର୍ତ୍ତନ କରିଛି । ୧୯୪୭ରୁ ୨୦୧୯ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ମାଟିରେ ଭାରତ ୧୨ଟି ସିରିଜ୍‌ ଖେଳିଛି । ଏଥର କୋହଲିଙ୍କ ନେତୃତ୍ୱରେ ଭାରତବର୍ଡର-ଗାଭାସ୍କର ଟ୍ରଫି ଜିତିବାର ସୌଭାଗ୍ୟ ଅର୍ଜନ କରିଛି । ଚେତେଶ୍ୱର ପୂଜାରାଙ୍କୁ ମ୍ୟାଚ୍‌ ଓ ସିରିଜ୍‌ ଶ୍ରେଷ୍ଠ ଭାବେ ପୁରସ୍କୃତ କରାଯାଇଥିଲା ।
ସିଡନୀରେ ଟସ୍‌ ଜିତି ଭାରତ ପ୍ରଥମ ଇନିଂସରେ ୬୨୨ ରନ୍‌ କରି ପାଳି ଘୋଷଣା କରିଥିଲା । ମୟଙ୍କ ଅଗ୍ରୱାଲଙ୍କ ୭୭ ରନ୍‌, ଚେତେଶ୍ୱର ପୂଜାରାଙ୍କ ୧୯୩, ଋଷଭ ପନ୍ତଙ୍କ ୧୫୯ ଓ ରବୀନ୍ଦ୍ର ଜାଡେଜାଙ୍କ ୮୧ ରନ୍‌ ବଳରେ ଭାରତ ଏହି ରନ୍‌ ସଂଗ୍ରହ କରିଥିଲା । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୩୦୦ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଭାରତ ଫଲୋଅନ୍‌ ଦେବାରୁ ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିଥିଲ। । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ମାତ୍ର ୬ ରନ୍‌ କରିବା ପରେ ବର୍ଷା ଯୋଗୁଁ ମ୍ୟାଚ୍‌ ଖେଳା ଯାଇ ପାରି ନଥିଲା । ପୁଣି ୫ମ ଦିନ ମଧ୍ୟ ବର୍ଷା ବାଧକ ସାଜିଥିଲା । ଶେଷରେ ମ୍ୟାଚକୁ ଡ୍ର’ ଘୋଷଣା କରାଯାଇଥିଲା ।
ଭାରତର ‘ଟେଷ୍ଟ୍‌ ସ୍ପେଶାଲିଷ୍ଟ’ ଚେତେଶ୍ୱର ପୂଜାରା ଏହି ସିରଜରେ ମୋଟ ୭ଟି ଇନିଂସ ଖେଳି ତିନିଟି ଶତକ ଓ ଗୋଟିଏ ଅର୍ଦ୍ଧ-ଶତକ ବଳରେ ୫୨୧ ରନ୍‌ କରିଥିଲେ । ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ପୂଜାରା ୧୨୩ ରନ୍‌ (୨୪୬ ବଲ୍‌) କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୭୧ ରନ୍‌ (୨୦୪ ବଲ୍‌) କରିଥିଲେ । ତୃତୀୟ ମ୍ୟାଚରପ୍ରଥମ ଇନିଂସରେ ସେ ୧୦୬ ରନ୍‌ (୩୧୯ ବଲ୍‌) କରିଥିବା ବେଳେ ଚତୁର୍ଥ ମ୍ୟାଚର ପ୍ରଥମ ଇନିଂସରେ ୧୯୩ ରନ୍‌ (୩୭୩ ବଲ୍‌) କରିଥିଲେ ।
ଏହି ସିରିଜରେ ଚାରିଟି ମ୍ୟାଚ୍‌ ଖେଳାଯାଇଥିଲା । ଆଡିଲେଡରେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ଭାରତ ୩୧ରେ ବିଜୟୀ ହୋଇଥିଲା । ପର୍ଥରେ ଖେଳା ଯାଇଥିବା ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ୧୪୬ ରନରେ ଜିତିଥିଲା । ତେବେ ମେଲବୋର୍ଣ୍ଣରେ ଖେଳା ଯାଇଥିବା ତୃତୀୟ ଟେଷ୍ଟକୁ ଭାରତ ନିଜ କବଜାକୁ ନେଇ ସିରିଜରେ ଆଗୁଆ ରହିଥିଲା । ଏହି ମ୍ୟାଚକୁ ଭାରତ ୧୩୭ ରନରେ ଜିତିଥିଲା ।

LEAVE A REPLY

Please enter your comment!
Please enter your name here