ଭୁବନେଶ୍ୱର,୨୯ା୧୨ (ସବୁ୍ୟ): ନିକଟରେ ରାଜ୍ୟବାସୀ ହକି ବିଶ୍ୱକପ୍‌ ଦେଖିବାର ସୁଯୋଗ ପାଇଥିଲେ । ଏହାପରଠୁ ବିଶ୍ୱମାନଚିତ୍ରରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ଏହି ଧାରାରେ ଆଉ ଏକ ଜାତୀୟସ୍ତରୀୟ ପ୍ରତିଯୋଗିତା ସାମିଲ ହେବାକୁ ଯାଉଛି । ଓଡ଼ିଶାର ପୁରାତନ ରାଜଧାନୀ କଟକର ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ୍‌ରେ ଆଗାମୀ ୪ରୁ ୯ ତାରିଖ ପର୍ଯ୍ୟନ୍ତ ୮୦ତମ ସିନିୟର ଆନ୍ତଃରାଜ୍ୟ ଏବଂ ଜାତୀୟ ଟେବୁଲ ଟେନିସ୍‌ ଚାମ୍ପିଅନ୍‌ସିପ୍‌ ଆୟୋଜିତ ହେବ । ଏହି ମେଗା ଟିଟି ପ୍ରତିଯୋଗିତାରେ ଏକାଧିକ ଷ୍ଟାର ଖେଳାଳିଙ୍କ ସମାଗମ ହେବ । ଦୀର୍ଘ ୧୮ ବର୍ଷ ପରେ ପୁଣି ଓଡ଼ିଶା ଜାତୀୟ ଟେବୁଲ ଟେନିସ୍‌ ଚାମ୍ପିଅନ୍‌ସିପ୍‌ ଆୟୋଜନର ସୁଯୋଗ ପାଇଛି । ଶେଷଥର ପାଇଁ ୨୦୦୧ରେ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ୍‌ରେ ଜାତୀୟସ୍ତରୀୟ ଟିଟି ପ୍ରତିଯୋଗିତା ସଫଳତାର ସହ ସମ୍ପନ୍ନ ହୋଇଥିଲା ।
ଏହି ଚାମ୍ପିଅନ୍‌ସିପ୍‌ରେ ଭାରତୀୟ ଟେବୁଲ ଟେନିସ୍‌ ଆଇକନ୍‌ ମନିକା ବାତ୍ରା’ଙ୍କୁ ଦେଖିବାକୁ ମିଳିବ । ମୋନିକା ଭାରତର ପ୍ରଥମ ମହିଳା ଟିଟି ଖେଳାଳି ଭାବେ ରାଜ୍ୟଗୋଷ୍ଠୀ କ୍ରୀଡା ମହିଳା ସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିଭଳି ପ୍ରଥମ ଭାରତୀୟ ଟିଟି ଖେଳାଳି ଭାବେ ମନିକାଙ୍କୁ ଆଇଟିଟିଏଫ୍‌ ପକ୍ଷରୁ ବ୍ରେକ୍‌ଥ୍ରୁ ଅଫ୍‌ ଦ ଇଅର ଆୱାର୍ଡ ପ୍ରଦାନ କରାଯାଇଥିଲା । ରାଜ୍ୟଗୋଷ୍ଠୀ କ୍ରୀଡ଼ା ତଥା ଜାକର୍ତ୍ତା ଏସିଆନ୍‌ ଗେମ୍ସରେ ପଦକ ଜିତିଥିବା ବହୁ ଭାରତୀୟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ମନିକାଙ୍କ ବ୍ୟତୀତ ମୌମା ଦାସ, ସୁତୀର୍ଥ ମୁଖାର୍ଜୀ, ଅର୍ଚ୍ଚନା କାମଥ, ମଧୁରିକା ପଟ୍ଟକର, ଦିବ୍ୟା ଦେଶପାଣ୍ଡେ, ଅଙ୍କିତା ଦାସ, ପୂଜା ସହସ୍ରବୁଦ୍ଧେ’ଙ୍କ ବ୍ୟତୀତ ପୁରୁଷ ବର୍ଗରେ ରାଜ୍ୟଗୋଷ୍ଠୀ କ୍ରୀଡା ସ୍ୱର୍ଣ୍ଣ ପଦକ ବିଜେତା, ଅଚନ୍ତା ସରଥ କମଲ, ଜୀ ସାଥୀଆନ୍‌, ହରମିତ ଦେଶାଇ, ଆଣ୍ଟୋନୀ ଅମଲରାଜ, ସାନିଲ ସେଟ୍ଟୀ ଓ ମାନବ ଥାକର ଏହି ପ୍ରତିଯୋଗିତାର ମୁଖ୍ୟ ଆକର୍ଷଣ ସାଜିବେ ।
ପୁରୁଷ, ମହିଳା ଓ ଦଳଗତ ବର୍ଗରେ ମୋଟ୍‌ ୫୫୦ ଜଣ ଖେଳାଳି ଅଂଶଗ୍ରହଣ କରିବେ । ଏମାନଙ୍କ ବ୍ୟତୀତ ୧୦୦ ଜଣ ଅଫିସିଆଲ ଭାଗ ନେବେ । ଦୁଇ ତାରିଖରୁ ଅଂଶଗ୍ରହଣ ଖେଳାଳି ଓ ଅଫିସିଆଲ କଟକ ଆସିବେ । ଜାନୁଆରୀ ୪ରୁ ୬ ତାରିଖ ପର୍ଯ୍ୟନ୍ତ ସିନିୟର ଆନ୍ତଃରାଜ୍ୟ ପ୍ରତିଯୋଗିତା ଏବଂ ପୁରୁଷ ଓ ମହିଳା ବର୍ଗର ବ୍ୟକ୍ତିଗତ ଇଭେଣ୍ଟ ଜାନୁଆରୀ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଖେଳାଳି ଓ ଅଫିସିଆଲଙ୍କ ପାଇଁ ଆୟୋଜକ ଓଡ଼ିଶା, ରାଜ୍ୟ ଟେବୁଲ ଆସୋସିଏସନ୍‌ ପକ୍ଷରୁ ୨୫୦ ରୁମ୍‌ ବୁକ୍‌ କରାଯାଇଛି ।
ଜାତୀୟସ୍ତରୀୟ ଏହି ପ୍ରତିଯୋଗିତାରେ ଓଲି’କୁ ମାସକଟ୍‌ ଭାବେ ନିଆଯାଇଛି । ପୂର୍ବରୁ ଦୁଇଥର କଟକରେ ସିନିୟର (୨୦୦୧) ଓ ଜୁନିୟର (୨୦୦୬) ଟିଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିଲା । ତୃତୀୟଥର ପାଇଁ ଏହି ମର୍ଯ୍ୟାଦାଜନକ ଟୁର୍ଣ୍ଣାମେଣ୍ଟ ଖେଳାଯିବ ।
ଶନିବାର ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ କନଫରେନ୍ସ ହଲ୍‌ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଟିଟି ଆସୋସିଏସନ୍‌ ସେକ୍ରେଟାରୀ ରବିନ୍ଦ୍ର କୁମାର ପରିଡାଙ୍କ ସମେତ କ୍ରୀଡା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ସଭାପତି ଏଲେନ୍‌ ଗୁପ୍ତା, ସଂଜୟ ସିଂ, ଚିିତ୍ତ ମହାନ୍ତି ଓ ନିହାର ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟ ସମ୍ପର୍କରେ ସୂଚନା ଦେଇଥିଲେ ।
ବାରବାଟୀର ସଚିନ୍‌ ତେନ୍ଦୁଲକର ଇଣ୍ଡୋର ହଲ୍‌ରେ ରାଜ୍ୟ ଦଳର ପ୍ରଶିକ୍ଷଣ ଶିବିର ଚାଲିଛି । କୋଚ୍‌ ରାଜ ସୁବ୍ରମଣ୍ୟମ୍‌ ଶିବିର ପରିଚାଳନା କରୁଛନ୍ତି । ଓଡ଼ିଶାର ୫ ଜଣ ପୁଅ, ୫ ଜଣ ଝିଅ ଓ ବ୍ୟକ୍ତିଗତ ବର୍ଗରେ ୪ ଜଣ ଅଂଶଗ୍ରହଣ କରିବେ । ପ୍ରତିଯୋଗିତା ଆୟୋଜନ ପାଇଁ ୧.୨୫ କୋଟି ଟଙ୍କା ବ୍ୟୟ ବରାଦ ଅଟକଳ ହୋଇଛି ।

LEAVE A REPLY

Please enter your comment!
Please enter your name here